ଅତି ଅଳ୍ପ ବୟସରୁ ପିଲାଟିଏ ସ୍କୁଲ୍ ଯିବା କ’ଣ ନିହାତି ଜରୁରି? ଯଦି ନ ଯାଇ ଘରେ ବା ପ୍ରାକୃତିକ ପରିବେଶରେ ରହି ଅନୌପଚାରିକ ଭାବେ ଏଣୁତେଣୁ କିଛି ଶିଖେ; କିଛି ଅସୁବିଧା ହେବ କି? ଏମିତି ବିଚାରକରି ଗରିମା ଓ ଆଦିତ୍ୟ ପୁଅ ବେଦସ୍କୁ ବ୍ୟତିବ୍ୟସ୍ତମୟ ସିଙ୍ଗାପୁର ନଗରୀର କୌଣସି ସ୍କୁଲ୍ରେ ନ ଛାଡ଼ି, ଛାଡ଼ିଲେ ଭାରତର ଉତ୍ତରାଖଣ୍ଡ ଅନ୍ତର୍ଗତ ଗୋଟାଏ ପାହାଡ଼ୀ ଇଲାକାର ପ୍ରକୃତିକ ପରିବେଶରେ। ପ୍ରକୃତିରୁ ସେ ସବୁ ଜିନିଷ ଦେଖି ଦେଖି ଶିଖୁଛି, ଖେଳୁଛି ଆଉ ହୃଦୟଙ୍ଗମ କରୁଛି ବାସ୍ତବ ସ୍ବାଧୀନତା।
ଡାକ୍ତରୀ ପଢ଼ା ଛାଡ଼ି ଆଦିତ୍ୟ ଫ୍ୟାସନ୍ ମ୍ୟାନେଜ୍ମେଣ୍ଟ୍ ପଢ଼ି ‘ନାଇକ୍’ ଭଳି ନାମଜାଦା କମ୍ପାନିରେ ସମ୍ମାନଜନକ ବେତନ ପାଇ ଚାକିରି କଲେ। ସିଙ୍ଗାପୁରରେ ରହି ସମଗ୍ର ଦକ୍ଷିଣପୂର୍ବ ଏସିଆରେ କମ୍ପାନିର କାର୍ଯ୍ୟ ପରିଚାଳନା ଭାର ନେଲେ। ଡିଜାଇନର୍ ଗରିମା ମଧ୍ୟ ବଡ଼ ଚାକିରି କରିଥିଲେ। ବାହାର ଦୁନିଆ ଦେଖୁଥିଲା ତାଙ୍କ ବିଳାସମୟ ଜୀବନଚର୍ଯ୍ୟା, ଭ୍ରମଣ ଓ ଆର୍ଥିକ ନିରାପତ୍ତା।
ଆଦିତ୍ୟ କହନ୍ତି, ‘‘ଛୋଟିଆ ଘଟଣାରୁ ଏ ଯାତ୍ରାର ଅୟମାରମ୍ଭ ହୋଇଥିଲା। ଆମେ କ’ଣ ଖାଉଛୁ? ଆମେ କ’ଣ ଖରିଦ କରୁଛୁ? ଅାମେ ଯେମିତି ଜୀବନଯାପନ କରୁଛୁ, ସେଥିରେ ଆମ ପିଲାଙ୍କୁ କି ଶିକ୍ଷା ଦେଉଛୁ? ଏସବୁ ଭାବି ବେଶ୍ ଚାକଚକ୍ୟ ଦିଶୁଥିବା ସିଙ୍ଗାପୁରର ରୁଟିନ୍ବନ୍ଧା ଜୀବନ ବଡ଼ ଅଣନିଃଶ୍ବାସୀ ଲାଗୁଥିଲା।’’
ବେଦସ୍ ଜନ୍ମହେବାକୁ ଅଳ୍ପଦିନ ଥିବା ବେଳେ ସେଠାକାର ବ୍ୟବସ୍ଥା ଅନୁଯାୟୀ ଗରିମା ଓ ଆଦିତ୍ୟ ସନ୍ତାନ ପାଇଁ ପ୍ରି-ସ୍କୁଲ୍ ସନ୍ଧାନନେଲେ। ଦିନେ ଆଦିତ୍ୟଙ୍କୁ ଗରିମା ପଚାରିଲେ, ‘‘ସମସ୍ତେ ଯାହା କରୁଛନ୍ତି ଆମେ ସେୟା ନ କରି ଅନ୍ୟ କିଛି କଲେ ହୁଅନ୍ତାନି?’’ ସେତିକିବେଳେ ସେମାନଙ୍କ ମନକୁ ଆସିଲା ପିଲାଙ୍କ ଅଣସ୍କୁଲ୍ ଶିକ୍ଷାର କଥା। ସେମାନେ ଉଦୟପୁରରେ ଥିବା ‘ସ୍ବରାଜ ବିଶ୍ବବିଦ୍ୟାଳୟ’ ବିଷୟରେ ଜାଣିଲେ। ସେଠାରେ ପ୍ରାକୃତିକ ପରିବେଶରେ ବିକଳ୍ପ ଶିକ୍ଷା ବ୍ୟବସ୍ଥା ପ୍ରଚଳିତ ଥିଲା। ସିଧା ସେଠାକୁ ଚାଲିଆସିଲେ। ବିଶ୍ବବିଦ୍ୟାଳୟ ପରିସର ଆପଣାର ମନେହେବାରୁ କିଛି ଦିନ ବିତାଇବାକୁ ମନସ୍ଥ କଲେ।
୬ ମାସ ପରେ ସିଙ୍ଗାପୁର ଫେରି ସେମାନେ ହିସାବନିକାଶ କଲେ। ଘରଭଡ଼ା, ଚାକରବାକର, କିଣାକିଣି ଓ ମନୋରଞ୍ଜନ ବାବଦ ବ୍ୟୟ ହ୍ରାସକଲେ ଚାକିରିବାକିରି ନ କରି ମଧ୍ୟ ସେମାନେ ଖୁସିରେ ୪/୫ ବର୍ଷ ଚଳିପାରିବେ। ଶେଷରେ ଚୂଡ଼ାନ୍ତ ନିଷ୍ପତ୍ତି ନେଇ ପଳାଇ ଆସିଲେ ପାହାଡ଼ୀ ଇଲାକାକୁ। ୪ ବର୍ଷୀୟ ବେଦସ୍ କେବେ ସ୍କୁଲ୍ ଯାଇନାହିଁ। ତା’ର ୟୁନିଫର୍ମ ନାହିଁ, ସିଲାବସ୍ ନାହିଁ, ଆନୁଆଲ୍ ଡେ ନାହିଁ କି, ରିପୋର୍ଟ କାର୍ଡ ବି ନାହିଁ। ଏମିତି ‘ଅଣସ୍କୁଲିଆ’ ପିଲାମାନେ ଦିନ ସାରା କ’ଣ କରନ୍ତି? ଏହାର ଉତ୍ତର- ସବୁ କରନ୍ତି, ପୁଣି କିଛି କରନ୍ତି ନାହିଁ। ସକାଳ ହେବାକ୍ଷଣି ବେଦସ୍ ଶେଯ ଛାଡ଼େ। ଦିନେ ଦିନେ ସେ ଉଠିଲା ବେଳକୁ ଚଢ଼େଇମାନେ ଗୀତ ଗାଉଥାଆନ୍ତି; ଆଉ ଦିନେ ଦିନେ ଭାସି ଆସେ ବର୍ଷାର ମହକ। ଏମିତି ସ୍ବାଭାବିକ ଭାବେ ତା’ର ଦିନ ଉନ୍ମୁକ୍ତ ହୁଏ। ସେ ନୂଆ ନୂଆ ଜିନିଷ ଦେଖେ, ଗଛ ଚଢ଼େ, ପଥର ଉପରେ ପଥର ଥୋଇ ଘରତୋଳେ, ନୂଆ ନୂଆ ଖେଳ ବାହାର କରେ, କୀଟପତଙ୍ଗ, ଜଳଜ ଉଦ୍ଭିଦଙ୍କୁ ଲକ୍ଷ୍ୟକରେ, ଖତ ତିଆରିକରେ, କାଦୁଅରେ ଚିତ୍ର ଆଙ୍କେ, ଥରେ ତ ସେ ଚୂନପଥରରେ ମନ୍ଦିରଟିଏ ତୋଳିଥିଲା।
କ୍ଲାସ୍ ନାହିଁ। ସ୍କ୍ରିନ୍ ନାହିଁ। ୱାର୍କସିଟ୍ ନାହିଁ। ତଥାପି ସେ ସବୁବେଳେ ଶିଖୁଛି। ଅଳ୍ପଦିନ ତଳେ ବେଦସ୍ ସ୍ଥାନୀୟ ପିଲାଙ୍କ ସଙ୍ଗେ କ୍ରିକେଟ୍ ଖେଳିଲା। ସେ ପିଲାଙ୍କର ବଲ୍ ନ ଥିଲା। ତେଣୁ ସେମାନେ ପୁରୁଣା କପଡ଼ା ମୁଚୁଳା କରି ବଲ୍ କରିଥିଲେ। ଇଏ ହେଲା ଆବଶ୍ୟକତାରୁ ଉଦ୍ଭାବନର ଉଦାହରଣ। ବେଦସ୍ର ଜନ୍ମଦିନ ଅବସରରେ ୮ଜଣ ଅତିଥିଙ୍କ ଲାଗି କେତୋଟି ଲଡୁ ଆବଶ୍ୟକ ବୋଲି ଦୁହେଁ କଥାବାର୍ତ୍ତା କରୁଥିବା ବେଳେ ସେ ୮ରେ ୨ ଗୁଣି କହିଲା ‘୧୬ଟି’। କିନ୍ତୁ, ବେଦସ୍କୁ କେହି ପଣକିଆ ଶିଖାଇ ନ ଥିଲେ। ସେ ଆପେ ଗୁଣନ ଶିଖିଯାଇଥିଲା। ଏହା ହିଁ ‘ଅଣସ୍କୁଲ୍’ର ସାରମର୍ମ। ଆବଶ୍ୟକତାରୁ ଶିକ୍ଷା ଉଦ୍ରେକ ହୁଏ, କେହି ଶିଖାଇବା ଦ୍ବାରା ନୁହେଁ। ଏମିତି ବିଶ୍ବ ହୋଇଯାଏ ଶ୍ରେଣୀକକ୍ଷ ଓ ଉତ୍ସୁକତା ହୁଏ ପାଠ୍ୟଖସଡ଼ା।
ସମସ୍ତେ ଜାଣିବାକୁ ବ୍ୟଗ୍ର- ବେଦସ୍ ବଡ଼ ହେଲେ କ’ଣ ହେବ? ଯଦି ସେ ଡାକ୍ତର ହେବାକୁ ଚାହିବ? ଗରିମା କହନ୍ତି, ‘‘ଯଦି ସେ ଡାକ୍ତର ହେବାକୁ ଚାହିବ, ଡାକ୍ତରୀ ପଢ଼ିବ। ଆମେ ତ ସ୍କୁଲ୍ ପାଠ୍ୟପୁସ୍ତକ ଓ ପରୀକ୍ଷା ବିରୋଧୀ ନୋହୁଁ। ଆମେ ଖାଲି ବିରୋଧ କରୁଛୁ କି, ପିଲାଙ୍କୁ ଏତେ ଅଳ୍ପ ବୟସରେ ନିର୍ବିଚାର ଭାବେ ଜବରଦସ୍ତି ସ୍କୁଲ୍କୁ ପଠା ନ ଯାଉ। ବେଦସ୍ ଏ ପର୍ଯ୍ୟନ୍ତ ପଢ଼ି ଶିଖିନାହିଁ। ନ ଶିଖୁ। ଅଳ୍ପ କିଛି ସପ୍ତାହ ତଳେ ସେ ବହି ମାଗିଲା। ଏଥର ତାକୁ ବହି ଦିଆଯିବ।’’ ସ୍କୁଲ୍ର ଚାରିକାନ୍ଥ ଭିତରେ ରୁଟିନ୍ବନ୍ଧା ପଢ଼ା ଅସଲ ଶିକ୍ଷା ନୁହେଁ, ସ୍ବତଃସ୍ଫୂର୍ତ୍ତ ଜିଜ୍ଞାସା ବଳରେ ପିଲା ପରିବେଶରୁ ଶିକ୍ଷା ପାଇଥାଏ।