ପିଲାବେଳୁ ମେରିଙ୍କର ଗାଡ଼ି ଚଳାଇବା ପାଇଁ ଖୁବ୍ ଆଗ୍ରହ ଥିଲା। ଆଗ ସେ ମୋଟର୍ସାଇକେଲ୍ ଚଳାଇଲେ, ତା’ପରେ କାର୍। ଶେଷରେ ଭାରୀଯାନ ଚଳାଇବାରେ ବି ଓସ୍ତାତ ହୋଇଗଲେ ସେ। ଇଂରାଜୀ ସାହିତ୍ୟରେ ସ୍ନାତକ ଓ ସ୍ନାତକୋତ୍ତର ଡିଗ୍ରି ହାସଲ କରିଥିବା ବିସୁବାସ ମେରି ଖୋଜୁଥିଲେ ଚାକିରି। ସେତିକିବେଳେ ତାଙ୍କ ନଜର ଆମ୍ବୁଲାନ୍ସ୍ ଡ୍ରାଇଭର୍ ନିଯୁକ୍ତି ନିମନ୍ତେ ପ୍ରକାଶିତ ବିଜ୍ଞାପନ ଉପରେ ପଡ଼ିଲା। ଅଭିଳାଷ ଭିନ୍ନ ଥିଲେ ବି ଗାଡ଼ିଚାଳନା ପ୍ରତି ଦୁର୍ବଳତା ଥିବାରୁ ସେ ଡ୍ରାଇଭର୍ ଚାକିରି ପାଇଁ ଆବେଦନ କଲେ। ପରୀକ୍ଷା ଦେଇ ମନୋନୀତ ବି ହୋଇଗଲେ। ମାସିକ ୨୧ ହଜାର ଟଙ୍କା ବେତନରେ ମେରି ହେଲେ ଆମ୍ବୁଲାନ୍ସ୍ ଡ୍ରାଇଭର୍।
ଦରମା ଅପେକ୍ଷା ୧୦୮ ଆମ୍ବୁଲାନ୍ସ୍ ଚଳାଇବା ପୁଲକ ହିଁ ମେରିଙ୍କୁ ଆକର୍ଷିତ କରିଥିଲା। ଏହି ଅବସରରେ ୨୪ ବର୍ଷୀୟା ମେରି କହନ୍ତି, ‘‘ଜୀବନରେ କିଛି ହାସଲ କରିପାରିଲି ବୋଲି ମୋର ହୃଦ୍ବୋଧ ହେଲା। ଏଇଟା ଥିଲା ମୋ ଆବେଗ ସହିତ ଖାପ ଖାଇଲା ଭଳି ଗୋଟାଏ ସୁଯୋଗ।’’ ଯଦିଓ ଉଚ୍ଚଶିକ୍ଷିତଙ୍କ ପାଇଁ ଡ୍ରାଇଭର ଚାକିରି ଅବାଞ୍ଛିତ, କିନ୍ତୁ ମେରି ଏହାକୁ ଜୀବନର ମିସନ୍ ଭାବେ ଗ୍ରହଣ କଲେ। କାହା ଜୀବନ ରକ୍ଷା କରାଇବାରେ ସହାୟକ ହେବା ଲାଗି ମୁଁ ହିଁ ଯାଇ ପ୍ରଥମେ ହାଜର ହୋଇପାରିବି। ତେଣୁ ଏଇଟା ଚିକିତ୍ସା ସେବା ନୁହେଁ, ମାନବୀୟ ସେବା ବୋଲି କହନ୍ତି ମେରି। ଭିନ୍ନକ୍ଷମ ପିତାମାତା ଓ ସାନଭାଇ ରାହୁଲ୍ ପାଣ୍ଡିୟାନ୍ଙ୍କୁ ନେଇ ମେରିଙ୍କ ପରିବାର। ନେଲ୍ଲଈ ଜିଲ୍ଲା ମେଲାପୁତୁକ୍କୁଡ଼ିର ବାସିନ୍ଦା ମେରିଙ୍କ ୫୧ ବର୍ଷୀୟ ବାପା ଆଲେକ୍ସ କୁକୁଡ଼ାମାଂସ ଦୋକାନଟିଏ ଖୋଲିଛନ୍ତି। ବ୍ୟବସାୟରେ ବାପାଙ୍କୁ ସାହାଯ୍ୟ କରନ୍ତି ୪୮ ବର୍ଷୀୟା ମାଆ ମୁତ୍ତୂ ପୁଷ୍ପା। ଗତ ୨୫ ବର୍ଷ ହେବ ଏଇ କୁକୁଡ଼ାମାଂସ ଦୋକାନ ହିଁ ତାଙ୍କ ପରିବାର ପ୍ରତିପୋଷଣ କରିଆସୁଛି। ମେରି କହନ୍ତି ଯେ ବାପା ତାଙ୍କୁ କେବେ ନିରୁତ୍ସାହିତ କରିନାହାନ୍ତି ବରଂ ମଟରସାଇକେଲ୍ ଶିଖିବା ପରେ ତାଙ୍କ ଇଚ୍ଛା ଜାଣି ପୁରୁଣା କାର୍ଟିଏ କିଣି ଦେଇଥିଲେ।
ମେରି କହନ୍ତି, ‘‘ପିଲା ବୟସରୁ ଗାଡ଼ି ଚଳାଇବା ପାଇଁ ମୋର ଖୁବ୍ ଆଗ୍ରହ ଥିଲା। ମୁଁ ନିଜେ ଗିୟର୍ବାଲା ମଟର୍ସାଇକେଲ୍ ଚଳାଉଥିଲି। ତା’ପରେ ମୁଁ କାର୍ ଚଳାଇଲି। ତା’ପରେ ମୁଁ ମାମୁଙ୍କ ସହାୟତାରେ ଟ୍ରକ୍ ଚଳାଇ ଶିଖିଲି ଓ ଭାରୀଯାନ ଚଳାଇବା ଲାଗି ଲାଇସେନ୍ସ୍ ପାଇଲି।’’ ‘‘୧୦୮ ଆମ୍ବୁଲାନ୍ସ୍ ଡ୍ରାଇଭର ଚାକିରି ସାକ୍ଷାତ୍କାର ପାଇଁ ମୁଁ ଯେତେବେଳେ ଗଲି, ସଭିଏଁ ଆଚମ୍ବିତ ହୋଇ ମୋ ଆଡ଼କୁ ଚାହିଁଲେ। ସେଠାରେ ଉପସ୍ଥିତ ଅଧିକାରୀମାନେ ମତେ ପଚାରିଲେ, ମୁଁ ନର୍ସ ଚାକିରି ଲାଗି ଆସିଛି ନା, କ’ଣ? ମୁଁ କହିଲି, ନା, ମୁଁ ଡ୍ରାଇଭର୍ ଚାକିରି କରିବା ଲାଗି ଆସିଛି। ସଭିଏଁ ଆଶ୍ଚର୍ଯ୍ୟ ହୋଇ ମୋତେ ଚାହିଁଲେ। ଅଳ୍ପ କେତେଜଣ ମଧ୍ୟ ବିଦ୍ରୂପାତ୍ମକ ଦୃଷ୍ଟିରେ ଅନାଇଲେ। କିନ୍ତୁ ସରକାରୀ ଅଧିକାରୀମାନଙ୍କ ପ୍ରେରଣା ମତେ ଉତ୍ସାହ ଦେଲା।’’ ‘‘ଲିଖିତ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାରୁ ପରେ ମତେ ଆମ୍ବୁଲାନ୍ସ୍ ଚଳାଇବାକୁ କୁହାଯିବାରୁ ମୁଁ ଟିକିଏ ଛାନିଆ ହୋଇଗଲି। କାରଣ ପ୍ରଥମକରି ମତେ ଆମ୍ବୁଲାନ୍ସ୍ ଚଳାଇବାକୁ ପଡ଼ିଲା। ହେଲେ ମୁଁ ଏକାଥରକେ ଉତ୍ତୀର୍ଣ୍ଣ ହୋଇଗଲି। ଅସଲରେ ବାପା ମତେ ଯେଉଁ ଆତ୍ମବିଶ୍ବାସ ଦେଇଥିଲେ ସେଥିଯୋଗୁଁ ହିଁ ମୁଁ ପରୀକ୍ଷାରେ ସଫଳ ହୋଇପାରିଲି। ଯେଉଁ ଚାକିରି କରେ ନା, କାହିଁକି, ମୁଁ ସୁନାମ ଅର୍ଜନ କରି ଜନତାଙ୍କ ମେରି ହେବାକୁ ଚାହେ।’’
ଝିଅର ଏହି ନିଷ୍ପତ୍ତି ନେଇ ବାପା ଆଲେକ୍ସ କହନ୍ତି, ‘‘ତା’ର କାମ ମତେ ଖୁବ୍ ଆନନ୍ଦ ଦେଉଛି। ଯଦି କେହି ଅସୁସ୍ଥ ବଞ୍ଚିବାକୁ ଉଦ୍ୟମ କରୁଛି, ତେବେ ତାକୁ ତୁରନ୍ତ ଡାକ୍ତରଖାନାକୁ ନେବା ଉଚିତ ବୋଲି ମୁଁ ଝିଅକୁ ଶିକ୍ଷାଦେଇଛି। କୁକୁଡ଼ାମାଂସ ଦୋକାନରେ ବହୁଦିନ ଧରି ସେ ମୋ ସହିତ ରକ୍ତ ଦେଖି ଆସିଛି। ତେଣୁ ତା’ର ଡରଭୟ ନାହିଁ। ସେ ଯେକୌଣସି ପରିସ୍ଥିତି ସମ୍ଭାଳି ନେବ।’’ କିନ୍ତୁ ମେରିଙ୍କ ମାଆ ମୁତ୍ତୂ ପୁଷ୍ପା ଝିଅ ଆମ୍ବୁଲାନ୍ସ୍ ଚଳାଇବା ଦେଖି ମନ କଷ୍ଟ କରୁଛନ୍ତି। ଯଦିଓ ଏ କାମ ତାଙ୍କର ପସନ୍ଦ ନୁହେଁ, କିନ୍ତୁ, ଝିଅର ଆଗ୍ରହ ଦେଖି ସେ କିଛି କହିପାରୁ ନାହାନ୍ତି। ୧୦୮ ଆମ୍ବୁଲାନ୍ସ୍ ଚଳାଇବାରେ ମେରି ହେଉଛନ୍ତି ତାମିଲନାଡୁର ତୃତୀୟ ମହିଳା। ତାଙ୍କ ଆଗରୁ ୨୦୧୮ରେ ବୀରଲକ୍ଷ୍ମୀ ଏବଂ ୨୦୨୦ରେ ବିଜୟା ଏହି ପୁରୁଷପ୍ରଧାନ ବୃତ୍ତିକୁ ଆପଣାଇଛନ୍ତି।