ଲକ୍‌ଡାଉନର ସମୟ : ଏକତା, ସଂଯମ ଓ ନେତୃତ୍ୱ

ଶ୍ରୀ ରାଜନାଥ ସିଂହ

ବୈଶ୍ୱିକ ମହାମାରୀ କରୋନା ସଂକ୍ରମଣ କାରଣରୁ ଦେଶ ଏବେ ଏକ ଅପ୍ରତ୍ୟାଶିତ ଆହ୍ବାନର ସମ୍ମୁଖିନ ହୋଇଛି। ତେବେ ଏଭଳି ଏକ ସ୍ଥିତିରେ ଦେଶ ବ୍ୟାପକ ଏକତା ଏବଂ ସଂଯମ ପ୍ରଦର୍ଶନ କରିଛି। ମହାମାରୀ ଆରମ୍ଭ ହେବା ସମୟରେ ଲକ୍‌ଡାଉନକୁ କାର୍ଯ୍ୟକାରୀ କରିବା ଏକ ଅସମ୍ଭବ ଚିନ୍ତାଧାରା ବୋଲି ପ୍ରତୀୟମାନ ହେଉଥିଲା, ବିଶେଷ କରି ଆମଭଳି ଏକ ଜନବହୁଳ ରାଷ୍ଟ୍ରରେ। କିନ୍ତୁ ଏବେ ଏହାକୁ ଦ୍ୱିତୀୟ ବାର ବୃଦ୍ଧି କରାଯାଇଛି, ଏହା ସତ୍ୱେ ଦେଶବାସୀ ସେମାନଙ୍କର ପ୍ରତିବଦ୍ଧତାରେ ଅଟଳ ରହିଛନ୍ତି ଏବଂ ନିଜକୁ ତଥା ଦେଶର ଅନ୍ୟ ନାଗରିକମାନଙ୍କୁ ଏହି ଭୂତାଣୁ ସଂକ୍ରମଣରୁ ରକ୍ଷା କରିବା ଲାଗି ଏକଜୁଟ ହୋଇ ରହିଛନ୍ତି। ଯେଭଳି ଭାବେ ୧୩୦ କୋଟି ଭାରତୀୟ ନାଗରିକ ଏହି ବୈଶ୍ୱିକ ମହାମାରୀ ବିରୋଧରେ ଲଢ଼େଇ କରିବା ନିମନ୍ତେ ପରସ୍ପର ସହ ହାତ ମିଳାଇଛନ୍ତି, ତାହା ବିଶ୍ୱ ଇତିହାସରେ ଅଭୂତପୂର୍ବ। ଭବିଷ୍ୟତରେ ପିଢ଼ି ପିଢ଼ି ଧରି ଜନସାଧାରଣ ଏକଥା ଶୁଣି ଅବଶ୍ୟ ଆଶ୍ଚର୍ଯ୍ୟ ହେବେ ଯେ ଭାରତ ଭଳି ଏକ ରାଷ୍ଟ୍ରରେ ଏଭଳି ଏକ ଅସମ୍ଭବ କାର୍ଯ୍ୟ ସମ୍ଭବପର ହୋଇପାରିଥିଲା। ମୋର ଦୃଢ଼ ବିଶ୍ୱାସ ଯେ ଏହା କଦାପି ଏକ ଦୃଢ଼ ନେତୃତ୍ୱ ବିନା ସମ୍ଭବପର ହୋଇପାରିନଥାନ୍ତା।

ଏକଥା ସତ ଯେ କରୋନା ଭୂତାଣୁ ସଂକ୍ରମଣ ଏବେ ବଢ଼ି ଚାଲିଛି ଏବଂ ଏ ଯୁଦ୍ଧରେ ବିଜୟ ଲାଭ କରିବା ସକାଶେ ଢେର ସମୟ ବାକି ଅଛି। ତଥାପି, ଆମେ ଏଭଳି ଆତ୍ମବିଶ୍ୱାସ ପୋଷଣ କରିବାର ଯଥାର୍ଥ କାରଣ ରହିଛି। କାରଣ, ବିଶ୍ୱର ଅନ୍ୟ ଭାଗ ତୁଳନାରେ ଭାରତରେ ଏହାର ସଂକ୍ରମଣ ବେଶ ସୀମିତ ସ୍ତରରେ ରହିଛି। ଏହା ଏକ ବିସ୍ମୟକର ଘଟଣା ନିଶ୍ଚୟ। କାରଣ ଭାରତ କେବଳ ଏକ ବିକାଶଶୀଳ ରାଷ୍ଟ୍ର ନୁହେଁ, ଏହାର ସାର୍ବଜନୀନ ସ୍ବାସ୍ଥ୍ୟସେବା ବ୍ୟବସ୍ଥା ଭିତିଭୂମି ଓ ସମ୍ବଳ ମଧ୍ୟ ଖୁବ୍‌ ସୀମିତ। ଭୌଗୋଳିକ ଦୃଷ୍ଟିକୋଣରୁ ଭାରତ ଯେତିକି ବିଶାଳ, ଏହାର ଜନସାଂଖ୍ୟିକ ସାନ୍ଦ୍ରତା ମଧ୍ୟ ସେତିକି ଅଧିକ।

ଯଦି ଏଭଳି ଭୂତାଣୁବାହିତ ମହାମାରୀରୁ ମାନବ ଜୀବନକୁ ରକ୍ଷା କରିବାର ଏକମାତ୍ର ଉପାୟ ହେଉଛି ଅନ୍ୟମାନଙ୍କ ଠାରୁ ନିରାପଦ ସାମାଜିକ ଦୂରତା ରକ୍ଷା କରିବା। ଏପରି କରିଥିଲେ ରୋଗ ସଂକ୍ରମଣ ଆରମ୍ଭ ହେବା ଆଗରୁ ହିଁ ଏହାକୁ ପ୍ରତିହତ କରାଯାଇପାରିଥାନ୍ତା। ସାକ୍ଷରତା ହାରରେ ଭିନ୍ନତା ଏବଂ ସମସ୍ତଙ୍କ ନିକଟରେ ଗଣମାଧ୍ୟମର ସୂଚନା ଉପଲବ୍ଧ ନଥିବା ଏତେ ବଡ଼ ବିଶାଳ ଜନସଂଖ୍ୟା ନିକଟରେ ଏହି ବାର୍ତା କିଭଳି ପହଁଚା ଯାଇପାରିଥାନ୍ତା? ବାସ୍ତବତା ଦୃଷ୍ଟିକୋଣରୁ ଦେଶର ଏମୁଣ୍ଡରୁ ସେମୁଣ୍ଡ ପର୍ଯ୍ୟନ୍ତ ଲୋକମାନଙ୍କ ନିକଟରେ ଏହି ବାର୍ତା ପହଁଚାଇବା କୌଣସି ଅଧିକାରୀ ଅବା ନେତୃତ୍ୱଙ୍କ ପକ୍ଷେ ଅସମ୍ଭବ ହୋଇପଡ଼ିଥାନ୍ତା। କାରଣ ଯଦି ଲୋକମାନଙ୍କୁ ଉଚିତ ମାର୍ଗରେ ପ୍ରବର୍ତାଇ ନହୁଏ ତେବେ ତାହା ଲକ୍ଷ୍ୟହୀନ ହୋଇ ପଡ଼ିଥାନ୍ତା।

ତଥାପି, ଏହି ଅସମ୍ଭବ କାର୍ଯ୍ୟ ଏବେ ବାସ୍ତବରେ ସମ୍ଭବପର ହୋଇପାରିଛି। ଏଥିରେ କିଛି ଦୋଷତ୍ରୁଟି ରହିଛି, ହଁ। କିନ୍ତୁ ସେସବୁକୁ କେବଳ ତ୍ରୁଟି ବୋଲି ହିଁ ଧରାଯିବ। ତାହା ହେଉଛି ନିୟମ ଦୃଷ୍ଟିରୁ ବ୍ୟତିକ୍ରମ। ଗତ ମାର୍ଚ୍ଚ ମାସରେ ରାଜଧାନୀ ଦିଲ୍ଲୀରେ ତବଲିଘୀ ଜମାତ ସମ୍ମିଳନୀ ଏବଂ ଲକ୍‌ଡାଉନ ଘୋଷଣା ହେବାର ପ୍ରାରମ୍ଭିକ ଅବସ୍ଥାରେ ଦେଶର ବିଭିନ୍ନ ସହରରୁ ଦେଶାନ୍ତରିତ ଶ୍ରମିକମାନେ ନିଜ ନିଜ ଘରକୁ ଯିବାଲାଗି ଏକତ୍ରିତ ହେବା କେବଳ ଗୋଟିଏ ଗୋଟିଏ ଦୁର୍ଭାଗ୍ୟଜନକ ଘଟଣା ମାତ୍ର। ତେବେ ସେଗୁଡ଼ିକୁ କେବଳ ମଝି ମଝିରେ ଘଟୁଥିବା ଗୋଟିଏ ଗୋଟିଏ ଘଟଣା ଯାହା ମାନବୀୟ ଭୁଲ୍‌ ଯୋଗୁ ଘଟୁଛି ବୋଲି କୁହାଯାଇପାରେ। ଯେତେବେଳେ ଦେଶର ବିଶାଳ ଜନତା ସେମାନଙ୍କର ସ୍ବାଭାବିକ ଚଳପ୍ରଚଳରୁ ନିବୃତ ରହିଛନ୍ତି ଏଭଳି ଘଟଣା ତାହାର ବ୍ୟତିକ୍ରମ ନିଶ୍ଚୟ। ଉତ୍ତର ପୂର୍ବାଂଚଳର ଅରୁଣାଚଳ ପ୍ରଦେଶ ଠାରୁ ନେଇ କଚ୍ଛ ପର୍ଯ୍ୟନ୍ତ କାଶ୍ମୀରରୁ କନ୍ୟାକୁମାରୀ ଯାଏ, ଗୋଟିଏ ସମାନ କାରଣ ପାଇଁ ଏବେ ଭାରତୀୟମାନେ ସମସ୍ତେ ଏକଜୁଟ ହୋଇଛନ୍ତି।

ଆତ୍ମସଂଯମର ଏଭଳି ନିଦର୍ଶନକୁ ଆମେ କିଭଳି ଭାବେ ବର୍ଣ୍ଣନା କରି ପାରିବା? ଭାରତୀୟ ମାନସିକତା ହିଁ ଏହାର ଉତ୍ତର। ଏହା ହିଁ ହେଉଛି ଆମର ସାଂସ୍କୃତିକ ପରମ୍ପରା। ହୁଏତ ଏହାର ଆହୁରି ଅଧିକ କାରଣ ଥାଇପାରେ। ତଥାପି, ସବୁଠାରୁ ବଳିଷ୍ଠ ଓ ଗୁରୁତ୍ୱପୂର୍ଣ୍ଣ କାରଣ ଯାହାକି ସମସ୍ତଙ୍କୁ ଏକଜୁଟ କରାଇଛି ତାହା ହେଲା ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ। ଏହା ଦେଶର ସୌଭାଗ୍ୟ ଯେ ଏଭଳି ଏକ ଜଟିଳ ସମୟରେ ରାଷ୍ଟ୍ର ତାଙ୍କ ଭଳି ଜଣେ ପ୍ରଧାନମନ୍ତ୍ରୀଙ୍କୁ ପାଇଛି। ତାଙ୍କର ଅନେକ ଗୁଣ ଏଭଳି ପରିସ୍ଥିତିର ସାମ୍ନା କରିବା ଲାଗି ମେଳ ଖାଉଛି।

ଭାରତରେ କରୋନା ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ଅତି ନଗଣ୍ୟ ଥିଲାବେଳେ ହିଁ ପ୍ରଧାନମନ୍ତ୍ରୀ ଦେଶରେ ଲକ୍‌ଡାଉନ ଲାଗୁ କରିବା ଲାଗି ଘୋଷଣା କରିଥିଲେ। ତାହା କେବଳ ତାଙ୍କର ଉଦ୍‌ବେଗକୁ ସୂଚୀତ କରେନାହିଁ ବରଂ ତାଙ୍କର ଦୃଢ଼ତାର ପରିଚୟ ପ୍ରଦାନ କରେ- ତାଙ୍କର ଏଭଳି ନିର୍ଣ୍ଣାୟକ ସିଦ୍ଧାନ୍ତର ଉଦାହାରଣ ଆମେ ପୂର୍ବରୁ ଅନେକ ପରିସ୍ଥିତିରେ ପାଇସାରିଛୁ। ସାରା ଦେଶରକୁ ଏକା ସଙ୍ଗେ ଠପ୍‌ କରିଦେବା ଏବଂ ଦେଶର ନାଗରିକଙ୍କ ଜୀବନକୁ ସୁରକ୍ଷିତ ରଖିବା ଲାଗି ଅର୍ଥବ୍ୟବସ୍ଥାକୁ ଶିଥିଳ କରିଦେବା ବାସ୍ତବିକ ଏକ ଅତି କଠୋର ନିଷ୍ପତ୍ତି, ଯାହାକି କୋଭିଡ଼-୧୯ ପ୍ରତି ବିଶ୍ୱର ପ୍ରତିକ୍ରିୟାରୁ ଆମେ ସଭିଏଁ ଦେଖିସାରିଛେ। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କ ଲୋକପ୍ରିୟତା କାରଣରୁ ଏଭଳି କଠୋର ନିଷ୍ପତିକୁ କେହିସୁଦ୍ଧା ବିରୋଧ କରିନଥିଲେ, ବରଂ ସ୍ବାଗତ କରିଥିଲେ। ସାମଗ୍ରିକ ଭାବେ ଦେଶବାସୀ ଏହାକୁ ନିଜର ଆନ୍ଦୋଳନରେ ପରିଣତ କରିଥିଲେ। ଲକ୍‌ଡାଉନ ପୂର୍ବବର୍ତ୍ତୀ କର୍ଟେନ ରେଜର ସ୍ବରୂପ ଯେତେବେଳେ ‘ଜନତା କର୍ଫ୍ୟୁ’ ଜାରି କରାଗଲା ଦେଶର ସାଧାରଣ ନାଗରିକ ସେମାନଙ୍କର ଚଳପ୍ରଚଳ ଉପରେ ନିଜଆଡ଼ୁ ନିୟନ୍ତ୍ରଣ ଜାରି କରିଥିଲେ। ମୁଁ ଚିନ୍ତା କରି ପାରୁନାହିଁ, ଭାରତର କିମ୍ବା ବିଶ୍ୱର ଅନ୍ୟ କେହି ଜନନେତା, ଜନମାନସକୁ ମାତ୍ର କେଇଘଣ୍ଟା ଭିତରେ ଏଭଳି ଭାବେ ସଫଳତାର ସହ ଏକଜୁଟ କରିବାକୁ ସକ୍ଷମ ହୋଇପାରିଥାନ୍ତେ।

ଦେଶବାସୀଙ୍କୁ ତାଙ୍କର ନିବେଦନ- ପ୍ରଥମେ, ଥାଳି ବଜାଇ ଡାକ୍ତର ଓ ଅନ୍ୟ ଜରୁରି ସେବା ପ୍ରଦାନକାରୀଙ୍କ ପ୍ରତି କୃତଜ୍ଞତା ପ୍ରକଟ କରିବା ଏବଂ ପରେ ଦୀପ ପ୍ରଜ୍ଜ୍ୱଳନ କରି ଐକ୍ୟ ଓ ସକାରାମତ୍କ ମନୋଭାବ ପ୍ରଦର୍ଶନ କରିବା- ଏଭଳି କାର୍ଯ୍ୟକୁ ସେଥିରୁ ମିଳିଥିବା ସୁଫଳ ଦୃଷ୍ଟିକୋଣରୁ ମୂଲ୍ୟାୟନ କରାଯିବା ଆବଶ୍ୟକ। ସୁଦୂର ପୁରପଲ୍ଲୀରେ ଗ୍ରାମବାସୀଙ୍କ ମନରେ ଏଭଳି ସକାରାମତ୍କ ଭାବନା ଜାଗ୍ରତ ହେବାର ଅନେକ ଉଦାହରଣ ମୁଁ ଦେଇପାରିଛି ଯାହାକି ଏପରି ଅଭିନବ ଉପାୟରେ ହୋଇନଥିଲେ କଦାପି ସମ୍ଭବପର ହୋଇପାରିନଥାନ୍ତା। ପ୍ରଧାନମନ୍ତ୍ରୀଙ୍କ ଏଭଳି ଅଭିନବ ପଦକ୍ଷେପର ଶବ୍ଦ ସେମାନଙ୍କ ମନରେ ଅଦ୍ଭୁତ ସଚେତନତା ଉଦ୍ରେକ କରି ପାରିଛି। ଯେତେବେଳେ ମୁଁ ଛୋଟ ଛୋଟ ସହର ଓ ଗ୍ରାମାଂଚଳରେ ଥିବା ମୋର ପୁରୁଣା ସହକର୍ମୀ ଓ ଅନ୍ୟ ନାଗରିକମାନଙ୍କ ସହ ଭାବ ବିନିମୟ କରିବାର ସୁଯୋଗ ପାଏ, ସେମାନଙ୍କର ସଚେତନତାର ମାତ୍ରା, ସକଳ କଷ୍ଟ ସତ୍ୱେ ପ୍ରତିଷେଧମୂଳକ ପଦକ୍ଷେପ ଗ୍ରହଣ କରିବାକୁ ସେମାନଙ୍କ ଆଗଭର ମନୋଭାବ ଏବଂ ସେମାନଙ୍କର ସକାରାମତ୍କ ମନୋଭାବ ଦେଖି ମୁଁ ଆଶ୍ଚର୍ଯ୍ୟ ହୁଏ। ସେମାନେ ସମସ୍ତେ ମୋଦୀ-ଜୀଙ୍କୁ ଏଭଳି ବୈପ୍ଳବିକ ପରିବର୍ତନର ଶ୍ରେୟ ଦିଅନ୍ତି। ପ୍ରଧାନମନ୍ତ୍ରୀଙ୍କ ଉପରେ ଲୋକମାନଙ୍କର ଏଭଳି ଅଖଣ୍ଡ ଆସ୍ଥା ହିଁ ଲକ୍‌ଡାଉନକୁ ଅସମ୍ଭବ ସଫଳତା ପ୍ରଦାନ କରିଛି।

ରାଜ୍ୟ ମୁଖ୍ୟମନ୍ତ୍ରୀମାନଙ୍କର, ଜିଲ୍ଲାପାଳ, ସ୍ବାସ୍ଥ୍ୟ ଅଧିକାରୀମାନଙ୍କର ଅବଦାନକୁ ଊଣା କରିବା ଲାଗି ମୁଁ ଏଭଳି କହୁନାହିଁ। ଅନେକ ମୁଖ୍ୟମନ୍ତ୍ରୀ ବାସ୍ତବରେ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି। ଅନେକ ମେୟର ଓ ମହାନଗର ନିଗମ କମିଶନରମାନେ ସେମାନେ କର୍ତବ୍ୟର ଆହ୍ବାନରେ ଜନସାଧାରଣଙ୍କ କଲ୍ୟାଣ ଲାଗି ପ୍ରଶଂସନୀୟ କାର୍ଯ୍ୟ କରିଛନ୍ତି। ଏଭଳି ନୂତନ ସଂଗ୍ରାମରେ, ଆମର ସଶସ୍ତ୍ର ସେନା, ପୁଲିସ ବାହିନୀ ଏବଂ ଅର୍ଦ୍ଧସାମରିକ ବାହିନୀ ମଧ୍ୟ ପରିସ୍ଥିତିର ମୁକାବିଲା ପାଇଁ ସମୟୋଚିତ ପଦକ୍ଷେପ ନେଇଛନ୍ତି। ତଥା ସ୍ଥାନୀୟ କର୍ତୃପକ୍ଷଙ୍କୁ ସହଯୋଗ କରିଛନ୍ତି ଓ ଉପଶମ ପହଁଚାଇଛନ୍ତି। ତଥାପି, ଉପର ସ୍ତରରୁ ଯଦି ସମନ୍ବୟ ରହିନଥାନ୍ତା, ତେବେ ଏଭଳି ପ୍ରୟାସ କେବଳ ସ୍ଥାନୀୟ ସ୍ତରରେ ରହିଯାଇଥାନ୍ତା। ଏଥିରୁ ଆମେ ପାଇଥିବା ସାମଗ୍ରିକ ସୁଫଳ କେବେ ବି ମିଳିନଥାନ୍ତା।

ଅଧିକନ୍ତୁ, ସବୁଠାରୁ ଆଶ୍ୱସ୍ତିର କଥା ହେଉଛି ଅବହେଳିତ ବର୍ଗ, ଦିନ ମଜୁରିଆ, ଶ୍ରମିକ ଓ କୃଷକମାନଙ୍କ କଲ୍ୟାଣ ପ୍ରତି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। ଲକ୍‌ଡାଉନ ସମୟରେ ଏହିସବୁ ବର୍ଗଙ୍କ ଉପରେ ଯେପରି କୌଣସି ଆର୍ଥିକ ବୋଝ ନପଡିବ ଓ ସେମାନେ କ୍ଷତିଗ୍ରସ୍ତ ନହେେବ, ସରକାରଙ୍କ ପକ୍ଷରୁ ସେଥିପ୍ରତି ଦୃଷ୍ଟି ଦିଆଯାଇ ସ୍ବତନ୍ତ୍ର ଆର୍ଥିକ ପ୍ୟାକେଜ୍‌ରେ ଅନେକ ଗୁଡ଼ିଏ କାର୍ଯ୍ୟକ୍ରମ ଘୋଷଣା କରାଯାଇଛି।

ଏଭଳି ଭୂମିକା ଗ୍ରହଣ କରିବାକୁ ପ୍ରଧାନମନ୍ତ୍ରୀ କିଭଳି ଭାବେ ଅନୁପ୍ରାଣିତ ହେଲେ ତାହା ମୋତେ ଆଶ୍ଚର୍ଯ୍ୟ କରିଥାଏ। ବିପର୍ଯ୍ୟୟ ପରିଚାଳନାରେ ପ୍ରଧାନମନ୍ତ୍ରୀ ମୋଦୀଜୀଙ୍କର ଅବଶ୍ୟ ପୂର୍ବର ଅଭିଜ୍ଞତା ରହିଛି। ମୋର ସ୍ମରଣ ଅଛି ଯେ ୧୯୭୯ ମସିହାରେ ଗୁଜରାଟର ମୋରବୀ ଟାଉନ ଯେତେବେଳେ ନଦୀବନ୍ଧ ଭାଙ୍ଗିବା ଯୋଗୁ ସଂପୂର୍ଣ୍ଣ ରୂପେ ଧୋଇ ଯାଇଥିଲା ସେତେବେଳେ ସେଠାରେ ପହଁଚିଥିବା ପ୍ରଥମ କିଛି ଲୋକଙ୍କ ମଧ୍ୟରୁ ମୋଦୀଜୀ ଜଣେ ଥିଲେ। ଯଦିବା ସେତେବେଳେ ତାଙ୍କୁ ମାତ୍ର କୋଡ଼ିଏ ବର୍ଷରୁ କିଛି ଅଧିକ ବୟସ ହୋଇଥିଲା, ତଥାପି ସେତେବେଳେ ସେ ଆର୍‌ଏସ୍‌ଏସ୍‌ ସଂଗଠନ ଭିତରେ ଏବଂ ବାହାରେ ଜଣେ ସ୍ବୀକୃତ ନେତାର ମାନ୍ୟତା ଅର୍ଜନ କରିସାରିଥିଲେ। ଜରୁରିକାଳିନ ପରିସ୍ଥିତି ବିରୋଧୀ ଆନ୍ଦୋଳନରେ ସକ୍ରିୟ ଅଂଶଗ୍ରହଣ କରି ସେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିସାରିଥିଲେ। ମୋରବୀରେ ସେ କିଛି ରାଷ୍ଟ୍ରୀୟ ସ୍ବୟଂ ସେବକଙ୍କ ନେତୃତ୍ୱ ନେଇ ରିଲିଫ କାର୍ଯ୍ୟରେ ଲାଗି ପଡ଼ିଥିଲେ। ପରେ, ଯେତେବେଳେ ସେ ନିର୍ବାଚନ ରାଜନୀତିରେ ପାଦ ଥାପିଥିଲେ ଏବଂ ୨୦୦୧ ମସିହାରେ ଗୁଜରାଟର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିଥିଲେ ସେତେବେଳେ ରାଜ୍ୟ ଏକ ଭୟାବହ ଭୂମିକମ୍ପ ପ୍ରକୋପରୁ ନିଜକୁ ସଜାଡ଼ୁଥାଏ। ମୋର ସ୍ମରଣ ଅଛି କିପରି ସେ ପ୍ରତି ସପ୍ତାହରେ କଚ୍ଛ କ୍ଷେତ୍ରକୁ ଗସ୍ତ କରୁଥିଲେ ଏବଂ ନିର୍ଦ୍ଧାରିତ ସମୟସୀମା ଭିତରେ କିଭଳି ଭାବେ ସାରା ଟାଉନର ପୁନଃନିର୍ମାଣ କାର୍ଯ୍ୟ ଶେଷ କରାଯିବ ସେଥିପାଇଁ ଅମଲାତନ୍ତ୍ରକୁ ଉତ୍ସାହ ଓ ପ୍ରେରଣା ଯୋଗାଉଥିଲେ। ଏପରିକି ସାରା ସହରର ପୁନଃନିର୍ମାଣ କାର୍ଯ୍ୟ ଧାର୍ଯ୍ୟ ସମୟ ପୂର୍ବରୁ ସାରିବାକୁ ସେ ସେମାନଙ୍କୁ ଅନୁପ୍ରାଣିତ କରୁଥିଲେ। ଏଥିପାଇଁ ରାଜ୍ୟ ପ୍ରଶାସନକୁ ଅନ୍ତଃରାଷ୍ଟ୍ରୀୟ ସ୍ତରରୁ ଭୂୟସୀ ପ୍ରଶଂସା ମିଳିଥିଲା।

ଏହା ସୁନିଶ୍ଚିତ ଯେ ସମଗ୍ର ପୃଥିବୀ ଏବେ ସାମ୍ନା କରୁଥିବା ଏପରି ବୈଶ୍ୱିକ ଜଟିଳ ପରିସ୍ଥିତି ପରିଚାଳନାରେ କାହାର ପୂର୍ବ ଅଭିଜ୍ଞତା ନାହିଁ। ଅଭିଜ୍ଞତା ଠାରୁ ବଡ଼ ହେଲା କର୍ମ ପ୍ରତି ମୌଳିକ ମୂଲ୍ୟବୋଧ ଏବଂ କର୍ତବ୍ୟନିଷ୍ଠା ରକ୍ଷା। ଶ୍ରୀ ମୋଦୀ ସର୍ବଦା ନିଜକୁ ପ୍ରଧାନ ସେବକ ରୂପେ ପରିଚିତ କରାଇଥାନ୍ତି- ତାହାକୁ ସେ କିଭଳି ଭାବେ କାର୍ଯ୍ୟରେ ପ୍ରତିଫଳିତ କରନ୍ତି, ମୁଁ ବିନମ୍ରତାର ସହ କହିବି ଯେ ତାହା ଏକ ଛୋଟକାଟର ବିସ୍ମୟ: ଏକ ସଂଗଠିତ ଭାରତ, ଯାହାର ଧୈର୍ଯ୍ୟ ଅସୀମ, ଯାହା ଧୀରେ ଧୀରେ ନୋଭେଲ କରୋନା ଭୂତାଣୁ ଉପରେ ନିଜର ହାତମୁଠାକୁ ଟାଣ କରିଚାଲିଛି ଏବଂ ଦିନ ପରେ ଦିନ ନିଜକୁ ଶକ୍ତିଶାଳୀ ବୋଲି ପ୍ରମାଣିତ କରିଚାଲିଛି।

– ପ୍ରତିରକ୍ଷା ମନ୍ତ୍ରୀ

ସମ୍ବନ୍ଧିତ ଖବର