୨୦୧୯ରେ ଗଣ୍ଠିବାତ ବା ଆର୍ଥାଇଟ୍‌ସ୍‌ ଦ୍ବାରା ଆକ୍ରାନ୍ତ ହେବାରୁ କୋଲ୍‌କାତାର ସୌମିତା ବସୁ ଅତି ସହଜ ‌ମନେହେଉଥିବା କାର୍ଯ୍ୟ ବି ସୁରୁଖୁରୁରେ କରିପାରିଲେ ନାହିଁ। ଦିନେ ଅକ୍ଳେଶରେ ପିନ୍ଧି ପାରୁଥିବା ପୋଷାକପତ୍ର ବି ପିନ୍ଧିବା ତାଙ୍କ ପକ୍ଷେ କଷ୍ଟକର ହୋଇଗଲା। ଗାଧୁଆପାଧୁଆ କରିବା, ଚଳପ୍ରଚଳ ହେବା ବି ତାଙ୍କ ପକ୍ଷେ ସହଜ ନ ଥିଲା। ଏପରିକି ଡାକ୍ତରଖାନା ଯିବା ପାଇଁ ବି ସେ ଉପଯୁକ୍ତ ପୋଷକ ପିନ୍ଧିପାରୁ ନ ଥିଲେ। ସାର୍ଟରେ ବୋତାମ ଲଗାଇବା ଓ ପ୍ୟାଣ୍ଟ୍‌ ପିନ୍ଧିବା ଭଳି ନଗଣ୍ୟ କାମ ତାଙ୍କୁ ପର୍ବତାରୋହଣ ପରି କଷ୍ଟକର ମନେହେଲା। ‘ନାଇଟ୍‌ଡ୍ରେସ୍‌’ ପିନ୍ଧି କ’ଣ ସବୁଆଡ଼େ ଯିବା ସମ୍ଭବ? ଗଣ୍ଠିବାତ, ମେରୁଦଣ୍ଡ ଆଘାତ, ନିରବଚ୍ଛିନ୍ନ ଯନ୍ତ୍ରଣା ଓ ବୟସାଧିକଜନିତ କଠିନତା ଆଦି ଭୋଗୁଥିବା ଲୋକେ କ’ଣ ଖାଲି ପାରମ୍ପରିକ ପୁରୁଣାକାଳିଆ ଲୁଗାପଟା ପିନ୍ଧିବେ? ସତରେ ଗଣ୍ଠିବାତ କଷ୍ଟଠୁ ବଳିଗଲା ସୌମିତାଙ୍କ ହତାଶା! ସତେ ଅବା ଫ୍ୟାସନ୍‌ ତାଙ୍କପରି ପୀଡ଼ିତାଙ୍କ ପ୍ରତି ପ୍ରଯୁଜ୍ୟ ନୁହେଁ! ଠିକ୍‌ ସେତିକି ବେଳେ ହିଁ ସେ ସ୍ଥିରକଲେ- ନା, ଏ ଧାରା ପରିବର୍ତ୍ତନ କରିବାକୁ ପଡ଼ିବ।

Advertisment

କଥାରେ ଅଛି- ଇଚ୍ଛା ଥିଲେ ଉପାୟ ମିଳେ। ସେ ତାଙ୍କ ଭଳି ଲୋକଙ୍କ ପାଇଁ ଯୋଜନା କଲେ ସ୍ବତନ୍ତ୍ର ପୋଷାକ, ନାଁ ଦେଲେ ‘ଆଡାପ୍‌ଟିଭ୍‌ କ୍ଲଦିଙ୍ଗ୍‌’ ବା ଅନାୟାସରେ ପିନ୍ଧାଯାଇ ପାରୁଥିବା ପୋଷାକ। ଏ ସଂକ୍ରାନ୍ତରେ ସୌମିତା କହନ୍ତି, ‘‘ଅନ୍ୟମାନେ ଅନାୟାସରେ ପୋଷାକପତ୍ର ପିନ୍ଧିପାରୁଥିବା ବେଳେ ମୋ ଭଳି ଲୋକ ଖୁବ୍‌ ସହଜରେ ପିନ୍ଧିପାରିବା ଭଳି ପୋଷାକ ପ୍ରସ୍ତୁତିରେ ଲାଗିପଡ଼ିଲି।’’ ଏଇ ପରିକଳ୍ପନାରୁ ଜନ୍ମ ନେଲା ‘ଜାୟେନିକା’। ଏଥିରେ ତାଙ୍କୁ ସହଯୋଗକଲେ ମାଆ ଅମିତା। ଦୁହେଁ ମିଶି କାର୍ଯ୍ୟଧାରା ଆରମ୍ଭକଲେ। ପ୍ରାରମ୍ଭିକ ପ୍ରଚେଷ୍ଟା କଥା ସ୍ମରଣ କରି ସୌମିତାଙ୍କ ମାଆ କହନ୍ତି, ‘‘ନୂଆ ନୂଆ କୌଣସି ପୋଷାକ ନିଖୁଣ ଭାବେ ତିଆରି କରିପାରୁ ନ ଥିଲୁ। ତେଣୁ, ବାରମ୍ବାର ଡିଜାଇନ୍ ବଦଳାଇ ପୋଷାକ ନିଖୁଣ ହେବା ପର୍ଯ୍ୟନ୍ତ ଉଦ୍ୟମ ଚାଲୁ ରଖିଲୁ। ଅନେକ ଅଧ୍ୟବସାୟ ପରେ ଧୀରେ ଧୀରେ ଆମେ କାର୍ଯ୍ୟରେ ଲାଗିଲା ଭଳି ପୋଷାକ ଡିଜାଇନ୍‌ କଲୁ।’’

ବହୁ ପରୀକ୍ଷାନିରୀକ୍ଷା ପରେ ସେମାନେ କେତେ‌ାଟି ଭଲ ଡିଜାଇନ୍‌ ଚୂଡ଼ାନ୍ତକଲେ। ସେମାନଙ୍କ ହାତରେ ଥାଏ ମାତ୍ର ୨୧୦୦୦ ଟଙ୍କାର ପୁଞ୍ଜି। ନମୁନା ପୋଷାକ ସିଲେଇ କରିଦେବା ପାଇଁ ଦୁହେଁ ସ୍ଥାନୀୟ ଦରଜୀଙ୍କ ପାଖକୁ ଗଲେ। ସେମାନେ ଯାହା ଭୁଲ୍‌ଭଟକା ଦର୍ଶାଇଲେ ଦୁହେଁ ତାହା ସଂଶୋଧନ କଲେ। ତାଙ୍କର ପ୍ରତିଟି ନୂତନ ପରିକଳ୍ପନା ଓ ପ୍ରଚେଷ୍ଟାରେ କିଛି ନା କିଛି ତ୍ରୁଟିବିଚ୍ୟୁତି ରହିଯାଉଥିଲା। କିନ୍ତୁ, ସେସବୁ ସଂଶୋଧିତ ହେବା ପରେ ଭାରତୀୟ ପରିଚ୍ଛଦ ଇତିହାସରେ ଯୋଡ଼ି ହେଉଥିଲା ନୂତନ ଅଧ୍ୟାୟ। ୨୦୨୦ରେ ସେମାନେ ବିଧିବଦ୍ଧ ଭାବେ ଆରମ୍ଭ କଲେ ‘ଜାୟେନିକା’ ବ୍ରାଣ୍ଡ୍‌। ଏ ବ୍ରାଣ୍ଡ୍‌ ଦ୍ବାରା ନିର୍ମିତ ପୋଷାକପତ୍ର କାହାରି ସହାୟତା ବିନା ପିନ୍ଧିହେଉଥିଲା। ଏଥିସହ ଷ୍ଟାଇଲ୍‌ ଓ ଗାମ୍ଭୀର୍ଯ୍ୟ ଉପରେ ବି ସମଗୁରୁତ୍ବ ଦିଆଯାଉଥିଲା। ତେଣୁ, ବୟସ ଓ ଅକ୍ଷମତା ନିର୍ବିଶେଷରେ ସମସ୍ତେ ଏ ପୋଷାକ ପିନ୍ଧିବାକୁ ଚାହିଲେ। ସୌମିତା କହନ୍ତି, ‘‘ଘରେ ଥିଲେ ବି ଜଣେ ପୋଷାକପତ୍ର ପିନ୍ଧନ୍ତି। ସେଥିପାଇଁ ଅନ୍ୟ କେହି ଆପଣଙ୍କୁ ଦେଖିବା ଆଗରୁ ଆପଣ ଆଗ ଦର୍ପଣ ଆଗରେ ଠିଆହୋଇ ନିଜକୁ ଦେଖନ୍ତି। ସେତିକିବେଳେ ହିଁ ପିନ୍ଧିଥିବା ପୋଷାକ ଦେଖି ନିଜେ ଖୁସି ହେବା ଉଚିତ।’’

ଏହି ଚିନ୍ତାଧାରାକୁ ନେଇ ତିଆରି ହେଲା ‘ମ୍ୟାଗ୍‌ନେଟିକ୍‌ କ୍ଲୋଜର୍‌’, ‌‘ଭେଲ୍‌କ୍ରୋ ଫାଷ୍ଟେନିଙ୍ଗ୍‌’, ‘କନ୍‌ସିଲ୍‌ଡ୍‌ ଓପନିଙ୍ଗ୍‌’ ଓ ‘ନୋ-ବେଣ୍ଡ୍‌ ଟ୍ରାଉଜର୍‌’ ଭଳି ଖୁବ୍‌ ସହଜରେ ପିନ୍ଧି ହେଉଥିବା ପୋଷାକପତ୍ର। ଉପରୋକ୍ତ ଶବ୍ଦ ସବୁ ସାଧାରଣ ମନେହେଉଥିଲେ ବି ଆଙ୍ଗୁଠି ସ୍ବଳ୍ପ ଚାଲୁଥିବା, ପିଠିବ୍ୟଥା ଭୋଗୁଥିବା ଲୋକଙ୍କ ପାଇଁ ସେ ସବୁର ଉପକାର କହିଲେ ନ ସରେ। ପର ଉପରେ ନିର୍ଭରଶୀଳ ନ ହୋଇ ସେମାନେ ଏସବୁ ପୋଷାକପତ୍ର ପିନ୍ଧିପାରିଲେ। କିନ୍ତୁ, ଫ୍ୟାସନ୍‌ ‌ଷ୍ଟାର୍ଟ-ଅପ୍‌ ଚଳାଇବା ଏତେ ସହଜ ନୁହେଁ। ତଥାପି ମା’ ଓ ଝିଅଙ୍କ ନିଷ୍ଠା ବଳରେ ନୂଆ ନୂଆ ପୋଷାକ ପରିସ୍ଫୁଟ ହେଲା। ଭିନ୍ନ ଭିନ୍ନ କାରଣରୁ ଅକ୍ଷମ ହୋଇଥିବା ଲୋକେ ଥରକୁ ଥର ଆସି ପୋଷାକପତ୍ର କିଣିଲେ। କ୍ରମେ ବଦାନ୍ୟ ବ୍ୟକ୍ତି ଓ ସଂସ୍ଥା ଆର୍ଥିକ ସାହାଯ୍ୟ ଦେଲେ। ବହୁ ସ୍ବନାମଧନ୍ୟ ବ୍ୟାବସାୟିକ ସଂସ୍ଥାନ ବି ‘ଜାୟେନିକା’କୁ ସାହାଯ୍ୟଦେଇ ସୁଦୃଢ଼ କଲେ। ବହୁପ୍ରଚଳିତ ରୁଢ଼ି- ଆବଶ୍ୟକତା ହିଁ ଉଦ୍ଭାବନର ଜନନୀ ସୌମିତା ଓ ଅମିତାଙ୍କ ଜୀବନରେ ପ୍ରତିପାଦିତ ହୋଇଛି।