ଆଦିଦାସ୍‌,ଆମାଜନ୍‌, ଗୁଗଲ ଭଳି ପ୍ରତିଦିନ ବ୍ୟବହାର କରୁଥିବା ସାମଗ୍ରୀର ଲୋଗୋଗୁଡ଼ିକର ଅର୍ଥ କ’ଣ ଜାଣନ୍ତୁ

ପ୍ରତିଦିନ ଆମେ ବ୍ୟବହାର କରୁଥିବା ସାମଗ୍ରୀ ହେଉ ବା ଅନ୍ୟ କିଛି, ତାହାର ଲୋଗୋରୁ ଦେଖି ଆମେ ଉତ୍ପାଦ ବିଷୟରେ ଧାରଣା କରିପାରୁ। ଏ ଲୋଗୋଗୁଡ଼ିକ ଆମପାଇଁ ବେଶ୍‌ ପରିଚିତ। କେବେ ଚିନ୍ତା କରିଛନ୍ତି କି ଏ ଲୋଗୋଗୁଡ଼ିକର ଅର୍ଥ କ’ଣ ଆଉ କ’ଣ ଏହା ପଛର କାହାଣୀ!!

ଆଦିଦାସ୍‌
ଏହି ପ୍ରସିଦ୍ଧ ବ୍ରାଣ୍ଡ୍‌ଟି ତା’ର ତିନୋଟି କଳା ରଙ୍ଗର ସରୁ ଗାର ଥିବା ଲୋଗୋ ପାଇଁ ପ୍ରସିଦ୍ଧ। ଏହାକୁ ୧୯୭୬ ମସହାରେ ଡିଜାଇନ୍‌ କରାଯାଇଥିଲା। ପ୍ରକୃତରେ ଏହି ଲୋଗୋକୁ କେବଳ ଜୋତାରେ ସୁନ୍ଦର ଦେଖାଯିବା ଓ ଅନ୍ୟ ବ୍ରାଣ୍ଡ୍‌ଗୁଡ଼ିକଠାରୁ ନିଆରା ଦେଖାଯିବା ପାଇଁ ତିଆରି କରାଯାଇଥିଲା। ନବେ ଦଶକରେ ଏହାକୁ ପର୍ବତର ଶିଖର ପରି କରାଯାଇଥିଲା। ଯାହା ବର୍ତ୍ତମାନ ଆଥ୍‌ଲେଟ୍‌ମାନଙ୍କୁ ସଂଘର୍ଷ କରି ସଫଳତାର ଶୀର୍ଷରେ ପହଞ୍ଚିବାକୁ ପ୍ରେରଣା ଦେଉଛି। ‘ଆଦିଦାସ୍‌’ ନାମଟି ଏହାର ପ୍ରତିଷ୍ଠାତା ଆଡ୍‌ଲଫ୍‌ ଦାସ୍‌ଲର୍‌ଙ୍କ ନାମରୁ ଆସିଛି।

ଆମାଜନ୍‌
ବିଶ୍ୱର ଅନ୍ୟତମ ଲୋକପ୍ରିୟ ବ୍ରାଣ୍ଡ୍‌ ‘ଆମାଜନ୍‌’ ବିଷୟରେ କିଏ ବା ନ ଜାଣେ। ଲୋଗୋଟିକୁ ଚାହିଁଲେ ପ୍ରଥମେ ଏକ ହସ ହସ ମୁହଁ ଆଖିରେ ପଡ଼େ। ଏହି ଲୋଗୋରେ ଥିବା ସ୍ମାଇଲ ଓ ତୀର ଚିହ୍ନର ପ୍ରକୃତ ଅର୍ଥ ହେଉଛି,‘‘ଆମେ କିଛି ବି କେଉଁଠାରେ ବି ପହଞ୍ଚାଇବାରେ ଖୁସି ହେବୁା’’ କିନ୍ତୁ ଆମାଜନ୍‌ ଡଟ୍‌ କମ୍‌ ଏକ ନୂଆ ପ୍ରେସ୍‌ ବିଜ୍ଞପ୍ତିରେ ଅନ୍ୟ ଏକ ଅର୍ଥ ଦର୍ଶାଇଥିଲା। ଯାହା କିଛି ଏମିତି ଥିଲା। ଏକ ସ୍ମାଇଲ୍‌ ‘ଏ’ରୁ ଆରମ୍ଭ ହୋଇ ‘ଜେଡ୍‌’ରେ ଶେଷ ହେଉଛି। ଆମାଜନ୍‌ରେ ‘ଏ ଠାରୁ ଜେଡ୍‌’ ପର୍ଯ୍ୟନ୍ତ ଗ୍ରାହକ ତାଙ୍କ ପସନ୍ଦର ସବୁ ଜିନିଷ ଏଠି ପାଇବେ ବା କିଣିପାରିବେ ।

ଆପଲ୍‌
ଏହି ବ୍ରାଣ୍ଡ୍‌ଟି ବିଷୟରେ କିଏ ବା ନ ଜାଣେ। ଏହାର ପ୍ରଥମ ଲୋଗୋଟି ରନ୍‌ େଓ୍ଵନିଙ୍କ ଦ୍ୱାରା ତିଆରି ହୋଇଥିଲା, ଯେଉଁଥିରେ ସାର୍‌ ଆଇଜାକ୍‌ ନିଉଟନ୍‌ ଗୋଟିଏ ସେଓ ଗଛ ତଳେ ବସିଥିବାର ଦେଖାଯାଇଥିଲା। ଧୀରେ ଧୀରେ ଏଥିରେ ପରିବର୍ତ୍ତନ ଅଣାଯାଇ ‘ଆପଲ’ର ଚିହ୍ନକୁ ରଖାଯାଇଥିଲା। ‘ଆପଲ’ର ଏହି ଲୋଗୋରେ ଥିବା ଖଣ୍ଡିଆ ଚିହ୍ନଟି ପାଇଁ ଏହାକୁ କେହି ଚେରୀ ଭାବିବେନି; ତାହାହିଁ ଲୋଗୋରେ ଥିବା ଖଣ୍ଡିଆ ଚିହ୍ନର ମୁଖ୍ୟ କାରଣ ଥିଲା।

ବିଏମ୍‌ଡବ୍ଲ୍ୟୁ
ଜର୍ମାାନର ଏହି କାର୍‌ କମ୍ପାନୀ ଏକଦା ଉଡ଼ାଜାହାଜର ଯନ୍ତ୍ରାଂଶ ଓ ଏୟାରକ୍ରାଫ୍ଟ ଇଞ୍ଜିନ୍‌ ତିଆରି କରୁଥିଲା। ଏହି କାରଣରୁ ଅନେକ ବିଶ୍ୱାସ କରନ୍ତି ଯେ ଧଳା ଓ ନୀଳ ରଙ୍ଗର ଲୋଗୋଟି ଉଡ଼ାଜାହାଜର ଚାଳନଚକ୍ର ଓ ତା’ ପଛରେ ଥିବା ଆକାଶକୁ ଦର୍ଶାଇଥାଏ।

ଡୋମିନୋସ୍‌ ପିଜା
ସମସ୍ତେ ଏହି ପିଜା ଲୋଗୋ ବିଷୟରେ ଜାଣନ୍ତି। ଏଥିରେ ଥିବା ତିନୋଟି ବିନ୍ଦୁ ପ୍ରଥମ କରି ଖୋଲିଥିବା ଡୋମିନୋସ୍‌ର ତିନୋଟି ମୁଖ୍ୟ ରେଷ୍ଟୁରାଣ୍ଟର ଶାଖାକୁ ସୂଚାଇଥାଏ। ପ୍ରତିଷ୍ଠାତା ମୋନାଘାନ୍‌ ଏହାର ପ୍ରତିଟି ଶାଖା ଖୋଲିବା ସହ ପ୍ରତିଥର ଲୋଗୋରେ ଏକ ନୂଆ ବିନ୍ଦୁ ସାମିଲ କରିବାର ଯୋଜନା କରିଥିଲେ। କିନ୍ତୁ କାଳକ୍ରମେ ଏହା ସମ୍ଭବ ହୋଇପାରି ନ ଥିଲା।

ଗୁଗଲ
ଗୁଗଲ ବିଷୟରେ କିଏବା ନ ଜାଣେ। ଏହାର ଲୋଗୋଟି ଦେଖିବାକୁ ଭାରି ସାଦାସିଧା। ଏହାର ଅକ୍ଷରଗୁଡ଼ିକ ମୁଖ୍ୟତଃ ତିନୋଟି ରଙ୍ଗକୁ ନେଇ ତିଆରି ହୋଇଛି। ମାତ୍ର ଏହାର ‘ଏଲ୍‌’ ଅକ୍ଷରଟି ଏକ ଅଲଗା ରଙ୍ଗରେ ସ୍ଥାନିତ ହୋଇଛି। ଏହାର ଅର୍ଥ ହେଉଛି ଯେ ଗୁଗଲ ଅନ୍ୟ କମ୍ପାନୀମାନଙ୍କଠାରୁ ଟିକିଏ ଅଲଗା ଆଉ ଟିକିଏ ସ୍ୱତନ୍ତ୍ର।

ଆଇବିଏମ୍‌
ଏହି ଲୋଗୋରେ ଥିବା ସମାନ୍ତର ରେଖାଗୁଡ଼ିକ ପଛରେ ଏକ କାରଣ ଅଛି। ଯେତେବେଳେ ଏହି ଲୋଗୋର ଡିଜାଇନ୍‌ କରାହୋଇଥିଲା, ସେତେବେଳେ ମୋଟା ଅକ୍ଷର ମୁଦ୍ରଣରେ ସମସ୍ୟା ଦେଖାଯାଉଥିଲା। କାଳି ବୋହିବା ଆଶଙ୍କା କରି ମୂଳ ଲୋଗୋରେ ଥିବା ୧୩ଟି ଗାରକୁ କମାଯାଇ ୮ ଟି କରାଯାଇଥିଲା। ଏହି ଲୋଗୋରେ ଥିବା ଗାରଗୁଡ଼ିକ ସମାନତାର ମୂଲ୍ୟକୁ ଦର୍ଶାନ୍ତି।

ମ୍ୟାକ୍‌ଡୋନାଲ୍ଡ
ସାରା ବିଶ୍ୱରେ ଲୋକପ୍ରିୟ ଏହି ରେଷ୍ଟୁରାଣ୍ଟ୍‌ର ଲୋଗୋକୁ ଦେଖିଲେ ଆମେ ସମସ୍ତେ ଇଂରାଜୀ ଅକ୍ଷର ‘ଏମ୍‌’ର କଳ୍ପନା କରିଥାଉ। କିନ୍ତୁ ବାସ୍ତବରେ ଏହି ସୁଦୃଶ୍ୟ ତୋରଣଗୁଡ଼ିକ ଏହି ରେଷ୍ଟୁରାଣ୍ଟର ବିଲଡିଂ ଡିଜାଇନ୍‌ର ଏକ ଅଂଶ। ଏହି ତୋରଣଗୁଡ଼ିକ ବହୁତ ଦୂର ରାସ୍ତାକୁ ଦିଶୁଥିବାରୁ ଲୋକମାନଙ୍କୁ ଆକର୍ଷିତ କରିବାରେ ସଫଳ ହୋଇଥିଲା, ଯାହା ଫଳରେ କମ୍ପାନୀର ଲୋକପ୍ରିୟତା ବଢ଼ିଥିଲା। ସେବେଠୁ ଏହା କମ୍ପାନୀର ଲୋଗୋ ଭାବେ ରହିଆସିଛି। ରୁଥ୍‌ କେଦାର ଏହି ଲୋଗୋର ଡିଜାଇନ୍‌ କରିଥିଲେ।

ନାଇକ୍‌
ବିଶ୍ୱପ୍ରସିଦ୍ଧ ଜୋତା ନିର୍ମାତା ଏହି କମ୍ପାନୀ ସମ୍ବନ୍ଧରେ କିଏ ବା ନଜାଣେ। ଏହାକୁ ପରିକଳ୍ପନା କରିଥିବା କାରୋଲିନ୍‌ ଡେଭିଡସନ୍‌ ବାସ୍ତବରେ ଜଣେ ଡିଜାଇନ୍‌ ଛାତ୍ରୀ ଥିଲେ। କମ୍ପାନୀ ପାଇଁ ଲୋଗୋଟି ତିଆରି କରିସାରିବା ପରେ ତାଙ୍କୁ ତାଙ୍କ ପାଉଣା ବାବଦକୁ ୩୫ ଡଲାର ବା ଭାରତୀୟ ମୁଦ୍ରାରେ ମାତ୍ର ୨୩୩୩ ଟଙ୍କା ମିଳିଥିଲା। ପରେ ଅବଶ୍ୟ କମ୍ପାନୀର ଲୋକପ୍ରିୟତା ବଢ଼ିବା ପରେ ତାଙ୍କୁ ତାଙ୍କ ପାରିଶ୍ରମିକ ସହ ତାଙ୍କ ଡିଜାଇନ୍‌ ଥିବା ଏକ ହୀରା ମୁଦି ମଧ୍ୟ ଦିଆ ହୋଇଥିଲା। ଆଦିଦାସ୍‌ର ଲୋଗୋ ପରି ଏହା ମଧ୍ୟ ଖୁବ୍‌ ଶୀଘ୍ର ଲୋକପ୍ରିୟତା ହାସଲ କରିଥିଲା। ଏଥିରେ ଥିବା ଚିହ୍ନଟି ଗତିର ପ୍ରତୀକ।

ପେପ୍‌ସି
ପେପ୍‌ସିର ଲୋଗୋଟି ୧୯୪୦ ମସିହାରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ତିଆରି ହୋଇଥିଲା। ଏଥିରେ ଥିବା ତିନୋଟି ରଙ୍ଗ ଭିନ୍ନ ଭିନ୍ନ ଦଳମାନଙ୍କୁ ସମର୍ଥନ କରିବା ପାଇଁ ଉଦ୍ଦିଷ୍ଟ ଥିଲା। ମୁଖ୍ୟ ଲୋଗୋଟି କେବଳ ବୋତଲର ଠିପିରେ ମୁଦ୍ରିତ ଥିଲାବେଳେ ଅନ୍ୟ ଏକ ଲୋଗୋ ବୋତଲର ଦେହରେ ରହୁଥିଲା। ୧୯୪୫ ସୁଦ୍ଧା ଏହା ପେପ୍‌ସିର ଅଫିସ୍‌ ଲୋଗୋ ହୋଇଗଲା। ୨୦୦୯ ମସିହାରେ ଲୋଗୋରେ ଥିବା ଧଳା ରଙ୍ଗଟିକୁ ଏକ ହସର ପ୍ରତୀକ ଭାବେ ପରିବର୍ତ୍ତିତ କରାଗଲା। ପେପ୍‌ସିର ପ୍ରତ୍ୟେକଟି ଉତ୍ପାଦରେ ଏହି ସ୍ମାଇଲର ଭିନ୍ନ ଭିନ୍ନ ପ୍ରକାର ଦେଖିବାକୁ ମିଳେ। ଯେମିତିକି ଡାଏଟ୍‌ ପେପ୍‌ସିରେ ଥିବା ଚିହ୍ନଟି ସାଧାରଣ ପେପ୍‌ସିର ଚିହ୍ନଠାରୁ ଅପେକ୍ଷାକୃତ ଛୋଟ।

ଟୟୋଟା
ବିଶ୍ୱର ଅଗ୍ରଣୀ କାର୍‌ ନିର୍ମାତା କଂପାନୀ ମଧ୍ୟରେ ଟୟୋଟା ଅନ୍ୟତମ। ଏହାର ଲୋଗୋରେ ଥିବା ଅଣ୍ଡାକାର ଆକୃତିକୁ ଟିକେ ନିରିଖେଇ ଦେଖିଲେ ‘ଟୟୋଟା’ର ପ୍ରତ୍ୟେକ ଅକ୍ଷର ସେଥିରେ ଥିବାର ଜାଣିପାରିବେ। ଏହି ଲୋଗୋଟି କମ୍ପାନୀ ଓ ତା’ର ଗ୍ରାହକଙ୍କ ମଧ୍ୟରେ ଥିବା ନିଚ୍ଛକ ଭଲପାଇବାକୁ ଦର୍ଶାଉଛି।

ସୋନି ଭାଇଓ
ସୋନି କମ୍ପାନୀ ଉନ୍ନତମାନର ଅଡ଼ିଓ ଓ ଭିଡ଼ିଓ ଉପକରଣ ତିଆରି ପାଇଁ ବେଶ୍‌ ଜଣାଶୁଣା। ତେଣୁ ଯେତେବେଳେ କମ୍ପାନୀ କମ୍ପ୍ୟୁଟର, ଲାପ୍‌ଟପ୍‌ ଓ ଟାବ୍‌ଲେଟ୍‌ ବିକ୍ରି ପାଇଁ ସୋନି ଭାଇଓ ବ୍ରାଣ୍ଡ୍‌ର ଆରମ୍ଭ କଲେ, ସେତେବେଳେ ସେମାନେ ଏମିତି ଏକ ବ୍ରାଣ୍ଡ୍‌କୁ ବାଛିଲେ ଯାହା ସେମାନଙ୍କର ଅତୀତରୁ ଭବିଷ୍ୟତ ପର୍ଯ୍ୟନ୍ତ ଯାତ୍ରାକୁ ଦର୍ଶାଉଥିବ। ଭାଇଓ ଲୋଗୋରେ ଥିବା ‘ଭି’ଓ ‘ଏ’ ଅଂଶଟି ଆନାଲଗ୍‌ ତରଙ୍ଗ ଓ ‘ଆଇ’ଓ ‘ଓ’ ଏକ ଓ ଶୂନକୁ ଦର୍ଶାଉଛି।

ସମ୍ବନ୍ଧିତ ଖବର