ବାହୁବଳ ବାସ୍ତବ ସାମର୍ଥ୍ୟ ନୁହେଁ, ବାଧାବିଘ୍ନ ସତ୍ତ୍ବେ ଅଗ୍ରସର ହେଉଥିବା ମନୋବଳ ହିଁ ବାସ୍ତବ ସାମର୍ଥ୍ୟ। ଏକଥାକୁ ପ୍ରମାଣିତ କରିଛନ୍ତି ୪୪ ବର୍ଷୀୟ ପୋଲିଓ ପୀଡ଼ିତ ଅଭୟ ତୋଡ୍କର୍। ମହାରାଷ୍ଟ୍ର ରାଜ୍ୟର ସାତାରା ଜିଲ୍ଲା ଅନ୍ତର୍ଗତ ଦହୀବାଡ଼ୀ ଗାଁ’ରେ ଜନ୍ମିତ ଅଭୟ ପୋଲିଓ ଆକ୍ରାନ୍ତ ହୋଇ ଚଳତ୍ଶକ୍ତିହୀନ ହୋଇପଡ଼ିଲେ। କିନ୍ତୁ ସମସ୍ତ ପ୍ରତିକୂଳତା ପ୍ରତିହତ କରି ସମ୍ପ୍ରତି ସେ ପ୍ରମାଣିତ କରିଛନ୍ତି ଯେ ଅକ୍ଷମତା ବାଧା ନୁହେଁ। ଦୃଢ଼ ଇଚ୍ଛାଶକ୍ତି ବଳରେ ଅସାଧ୍ୟ ସାଧନ କରିହୁଏ। ଅଭୟଙ୍କୁ ୨୦ ବର୍ଷ ହେଲାବେଳକୁ ବାପା ତାଙ୍କ ପାଇଁ ଏକ ଏସ୍ଟିଡି ବୁଥ୍ ଖୋଲିଦେଲେ। ହେଲେ ଏଭଳି ମାମୁଲି ବ୍ୟବସାୟରେ ତାଙ୍କ ମନ ବୁଝୁ ନଥିଲା। ଅଭୟ ଚାହୁଥିଲେ ଛୋଟପିଲାଙ୍କୁ ପାଠ ପଢ଼ାଇବେ। ତେଣୁ, ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ହେବା ନିମନ୍ତେ ଆବଶ୍ୟକ ଡିପ୍ଲୋମା ହାସଲ କଲେ। କିନ୍ତୁ, ଅଦାଲତଙ୍କ ଆକସ୍ମିକ ରାୟ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ନିଯୁକ୍ତି ବନ୍ଦ କରିଦେବାରୁ ସବୁ ଯୋଜନା ଓଲଟପାଲଟ ହୋଇଗଲା। ଏସ୍ଟିଡି ବୁଥ୍ ଛାଡ଼ି ଅଭୟ ପାଇକାରୀ ବ୍ୟବସାୟ ଆରମ୍ଭ କଲେ। ଏଥିପାଇଁ ରାଜ୍ୟ ପରିବହନ ବସ୍ରେ ତାଙ୍କୁ ଦହୀବାଡ଼ୀ ଆଖପାଖ ଗାଁଗଣ୍ଡାରେ ବୁଲିବାକୁ ପଡ଼ିଲା। ମାଲ୍ପତ୍ର ଭରା ବ୍ୟାଗ୍ ମୁଣ୍ଡାଇ ସେ ସ୍ଥାନୀୟ ବିକ୍ରେତାଙ୍କ ନିକଟରେ ପହଞ୍ଚି ବିକ୍ରିବଟା କଲେ। ସ୍ବଳ୍ପ ଲାଭ ମିଳୁଥିଲେ ବି କ୍ରମେ ନିଜ ଅଞ୍ଚଳରେ ତାଙ୍କ ଲୋକସମ୍ପର୍କ ବଢ଼ିଲା। ଏଥିରେ ପିତାମାତା ଓ ପତ୍ନୀ ବି ତାଙ୍କୁ ସହଯୋଗ କଲେ।
ତା’ପରେ ଖବରକାଗଜରେ ହିନ୍ଦୁସ୍ତାନ୍ ପେଟ୍ରୋଲିୟମ୍ର ଏଲ୍ପିଜି ଗ୍ୟାସ୍ ଏଜେନ୍ସି ନେବା ଲାଗି ବାହାରିଥିବା ବିଜ୍ଞାପନ ହିଁ ଅଭୟଙ୍କ ଜୀବନର ମୋଡ଼ ବଦଳାଇଦେଲା। ଏଜେନ୍ସି ନେବାପାଇଁ ସେ ଦରଖାସ୍ତ ପକାଇଲେ। ଯୋଗକୁ ଲଟେରିରେ ତାଙ୍କ ନାଁ ଉଠିଲା। ଆନନ୍ଦରେ ଆତ୍ମହରା ହୋଇ ସେ ଏଲ୍ପିଜି ଗ୍ୟାସ୍ ବ୍ୟବସାୟରେ ଲାଗିପଡ଼ିଲେ। କ୍ରମେ ବ୍ୟବସାୟ ବଢ଼ିଚାଲିଲା। ଭଲ ରୋଜଗାର ହେଲା। କିନ୍ତୁ, ତାଙ୍କ ସ୍ବାସ୍ଥ୍ୟହାନୀ ଘଟିଲା। ସର୍ବଦା ଗ୍ରାହକ ଓ ପରିବାର ଲୋକଙ୍କ ସହିତ ତାଙ୍କର ବିବାଦହେଲା। କାରଣ ଖୋଜିବାରୁ ସେ ଉପଲବ୍ଧି କଲେ ଯେ ବ୍ୟବସାୟ ଉପରେ ସମ୍ପୂର୍ଣ୍ଣ ନିଘାରଖି ସେ ବାକି ଦାୟିତ୍ବ ପ୍ରତି ହେଳା କରୁଛନ୍ତି। ପ୍ରକାରାନ୍ତରେ ସେ ଅର୍ଥଲିପ୍ସୁ ହୋଇଯାଇଛନ୍ତି। ସେଉଠୁ ତାଙ୍କର ହୃଦ୍ବୋଧ ହେଲା, ସଚ୍ଚା ସଫଳତା ଅର୍ଥ ସାଉଁଟିବା ନୁହେଁ, ଏକ ଉଚ୍ଚତର ଉଦ୍ଦେଶ୍ୟ ନେଇ ଜିଇବା।
୨୦୧୨ରେ ସେ ‘ଆର୍ଟ ଅଫ୍ ଲିଭିଙ୍ଗ୍’ ଅଧୀନସ୍ଥ ‘ସୁଦର୍ଶନ କ୍ରିୟା କାର୍ଯ୍ୟକ୍ରମ’ରେ ନାମ ଲେଖାଇଲେ। ଏ କାର୍ଯ୍ୟକ୍ରମ ତାଙ୍କ ମନୋଭାବରେ ପରିବର୍ତ୍ତନ ଆଣିଲା। ସେ ଜଞ୍ଜାଳମୁକ୍ତ ହୋଇ ପ୍ରଶାନ୍ତ ଜୀବନଯାପନ କଲେ। ତାଙ୍କ ବ୍ୟକ୍ତିଗତ ଓ ବୃତ୍ତିଗତ ଜୀବନ ଉପରେ ବି ସକାରାତ୍ମକ ପ୍ରଭାବ ପଡ଼ିଲା। ପୁନଶ୍ଚ ଜୀବନ ପ୍ରତି ଅଭୟଙ୍କ ଦୃଷ୍ଟିଭଙ୍ଗୀ ବଦଳିଗଲା। ସେ ବୁଝିପାରିଲେ ଯେ ଧନ ଜୀବନର ପରିମାପକ ନୁହେଁ। ଏଥର ସାମାଜିକ କାର୍ଯ୍ୟ କରିବାକୁ ମନସ୍ଥ କଲେ ଅଭୟ। ଦହୀବାଡ଼ୀ ଅଞ୍ଚଳଟି ଥିଲା ମରୁଡ଼ି ପ୍ରପୀଡ଼ିତ। ପାଣିଟୋପେ ପାଇଁ ଲୋକେ ଭାରି ଡହଳବିକଳ ହୁଅନ୍ତି। ସେଠାକୁ ଆସୁଥିବା ଟ୍ୟାଙ୍କର୍ରୁ ପାଣି କିଣି ଚଳନ୍ତି। ତାଙ୍କ ଗାଁ ଓ ଆଖପାଖ ଇଲାକା ବାସିନ୍ଦାଙ୍କ ଜଳଦୁର୍ଦ୍ଦଶା ଅବସାନ ନିମନ୍ତେ ସେ ସମାଧାନ ପନ୍ଥା ଖୋଜିଲେ। ଏକଥା ଜନସାଧାରଣଙ୍କୁ ଅବଗତ କରାଇଲାରୁ ସେମାନେ ବି ଶ୍ରମଦାନ କରିବାକୁ ଉତ୍ସାହିତ ହେଲେ। ୨୦୧୫-୧୬ରେ ତାଙ୍କରି ପ୍ରଚେଷ୍ଟାରେ ଦହୀବାଡ଼ୀ ଅଞ୍ଚଳରେ ପ୍ରବାହିତ ମାନଗଙ୍ଗା ନଦୀରେ ନିର୍ମାଣ ହେଲା ମାନବ ନିର୍ମିତ ବୃହତ୍ତମ ଜଳଭଣ୍ଡାର। ତାଙ୍କର ଏ ପ୍ରକଳ୍ପ ସଫଳ ହେଲା। ଲୋକେ ଆଉ ଅର୍ଥ ବ୍ୟୟକରି ଟ୍ୟାଙ୍କର୍ରୁ ପାଣି ଖରିଦ କଲେନାହିଁ। ଦହୀବାଡ଼ୀରେ ଅଭୟଙ୍କ ସଫଳତା ବୃହତ୍ତର ଆନ୍ଦୋଳନ ନିମନ୍ତେ ପ୍ରେରଣା ଯୋଗାଇଲା। ସେ ଇଲାକାର ଅନ୍ୟାନ୍ୟ ଗାଁ’ରେ ବି ଅଭୟ ଜଳକଷ୍ଟ ନିରାକରଣ ଲାଗି ଉଦ୍ୟମ କଲେ। ୨୦୧୮ରୁ ୨୦୨୪ ମଧ୍ୟରେ ସେ ଓ ତାଙ୍କ ସହଯୋଗୀ ଜଳ ସଂରକ୍ଷଣ ଉପକ୍ରମ, ଜୈବିକକୃଷି ଓ ଯୁବନେତୃତ୍ବ ବିକାଶ ଉପରେ ଧ୍ୟାନନିବିଷ୍ଟକରି ୬୪ଖଣ୍ଡ ଗାଁ’ରେ ପହଞ୍ଚିଲେ। ବଲିଉଡ୍ ଅଭିନେତା ଆମିର୍ ଖାଁଙ୍କ ଦ୍ବାରା ସଂସ୍ଥାପିତ ‘ପାନି ଫାଉଣ୍ଡେସନ୍’ ଭଳି ସଂସ୍ଥାନ ସହିତ ମିଶି ଅଭୟଙ୍କ ଜଳ ସଂରକ୍ଷଣ ଯୋଜନା ସମ୍ପ୍ରସାରିତ ହେଲା। ଜଳଭଣ୍ଡାର ନିର୍ମାଣ ବ୍ୟତିରେକେ ଭୂତଳ ଜଳ ଗଚ୍ଛିତ ରଖିବାକୁ ସେମାନେ ବୃକ୍ଷରୋପଣ ବି କରାଇଲେ। ଏମିତି ୫ ବର୍ଷ ମଧ୍ୟରେ ସେମାନେ ପ୍ରାୟ ୧,୨୭,୦୦୦ ବୃକ୍ଷ ରୋପଣ କରିଛନ୍ତି। ଏକଦା ପୋଲିଓ ପୀଡ଼ିତ ପିଲା ଅଭୟ ଦୃଢ଼ ମନୋବଳ ବଳରେ ଆଜି ଅନେକ ଗ୍ରାମରେ ସଞ୍ଚାଳିତ ଜଳସଂରକ୍ଷଣ ଆନ୍ଦୋଳନରେ ଅନ୍ୟତମ ଅଗ୍ରଗଣ୍ୟ ବ୍ୟକ୍ତିତ୍ବ ହୋଇପାରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/11/02/gdjdgjcnbnbn-2025-11-02-00-11-11.jpg)