ବେଳେ ବେଳେ ପଶୁପକ୍ଷୀ ସବୁ ରବ ବନ୍ଦ କରିଦେଲେ ବନସ୍ତ ନିସ୍ତବ୍ଧ ହୋଇଯାଏ। ଏମିତି ସମୟକୁ ଚାହିଁ ବସିଥାଆନ୍ତି ପନ୍ନାଲାଲ୍‌ ମହତୋ। ଏଥର ସେ ଅବିକଳ ପକ୍ଷୀଙ୍କ ପରି କାକଳି କରନ୍ତି। ଆଉ ତାଙ୍କ କାକଳି ଶୁଣିଲାକ୍ଷଣି ବହୁସଂଖ୍ୟକ ପକ୍ଷୀ ଫଡ୍‌ଫାଡ୍‌ ହୋଇ ଗଛଡାଳରେ ଉଡ଼ାଉଡ଼ି କରନ୍ତି। ବିଶ୍ବାସ ନ ହେଲେ ବି ଏଇଟା ନିରାଟ ସତ। ଝାଡ଼ଖଣ୍ଡ ବନସ୍ତରେ ପନ୍ନାଲାଲ୍‌ ହିଁ ହେଉଛନ୍ତି ପକ୍ଷୀମାନଙ୍କର ଏକମାତ୍ର ମାନବ ମିତ୍ର। ତାଙ୍କ ଉପରେ ପକ୍ଷୀମାନଙ୍କର ଅଗାଧ ବିଶ୍ବାସ। ସେମାନେ ପନ୍ନାଲାଲ୍‌ଙ୍କୁ କଥା କହନ୍ତି ଆଉ ତାଙ୍କ କଥା ବି ଶୁଣନ୍ତି। ‘ବିହଙ୍ଗମାନବ’ ବୋଲି ସୁପରିଚିତ କୃଷକ ପନ୍ନାଲାଲ୍‌ ହେଉଛନ୍ତି ରାମଗଡ଼ ଜିଲ୍ଲା ଅନ୍ତର୍ଗତ ସରଇୟାଁ କୁନ୍ଦରୁ ଗାଁ’ର ବାସିନ୍ଦା। ସରକାରୀ ସହାୟତା ବିନା ଗତ ୨୭ ବର୍ଷ ହେବ ସେ ପକ୍ଷୀଙ୍କ ଉପରେ ଗବେଷଣା ଚଳାଇଛନ୍ତି। ଶିକ୍ଷାଗତ ଯୋଗ୍ୟତା ମେଟ୍ରିକ୍‌ ହୋଇଥିଲେ ବି ଖାଲି କୂଜନ ଶୁଣି ପନ୍ନାଲାଲ୍‌ ଶତାଧିକ ପକ୍ଷୀଙ୍କୁ ଚିହ୍ନିପାରନ୍ତି। ସେତିକି ନୁହେଁ, ସେ ନିଜେ ମଧ୍ୟ ୪୫ ପ୍ରକାର ପକ୍ଷୀଙ୍କ କାକଳି ବା ରାବ ଅନୁକରଣ କରି ଅବିକଳ ସେମିତି ରାବି ପାରନ୍ତି। ୮ ବର୍ଷ ବୟସରୁ ପନ୍ନାଲାଲ୍‌ ଏମିତି ବିଭିନ୍ନ ପକ୍ଷୀଙ୍କ ସ୍ବର ଅନୁକରଣ କରି ରାବି ଆସୁଛନ୍ତି। ପକ୍ଷୀମାନେ ବି ତାଙ୍କ ଅନୁକୃତ କାକଳି ବା କଥା ବୁଝିପାରନ୍ତି ବୋଲି ପନ୍ନାଲାଲ୍‌ ଦାବି କରନ୍ତି। ସେ କହନ୍ତି, ‘‘ପକ୍ଷୀମାନଙ୍କ ବିଷୟରେ ସବୁ କଥା ଜାଣିବା ଲାଗି ମୁଁ ଅରଣ୍ୟରେ ଦୀର୍ଘସମୟ ଅତିବାହିତ କରିଛି। କହିଲେ, ମୋ ଜୀବନର ପ୍ରମୁଖ ଭାଗ ମୁଁ ପଶୁପକ୍ଷୀଙ୍କ ଗହଣରେ ଅତିବାହିତ କରିଛି।’’

Advertisment

ବେଉସା କୃଷି ଏବଂ ସେଥିରୁ ହେଉଥିବା ଆୟରୁ ସେ ବହୁଳାଂଶ ପକ୍ଷୀ ସଂରକ୍ଷଣ ନିମନ୍ତେ ବ୍ୟୟ କରନ୍ତି। ଘରଚଟିଆ ବଂଶ ବୁଡ଼ିଆସୁଥିବା ଜାଣି ପନ୍ନାଲାଲ୍‌ ତାଙ୍କ ଗାଁ ସାରା ୫୦୦ରୁ ଅଧିକ କୃତ୍ରିମ ବସା ଝୁଲାଇଲେ। ସତରେ ଏବେ ତାଙ୍କ ଗାଁ’କୁ ଘରଚଟିଆ ଅଭୟାରଣ୍ୟ କହିଲେ ଅତ୍ୟୁକ୍ତି ହେବନାହିଁ। ତାଙ୍କ ସ୍ତ୍ରୀ ବୀଣାଦେବୀ କହନ୍ତି, ‘‘ପହିଲୁ ପହିଲୁ ତାଙ୍କର ଏତାଦୃଶ କାର୍ଯ୍ୟ ମତେ ଅସୁଖ ଲାଗୁଥିଲା। କିନ୍ତୁ, ସମ୍ପ୍ରତି ଲୋକେ ତାଙ୍କୁ ‘ବିହଙ୍ଗମାନବ’ କହୁଥିବା ଶୁଣି ଭାରି ଆନନ୍ଦ ଲାଗୁଛି।’’ ଦୀର୍ଘଦିନର ଅଭ୍ୟାସ ବଳରେ ପନ୍ନାଲାଲ୍‌ ବିଭିନ୍ନ ପକ୍ଷୀଙ୍କ ଧ୍ବନି ନିଖୁଣ ଭାବେ ଉଚ୍ଚାରଣ କରିବା ଶିଖିଛନ୍ତି। ସେ କହନ୍ତି, ‘‘ପକ୍ଷୀମାନଙ୍କର ବି ମିଜାଜ ଅଛି। ତାହା ସେମାନଙ୍କ ଆଚାରବ୍ୟବହାର ଓ କଳରବରୁ ଅନୁମାନ କରାଯାଇପାରିବ। ଆଖପାଖରେ କୌଣସି ଆକ୍ରମଣକାରୀ ଜନ୍ତୁ ଅଥବା ଶିକାରୀ ଦେଖିଲେ ସେମାନଙ୍କର ଆଚରଣ ବଦଳିଯାଏ। ଖାଲି ସେମାନଙ୍କ ଆଖିକୁ ଅନାଇଦେଲେ ମୁଁ କହିପାରିବି ଯେ ସେମାନେ କ’ଣ ଆବଶ୍ୟକ କରୁଛନ୍ତି।’’ପକ୍ଷୀମାନଙ୍କ ପ୍ରିୟଭାଜନ ହେବାଲାଗି ପନ୍ନାଲାଲ୍‌ ସାଗୁଆ ବେଶପୋଷାକ ପିନ୍ଧନ୍ତି। ତାଙ୍କର ସାର୍ଟ, ହ୍ୟାଟ୍‌ ଓ ଜୋତା ପର୍ଯ୍ୟନ୍ତ ସବୁକିଛି ସବୁଜ। ଏଇ ସବୁଜ ବର୍ଣ୍ଣ ଯୋଗୁଁ ପକ୍ଷୀମାନେ ତାଙ୍କୁ ଆପଣାର ମନେକରନ୍ତି।

 ପକ୍ଷୀମାନଙ୍କ ମତିଗତି ବୁଝିବା ପାଇଁ ପନ୍ନାଲାଲ୍‌ ରାଞ୍ଚି ଅନ୍ତର୍ଗତ ଅନଗଡ଼ାର ସିକିଦିରୀ ଉପତ୍ୟକାରୁ ନେଇ ରାମଗଡ଼ର ହୁଣ୍ଡରୁ, ଗିଧିନିଆ, ଚୁଟୁପଲୁ, ରାଜରପ୍ପା, କୁଜୁ ଓ ବନଡ଼ଗ ଆଦି ଅଞ୍ଚଳରେ ବହୁ ସମୟ ଅତିବାହିତ କରନ୍ତି। କେଉଁ ଋତୁରେ ଓ କେତେବେଳେ କେଉଁ ପକ୍ଷୀ ବନସ୍ତକୁ ଆସନ୍ତି ସେ ସବୁ ପକ୍ଷୀପ୍ରେମୀ ପନ୍ନାଲାଲ୍‌ଙ୍କ ମନରେ ଛାପି ହୋଇଯାଇଛି। ଆହତ ଓ ଅସୁସ୍ଥ ପକ୍ଷୀମାନଙ୍କର ସେବାଶୁଶ୍ରୂଷା କରୁଥିବା ପନ୍ନାଲାଲ୍‌ କହନ୍ତି, ‘‘ଯଦି ମୁଁ ଦୈନିକ ଦେଖୁଥିବା ପକ୍ଷୀଟିକୁ ଦୈବାତ୍‌ ଦିନେ ନ ଦେଖେ, ଜାଣିପାରେ ନିଶ୍ଚୟ କିଛି ଅସୁବିଧା ହୋଇଛି। ମୁଁ ସେମାନଙ୍କର ଚିକିତ୍ସା କରେ, ସେମାନଙ୍କୁ ଖୁଆଏ ଆଉ ସୁସ୍ଥ ହୋଇଗଲେ ସେମାନଙ୍କୁ ଅରଣ୍ୟରେ ଛାଡ଼ିଦିଏ।’’ ପନ୍ନାଲାଲ୍‌ଙ୍କ ପକ୍ଷୀ ଅଭିଯାନ କେବଳ ବନସ୍ତ ମଧ୍ୟରେ ସୀମିତ ନୁହେଁ। ସେ ବିଭିନ୍ନ ସ୍କୁଲ୍‌ ଓ କଲେଜ ପରିଦର୍ଶନ କରି ପକ୍ଷୀମାନଙ୍କ କଥା କହନ୍ତି। ଥରେ ପନ୍ନାଲାଲ୍‌ଙ୍କ ସହିତ ଅରଣ୍ୟକୁ ଯାଇଥିବା ଜଣେ ଶିକ୍ଷକ କହନ୍ତି, ‘‘ପକ୍ଷୀମାନଙ୍କ ସହିତ ପନ୍ନାଲାଲ୍‌ କଥାବାର୍ତ୍ତା କରୁଥିବା ଦେଖି ପିଲାଏ କାବା ହୋଇଗଲେ। ସେ ଗୋଟାଏ ଡାକ ମାରିଲେ, ଚାରିପାଞ୍ଚଟି ପକ୍ଷୀ ତାଙ୍କ ପାଖକୁ ଉଡ଼ିଆସିଲେ। ସେଥିରୁ ବୁଝିହୁଏ ସେ ପକ୍ଷୀମାନଙ୍କର କେତେ ବିଶ୍ବାସଭାଜନ ହୋଇପାରିଛନ୍ତି।’’