ପ୍ରଜ୍ଞା ନିବେଦିତା ନାୟକ

ତାଳପତ୍ର ପୋଥି! ଏ ଶବ୍ଦଟି ହୁଏତ ଆଜିକାର ପିଲାଏ ହଠାତ୍‌ ବୁଝିପାରିବେ ନାହିଁ। କିନ୍ତୁ ଦିନେ ଏହା ଥିଲା ଆମ ‌ଦୈନନ୍ଦିନ ଜୀବନର ଅବିଚ୍ଛେଦ୍ୟ ଅଙ୍ଗ। ଠାକୁର ଘରେ ତାଳପତ୍ର ପୋଥି ପୂଜାରୁ ଆରମ୍ଭ ହେଉଥିଲା ସକାଳ। ଜଗନ୍ନାଥ ଦାସଙ୍କ ‘ଭାଗବତ’ ହେଉ କି ଅଚ୍ୟୁତାନନ୍ଦ ଦାସଙ୍କ ‘ହରିବଂଶ’, ଏସବୁ ପବିତ୍ର ପୋଥି ପୁରାଣ ଓଡ଼ିଆ ଘରେ ପୂଜା ପାଉଥିଲା। ସଂଜ ନଇଁଲେ ଲୋକେ ଭାଗବତ ଟୁଙ୍ଗୀରେ ଏକାଠି ହୋଇ ଭାଗବତ ପାଠ କରୁଥିଲେ।

Advertisment

ଯଦିଓ ପୋଥି ପଠନ ଓ ଲିଖନ ଆମ ଜୀବନଧାରାର ଗୁରୁତ୍ବପୂର୍ଣ୍ଣ ଅଙ୍ଗ ହୋଇନାହିଁ, କିନ୍ତୁ  ଓଡ଼ିଶାର ମଠ, ମନ୍ଦିର ଓ ଭାଗବତ ଘରେ ସାଇତା ହୋଇ ରହିଛି ହଜାର ହଜାର ସଂଖ୍ୟାରେ ତାଳପତ୍ର ପୋଥି। ଏବେ ବି ଅନେକ ଗାଁରେ ପୋଥି ପେଡ଼ି, ପୋଥି ଖଟୁଲି, ପୋଥି ଆସନ, ପୋଥି ପେଟରା ଆଦିର ପ୍ରଚଳନ ରହିଛି। ଗବେଷକ ଡ.ପ୍ରଫୁଲ୍ଲ କୁମାର ସାହୁ କହନ୍ତି, ‘‘ତାଳପତ୍ର ପୋଥି ଓଡ଼ିଆ ଜାତିର ମହାର୍ଘ ସାରସ୍ବତ ବିଭବ। ବୌଦ୍ଧସିଦ୍ଧାଚାର୍ଯ୍ୟମାନେ ପ୍ରଥମେ ତାଳପତ୍ର ପୋଥିରେ ଚର୍ଯ୍ୟାପଦ ଲେଖିଥିଲେ ଏବଂ ସେବେଠାରୁ ଆରମ୍ଭ ହେଲା ପୋଥିଲେଖା ପରମ୍ପରା। କେତେକ ଗବେଷକ କିନ୍ତୁ କହନ୍ତି ଚର୍ଯ୍ୟାପଦର ବହୁ ପୂର୍ବରୁ ତାଳପତ୍ରରେ ଲେଖା ସରିଥିଲା।

ଅତଏବ ଖ୍ରୀ.ପୂ.କାଳରୁ ପୋଥିଲେଖା ପରମ୍ପରା ଆରମ୍ଭ ହୋଇ ସାରଳା ପଞ୍ଚସଖା ଯୁଗରେ ଏହା ବ୍ୟାପକ ରୂପ ନେଇଥିଲା।’’ ଅତୀତରେ ଲେଖା ଯାଇଥିବା ମୂଲ୍ୟବାନ୍‌ ତାଳପତ୍ର ପୋଥି ସାଇତା ହୋଇଛି ସତ, କିନ୍ତୁ ତାଳପତ୍ରରେ ‌ଲେଖାଯିବାର ପରମ୍ପରା ପ୍ରାୟତଃ ଅପସରି ଯାଇଛି। ଲୁହା ଲେଖନୀରେ ତାଳପତ୍ରରେ ଲେଖିବାର କୌଶଳ ସଂପର୍କରେ ଏବେକା ପିଢ଼ି ଅବଗତ ନୁ‌ହନ୍ତି। ଏହି କଳାଟି ମରିଗଲାଣି କହିଲେ ଅତ୍ୟୁକ୍ତି ହେବନାହିଁ। ଯଦିଓ ତାଳପତ୍ରରେ ଖୋଦେଇ କଳା ଜରିଆରେ କଳାକୃତି ପ୍ରସ୍ତୁତ ହେଉଛି, କିନ୍ତୁ ‌ଲିଖନ ପରମ୍ପରା ପ୍ରାୟତଃ ଲୋପ ପାଇବାକୁ ବସିଲାଣି। ମୁଖ୍ୟତଃ ଧର୍ମୀୟ ସାହିତ୍ୟ ତାଳପତ୍ରରେ ଲେଖାଯାଇଥିବା ବେଳେ ଶେଷବେଳକୁ ଆମେ ଜାତକ ତାଳପତ୍ରରେ ପ୍ରସ୍ତୁତ ହେବା ଦେଖିଥିଲେ। କତିପୟ ପୁରୁଖା ଜ୍ୟୋତିଷ ତାଳପତ୍ରରେ ଜାତକ ଲେଖୁଥିଲେ, ଯାହାକି ଏବେ ଏକପ୍ରକାର ବିରଳ। ସଂପ୍ରତି ଏପରି କଳା‌ର ଅଧିକାରୀ ଜ୍ୟୋତିଷଙ୍କ ସଂଖ୍ୟା ଓଡ଼ିଶାରେ ହାତଗଣତି। 

ଆଉ ଦିଶୁନାହିଁ ତାଳପତ୍ର ଜାତକ
ତାଳପତ୍ରରେ ଜାତକ କଥାକୁ ବିଚାରକୁ ନେଲେ ପ୍ରଥମେ ଏ‌ହାର ପ୍ରସ୍ତୁତି ବିଷୟରେ ଜାଣିବାକୁ ପଡ଼ିବ। କାରଣ ଏହାର ପ୍ରସ୍ତୁତି ଖୁବ୍‌ କଷ୍ଟ ଓ ସମୟସାପେକ୍ଷ। ତାଳପତ୍ର ବରଡ଼ା ଶୁଖିଲା ପରେ ତାକୁ କାଟି ଅଣାଯାଏ। ଏହାପରେ ଗୋଟା ବରଡ଼ାକୁ ପାଣିରେ କିଛିଦିନ ଭିଜାଇ ରଖାଯାଏ। ପାଣିଖାଇ ଏହା ଟିକେ ନରମ ହୋଇଆସିଲେ ଏହାକୁ ନେଇ କିଛିଦିନ ଖରାରେ ଶୁଖାଯାଏ। ଗୋଟି ଗୋଟି କରି ପତ୍ରକୁ ଆୟତକ୍ଷେତ୍ର ଆକାରରେ  କଟାଯାଏ। ତା’ପରେ ପତ୍ରକୁ ପତ୍ର ସୂତାରେ ବାନ୍ଧି ଯୋଡ଼ାଯାଏ। ଏହାପରେ ଲେଖନୀ ସାହାଯ୍ୟରେ ଜାତକ କଷାଯାଏ। ଜାତକ ପ୍ରସ୍ତୁତ ହୋଇଗଲା ପରେ ଏହାକୁ ସୁନ୍ଦର ତଥା ଅକ୍ଷର ସ୍ପଷ୍ଟ ଭାବେ ଦେଖାଯିବା ପାଇଁ ଏଥିରେ ଅଳତା ବା ନୀଳସ୍ୟାହି ପିଆଇ ପୋଛାଯାଏ। ଘୁଣ ବା ପୋକ ନଲାଗିବା ପାଇଁ କର୍ପୂର ପ୍ରଲେପ ମଧ୍ୟ ଦିଆଯାଏ। ହେଲେ ଏବେ କମ୍ପ୍ୟୁଟରୀକୃତ  ଜାତକର ପ୍ରଚଳନ ଓ ତାଳଗଛର ଅଭାବ ଯୋଗୁଁ ତାଳପତ୍ରରେ ଲେଖା ଜାତକ ଆଉ ଦେଖିବାକୁ ମିଳୁନି।

ଲେଖନୀ ଚଳାଇବ କିଏ?
ଓଡ଼ିଶାରେ ଏକଦା ତାଳପତ୍ର ପୋଥି ଲିଖନକୁ ବଂଶାନୁକ୍ରମେ ଜୀବୀକା ଭାବେ ଗ୍ରହଣ କରି ନେଇଥିଲେ ବ୍ରାହ୍ମଣ, କରଣ, ଜ୍ୟୋତିଷ ଓ ମାଟିବଂଶ ଅବଧାନ ଆଦି ଜାତି। ଲୁହା ଲେଖନୀରେ ତାଳପତ୍ର ପୋଥିଲିଖନ ତାଙ୍କ ବଂଶ ପରମ୍ପରା ଥିଲାବୋଲି କବି ବ୍ରଜନାଥ ବଡ଼ଜେନା ତାଙ୍କ ସ୍ବରଚିତ କାବ୍ୟରେ ଲେଖିଛନ୍ତି। ଉତ୍କଳୀୟ ପରମ୍ପରାରେ ପୋଥି ଲିଖନ ଓ ପଠନକୁ ଜୀବିକାର ଏକ ଅଂଶ ବୋଲି ବିଚାର କରାଯାଏ। କ୍ରମେ କାଗଜ ଓ ମୁଦ୍ରଣ ବ୍ୟବସ୍ଥା ଆସିବାରୁ ପୋଥି ପୁରାଣ ଲେଖନୀ ଏକପ୍ରକାର ବନ୍ଦ ହୋଇଗଲା। ବର୍ତ୍ତମାନ ସମୟରେ ତାଳପତ୍ର ଓ ଲୁହା ‌େଲଖନୀ ଧରି ପୋଥି ପୁରାଣ, ଜାତକ ଲେଖିବା ଆଉ ନାହିଁ କହିଲେ ଚଳେ। କୁଳବେଉସା କୁହାଯାଉଥିବା ଏହି ଧାରା ଏବର ପିଢ଼ି ଆପଣାଇବାକୁ ପ୍ରସ୍ତୁତ ‌ନୁହନ୍ତି। ହୁଏତ ଗୋଟିଏ କି ଦୁଇଟି ପିଢ଼ି ପ‌ରେ ଏହି ଧାରା ସଂପୂର୍ଣ୍ଣ ଲୋପ ପାଇଯିବ।