ପ୍ରତିବର୍ଷ ଗ୍ରୀଷ୍ମ ଲହରି ପ୍ରବାହିତ ହେବା ଏକ ସ୍ବାଭାବିକ ପ୍ରାକୃତିକ ପ୍ରକ୍ରିୟା। ଏହା ଦ୍ବାରା ଆମେ ପରିବେଶରେ ଭୀଷଣ ତାମମାତ୍ରାର ସମ୍ମୁଖୀନ ହୋଇଥାଉ। ଏଥିରେ ଆମେ ଅସ୍ତବ୍ୟସ୍ତ ହୋଇ ପଡୁଥିବା ବେଳେ ତାହା ଅଳ୍ପ ଦିନ ପାଇଁ ଜାରି ରହୁଥିବାରୁ ଆମକୁ ଆଶ୍ବସ୍ତି ମିଳିଥାଏ। ମାତ୍ର ଜଳବାୟୁ ପରିବର୍ତ୍ତନ ଦ୍ବାରା ଗ୍ରୀଷ୍ମ ଲହରିର ପ୍ରବାହ ମନ୍ଥର ହୋଇଯାଉଥିବାରୁ ଆମକୁ ଦୀର୍ଘ ଦିନ ଧରି ମାତ୍ରାଧିକ ତାପମାତ୍ରାର ପ୍ରକୋପ ଭୋଗିବାକୁ ପଡୁଛି ବୋଲି ଏକ ନୂଆ ଅନୁଧ୍ୟାନରୁ ଜଣାଯାଇଛି।

Advertisment

୧୯୭୯ରୁ ୨୦୨୦ ମଧ୍ୟରେ ବାର୍ଷିକ ଗ୍ରୀଷ୍ମ ଲହରିର ବେଗ ଦୈନିକ ଘଣ୍ଟା ପ୍ରତି ୫ ମାଇଲ୍‌ ବା ୮ କି.ମି. ଯାଏ କମି ଆସିଥିବା ଗବେଷକମାନେ ଜାଣିପାରିଛନ୍ତି। ସୁତରାଂ ତାହା ପୂର୍ବାପେକ୍ଷା ଅଧିକ ସମୟ ଧରି ଜାରି ରହୁଛି। ଗ୍ରୀଷ୍ମ ଲହରିର ଏହି ମନ୍ଥରତା ବିଶେଷ କରି ୧୯୯୭ ମସିହା ପରଠାରୁ ଅଧିକ ହୋଇଛି। ମାନବକୃତ କାରଣ ଯୋଗୁଁ ବାୟୁମଣ୍ଡଳର ଉପରିଭାଗର ବାୟୁସ୍ରୋତର ଭୂମିକା ଏଥିପାଇଁ ବିଶେଷ ଦାୟୀ ବୋଲି କୁହାଯାଇଛି। ବିଗତ ୫ ବର୍ଷ ହେଲା ଗ୍ରୀଷ୍ମ ଲହରିର ଅବଧି ୮ ଦିନରୁ ୧୨ ଦିନକୁ ବୃଦ୍ଧି ହୋଇଥିବା ସ୍ପଷ୍ଟ ହୋଇଛି।

ମାନବୀୟ ବ୍ୟବହାର ଯୋଗୁଁ ବାୟୁମଣ୍ଡଳରେ ମିଶୁଥିବା ତାପ ବୃଦ୍ଧିକାରୀ ସବୁଜଗୃହ ବାଷ୍ପ (ଜିଏଚ୍‌ଜି)ଗୁଡ଼ିକ ଏଥିପାଇଁ ଦାୟୀ। ଦିନକୁ ଦିନ ବାୟୁମଣ୍ଡଳକୁ ଜିଏଚ୍‌ଜିଗୁଡ଼ିକର ନିର୍ଗମନ ବଢ଼ିବା ଯୋଗୁଁ ଏହି ସ୍ଥିତି ଉପୁଜିଛି। ଗବେଷକମାନଙ୍କ ପରାମର୍ଶ ଅନୁଯାୟୀ, ଆଗକୁ ଏହି ତାପବର୍ଦ୍ଧକ ସବୁଜଗୃହ ଜିଏଚ୍‌ଜିଗୁଡ଼ିକର ବ୍ୟବହାରକୁ ନିୟନ୍ତ୍ରଣ କରିବା ଜରୁରି ହୋଇପଡ଼ିଛି। ଅନ୍ୟଥା ତାହା ପ୍ରାକୃତିକ ତଥା ସାମାଜିକ ପ୍ରଣାଳୀ ଉପରେ ଧ୍ବଂସାତ୍ମକ ପ୍ରଭାବ ପକାଇବ ବୋଲି ସେମାନେ ସତର୍କ କରାଇ ଦେଇଛନ୍ତି।