ତୃତୀୟ ଶ୍ରେଣୀ ଛାତ୍ର ଅକ୍ଷୟ ଶର୍ମା ଗ୍ରହଣଖଣ୍ଡିଆ ହୋଇ ଜନ୍ମିଥିଲା। ତିନିବର୍ଷ ବୟସରେ ତା’ର ଅସ୍ତ୍ରୋପଚାର କରାଗଲା, ତଥାପି ସେ କଥା କହିପାରିଲା ନାହିଁ। ଜମ୍ମୁକାଶ୍ମୀରର ଡୁଗ୍ଗନ୍ରେ ଭାରତୀୟ ସେନାବାହିନୀରେ ବେସାମରିକ ଶ୍ରମିକ ଭାବେ କାର୍ଯ୍ୟରତ ତା’ର ପିତାମାତା ଅର୍ଥାଭାବରୁ ଉନ୍ନତ ଚିକିତ୍ସା କରାଇ ପାରୁ ନ ଥିଲେ। ତେଣୁ, ପୁଅ ଅକ୍ଷୟ ଯେ ଆଉ କଥା କହିବ- ସେ ଆଶା ସେମାନେ ପରିହାର କରିଦେଇଥିଲେ। କିନ୍ତୁ, ଗତ କିଛିମାସ ତଳେ ଏମିତି ଏକ ଘଟଣା ଘଟିଲା, ଯାହା ତାଙ୍କ ପରିବାରରେ ଖୁସି ଭରିଦେଲା। ସେ ଅଞ୍ଚଳରେ ଚାକିରି କରୁଥିବା ସେନା ଡାକ୍ତର କ୍ୟାପ୍ଟେନ୍ ସୌରଭ ସାଲୁଙ୍କେ ଘଟଣାଚକ୍ରରେ ଅକ୍ଷୟ ସଂସ୍ପର୍ଶରେ ଆସିଲେ। ପର୍ବତଘେରା ନିଭୃତ ମଫସଲ ଗାଁ’ରେ କୌଣସି ଚିକିତ୍ସା ସୁବିଧା ନ ଥିବାରୁ ସେ ଅକ୍ଷୟକୁ ନିଜେ ତାଲିମ ଦେଇ ବା ଥେରାପି ଜରିଆରେ କଥା କହିବା ଶିଖାଇବା ଉଦ୍ୟମ କଲେ।
ଡାକ୍ତର ସାଲୁଙ୍କେ ତାଙ୍କ ଡିୟୁଟି ସମୟରୁ ଦୁଇତିନି ଘଣ୍ଟା ବାହାରକରି ଅକ୍ଷୟକୁ ତାଲିମ ଦେବାରେ ମନୋନିବେଶ କଲେ। ପାଟିରେ ପାଣି ପୂରାଇ ଖଳ ଖଳ କରିବା, ଜିଭ ଓ ଅଧରହନୁ ବ୍ୟାୟାମ କରାଇବା ଆଦି କାର୍ଯ୍ୟ ଶିଖାଇଲେ। ତା’ପରେ କ୍ରମଶଃ ତାକୁ ଭିନ୍ନ ଭିନ୍ନ ନାସାଗତ ଓ ମୁଖଗତ ଧ୍ବନି ମଧ୍ୟରେ ଥିବା ଅନ୍ତର ବିଷୟରେ ଶିକ୍ଷା ଦିଆଗଲା। କ୍ରମେ ସେ ଅଧର ଧ୍ବନି ଆଉ ଜିଭକୁ ତାଳୁରେ ଲଗାଇ ଉଚ୍ଚାରଣ କରାଯାଉଥିବା ଧ୍ବନି ସୃଷ୍ଟି କରିବା ଶିଖିଲା। ଶେଷରେ ସେ ଗଳାରୁ ସ୍ଫୂରୁଥିବା ଧ୍ବନି ଅଭ୍ୟାସ କଲା। କ୍ରମାଗତ ଆଠ ସପ୍ତାହ ଏସବୁ ଅଭ୍ୟାସକରିବାରୁ ତା’ର ଧ୍ବନି ଉଚ୍ଚାରଣ ସ୍ପଷ୍ଟ ହୋଇଆସିଲା।
ଅକ୍ଷୟର ଧ୍ବନି ଉଚ୍ଚାରଣ ଶିକ୍ଷା କଥା ଆମେ ଯେତେ ସହଜରେ ବର୍ଣ୍ଣନାକଲୁ, ବାସ୍ତବରେ ତାହା ଆଦୌ ସେତେ ସହଜ ନ ଥିଲା। ଏଥିପାଇଁ କ୍ୟାପ୍ଟେନ୍ ସାଲୁଙ୍କେଙ୍କୁ ନାକେଦମ୍ ହେବାକୁ ପଡ଼ିଥିଲା। ପରିଶେଷରେ ତା’ର ଧ୍ବନି ଉଚ୍ଚାରଣ ଏତେ ସ୍ପଷ୍ଟ ହେଲା ଯେ ସେ ପିଲାମାନଙ୍କର ଅନ୍ୟତମ ପ୍ରିୟ କବିତା ‘ମାଛ ପାଣିର ରାଣୀ’ ଆବୃତ୍ତି କରିପାରିଲା।
କ୍ୟାପ୍ଟେନ୍ ସାଲୁଙ୍କେ କହନ୍ତି, ‘‘ପ୍ରାୟ ଦେଢ଼ମାସ ପୂର୍ବେ ଏଠାକାର ଜଣେ ଅଧିକାରୀ ମତେ ଖଣ୍ଡି ତଥା ଅସ୍ପଷ୍ଟ ସ୍ବରରେ କଥା କହୁଥିବା ଅକ୍ଷୟ ସହିତ ପରିଚୟ କରାଇ ଦେଇଥିଲେ। ମୁଁ ତାକୁ ନାସିକା ଧ୍ବନି ଓ କଣ୍ଠ ଧ୍ବନି ମଧ୍ୟରେ ଥିବା ଫରକ ଶିଖାଇଲି। ତା’ପରେ ଶିଖାଇଲି ନାସିକା ବନ୍ଦରଖି ଏବଂ ଖୋଲାକରି କଥା କହିବା। ତା’ପରେ ମୁଁ ଧୀରେ ଧୀରେ ତାକୁ ଅଧର ଧ୍ବନି ଶିକ୍ଷାଦେଲି। ତା’ପରେ ମୁଁ ତାକୁ ଶିଖାଇଲି ସଠିକ୍ ଶବ୍ଦମାଳା। ତା’ପରେ ଶିଖାଇଲି ହିନ୍ଦୀ ଓ ଇଂରାଜୀ ଭାଷାରେ ପୂର୍ଣ୍ଣ ବାକ୍ୟ।’’ ପରିଶେଷରେ ଅକ୍ଷୟର ସୁସ୍ପଷ୍ଟ କଥା ଶୁଣି ତା’ର ବାପାମାଆ ଅତ୍ୟନ୍ତ ଭାବବିହ୍ବଳ ହୋଇପଡ଼ିଲେ। ସେମାନେ କହନ୍ତି, ‘‘ଅକ୍ଷୟ କଥା କହିବା ଆମ ପାଇଁ କୌଣସି କିମିଆ ବ୍ୟତୀତ ଆଉ କିଛି ନୁହେଁ। ଆମେ ଆଶା କରି ନ ଥିଲୁ କି ସେ କେବେ କଥା କହିବ। ଅସମ୍ଭବ ସମ୍ଭବ ହୋଇଗଲା।’’ ଅତି ଆନନ୍ଦରେ ଅକ୍ଷୟର ମାଆ ସେନାବାହିନୀ ପ୍ରତି କୃତଜ୍ଞତା ଜ୍ଞାପନ କରିଛନ୍ତି। ସେ କହିଛନ୍ତି, ‘‘ଏବେ ପୁଅ ମୋର କଥା କହିପାରୁଛି, ତା’ କଥା ଶୁଣି ମୁଁ ଆନନ୍ଦିତା। ମୁଁ ଚାହେ ବଡ଼ହୋଇ ସେ ଅଫିସର୍ ହେଉ।’’
ଅଫିସିଆଲ୍ ‘ଏକ୍ସ୍’ ହ୍ୟାଣ୍ଡେଲ୍ରେ ଜମ୍ମୁରେ ଅବସ୍ଥାପିତ ପ୍ରତିରକ୍ଷା ବିଭାଗର ଜନସମ୍ପର୍କ ଅଧିକାରୀ ପରିବାର ଓ କ୍ୟାପ୍ଟେନ୍ ସାଲୁଙ୍କେ ସହିତ ଉଠାଇଥିବା ଅକ୍ଷୟର ସେ ପୁଲକିତ ସମୟର କେତୋଟି ଫଟୋ ସେୟାର୍ କରିଛନ୍ତି। ଅକ୍ଷୟର ଇଚ୍ଛାଶକ୍ତି ଓ ପ୍ରୟାସ, ଡାକ୍ତରଙ୍କ ଅଧ୍ୟବସାୟ ଓ ପରିବାରର ପ୍ରତିକ୍ରିୟା ସମ୍ବଳିତ ଏକ ଭିଡିଓ ମଧ୍ୟ ସେମାନେ ସେୟାର୍ କରିଛନ୍ତି। ସେ ଭିଡିଓର ନାଁ ରହିଛି- ‘ନିରବ ଅଭିଳାଷ, ଏବେ କଥା କହିବ’। ସେ ପୋଷ୍ଟ୍ରେ ଆହୁରି ବି ଉଲ୍ଲେଖ ଅଛି, ଜମ୍ମୁ ଓ କାଶ୍ମୀରର କଠୁଆ ଅନ୍ତର୍ଗତ ଡୁଗ୍ଗନ୍ରେ ସୈନିକଟିଏ ଖାଲି ସୁରକ୍ଷା ଦିଏ ନାହିଁ, ସେ ରୋଗ ଉପଶମ କରେ। ବିନା ଚିକିତ୍ସାରେ ଆଜନ୍ମ ଗ୍ରହଣଖଣ୍ଡିଆ ୮ ବର୍ଷୀୟ ଅକ୍ଷୟ ମୁହଁରେ ଭାଷା ବି ଭରିଦିଏ। ଅକ୍ଷୟ କଣ୍ଠରୁ ଧ୍ବନି ଶୁଭିଲା। ତା’ର ଜୀବନ ବି ବଦଳିଗଲା।