ଜୀବନ ବି ବେଳେବେଳେ ଏମିତି ଦୋ’ଛକିରେ ଆଣି ଛିଡ଼ା କରିଦିଏ, ଯାହା ଜଣେ କଳ୍ପନାରେ ବି ଭାବି ନଥାଏ। ବଞ୍ଚି ଥାଉ ଥାଉ ନିଜକୁ ଜୀବିତ ବୋଲି ପ୍ରମାଣ ଦେବାକୁ କସରତ କରିବାକୁ ପଡ଼େ। ସରକାରୀ ଦପ୍ତରକୁ ଧାଁଧଉଡ଼ କରିବାକୁ ହୁଏ। କର୍ଣ୍ଣାଟକର ବେଲଗାବୀ ଅନ୍ତର୍ଗତ ସାବାଗାଓଁର ୬୨ ବର୍ଷୀୟ ଗଣପତି ଖାଚୁ କାକାତ୍‌କରଙ୍କ କାହାଣୀ କିଛି ଏଇଭଳି। ଜଣେ କିରାଣିଙ୍କ ଅସାବଧାନତା ଯୋଗୁଁ ସରକାରୀ ନଥିପତ୍ରରେ ମୃତ ଘୋଷିତ ହୋଇଗଲେ। ଆଉ ଏହି ତ୍ରୁଟି ସୁଧାରିବାକୁ ତାଙ୍କୁ ଲାଗିଗଲା ଦୀର୍ଘ ୧୭ ମାସ।

Advertisment

୧୯୭୬ରେ ପରଲୋକ ଗମନ ‌କରିଥିବା ଜେଜେ ମସାନୁ ଶଟ୍ଟୁ କାକତ୍‌କର୍‌ଙ୍କ ୬ ଏକର ଜମି ଉପରେ ମାଲିକାନା ସାବ୍ୟସ୍ତ କରିବା ଉଦ୍ୟମରୁ ଗଣପତିଙ୍କ ଦୁର୍ଦ୍ଦଶା ଆରମ୍ଭ ହୋଇଥିଲା। ମୃତ୍ୟୁ ଆଗରୁ ମସାନୁ ତିନିପୁଅଙ୍କ ମଧ୍ୟରେ ୯ ଏକର ଜମି ବାଣ୍ଟି ଦେଇଥିଲେ। କିଛିବର୍ଷ ପରେ ମସାନୁଙ୍କ ତିନିପୁଅଙ୍କର ବି ସ୍ବର୍ଗବାସ ହେଲା। ଉକ୍ତ ପୈତୃକ ସମ୍ପତ୍ତି ଉପରେ ଦାବି ଜାହିର କରିବାକୁ ରହିଲେ ଗଣପତିଙ୍କ ସମେତ ତାଙ୍କର ୮ଜଣ ନାତି। ହିଣ୍ଡାଲ୍‌ଗଡ଼ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ମସାନୁଙ୍କ ‘ଡେଥ୍‌ ସାର୍ଟିଫିକେଟ୍‌’ ପ୍ରସ୍ତୁତ କରିବା ସମୟରେ ଜଣେ କମ୍ପ୍ୟୁଟର୍‌ ଅପରେଟର୍‌ ଭୁଲ୍‌କ୍ରମେ ଗଣପତିଙ୍କ ଆଧାର ନମ୍ବରକୁ ସ୍ବର୍ଗବାସୀ ଜେଜେଙ୍କ ଆଧାର ନମ୍ବର ଭାବି ସାର୍ଟିଫିକେଟ୍‌ ବାହାର କରିଦେଲେ। ଫଳରେ ବଞ୍ଚି ଥାଉ ଥାଉ ସରକାରୀ କାଗଜପତ୍ରରେ ଗଣପତି ମରିଗଲେ! ଏ ପ୍ରମାଦ ଯୋଗୁଁ କେବଳ ଗଣପତିଙ୍କର ରେସନ୍‌ କାର୍ଡରୁ ତାଙ୍କ ନାଁ ବି କଟିଗଲା। ବାର୍ଦ୍ଧକ୍ୟ ଭତ୍ତା, ରିହାତି ମୂଲ୍ୟରେ ଖାଦ୍ୟଶସ୍ୟ, ଫସଲହାନି କ୍ଷତିପୂରଣ ଓ ସହାୟତା ବନ୍ଦ ହୋଇଗଲା। ୨୦୨୩ ଅଗଷ୍ଟ ୩ ତାରିଖରେ ଏ ତ୍ରୁଟି ବିଷୟରେ ଜାଣି ଗଣପତି ସରକାରୀ ଅଫିସ୍‌କୁ ଧାଇଁ ଧାଇଁ ଥକିଲେ। ଶେଷରେ ଜିଲ୍ଲାର ଡେପୁଟି କମିସନର୍‌ ତାଙ୍କ ଦୁର୍ଦ୍ଦଶା କଥା ଶୁଣି ପ୍ରତିକାର କଲେ। ଜୀବନ ଫେରି ପାଇଲେ ସେ।

କେବଳ ଗଣପତି ନୁହନ୍ତି, ଦେଶରେ ଆଉ କେତେଜଣଙ୍କର ବି ସରକାରୀ କାଗଜପତ୍ରରେ ମୃତ୍ୟୁ ହୋଇଛି ଏବଂ ନିଜକୁ ଜୀବିତ ଦର୍ଶାଇବାକୁ ସେମାନଙ୍କୁ ନାକେଦମ୍‌ ହେବାକୁ ପଡ଼ିଛି। ସେମିତି ଜଣେ ବ୍ୟକ୍ତି ହେଲେ ଉତ୍ତରପ୍ରଦେଶର ଆଜମଗଡ଼ ନିବାସୀ ବୟୋବୃଦ୍ଧ ପାଦେସାର ଯାଦବ। ଝିଅଜ୍ବାଇଁ ସ୍ବର୍ଗବାସୀ ହେବାରୁ ଦୁଇ ନାତିନାତୁଣୀଙ୍କ ଲାଳନପାଳନ ଓ ପାଠପଢ଼ା ଦାୟିତ୍ବ ପଡ଼ିଲା ତାଙ୍କ ଉପରେ। ସେଥିପାଇଁ ସେ ଗାଁ’ରେ ଥିବା କିଛି ପୈତୃକ ସମ୍ପତ୍ତି ବିକ୍ରିକଲେ। କିଛିମାସ ପରେ ଜମି କିଣିଥିବା ବ୍ୟକ୍ତିଜଣକ ତାଙ୍କୁ ଫୋନ୍‌ କରି କହିଲେ ଯେ ତାଙ୍କ ନାଁ’ରେ ମକଦ୍ଦମା ହୋଇଛି। କାରଣ ଯାଦବଙ୍କ ପୁତୁରା ସମସ୍ତଙ୍କୁ କହିବୁଲୁଛି କି, ଜଣେ ଠକ ସେ ଜମି ବିକ୍ରି କରିଛି। କୋଲ୍‌କାତାରେ ରହୁଥିବା ଯାଦବ ତୁରନ୍ତ ଆଜମଗଡ଼ ଗଲେ। ତାଙ୍କୁ ଦେଖି ଗ୍ରାମବାସୀ ଭୂତ ଦେଖିଲା ପରି ଚମକିଲେ। କହିଲେ, ‘‘ଆପଣ ତ ମୃତ! କ୍ରିୟାକର୍ମ ସମ୍ପନ୍ନ ହୋଇସାରିଛି!’’

ସେ ବୁଝିପାରିଲେ କି, ପୁତୁରା ତାଙ୍କ ସମ୍ପତ୍ତି ହଡ଼ପ କରିବାକୁ ଏ କାଣ୍ଡ କରିଛି। ମୁକାବିଲା କରିବାକୁ ସେ ପୁତୁରା ପାଖରେ ପହଞ୍ଚିଲେ। କିନ୍ତୁ, ସେ କହିଲା କି, ତା’ ଦାଦା ତ ସ୍ବର୍ଗବାସୀ। ଶେଷରେ କୌଣସି ଉପାୟ ନ ପାଇ ଯାଦବ ସାହଯ୍ୟ ପାଇଁ ‘ଆସୋସିଏସନ୍‌ ଫର୍‌ ଦି ଲିଭିଙ୍ଗ୍‌ ଡେଡ୍‌ ଅଫ୍‌ ଇଣ୍ଡିଆ’ର ସହାୟତା ଲୋଡ଼ିଲେ। ସମ୍ପତ୍ତି ଲୋଭରେ କାଗଜପତ୍ରରେ ମୃତ ଘୋଷଣା କରାଯାଇଥିବା ଲୋକଙ୍କୁ ଏ ସଙ୍ଗଠନ ଆଇନଗତ ସହଯୋଗ ଦିଏ। ଏହାର ସଂସ୍ଥାପକ ଲାଲ୍‌ବିହାରୀ ମଧ୍ୟ ସେହିପରି ଜଣେ ବ୍ୟକ୍ତି।

ହସ୍ତତନ୍ତ ବ୍ୟବସାୟ କରିବାକୁ ପୈତୃକ ସମ୍ପତ୍ତି ବନ୍ଧା ପକାଇ ଋଣ ଆଣିବାକୁ ଚାହୁଥିବା ୨୨ ବର୍ଷୀୟ ଲାଲ୍‌ବିହାରୀ ବାସସ୍ଥାନ, ଆୟ ଓ ଜାତିଗତ ପ୍ରମାଣପତ୍ର ଆଣିବାକୁ ଖଲିଲ୍‌ବାଦ୍‌ ତହସିଲ୍‌ ଅଫିସ୍‌କୁ ଗଲେ। ସେଠାକାର କର୍ମଚାରୀମାନେ କହିଲେ କି, କାଗଜପତ୍ରରେ ବର୍ଷେରୁ ଅଧିକ ହେବ ସେ ମୃତ, ଏବେ ସମ୍ପତ୍ତିର ମାଲିକ ତାଙ୍କ ଦାଦା ଓ ଦାଦାପୁଅମାନେ। ଭିଟାମାଟିର ଖୋଜଖବର ରଖୁ ନ ଥିବାରୁ ଓ ବହୁଦିନ ଅନୁପସ୍ଥିତ ଥିବାରୁ ସେ ମୃତ ବୋଲି ଦର୍ଶାଇ ଜ୍ଞାତିକୁଟୁମ୍ବ ନିଜ ନାଁ’ରେ ଜମି କରାଇ ନେଇଛନ୍ତି। ବହୁ ବର୍ଷ ଧରି ଉଦ୍ୟମ ପରେ ପରିଶେଷରେ ଆଜମଗଡ଼ ଜିଲ୍ଲା ମାଜିଷ୍ଟ୍ରେଟ୍‌ ହୌସ୍‌ଲାପ୍ରସାଦ ବର୍ମା ଲାଲ୍‌ ବିହାରୀଙ୍କୁ ଜୀବନ୍ତ ବୋଲି ଘୋଷଣା କଲେ। ସେତେବେଳକୁ ବୁଢ଼ା ହୋଇଯାଇଥିବା ଲାଲ୍‌ ବିହାରୀ ପରିଚୟ ଫେରିପାଇ ଭିଟାମାଟିକୁ ଗଲେ, କିନ୍ତୁ ଦାଦା ଓ ଦାଦାପୁଅମାନଙ୍କ ଠାରୁ ଆଉ ଜମିବାଡ଼ି ଫେରସ୍ତ ଆଣିଲେନାହିଁ।