ବହୁବର୍ଷ କାନାଡାରେ ଅବସ୍ଥାନ କରିବା ପରେ ସ୍ବଦେଶକୁ ଲେଉଟିଆସିଲେ ଡାକ୍ତର ସ୍ବାମୀନାଥନ୍‌ ସି। ତାମିଲନାଡୁସ୍ଥିତ ଗୋଟାଏ ଘରୋଇ ମେଡିକାଲ୍‌ କଲେଜରେ ଅଳ୍ପଦିନ ଚାକିରି କରିବା ପରେ ସେ ବୁଝିପାରିଲେ ତାଙ୍କ ଜୀବନର ପ୍ରକୃତ ଉଦ୍ଦେଶ୍ୟ କ’ଣ ହେବା ଉଚିତ! ସେ କହନ୍ତି, ‘‘ଡାକ୍ତରଖାନାରେ ମୁଁ ଅନେକ ବରିଷ୍ଠ ନାଗରିକଙ୍କୁ ଭେଟେ। ଘରୁ ଡାକ୍ତରଖାନା ବେଡ୍‌ ପର୍ଯ୍ୟନ୍ତ ଆସିବା ପାଇଁ ସେମାନେ ସାମ୍ନା କରିଥିବା ଅସୁବିଧା କଥା ହିଁ କହିବସନ୍ତି। ସେଥିରେ ପୁଣି ଦୁଇ ବା ତିନି ମହଲା କୋଠାରେ ରହୁଥିବା ବୟୋଜ୍ୟୋଷ୍ଠଙ୍କ ଓହ୍ଲାଚଢ଼ା ଦୁଃଖ କହିଲେ ନ ସରେ। ତା’ଛଡ଼ା ପିଲାଛୁଆ ବିଦେଶରେ ରହୁଥିବାରୁ ସେମାନଙ୍କ ଦେଖାଶୁଣା କରିବାକୁ ପାଖରେ ଆପଣାର କେହି ନ ଥା’ନ୍ତି।’’

Advertisment

ଧରନ୍ତୁ ଜଣଙ୍କ ଘରେ ବୃଦ୍ଧ ପିତାମାତା ଅଛନ୍ତି। ଯଦି ସେମାନଙ୍କ ଭିତରୁ କେହି ଅସୁସ୍ଥ ହୋଇଯିବେ, ତେବେ ଅାରଜଣକ ତାଙ୍କୁ କେମିତି ଡାକ୍ତରଖାନା ନେବେ? ୟୁରୋପୀୟ ଓ ଉତ୍ତର ଆମେରିକା ସଂସ୍କୃତିରେ ବରି‌ଷ୍ଠ ନାଗରିକମାନଙ୍କୁ ଦେଖିବା ପାଇଁ ଡାକ୍ତରମାନେ ଘରକୁ ଯାଆନ୍ତି। କିନ୍ତୁ ଭାରତରେ ଉନ୍ନତଧରଣର ଭୋଜନ ଆଣି ଦୁଆରେ ପହଞ୍ଚାଇ ଦିଆଯାଉଥିବା ବେଳେ ଉନ୍ନତ ସ୍ବାସ୍ଥ୍ୟସେବା ଯୋଗାଇ ଦିଆଯାଏ ନାହିଁ। ଏହି ସମସ୍ୟା ସମାଧାନ ଲାଗି ଡାକ୍ତର ସ୍ବାମୀନାଥନ୍ ନିଷ୍ପତ୍ତି ନେଲେ।

ରୋଗୀଙ୍କ ଘରକୁ ଯାଇ ବିଶେଷକରି ବୟୋଜ୍ୟେଷ୍ଠଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇବା ଲାଗି ୨୦୧୯ ସେପ୍ଟେମ୍ବରରେ ମଦୁରାଇରେ ସେ ଆରମ୍ଭ କଲେ ‘ଡକ୍ଟର୍‌ ଅନ୍‌ ହ୍ବିଲ୍‌ସ୍‌’ ବା ଭ୍ରାମ୍ୟମାଣ ଡାକ୍ତର। ବୟୋଜ୍ୟେଷ୍ଠଙ୍କ ସମେତ ଭିନ୍ନକ୍ଷମ ପିଲାଙ୍କ ଭଳି ଡାକ୍ତରଖାନା ଆସିବାକୁ ଅସମର୍ଥ ରୋଗୀଙ୍କୁ ବି ‘ଡକ୍ଟର୍‌ ଅନ୍‌ ହ୍ବିଲ୍‌ସ୍‌’ ସ୍ବାସ୍ଥ୍ୟସେବା ଯୋଗାଇଲା। ତାମିଲନାଡୁର ତିରୁଚିରପ୍ପଲ୍ଲୀରେ ଜନ୍ମିତ ଡାକ୍ତର ସ୍ବାମୀନାଥନ୍‌ ଖୁବ୍‌ ସାନ ଥିବାବେଳେ ବାପାମାଆଙ୍କର ବିବାହବିଚ୍ଛେଦ ହୋଇଯାଇଥିଲା। କାନାଡାରେ ମାଆ ତାଙ୍କୁ ପାଳିପୋଷି ମଣିଷ କରିଥିଲେ। କାନାଡାରେ ସ୍କୁଲ୍‌ଶିକ୍ଷା ସମ୍ପନ୍ନକରି ଡାକ୍ତରୀ ପଢ଼ିବା ଲାଗି ୨୦୦୬ରେ ସେ ଭାରତ ପ୍ରତ୍ୟାବର୍ତ୍ତନ କରିଥିଲେ। ଏମ୍‌ବିବିଏସ୍‌ ପାସ୍‌ କରି ୨୦୧୫ରେ ସେ ଏମର୍ଜେନ୍‌ସି ମେଡିସିନ୍‌ରେ ସ୍ନାତକୋତ୍ତର କଲେ। ତା’ପରେ ଗୋଟାଏ ଘରୋଇ ମେଡିକାଲ୍‌ କଲେଜ୍‌ର ଇନ୍‌ଟେନ୍‌ସିଭ୍‌ କେୟାର୍‌ ୟୁନିଟ୍‌ରେ ସେ ଜୁନିୟର୍‌ କନ୍‌ସଲ୍‌ଟାଣ୍ଟ୍‌ ରୂପେ ପାଞ୍ଚବର୍ଷ ଚାକିରିକଲେ। ଏଇଠି ଡାକ୍ତର ସ୍ବାମୀନାଥନ୍‌ଙ୍କ ହୃଦ୍‌ବୋଧ ହେଲା ଯେ କର୍ପୋରେଟ୍‌ ଚାକିରି ଅପେକ୍ଷା ଜନସାଧାରଣଙ୍କ ହିତ ପାଇଁ କିଛି ଭଲ କାମ କରିବା ଉଚିତ।

‘ଡକ୍ଟର୍‌ ଅନ୍‌ ହ୍ବିଲ୍‌ସ୍‌’କୁ ବର୍ଷେ ପୂରିବା ପରେ ଡାକ୍ତର ସ୍ବାମୀନାଥନ୍‌ ଚାକିରି ଛାଡ଼ି ସେଥିରେ ସମ୍ପୂର୍ଣ୍ଣ ଧ୍ୟାନନିବେଶ କଲେ। ଗୋଟାଏ ମାରୁତି ଇକୋ ଆମ୍ବୁଲାନ୍‌ସ୍‌କୁ ଆବଶ୍ୟକମତେ ପରିବର୍ତ୍ତନ କରି ସେଥିରେ ସେ ଆସିୟୁରୁ ଆରମ୍ଭକରି ଇନ୍‌ଫ୍ୟୁଜନ୍‌ ପମ୍ପ୍‌, ସିରଞ୍ଜ ଡ୍ରାଇଭର୍ସ, ଡିଫିବ୍ରିଲେଟର୍‌ ଓ ଅକ୍ସିଜେନ୍‌ ସିଲିଣ୍ଡର୍‌ ଆଦି ରଖିଲେ। ଯେମିତି ଘର ପାଖରେ ଗୋଟାଏ ମିନି ଡାକ୍ତରଖାନା ପହଞ୍ଚିପାରିବ। ସେ କହନ୍ତି, ‘‘ଆମେ ସାଧାରଣ କାଶ ରୋଗୀଠାରୁ ଆରମ୍ଭ କରି କର୍କଟରୋଗୀ ପର୍ଯ୍ୟନ୍ତ- ସବୁ ପ୍ରକାର ରୋଗୀଙ୍କ ଚିକିତ୍ସା କରୁଛୁ। ପରାମର୍ଶ, ଚିକିତ୍ସା ଓ ଔଷଧପତ୍ର ଯୋଗାଇଦେଉଛୁ। ପରୀକ୍ଷା ଲାଗି ରକ୍ତ ନମୁନା ସଂଗ୍ରହ କରୁଛୁ। ପୋର୍ଟେବଲ୍‌ ଏକ୍ସ୍‌-ରେ, ଇସିଜି, ଅଲ୍‌ଟ୍ରାସାଉଣ୍ଡ୍‌ ଆଦି ସୁବିଧା ବି ଘରେ ଯୋଗାଇ ଦେଉଛୁ।’’

ତାଙ୍କ ଟିମ୍‌ରେ ଅଛନ୍ତି ଆଠଜଣ। ଜଣେ ଫିଜିଓଥେରାପିଷ୍ଟ୍‌, ଜଣେ ଡାକ୍ତରୀ ସହକାରୀ, ଜଣେ ରେଡିଓଲୋଜିଷ୍ଟ୍‌, କେତେଜଣ ନର୍ସ ଓ ଜଣେ ଡ୍ରାଇଭର୍‌। ରୋଗୀଙ୍କ ଅବସ୍ଥାକୁ ଚାହିଁ ପ୍ରତି ସପ୍ତାହରେ, ଦୁଇ ସପ୍ତାହରେ ଅଥବା ମାସକୁ ଥରେ ଯାଇ ତାଙ୍କୁ ଦେଖି ଆସୁ। ଯଦି ସମ୍ପୃକ୍ତ ରୋଗୀ ଡାକ୍ତରଖାନାରେ ଭର୍ତ୍ତିହେବା ଜରୁରୀ ବୋଲି ମନେକରୁ, ତାଙ୍କ ମନପସନ୍ଦ ଡାକ୍ତରଖାନାରେ ମାଗଣାରେ ଭର୍ତ୍ତି କରିଦେଉ ବୋଲି ଡାକ୍ତର ସ୍ବାମୀନାଥନ୍‌ କହନ୍ତି।

‘ଡକ୍ଟର୍‌ ଅନ୍‌ ହ୍ବିଲ୍‌ସ୍‌’ ଦୈନିକ ପ୍ରାୟ ୬୦ କିଲୋମିଟର୍‌ ବୁଲେ ଓ ଅନ୍ୟୂନ ୨୫ଜଣ ରୋଗୀ ଦେଖେ। ଦୂରତ୍ବ ଅନୁସାରେ ୩୦୦ ଟଙ୍କାରୁ ୪୦୦ ଟଙ୍କା ମଧ୍ୟରେ ଫିସ୍‌ ଧାର୍ଯ୍ୟ କରାଯାଇଥାଏ। ଏଯାବତ୍‌ ଡାକ୍ତର ସ୍ବାମୀନାଥନ୍‌ ମଦୁରାଇ ଓ ଆଖପାଖ ଅଞ୍ଚଳରେ ପ୍ରାୟ ୨୫,୦୦୦ ରୋଗୀ ଚିକିତ୍ସା କରିସାରିଲେଣି। ଏତାଦୃଶ ଉଦ୍ୟମକୁ ପ୍ରଶଂସାକରି ୨୩ ବର୍ଷୀୟା ମନୁଭାରତୀ କହନ୍ତି- ମୋ ଜେଜେଜେଜୀଙ୍କୁ ୭୦ରୁ ଅଧିକ ବୟସ ହେଲାଣି। ଦୁହେଁ ଉଚ୍ଚ ରକ୍ତଚାପ ଓ ମୂତ୍ରସଂକ୍ରମଣ ରୋଗରେ ପୀଡ଼ିତ। ଡାକ୍ତରଖାନା ଯାଇ ଡାକ୍ତରଙ୍କୁ ଭେଟିବା ଲାଗି ଧାଡ଼ିବାନ୍ଧି ଠିଆହେବା ସେମାନଙ୍କ ପକ୍ଷେ ସମ୍ଭବନୁହେଁ। ତେଣୁ ଆମେ ଡାକ୍ତର ସ୍ବାମୀନାଥନ୍‌ଙ୍କୁ ଫୋନ୍‌ କରୁ। ସେ ଭାରି ଧୈର୍ଯ୍ୟବାନ୍‌ ଏବଂ ମୋ ଜେଜେଜେଜୀଙ୍କ ସ୍ବାସ୍ଥ୍ୟ ସମସ୍ୟା କଥା ମନଦେଇ ଶୁଣନ୍ତି। ଘରେ ଏଭଳି ସ୍ବାସ୍ଥ୍ୟସେବା ମିଳୁଥିବାରୁ ଆମେ ଆଶ୍ବସ୍ତ। ଡାକ୍ତର ସ୍ବାମୀନାଥନ୍‌ ଓ ତାଙ୍କ ଟିମ୍‌ ଦୈନିକ ୧୪ ଘଣ୍ଟା କାମ କରନ୍ତି। ଶ୍ରଦ୍ଧାଶୀଳ ହୋଇ କରୁଥିବାରୁ ଏଭଳି ରୋଗୀ ଚିକିତ୍ସା ତାଙ୍କ ପାଇଁ ବେଶ୍‌ ଉପଭୋଗ୍ୟ, ସେ କେବେ କ୍ଳାନ୍ତ ଓ ଭାରାକ୍ରାନ୍ତ ବୋଧକରନ୍ତି ନାହିଁ।