ପ୍ରତି ଗୀତରେ ସେ ଅବ୍ୟକ୍ତ ପ୍ରସଙ୍ଗକୁ ବ୍ୟକ୍ତ କରନ୍ତି। ମାହି ଜି ନାମରେ ବିଶେଷ ପରିଚିତି ହାସଲ କରିଥିବା ଏହି ଗାୟିକାଜଣକ ହେଉଛନ୍ତି ମହାରାଷ୍ଟ୍ରର ତରୁଣୀ ମଧୁରା ଘନେ। ମହାଦେବ କୋଲି ଜନଜାତି ସମ୍ପ୍ରଦାୟର ଝିଅ ମଧୁରା ଇଞ୍ଜିନିୟରିଙ୍ଗ୍ ପାସ୍ କରି ଚାକିରି କରିଥିଲେ ହେଁ ସମ୍ପ୍ରତି ରାପର୍ ଭାବେ ଲୋକପ୍ରିୟତା ସାଉଁଟିଛନ୍ତି। ଆଉ ସାମାଜିକ ସଚେତନତା ବାର୍ତ୍ତା ବାଣ୍ଟିଚାଲିଛନ୍ତି। ଅଖ୍ୟାତ ପଲ୍ଲୀର ଜଣେ ବିଖ୍ୟାତ ମଣିଷ ମାହି ଜି। କ୍ଷୁଦ୍ର ଏକ ଗ୍ରାମରୁ ମୁମ୍ବାଇର ମଞ୍ଚ ପର୍ଯ୍ୟନ୍ତ ତାଙ୍କର ଯାତ୍ରା ଆଦୌ ସହଜ ନଥିଲା, ଅନେକ ଉଠାଣିଗଡ଼ାଣି ଦେଇ ସେ ଲକ୍ଷ୍ୟସ୍ଥଳରେ ପହଞ୍ଚିଛନ୍ତି।
ସଂଗୀତ ତାଙ୍କ ନିମନ୍ତେ ସ୍ବର, ତାଳ ଓ ଛନ୍ଦରେ ବନ୍ଧା ଶବ୍ଦାବଳୀଠାରୁ ଯଥେଷ୍ଟ ଅଧିକ। ସଂଗୀତ ହିଁ ତାଙ୍କ ପାଇଁ ସଂଗ୍ରାମ। ସମାଜର ଅବହେଳିତ ବର୍ଗର ଅଧିକାର ସାବ୍ୟସ୍ତ କରିବା ଲାଗି ତାଙ୍କ ସ୍ବର ସମର୍ପିତ। ସରକାରୀ ବ୍ୟବସ୍ଥାକୁ ଆହ୍ବାନ ଦେଉଥିବା ତାଙ୍କ ଗୀତ ସବୁ ‘ଏଲ୍ଜିବିଟିକ୍ୟୁଆଇଏ+’ ଗୋଷ୍ଠୀ ପ୍ରତି ସମର୍ଥନ, ପରିବେଶ ପ୍ରତି ହେଉଥିବା ଅନ୍ୟାୟ ବିରୋଧରେ ଆହ୍ବାନ ଏବଂ ସଦାସର୍ବଦା ଅବହେଳା କରାଯାଉଥିବା ବର୍ଗର ଅଧିକାର ଉପରେ ଗୁରୁତ୍ବାରୋପ କରେ। ରାପ୍ ମାଧ୍ୟମରେ ସେ ତାଙ୍କ ସମ୍ପ୍ରଦାୟର ଅଧିକାର ସୁରକ୍ଷା ନିମନ୍ତେ ନିର୍ଭୀକ ଭାବେ ସ୍ବର ଉତ୍ତୋଳନ କରିଛନ୍ତି। ଆଉ ତାଙ୍କ ଅସ୍ତ୍ର ପାଲଟିଛି ରାପ୍ ସଂଗୀତ।
ମାହି ଜି’ଙ୍କ ‘ହକ୍ ସେ ହିଜ୍ଡା ହୁଁ’ ରାପ୍ ସଂଗୀତ କିନ୍ନରମାନଙ୍କ ଅଧିକାରର କଥା କହିଥାଏ। କିନ୍ନରମାନଙ୍କ ଆଇନଗତ ଅଧିକାର ସୁନିଶ୍ଚିତ କରିବା ଲାଗି ‘ହମ୍ସଫର୍ ଟ୍ରଷ୍ଟ୍’ ଏ ଗୀତଟିକୁ ପ୍ରଯୋଜନା କରିଛି। ସେହିପରି ସମଗ୍ର ଭାରତବାସୀଙ୍କୁ ଭାବାକୁଳ କରିପକାଉଥିବା ତାଙ୍କ ଗୀତ ‘ବାପ୍ମାନୁଷ୍’ ହେଉଛି ଡକ୍ଟର୍ ବି. ଅାର୍. ଆମ୍ବେଦକର୍ଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି। ଏ ଗୀତଟି ‘ଜେଏନ୍ୟୁ’ରେ ପରିବେଷିତ ହୋଇ ଶ୍ରୋତାଙ୍କୁ ବେଶ୍ ପ୍ରଭାବିତ କରିଥିଲା। ତାଙ୍କର ପ୍ରତିଟି ସୃଷ୍ଟି ସଚେତନତା ଅଭିଯାନକୁ ନୂତନ ରୂପରେଖ ଦେଉଛି। ପରିବର୍ତ୍ତନ ନିମନ୍ତେ ହିଁ ସଂଗୀତକୁ ମାଧ୍ୟମ ଭାବେ ଉପଯୋଗ କରୁଛନ୍ତି ମାହି ଜି। ଷ୍ଟୁଡିଓରୁ ବାହାରି ତାଙ୍କ ରାପ୍ ସଂଗୀତ ଜାଗରଣ ରଚୁଛି। ‘ଗ୍ରିନ୍ପିସ୍ ଇଣ୍ଡିଆ’ ଭଳି ଅନ୍ତର୍ଜାତୀୟ ଖ୍ୟାତିପ୍ରାପ୍ତ ସଙ୍ଗଠନ ତାଙ୍କ ଗୀତଗୁଡ଼ିକୁ ଗାଁ ଗଣ୍ଡାରେ ବଜାଉଛି। ‘ହିଟ୍ୱେଭ୍’ ଶୀର୍ଷକ ଗୀତରେ ସେ ଉତ୍ତପ୍ତ ଖରାରେ କାର୍ଯ୍ୟରତ କୃଷକ ଓ ଦିନମଜୁରିଆଙ୍କ କଥା ରାପ୍କରି କହିଛନ୍ତି। ନେଡ଼ିଗୁଡ଼ କହୁଣୀକୁ ବୋହିଯିବା ଆଗରୁ ବିହିତ ପଦକ୍ଷେପ ନେବା ଲାଗି ସମାଜକୁ ଅନୁରୋଧ କରିଛନ୍ତି।
ଭାରତରେ ରାପ୍ କ’ଣ କରିପାରେ ସେକଥା ମାହି ଜି ଏସବୁ କାର୍ଯ୍ୟକ୍ରମ ଦ୍ବାରା ପ୍ରତିପାଦିତ କରିପାରିଛନ୍ତି। ରାପ୍ କେବଳ ମନୋରଞ୍ଜନ ନୁହେଁ- ଏହା ହେଉଛି ଗୀତବଦ୍ଧ ହୋଇଥିବା ଶିକ୍ଷା, ସଶକ୍ତୀକରଣ ଓ ସାମାଜିକ ସଚେତନତାର ମାଧ୍ୟମ। ଦୀର୍ଘଦିନରୁ ଅବହେଳିତ ହୋଇରହିଥିବା ଜନତାଙ୍କ ପାଇଁ ମାହି ଜି’ଙ୍କ ଗୀତ ପୁରୁଣା ଘା’ରେ ମଲମ ଭଳି କାମ କରିଛି। ମହାରାଷ୍ଟ୍ରର କଲାଁ ନାମକ କ୍ଷୁଦ୍ର ଗ୍ରାମରେ ଜନ୍ମିତା ମାହି ଜି ଅରଣ୍ୟରାଜି ଓ ନିରାଡ଼ମ୍ବର ଜୀବନଚର୍ଯ୍ୟାରେ ବଢ଼ିଥିଲେ। ତାଙ୍କ ବାପା ଜଣେ ବସ୍ କଣ୍ଡକ୍ଟର୍। ଅଳ୍ପେବହୁତେ କରି କୌଣସିମତେ ପରିବାର ଚଳାଇ ନେଉଥିଲେ। କିନ୍ତୁ ପିଲାମାନଙ୍କ ଶିକ୍ଷାରେ ଅବହେଳା କରି ନ ଥିଲେ। ମାହି ଜି ଇଞ୍ଜିନିୟରିଙ୍ଗ୍ ପଢ଼ି ‘ଇମ୍ଫୋସିସ୍’ରେ ଚାକିରି ପାଇଲେ। କିନ୍ତୁ ପଢ଼ିବା ବେଳୁ କବିତା ରଚନାର ଝୁଙ୍କ୍ ଆସିଲା। କଲେଜରେ ପଢ଼ିବା ବେଳେ ସେ ଲେଖାଲେଖି ଆରମ୍ଭ କରିଥିଲେ। କିନ୍ତୁ, ୨୦୧୯ରେ ‘ଗଲି ବୟ’ ଚଳଚ୍ଚିତ୍ର ଦେଖି ସେ ଅନୁଭବ କଲେ ଯେ ପ୍ରମୁଖ ଗଣମାଧ୍ୟମରେ ‘ରାପ୍’ ଲୋକପ୍ରିୟ ହୋଇଚାଲିଛି। ୨୦୨୧ରେ କୃଷକ ଆନ୍ଦୋଳନ ଚାଲିଥିବା ବେଳେ ସେ ତା’ ଉପରେ ଅଳ୍ପ କେତେ ପଙ୍କ୍ତି ‘ରାପ୍’ ଲେଖିଲେ ଓ ତାହାକୁ ନିଜ ଇନ୍ଷ୍ଟାଗ୍ରାମ୍ରେ ପୋଷ୍ଟ୍କଲେ। ଏହାକୁ ବହୁ ବ୍ୟବହାରକାରୀ ସମର୍ଥନ ଦେଲେ। ପ୍ରଥମ ପ୍ରୟାସ ତାଙ୍କୁ ଉତ୍ସାହ ଦେଲା। କୋଭିଡ୍ ମହାମାରୀ କାଳରେ ଲକ୍ଡାଉନ୍ ସମୟରେ ସେ ଗାଁ’କୁ ଫେରି ଦେଖିଲେ ଲୋକଙ୍କ ଜୀବନଜୀବିକା କିଭଳି ଧ୍ବସ୍ତ ହୋଇଯାଉଛି। ଏହା ତାଙ୍କୁ କବିତା ଲେଖି ରାପ୍ କରିବାକୁ ପ୍ରେରଣା ଦେଲା। ତାଙ୍କର ପ୍ରଥମ ରାପ୍ ଟ୍ରାକ୍ ଥିଲା ‘ଜଙ୍ଗଲ୍ ଚା ରାଜା’ ଏବଂ ଏହାକୁ ସେ ମରାଠୀ ରାପ୍ର୍ ‘ରାପ୍ବସ୍’ଙ୍କ ସହିତ ପରିବେଷଣ କରିଥିଲେ।