ସମସ୍ତଙ୍କ ପାଇଁ ଜୀବନ ଫୁଲର ବିଛଣା ସଜେଇ ନଥାଏ। କଣ୍ଟକିତ ପଥରେ ଚାଲି ଫୁଲକୁ ପାଇବାର ସାହସ ରଖୁଥିବା ସାଧାରଣ ଲୋକଟି ଭିତରେ ଯୋଦ୍ଧାର ପରିଚୟ ଥାଏ। ଭଦ୍ରକ ଜିଲ୍ଲାର ଧାମନଗର କଲେଜରେ ଯୁକ୍ତ୨ ଶ୍ରେଣୀରେ ପାଠ ପଢୁଥା’ନ୍ତି ଦୀପକ କୁମାର ଦାସ। ଆଖିରେ ଅସୁମାରି ସ୍ବପ୍ନ। ପରୀକ୍ଷା ସରିବାପରେ ବାହାରକୁ ଯାଇ ବିଏ ପଢ଼ିବେ। ତା’ ସାଙ୍ଗରେ ପୁଣି ସଂଗୀତ ପ୍ରଶିକ୍ଷଣ ନେଇ କଣ୍ଠଶିଳ୍ପୀଟିଏ ବନିବେ। ହେଲେ ସେ କ’ଣ ଜାଣିଥିଲେ ଯେ ଏମିତି ଘଟଣା ଘଟିବ ଯାହା ତା‌ଙ୍କ ଜୀବନକୁ ପୂରା ଓଲଟପାଲଟ କରିଦେବ!

Advertisment

୨୦୧୩ ମାର୍ଚ୍ଚ ମାସର କଥା। ଯୁକ୍ତ୨ ଫାଇନାଲ୍‌ ପରୀକ୍ଷା ଚାଲିଥାଏ। କେବଳ ଶେଷ ଦୁଇଟି ବିଷୟରେ ପରୀକ୍ଷା ବାକିଥାଏ। ଦୀପକ ଘରୁ ପ୍ରସ୍ତୁତ ହୋଇ ବାହାରିଲେ। କଲେଜ୍‌ ସାମ୍ନାରେ ବସ୍‌ରୁ ଓହ୍ଲାଇ ରାସ୍ତାରେ ପାଦ ଦେଇଛନ୍ତି କି, ନାହିଁ ଦ୍ରୁତ ଗତିରେ ଆସି ବାଇକ୍‌ଟେ ପିଟି ଦେଲା ତାଙ୍କୁ। ରାସ୍ତାରେ ପଡ଼ିଗଲେ ଦୀପକ। ଅସହ୍ୟ ଯନ୍ତ୍ରଣାରେ ଛଟପଟ ହେଉଥାଆନ୍ତି। ସହୃଦୟ ବ୍ୟକ୍ତି ଜଣେ ତାଙ୍କୁ ଉଠାଇ ବସାଇଲେ। ସେ ହସ୍ପିଟାଲ୍‌ ନେଇଯିବାକୁ କହିଲେ। ହେଲେ ଦୀପକ କହିଲେ- ମୁଁ ପରୀକ୍ଷା ଦେବି। ମନୋବଳ ଦୃଢ଼ କରି ଅସହ୍ୟ ଯନ୍ତ୍ରଣାକୁ ସହି ହଲ୍‌ରେ ବସି ପରୀକ୍ଷା ଦେଲେ। ବାହାରୁ ଜଣାପଡୁ ନଥିଲେ ବି ଡାହାଣ ଗୋଡ଼ରେ ଗଭୀର ଆଘାତ ଲାଗିଥ‌ାଏ। ଭାବିଥିଲେ ତା’ପର ଦିନ ଶେଷ ପରୀକ୍ଷାଟା ଦେଇସାରି ଡାକ୍ତରଙ୍କ ପାଖକୁ ଯିବେ। କିନ୍ତୁ ରାତିରେ ଗୋଡ଼ର ଯନ୍ତ୍ରଣା ଏତେ ବଢ଼ିଗଲା ଯେ ଚିକିତ୍ସା ପାଇଁ  ତାଙ୍କୁ ସଙ୍ଗେ ସଙ୍ଗେ କଟକ ଅଣାଗଲା। ରାଣୀହାଟର ଏକ ଘରୋଇ ହସ୍ପିଟାଲ୍‌ରେ ଦୀପକଙ୍କ ଗୋଡ଼ ପ୍ଲାଷ୍ଟର୍‌ ହେଲା। ଘରକୁ ଫେରିଲେ ଦୀପକ, କିନ୍ତୁ ଦୁର୍ଯୋଗ ପିଛା ଛାଡ଼ିଲାନି। ହାଡ଼ ଯୋଡ଼ିହେବା ପରିବର୍ତ୍ତେ ଭିନ୍ନ ଆଡ଼େ ବଢ଼ିବାକୁ ଲାଗିଲା। ପୂର୍ବରୁ ସେ ହେମ୍‌ଫିଲିଆରେ ପୀଡ଼ିତ ଥିବାରୁ ତାଙ୍କ ପାଇଁ ପରିସ୍ଥିତି କ୍ରମେ ଜଟିଳ ହେଉଥିଲା। ଦୁଇ ମାସ ପରେ ପ୍ଲାଷ୍ଟର୍‌ ଖୋଲିବାକୁ ଗଲା ବେଳକୁ ଡାକ୍ତର କହିଲେ ହାଡ଼ ଠିକ୍‌ ଭାବେ ଯୋଡ଼ି ହୋଇନି। ସେ ତା’ପରେ ଆଉ ଏକ ମାସ ପାଇଁ ପ୍ଲାଷ୍ଟର୍‌ କଲେ। ସେଥିରେ ବି କିଛି ସୁଫଳ ମିଳିଲା ନାହିଁ। ତାଙ୍କ ପ୍ଲାଷ୍ଟର୍‌ ଖୋଲା ହେଲା ବେଳକୁ ଗୋଡ଼ର ଆକୃତି ପୂରା ଭିନ୍ନ ହୋଇ ସାରିଥାଏ। ତାଙ୍କ ଅବସ୍ଥା ଦେଖି ସେ ଘରୋଇ ହସ୍ପିଟାଲ୍‌ ଦୀପକଙ୍କୁ କଟକ ବଡ଼ ମେଡିକାଲ୍‌କୁ ପଠାଇଦେଲେ। ବଡ଼ ମେଡିକାଲ୍‌ରେ ସେ ଦୀର୍ଘ ୪ ମାସ ଧରି ଚିକିତ୍ସିତ ହେଲେ। ଶେଷରେ ଡାକ୍ତର ତା‌ଙ୍କୁ ଭେଲୋର୍‌ ଯାଇ ଅସ୍ତ୍ରୋପଚାର ପାଇଁ ପରାମର୍ଶ ଦେଲେ। କିନ୍ତୁ ସେତେବେଳକୁ ଦୀପକଙ୍କ ଆର୍ଥିକ ଅବସ୍ଥା ପୂରା ବିଗିଡ଼ି ସାରିଥା‌ଏ। ବଡ଼ଭଉଣୀଙ୍କ ବାହାଘର ପାଇଁ କିଣା ହୋଇଥିବା ଗହଣା ବି ବିକା ସରିଥାଏ।

ଡାକ୍ତରଙ୍କୁ କଟକ ମେଡିକାଲ୍‌ରେ ହିଁ ଅପରେସନ୍‌ କରିବାକୁ ନିବେଦନ କଲେ ଦୀପକ। ଜୀବନ ପ୍ରତି ବିପଦ ଅଛି ବୋଲି ଜାଣିବା ପରେ ବି ସେ ପରିବାରର ଆର୍ଥିକ ସମସ୍ୟାକୁ ଦୃଷ୍ଟିରେ ରଖି ବାହାରକୁ ନପଠାଇବାକୁ ଡାକ୍ତରଙ୍କୁ ଅନୁରୋଧ କଲେ। ଡାକ୍ତର ସଫା ସଫା କହିଦେଲେ, ଜୀବନ ବଞ୍ଚାଇବାକୁ ହେଲେ ଗୋଡ଼ଟି ପୂରା କାଟିବାକୁ ପଡ଼ିପାରେ। ନହେଲେ ଭବିଷ୍ୟତରେ ତାହା କର୍କଟର ରୂପ ବି ନେଇପାରେ। ଶେଷରେ ସେୟା ହେଲା। ଅପରେସନ୍‌ ହୋଇ ଦୀପକଙ୍କ ଡାହାଣ ଗୋଡ଼ଟି ମୂଳରୁ କାଟି ଦିଆଗଲା। ଗୋଡ଼ ଚାଲିଗଲା, କିନ୍ତୁ ଆତ୍ମବିଶ୍ବାସ ହରାଇ ନଥିଲେ ସେ। ପରିସ୍ଥିତି ସହ ଲଢ଼ିବା ପାଇଁ ନିଜକୁ ପ୍ରସ୍ତୁତ କଲେ। ଧୀରେ ଧୀରେ ହ୍ବିଲ୍‌ଚେୟାର୍‌ରେ ବସି ଯା’ଆସ କଲେ। ପୁଣି ପାଠ ପଢ଼ିବାକୁ ପଣକଲେ। ଚାରିବର୍ଷର ବିରତି ପରେ ସେ ଯାଜପୁରର ରାମବାଗରେ ଥିବା ଆଞ୍ଚଳିକ କଲେଜରେ ନାମ ଲେଖାଇଲେ। ପଢ଼ିଲା ଭିତରେ କୋଭିଡ୍‌ ମହାମାରୀ ଆସିଲା। ଘରେ ବସି ଅନ୍‌ଲାଇନ୍‌ରେ କ୍ଲାସ୍‌ କଲେ। ଗଭୀର ଇଚ୍ଛାଶକ୍ତି ଓ ବନ୍ଧୁବର୍ଗଙ୍କ ସାହାଯ୍ୟକୁ ପାଥେୟ କରି ସେ ଗ୍ରାଜୁଏଟ୍‌ ହେଲେ। ମାତ୍ର ସେତିକିରେ ଅଟକି ଗଲେନି ଦୀପକ। ଭୁବନେଶ୍ବର ଆସିଲେ ଓ ରାଜଧାନୀ କଲେଜରେ ଓଡ଼ିଆରେ ଏମ୍‌ଏ ପଢ଼ିଲେ। ଭବିଷ୍ୟତରେ ଜଣେ ଅଧ୍ୟାପକ ହେବା ଲକ୍ଷ୍ୟରେ ଅଗ୍ରସର ହେଉଥିବା ଦୀପକ, କିନ୍ତୁ ଜୀବନର ପହିଲି ପ୍ରେମ ସଂଗୀତକୁ ଛାଡ଼ି ନାହାନ୍ତି। ସୋସିଆଲ୍‌ ମିଡିଆରେ ନିଜ ପସନ୍ଦର ଗୀତକୁ ଖୁବ୍‌ ସୁନ୍ଦର ଭାବରେ ଗାଇ ପୋଷ୍ଟ୍‌ କରୁଛନ୍ତି। ତାଙ୍କ ଗୀତ ଶୁଣି ସଭିଏଁ ମୁଗ୍ଧ ହେଉଛନ୍ତି। ଦୁଃଖର ପାହାଡ଼ ଉପରେ ବସି  ଅନ୍ୟକୁ ଆନନ୍ଦ ପରଷୁଥିବା ଭଣ୍ଡାରୀପୋଖରି ବ୍ଲକ ଅନ୍ତର୍ଗତ ସଠଙ୍ଗାର ଏଇ ମଣିଷଟି ସତରେ ନିଆରା!