ଲୌହଦାନବକୁ ନିୟନ୍ତ୍ରଣରେ ରଖି ହଜାର ହଜାର ଯାତ୍ରୀଙ୍କୁ ଦୈନିକ ଲକ୍ଷ୍ୟସ୍ଥଳରେ ପହଞ୍ଚାଇବା କ’ଣ ସହଜ କାର୍ଯ୍ୟ? ଦିନେଅଧେ ନୁହେଁ, ଦୀର୍ଘ ସାଢ଼େତିନି ଦଶନ୍ଧି ଧରି ଟ୍ରେନ୍ ଚାଳନା ଭଳି କଠିନ ତଥା ଦାୟିତ୍ବସଂପନ୍ନ କାର୍ଯ୍ୟକୁ ନିଷ୍ଠାର ସହ ତୁଲାଉଥିବା ଏସିଆର ପ୍ରଥମ ମହିଳା ଟ୍ରେନ୍ ଡ୍ରାଇଭର୍ ସୁରେଖା ଯାଦବ ଆଉ ଇଂଜିନ୍ର ଷ୍ଟିଅରିଂ ଧରିବେ ନାହିଁ! ଦେଶର ମହିଳାମାନଙ୍କୁ ଏକ ପୁରୁଷପ୍ରଧାନ ବୃତ୍ତିକୁ ଆପଣେଇବା ଲାଗି ସାହସ ଦେଇଥିବା ଏକ ବିରଳ କର୍ମମୟ ଜୀବନର ପୂର୍ଣ୍ଣଚ୍ଛେଦ ସେପ୍ଟେମ୍ବର ୩୦ ତାରିଖ ଦିନ ପଡ଼ିବ। ସେପ୍ଟେମ୍ବର ୧୮ ତାରିଖ, ସଂଧ୍ୟା ୭.୩୪ ମିନିଟ୍। କେନ୍ଦ୍ରୀୟ ରେଳବାଇର ଆଧିକାରୀକ ଏକ୍ସ୍ ଆକାଉଣ୍ଟରେ ପୋଷ୍ଟ୍ଟିଏ ଆସିଲା। ସେଥିରେ ସୁରେଖାଙ୍କ ଅବସର ସୂଚନା ସହ ଲେଖାଥିଲା,‘‘ସେ ବାସ୍ତବରେ ଥିଲେ ଜଣେ ଅଗ୍ରଦୂତ, ବାଧା ଅତିକ୍ରମ କରି ଅଗଣିତ ମହିଳାଙ୍କୁ ଅନୁପ୍ରେରିତ କରିଥିଲେ ଏବଂ ପ୍ରମାଣିତ କରିଥିଲେ ଯେ କୌଣସି ଅଭିଳାଷ ଅପୂରଣୀୟ ନୁହେଁ। ଭାରତୀୟ ରେଳରେ ତାଙ୍କର ଯାତ୍ରା ସବୁ ସମୟରେ ମହିଳା ସଶକ୍ତୀକରଣର ଏକ ଅନନ୍ୟ ଉଦାହରଣ ହୋଇରହିବ।’’
ରେଳଧାରଣା ଉପରେ ୩୬ ବର୍ଷରୁ ଅଧିକ ସମୟ ଧରି ରେଳଗାଡ଼ି ଗଡ଼ାଇଛନ୍ତି ସେ। ୧୯୬୫ ମସିହାରେ ଜନ୍ମିତା ସୁରେଖା ୧୯୮୮ ମସିହାରେ ଲୋକୋପାଇଲଟ୍ ଭାବେ ଚାକିରି ଆରମ୍ଭ କରିଥିଲେ। ସେତେବେଳେ ସେ ଥିଲେ ଭାରତୀୟ ରେଳର ଏକମାତ୍ର ମହିଳା ଟ୍ରେନ୍ ଚାଳିକା। ପ୍ରଥମେ ମାଲ୍ଗାଡ଼ି, ତା’ପରେ ଯାତ୍ରୀବାହୀ ଟ୍ରେନ୍ର ଷ୍ଟିଅରିଂ ଧରିଥିଲେ ସେ। ସମୟକ୍ରମେ ତାଙ୍କ ଦକ୍ଷତା ବଳରେ ସବ୍ଅର୍ବାନ୍ ଲୋକାଲ୍ ଟ୍ରେନ୍ରୁ ଆରମ୍ଭ କରି ରାଜଧାନୀ ଏକ୍ସପ୍ରେସ୍ ଓ ବନ୍ଦେ ଭାରତ ଏକ୍ସପ୍ରେସ୍ ପରି ମର୍ଯ୍ୟାଦାଜନକ ଯାତ୍ରୀବାହୀ ଗାଡ଼ି ଚଳାଇଛନ୍ତି। ତାଙ୍କ ଅବସର ସହ ଗୋଟାଏ ଯୁଗର ପରିସମାପ୍ତି ଘଟିଲା ସତ, କିନ୍ତୁ ତାଙ୍କ ଯାତ୍ରା ଅନେକଙ୍କୁ ଉଦ୍ବୁଦ୍ଧ କରିଚାଲିଥିବ। ରେଳବାଇ ଦୁନିଆକୁ ସୁରେଖାଙ୍କ ପ୍ରବେଶ ଥିଲା ଆକସ୍ମିକ। ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଙ୍ଗ୍ରେ ଡିପ୍ଲୋମା ହାସଲ କରିଥିବା ସୁରେଖାଙ୍କର ଏ କ୍ଷେତ୍ରରେ ପ୍ରବେଶ କରିବାର କୌଣସି ଯୋଜନା ନ ଥିଲା। ଆଗ୍ରହ ନୁହେଁ ବରଂ କୌତୂହଳୀ ହୋଇ ସେ ରେଳବାଇ ପରୀକ୍ଷା ଦେଇଥିଲେ। ଅବିଳମ୍ବେ ସେ କୌତୂହଳ ଗୋଟାଏ କ୍ୟାରିୟର୍ ବନିଗଲା। ସେ କ୍ୟାରିୟର୍ ତାଙ୍କ ଜୀବନକୁ ନୂତନ ରୂପରେଖ ଦେବା ସହିତ ଏଭଳି ବୃତ୍ତି ପ୍ରତି ସମଗ୍ର ଭାରତର ମହିଳାଙ୍କର ଥିବା ଦୃଷ୍ଟିକୋଣର ପୁନର୍ବିନ୍ୟାସ କଲା।
ଦୀର୍ଘ ଚାକିରିକାଳରେ ସେ ଘଣ୍ଟା ଘଣ୍ଟା ଧରି କାର୍ଯ୍ୟକରିବାର କଷ୍ଟ, ଆକସ୍ମିକ ଅସୁବିଧା ସହ୍ୟକରିବା ସହିତ ଦୈନିକ ହଜାର ହଜାର ଲୋକଙ୍କୁ ନେଇ ଯାଉଥିବା ରେଳଗାଡ଼ି ଚଳାଇବା ଦାୟିତ୍ବ ବହନ କରୁଥିଲେ। ତଥାପି ସେ ସଫଳତାର ସହିତ ଏ ଚାକିରିରେ ଥିବା ଅସୁବିଧା ସବୁ ଆଦରି ନେଇଥିଲେ। ପ୍ରାରମ୍ଭିକ ଦିନଗୁଡ଼ିକରେ ପୁରୁଣା ପ୍ରଯୁକ୍ତିର ଡିଜେଲ୍ ଇଞ୍ଜିନ୍ ଚଳାଇବା ସହିତ ସଦ୍ୟତମ ଅତ୍ୟାଧୁନିକ ବିଦ୍ୟୁତ୍ ଇଞ୍ଜିନ୍ ଚଳାଇ ସେ ଭାରତୀୟ ରେଳବାଇ କ୍ଷେତ୍ରରେ ଘଟିଥିବା କ୍ରମବିକାଶକୁ ଅତି ନିକଟରୁ ପରଖିଛନ୍ତି। ସେପ୍ଟେମ୍ବର ୧୮ ତାରିଖରେ ସୁରେଖା ଦିଲ୍ଲୀ-ମୁମ୍ବାଇ ରାଜଧାନୀ ଏକ୍ସପ୍ରେସ୍ (ଗାଡ଼ି ସଂଖ୍ୟା ୨୨୨୨୨) ଚଳାଇ ଯେତେବେଳେ ଛତ୍ରପତି ଶିବାଜୀ ମହାରାଜ ଟର୍ମିନସ୍ରେ ପହଞ୍ଚିଲେ ତାଙ୍କୁ ସେଇ ଷ୍ଟେସନ୍ ପରିସରରେ ଦିଆଯାଇଥିଲା ଭବ୍ୟ ବିଦାୟକାଳୀନ ସମ୍ବର୍ଦ୍ଧନା। କାରଣ ଏହା ଥିଲା ତାଙ୍କ ବରିଷ୍ଠ ଲୋକୋପାଇଲଟ୍ ଜୀବନର ଶେଷ ଆଧିକାରୀକ ଆସାଇନ୍ମେଣ୍ଟ୍। ଏହି ଉତ୍ସବରେ ସଂଗୀତ, ନୃତ୍ୟ, ଭୋଜନ ଓ ଆବେଗ ସହ ଉପସ୍ଥିତ ସହକର୍ମୀବୃନ୍ଦ, ପରିବାର େଲାକେ ଓ ବନ୍ଧୁବାନ୍ଧବ ତାଙ୍କୁ ସମ୍ମାନିତ କରିଥିଲେ।
ଚିରାଚରିତ ଚିନ୍ତାଧାରାର ଉଲ୍ଲଂଘନ କରି ଅନ୍ୟମାନେ ଅନୁସରଣ କରିବା ଭଳି ନୂଆଧାରାର ପ୍ରବର୍ତ୍ତକ ଥିଲେ ସୁରେଖା। ଅନେକ ସହକର୍ମୀଙ୍କ ଲାଗି ସେ ସହକର୍ମୀଙ୍କଠାରୁ ଅଧିକ କିଛି ଥିଲେ। ଦକ୍ଷତା କ୍ଷେତ୍ରରେ ଲିଙ୍ଗଭେବ ପ୍ରତିବନ୍ଧକ ନୁହେଁ ବୋଲି ସେ ପ୍ରମାଣିତ କରିଛନ୍ତି। ଆଜିକାଲି ଭାରତୀୟ ରେଳରେ ମହିଳା ଟ୍ରେନ୍ ଡ୍ରାଇଭର୍ ଦେଖିବା ସାଧାରଣ କଥା ହୋଇଗଲାଣି। ମହିଳାମାନେ ଟ୍ରେନ୍ ଚଳାଇବା କଥା ଯେ ସୁରେଖାଙ୍କଠାରୁ ଆରମ୍ଭ ହୋଇଥିଲା ତାହା ଭୁଲିବା ଅସମ୍ଭବ। ନାରୀ ସଶକ୍ତୀକରଣର ଏକ ସଫଳ ଦୃଷ୍ଟାନ୍ତ ସୁରେଖା। ଏକଦା ଟ୍ରେନ୍ ଚାଳନା ଥିଲା ପୁରୁଷଙ୍କ ଗଡ଼। ସୁରେଖା ସେଇ ଦୁର୍ଗରେ ପ୍ରଥମେ ଧସେଇ ପଶିଥିଲେ। ଏହାପରେ ଶହ ଶହ ମହିଳା ତାଙ୍କ ରାସ୍ତାରେ ଆଗେଇ ଯାଇଥିଲେ। ବର୍ତ୍ତମାନ ଭାରତୀୟ ରେଳରେ ୧୮୦୦ରୁ ଅଧିକ ମହିଳା ଲୋକୋପାଇଲଟ୍ କାର୍ଯ୍ୟ କରୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/09/27/hfsfhfhhf-2025-09-27-02-27-22.jpg)
