ହିସାର: କରୋନା କାରଣରୁ ସମଗ୍ର ଦେଶ ସହିତ ହରିୟାଣାରେ ଲକଡାଉନ ଜାରି କରାଯାଇଛି ଏବଂ ଲୋକମାନେ ଘରେ ରହିବାକୁ ବାଧ୍ୟ ହେଉଥିବାବେଳେ ଏହାର ଏକ ସକରାତ୍ମକ ଦିଗ ଏବେ ସାମ୍ନାକୁ ଆସିଛି | ହୃଦୟର ଦୂରତାକୁ ଲକଡାଉନ ଶେଷ କରିଛି | ହରିୟାଣାର ହିସାରରେ ରୁହନ୍ତି ଗୋୟଲ ପରିବାର | ଏହି ପରିବାରର ୮ ଭାଇ ଲକଡାଉନ ପୂର୍ବରୁ ପୃଥକ ପୃଥକ ରୋଷେଇ କରୁଥିଲେ | ପରିବାର ବିବାଦ ଯୋଗୁଁ ୮ ଜଣ ଅଲଗା ହୋଇଯାଇଥିଲେ ବି ଏବେ ଲକଡାଉନ ଯୋଗୁଁ ୮ ଭାଇ ଓ ତାଙ୍କ ପତ୍ନୀମାନେ ଏକାଠି ହୋଇ ରୋଷେଇ କରିବା ସହ ପୁରୁଣା ବିବାଦକୁ ଭୁଲିଯାଇଛନ୍ତି |

Advertisment

ମିଳିଥିବା ସୂଚନା ମୁତାବକ ପୂର୍ବରୁ ୮ ଭାଇଙ୍କ ପରିବାରରେ ଅଲଗା ରୋଷେଇ ଘର ଥିଲା | କିନ୍ତୁ ଲକଡାଉନ ସ୍ଥିତିରେ ୮ଟି ରୋଷେଇ ଘର ବଦଳରେ ଏହା ଗୋଟିଏ ହୋଇଯାଇଛି | ବର୍ତ୍ତମାନ ସକାଳ ଜଳଖିଆ ଏବଂ ଉଭୟ ସମୟର ଖାଦ୍ୟ ପାଇଁ ସମଗ୍ର ପରିବାର ଏକତ୍ରିତ ହୋଇଛି | ଘରର ବୋହୂମାନେ ମଧ୍ୟ ଏକାଠି ହୋଇ ସମୟ ଅନୁଯାୟୀ ନିଜ କର୍ତ୍ତବ୍ୟ କରୁଛନ୍ତି | ରାତ୍ରୀ ଭୋଜନରେ ଦୈନନ୍ଦିନ କାର୍ଯ୍ୟକଳାପ ସହ ସେମାନଙ୍କ ପରିବାରର ସୁଖଦ ମୁହୂର୍ତ୍ତ ବିଷୟରେ ଆଲୋଚନା କରାଯାଇଥାଏ |

ରୋଷେଇ ଘର ଗୋଟିଏ ହୋଇଥିବାରୁ ବର୍ତ୍ତମାନ ଏହି ପରିବାରର ଲୋକମାନେ ଖାଦ୍ୟ ପ୍ରସ୍ତୁତ କରି ଅଭାବୀ ଲୋକଙ୍କୁ ସାହାଯ୍ୟ କରୁଛନ୍ତି | ୮ ଭାଇ ହେଉଛନ୍ତି ବିନୋଦ ଗୋୟଲ, ଆନନ୍ଦ ଗୋୟଲ, ପ୍ରମୋଦ ଗୋୟଲ, ସଞ୍ଜୟ ଗୋୟଲ, ପୱନ ଗୋୟଲ, ରମେଶ ଗୋୟଲ, ଅରୁଣ ଗୋୟଲ ଏବଂ ଅଜୟ ଗୋୟଲ, ଯେଉଁମାନେ ସକାଳରୁ ରାତି ପର୍ଯ୍ୟନ୍ତ ସେବା କାର୍ଯ୍ୟରେ ନିୟୋଜିତ ରହୁଛନ୍ତି । ପେଟ୍ରୋଲ ପମ୍ପ ଅପରେଟର ଭାବେ କାମ କରୁଥିବା ଅଜୟ ଗୋୟଲ କହିଛନ୍ତି ଯେ ଜୀବନର ଦ୍ରୁତ ଗତିରେ ପରସ୍ପର ପାଖରେ ବସିବାର ସମୟ କମ୍ ଥିଲା, କିନ୍ତୁ ଲକଡାଉନ ସମଗ୍ର ପରିବାରକୁ ନିକଟତର କରିଛି। ବର୍ତ୍ତମାନ ପରସ୍ପର ପାଇଁ ସମୟ ଦେଇପାରୁଛୁ |