ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ଫୁ କରିଦେଲେ ପାନୁଆ ଅଧିକାରୀ, ପାନ ଖାଇ ଥୁ ଥୁ କରି ଲୋକସେବା ପରିସରରେ ପକାଇ ଚାଲିଛନ୍ତି ଛେପ

ଲୋକସେବା ଭବନରେ ଖୋଲା ରହିଛି ପାନ ଦୋକାନ

ଭୁବନେଶ୍ବର : କରୋନା ପାଇଁ ରାଜ୍ୟ ସରକାର ଆଗୁଆ ସତର୍କତା ପଦକ୍ଷେପ ନେଇଛନ୍ତି। ଗୋଟିଏ ଦିନରେ କ୍ୟାବିନେଟ୍‌ ନିଷ୍ପତ୍ତି ନେଇ ରାଜ୍ୟ ସରକାର ବିପର୍ଯ୍ୟୟ ଘୋଷଣା କଲେ। ବିଧାନସଭାକୁ ମାର୍ଚ୍ଚ ୩୦ ତାରିଖ ପର୍ଯ୍ୟନ୍ତ ମୁଲତବି ରଖାଗଲା। ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଏ ବିଷୟରେ ସତର୍କ କରିଛନ୍ତି। ପାନ ଖାଇ ଛେପ ନ ପକାଇବାକୁ ରାଜ୍ୟବାସୀଙ୍କୁ ଅନୁରୋଧ କଲେ। କାରଣ ପାନ ଛେପ ପଡ଼ିଥିବା ସ୍ଥାନରେ ଭୂତାଣୁ ବ୍ୟାପିବାର ସମ୍ଭାବନା ଅଧିକ ରହିଛି। ହେଲ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ଲୋକସେବା ଭବନର ପାନଖିଆ ଅଧିକାରୀ ଓ କର୍ମଚାରୀଙ୍କ କାନରେ ପଡ଼ିଲାନି। ଏବେ ବି ଲୋକସେବା ଭବନ ପରିସରରେ ପାନ ଦୋକାନ ଖୋଲା ରହି ପାନ ବିକ୍ରି ହେଉଛି। ଆଉ କର୍ମଚାରୀମାନେ ପାନ ଖାଇ ଥୁ ଥୁ କରି ପରିସରରେ ଛେପ ପକାଇ ଚାଲିଛନ୍ତି।

ମଙ୍ଗଳବାର ‘ସମ୍ବାଦ’ ପକ୍ଷରୁ ଅନୁସନ୍ଧାନ କରାଯାଇ ଲୋକସେବା ଭବନରେ କିପରି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ଅବମାନନା କରାଯାଉଛି ତାର ତଥ୍ୟ ସଂଗ୍ରହ କରାଯାଇଛି। କରୋନା ପାଇଁ ନୁହଁ, ପାନ ଖାଇ ଅଫିସ ନ ଆସିବାକୁ ପୂର୍ବରୁ ସରକାରୀ ନିୟମ ରହିଛି। କିନ୍ତୁ ଏହି ନିୟମକୁ ଖୋଲାଖୋଲି ଉଲଂଘନ ହୋଇଚାଲିଛି। ଅତୀତରେ ବରିଷ୍ଠ ଆଇଏଏସ ଅଧିକାରୀ ଅରବିନ୍ଦ ପାଢ଼ୀ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ସଚିବ ଥିବାବେଳେ କୌଣସି ଅଧିକାରୀ ଓ କର୍ମଚାରୀ ପାନ ଖାଇ ଆସିଲେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଆଦେଶନାମା ଜାରି କରିଥିଲେ। କିନ୍ତୁ ସେ କେନ୍ଦ୍ର ଡେପୁଟେସନ୍‌ରେ ଯିବା ପରେ ଏହି ନିୟମର ଅନୁପାଳନ ହେଲାନି। ଖୋଦ ଲୋକସେବା ଭବନର ପାମ୍‌ କୋର୍ଟ ସାମନାରେ ପାନ ଖାଇ ଛେପ ନ ପକାଇବାକୁ ନିର୍ଦ୍ଦେଶ ଥିଲେ ବି ପାନ ଛେପ ପଡ଼ୁଛି। ଏବେ କରୋନା ପାଇଁ ଚାରିଆଡ଼େ ସତର୍କତା ଜାରି ପରେ ଲୋକସେବା ଭବନରେ ପାନ ଖାଉଥିବା କର୍ମଚାରୀଙ୍କ ମନ୍ଦ ଅଭ୍ୟାସରେ ପରିବର୍ତ୍ତନ ଆସିନାହିଁ।

ସ୍ବାସ୍ଥ୍ୟ ବିଭାଗ ପଛପଟେ ଥିବା ପାନ ଦୋକାନ ଖୋଲା ରହିଥିବାବେଳେ ଲୋକସେବା ଭବନରେ ମୁଖ୍ୟ ବିଲଡିଂ ପଛପାଖ କ୍ୟାଣ୍ଟିନ ପାଖରେ ଥିବା ଦୁଇଚକିଆ ଷ୍ଟାଣ୍ଡରେ ମଧ୍ୟ ପାନ ଦୋକାନ ଖୋଲା ରହିଛି। ଏସବୁ ଦୋକାନରୁ କର୍ମଚାରୀମାନେ ନିର୍ଦ୍ବନ୍ଦ୍ବରେ ପାନ କିଣିଚାଲିଛନ୍ତି। ଗୋଟିଏ ପଟେ ଲୋକସେବା ଭବନର ପରିସର ସଫା ରଖିବାକୁ ନିର୍ଦ୍ଦେଶ ଜାରି ହୋଇଥିଲେ ବି ପାନୁଆ କର୍ମଚାରୀଙ୍କ ଏହି ମନ୍ଦ ଅଭ୍ୟାସକୁ ରୋକିବାକୁ ସରକାରୀ କିଛି ବି ପଦକ୍ଷେପ ନେଇନାହାନ୍ତି। ଯାହାକୁ ନେଇ ସାଧାରଣରେ ଉଦବେଗ ପ୍ରକାଶ ପାଇଛି। କିଛି ଅଧିକାରୀ ମଧ୍ୟ ଏ ସମ୍ପର୍କରେ ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି, ଏହି ନିୟମକୁ କଡ଼ାକଡ଼ି ପାଳନ ହେବା ଉଚିତ୍‌। କାର୍ଯ୍ୟାଳୟକୁ ଆସୁଥିବା କର୍ମଚାରୀଙ୍କୁ ଯାଞ୍ଚ କରି ପାନ ଖାଇଥିଲେ କିମ୍ବା ରଖିଥିଲେ ସେଗୁଡ଼ିକୁ ଜବତ କରିବା ସହ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବା ଉଚିତ୍‌। ମୁଖ୍ୟମନ୍ତ୍ରୀଙ୍କ ନିବେଦନ ପରେ ଭୁବନେଶ୍ବର ସହରର ରାସ୍ତା ଘାଟରେ ଆଗଭଳି ପାନ ଛେପ ପଡ଼ିବା ଦେଖିବାକୁ ମିଳୁନଥିବା ବେଳ ସରକାରୀ କର୍ମଚାରୀମାନେ ଏହାକୁ ନିହାତି ପାଳନ କରିବା ଦରକାର ବୋଲି ସମ୍ପୃକ୍ତ ଅଧିକାରୀ ମତ ରଖିଛନ୍ତି।

ସମ୍ବନ୍ଧିତ ଖବର