ମଣିଷ ଏଭଳି ଇଚ୍ଛାଶକ୍ତିର ଅଧିକାରୀ ଯେ ସେ ଅସମ୍ଭବ ମନେହେଉଥିବା କାର୍ଯ୍ୟ ବି ସମ୍ଭବ କରିପାରେ। ଏହାର ଚମତ୍କାର ଉଦାହରଣ ହେଉଛନ୍ତି କର୍ଣ୍ଣାଟକ ବାସିନ୍ଦା ବୁଦନ୍ ମଲ୍ଲିକ ହୋସାମଣି। ପ୍ରାୟ ଦଶବର୍ଷ ହେବ ବେଲଗାବୀ ଅନ୍ତର୍ଗତ ଉଗରଗୋଲା ଗାଁ’ର ବୁଦନ୍ ବିଭିନ୍ନ ପ୍ରକାରର ପତ୍ର ଖାଇ ଜୀବନଧାରଣ କରିଛନ୍ତି। ଯୋଗସାଧକ ବୁଦନ୍ଙ୍କ ଜୀବନଶୈଳୀ ଅତି ଅଭିନବ। ସେ ଗାଁ ଉପକଣ୍ଠରେ ଥିବା ହେଗ୍ଲୋଲା ପର୍ବତ ଉପରେ ସାଧାରଣ କୁଡ଼ିଆ ଖଣ୍ଡେ କରି ବାସ କରୁଛନ୍ତି। ଭୋକ ହେଲେ ଗଛଚଢ଼ି ପତ୍ର ଖାଆନ୍ତି ଆଉ ଝରଣାଜଳ ପିଅନ୍ତି। ଏଭଳି ଜୀବନଯାପନ କରୁଥିବା ୩୪ ବର୍ଷୀୟ ବୁଦନ୍ କିନ୍ତୁ ବେଶ୍ ସୁସ୍ଥସବଳ।
ବୁଦନ୍ କହନ୍ତି, ‘‘ରାତି ୧୧ଟାରେ ମୁଁ ଶୁଏ ଆଉ ଭୋର୍ ୩ଟାରେ ଉଠି ଘଣ୍ଟାଏ ଯୋଗକରେ। ତା’ପରେ ମୁଁ ଦୁଇଥାଳି ପତ୍ର ଖାଏ ଆଉ ପର୍ବତରୁ ଝରିଆସୁଥିବା ଝରଣାରୁ ପାଣିପିଏ। ଗାଧୋଇସାରି ମୁଁ ଘଡ଼ିଏ ବିଶ୍ରାମ ନିଏ। ପୁଣି ଅପରାହ୍ଣରେ ମୁଁ ପତ୍ର ଭୋଜନକରେ। ରାତି ୮ଟା ବେଳେ ମୁଁ ଆଉ ଘଣ୍ଟାଏ ଯୋଗ ସାଧନାକରେ। ପୁଣିଥରେ ଗଛରୁ ପତ୍ରତୋଳି ଖାଏ। କେବେ କେମିତି ମୁଁ ଖାଲି ଭାତ ଖାଏ। ଦୈନିକ ମୁଁ ମାତ୍ର ସାଢ଼େଚାରି ଘଣ୍ଟା ଶୁଏ।’’
ବାନରମାନଙ୍କ ଦ୍ବାରା ପ୍ରେରିତ ହୋଇ ସେ ପତ୍ର ଖାଇବା ଆରମ୍ଭ କରିଥିଲେ। ଏ ପ୍ରସଙ୍ଗରେ ବୁଦନ୍ କହନ୍ତି, ‘‘ମୁଁ ଯେବେ ପ୍ରଥମକରି ପତ୍ର ଖାଇଲି, ଭାରି ତିକ୍ତ ଲାଗିଲା। ତଥାପି ମୁଁ ବାରମ୍ବାର ପତ୍ର ଖାଇଲି। ତା’ପରେ ଅଭ୍ୟାସରେ ପଡ଼ିଗଲା। ଏବେ ମୁଁ ୮୦ରୁ ଅଧିକ ପ୍ରକାର ପତ୍ର ଖାଉଛି। ଥରେ ବାନର ଓ ଛାଗଳ ଖାଉ ନ ଥିବା କିଛି ପତ୍ର ଖାଇ ମୁଁ ବଡ଼ ଅଡୁଆରେ ପଡ଼ିଯାଇଥିଲି। ମୋତେ କେବେ ଥଣ୍ଡା କିମ୍ବା ଜ୍ବର ହୋଇନାହିଁ।’’ ଜୀବନକାଳରେ ସର୍ବମୋଟ ତିନିଥର ଡାକ୍ତରଖାନା ଯାଇଛନ୍ତି ବୁଦନ୍। ଥରେ ଗୋଡ଼ରେ ଖଣ୍ଡେ ଲୁହାଛଡ଼ ପଶିଯିବାରୁ, ତା’ପରେ ଥରେ ଥଣ୍ଡାଯୋଗୁଁ ଅଣନିଃଶ୍ବାସୀ ହୋଇଯିବାରୁ ଏବଂ ତୃତୀୟ ଥର ଗୋଟାଏ କଣ୍ଟାବୁଦା ଉପରେ ପଡ଼ିଯିବାରୁ ତାଙ୍କୁ ଡାକ୍ତରଖାନା ଯିବାକୁ ପଡ଼ିଥିଲା।
ବୁଦନ୍ଙ୍କ ଏ ଅଭ୍ୟାସ ଆରମ୍ଭ ହୋଇଥିଲା ପିଲାବେଳୁ। ସାନ ଥିବାବେଳେ ସେ ସାରାଦିନ ପର୍ବତ ଉପରେ ବିତାଇ ସଞ୍ଜବେଳେ ଘରକୁ ଫେରୁଥିଲେ। ସେ କହନ୍ତି, ‘‘ଦଶବର୍ଷ ପୂର୍ବେ ମୁଁ ଚିନାବାଦାମ, ଖଜୁରି, ଅଙ୍ଗୁର, କଦଳୀ, ସେଓ, କିସ୍ମିସ୍, ଅଳ୍ପ ଭାତ, ରୁଟି, କୁକୁଡ଼ା ଓ ଛେଳି ମାଂସ ଓ ଦୁଗ୍ଧ ଖାଉଥିଲି। କିନ୍ତୁ, ଏବେ ମୋ ଆଗରେ ଯେଉଁ ଭୋଜନ ରଖନ୍ତୁ ନା କାହିଁକି, ଖାଇବାକୁ ମନବଳିବ ନାହିଁ। ଏହାର କାରଣ, ପତ୍ର ହେଉଛି ଦୈବ-ଔଷଧି। ପତ୍ର ଭଳି ଶକ୍ତି କେଉଁ ଖାଦ୍ୟରେ ନାହିଁ। ଏତେ ସବୁ ପତ୍ର ଖାଇ ମଧ୍ୟ ମୋର କେବେ ପେଟ ଖରାପ ହୋଇନାହିଁ।’’ ତେଣେ ଯୋଗ ଯୋଗୁଁ ତାଙ୍କର ସ୍ବାସ୍ଥ୍ୟ ଏଡ଼େ ସୁନ୍ଦର ବୋଲି ସେ କହିଛନ୍ତି। ନବଲିଆସନ, ଚକ୍ରାସନ, ବଜ୍ରାସନ, ପଦହସ୍ତାସନ, ସୂର୍ଯ୍ୟନମସ୍କାର, ଅର୍ଦ୍ଧକଟି ଚକ୍ରାସନ, କୁକ୍କୁଟାସନ ଓ ବକାସନ ସମେତ ସେ ୫୦ରୁ ଅଧିକ ଯୋଗାସନ କରନ୍ତି। ବୁଦନ୍ କହନ୍ତି, ‘‘ଏ ପର୍ବତ ମୋ ଘର। ଏଠାରେ ଥିବା ସୁନ୍ଦର ପରିବେଶ ମୋର ସ୍ବର୍ଗ। ଦିନ ତମାମ ମୁଁ ପର୍ବତ ସାରା ବୁଲେ। ବଡ଼ ଶିଳା, ପଥରଖଣ୍ଡ ଓ ବୃକ୍ଷାରୋହଣ କରି ମୁଁ ଯୋଗାସନ କରେ। ଦୈନିକ ମୋବାଇଲ୍ ଫୋନ୍ରେ ଗରୁଡ଼ ପୁରାଣ ଓ ଶିବ ପୁରାଣ ଶୁଣେ। ଟଙ୍କା ଆବଶ୍ୟକ ହେଲେ ରାଜମିସ୍ତ୍ରୀ କାମ କରିବାକୁ ଯାଏ। ମୋର ଡରଭୟ ନାହିଁ; ସେମିତି କୌଣସି ଅଭିଳାଷ ବି ନାହିଁ। ମୁଁ ମୋ ଜୀବନ ନେଇ ପରିତୃପ୍ତ।’’
ବୁଦନ୍ଙ୍କ ବାପା ସ୍ବର୍ଗବାସୀ। ମାଆ ଓ ଭାଇଙ୍କ ସାଥିରେ ସେ ବେଙ୍ଗାଲୁରୁରେ ରହୁଛନ୍ତି। ତାଙ୍କର ଆଉ ଦୁଇଭାଇ ସପରିବାର ଉଗରଗୋଲାରେ ରହୁଛନ୍ତି। ଭଉଣୀ ବାହାହୋଇଯାଇଛି। ଏକା ରହିବାକୁ ମନସ୍ଥ କରିଥିବାରୁ ସେ ବାହାସାହା ହୋଇନାହାନ୍ତି। ୫ ଫୁଟ୍ ୯ ଇଞ୍ଚ୍ ଡେଙ୍ଗା ବୁଦନ୍ଙ୍କ ଓଜନ ୬୦ କିଲୋ। ତାଙ୍କ ଶରୀର ଖୁବ୍ ଟାଣୁଆ। ‘କେଏଲ୍ଇ ବିଏମ୍କେ ଆୟୁର୍ବେଦ ମେଡିକାଲ୍ କଲେଜ୍’ର ଆନାଟୋମି ବିଭାଗର ମୁଖ୍ୟ ଡାକ୍ତର ମହନ୍ତେଶ ରାମନ୍ନବର କହନ୍ତି, ‘‘ପତ୍ର ଖାଇ ହଜମ କରିବା ଶକ୍ତି ଈଶ୍ବର କେବଳ ପଶୁପକ୍ଷୀମାନଙ୍କୁ ଦେଇଛନ୍ତି। ହେଲେ ବୁଦନ୍ ପତ୍ର ଖାଇ ସୁସ୍ଥସବଳ ରହିବା ଡାକ୍ତରୀ ଦୁନିଆକୁ ଆଚମ୍ବିତ କରିଛି। ଏଭଳି ଦୁର୍ଲଭ ଶକ୍ତିର ଅଧିକାରୀ ବୁଦନ୍ଙ୍କ ଉପରେ ଗବେଷଣା କରାଯିବା ଉଚିତ।’’
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/10/05/untitled-12-2025-10-05-14-35-49.jpg)