ପିଲାଦିନରୁ ମାଆଙ୍କୁ ଓ କୋଭିଡ୍ ମହାମାରୀ ସମୟରେ ବାପାଙ୍କୁ ହରାଇଥିବା ରାଜୀବ ଭୁବନେଶ୍ବରର ଏକ ଫାଇନାନ୍ସ କମ୍ପାନିରେ କାମ କରନ୍ତି। ସେହି କମ୍ପାନିରେ ପରବର୍ତ୍ତୀ ସମୟରେ ଯୋଗଦିଅନ୍ତି ରୋଜାଲିନ୍। ବୟସରେ ରାଜୀବଙ୍କ ଠାରୁ କମ୍। ତାଙ୍କ ଆଚାର, ବ୍ୟବହାର ରାଜୀବଙ୍କୁ ଆକର୍ଷିତ କରେ। ପ୍ରଥମେ ବନ୍ଧୁତା ହୁଏ ଓ ଦୁହେଁଦୁହିଁଙ୍କୁ ଭଲ ଲାଗନ୍ତି। କ୍ରମେ ରାଜୀବ ରୋଜାଲିନ୍ଙ୍କୁ ପସନ୍ଦ କରିବସନ୍ତି। ରାଜୀବ ଅଟକି ପାରନ୍ତି ନାହିଁ, ରୋଜାଲିନ୍ଙ୍କୁ ମନର ଭାବ ପ୍ରକାଶ କରନ୍ତି। କିନ୍ତୁ ସମ୍ମତିର କୌଣସି ଇଙ୍ଗିତ ମିଳେନି। ରାଜୀବ ଆଉ ପାଦେ ଆଗକୁ ଯାଇ ସିଧାସଳଖ ପ୍ରେମ ନିବେଦନ କରନ୍ତି ଓ ବିବାହ ପ୍ରସ୍ତାବ ବି ଦିଅନ୍ତି। ଏକାଧିକ ବାର ଏମିତି ହୁଏ। ହେଲେ ପ୍ରତିଥର ଉତ୍ତର ନଫେରାଇ ଚୁପ୍ ରହନ୍ତି ରୋଜାଲିନ୍। ତାଙ୍କ ନିରବତାକୁ ରାଜୀବ ନାରୀର ଲଜ୍ଜାଶୀଳତା ବୋଲି ଭାବି ନିଜ ଆବେଗ ଉପରେ ଟିକେ ବି ଅଙ୍କୁଶ ଲଗାଇବାକୁ ଚେଷ୍ଟା କରନ୍ତିନାହିଁ। ଦିନ ପରେ ଦିନ ଗଡ଼ି ଚାଲିବା ସାଥେ ସାଥେ ରାଜୀବଙ୍କ ଭାବନା ବି ରୋଜାଲିନ୍ଙ୍କ ପ୍ରତି ଅଧିକ ଗାଢ଼ ହୋଇଚାଲେ।
ଅଫିସ୍ରେ ନିଜର ସବୁଠାରୁ ଭଲ ବନ୍ଧୁ ରାଜୀବଙ୍କୁ ଦିନେ ତାଙ୍କ ଘରକୁ ଡାକନ୍ତି ରୋଜାଲିନ୍। ରାଜୀବ ଯାଇ ଦେଖନ୍ତି ତ ରୋଜାଲିନ୍ଙ୍କ ବାପା ଜଣେ ପକ୍ଷାଘାତ ରୋଗୀ ଓ ଖଟିଆରେ ପଡ଼ି ରହିଛନ୍ତି। ତେଣେ ଟଙ୍କା ଅଭାବରୁ ବିବାହ ସ୍ଥିର ହୋଇଥିବା ସତ୍ତ୍ବେ ସାନଭଉଣୀର ବିବାହ ହୋଇପାରୁ ନାହିଁ। ରାଜୀବ ରୋଜାଲିନ୍ଙ୍କ ଅସହାୟତାକୁ ବୁଝିପାରନ୍ତି। କିଛି ଦିନ ପରେ ତାଙ୍କ ସାନଭଉଣୀ ବିବାହ ବନ୍ଧନରେ ବାନ୍ଧି ହୁଅନ୍ତି। ଏହାର କିଛି ଦିନ ପରେ ରୋଜାଲିନ୍ଙ୍କ ବାପାଙ୍କର ପରଲୋକ ହୁଏ।
ଦୀର୍ଘ ଦେଢ଼ମାସ ଧରି ଅଫିସ୍ ଆସନ୍ତି ନାହିଁ ରୋଜାଲିନ୍। ରାଜୀବ ବାରମ୍ବାର କଲ୍ କରିବା ସତ୍ତ୍ବେ ସେ ତାଙ୍କ ଫୋନ୍ ଉଠାନ୍ତି ନାହିଁ। ବରଂ ବାରମ୍ବାର କଲ୍ କରୁଥିବାରୁ ତାଙ୍କ ନମ୍ବରଟିକୁ ରୋଜାଲିନ୍ ବ୍ଲକ୍ କରିଦିଅନ୍ତି। ରାଜୀବ କିନ୍ତୁ କୌଣସି ମତେ ହାରିବା ପିଲା ନୁହନ୍ତି। ସେ ଅନ୍ୟ କୌଣସି ଉପାୟ ନପାଇ ବାଧ୍ୟ ହୋଇ ରୋଜାଲିନ୍ଙ୍କ ଘରେ ପହଞ୍ଚିଯାଆନ୍ତି। ତାଙ୍କୁ ଦେଖି ରୋଜାଲିନ୍ ଘରକୁ ପାଛୋଟି ନିଅନ୍ତି। ତାଙ୍କ ଗୃହ ସହାୟିକାଙ୍କୁ ରାଜୀବବାବୁଙ୍କ ପାଇଁ ଚା’ କରି ଆଣିବାକୁ କହନ୍ତି।
ରୋଜାଲିନ୍ ତାଙ୍କ ନମ୍ବର କାହିଁକି ବ୍ଲକ୍ କରିଛନ୍ତି? ସେକଥା ଜାଣିବାକୁ ରାଜୀବଙ୍କ ମନ ଛଟପଟ ହେଉଥାଏ। ସେ ଆଉ ସମ୍ଭାଳି ନପାରି ରୋଜାଲିନ୍ଙ୍କୁ ଏଭଳି ଭାବେ ତାଙ୍କୁ ଅଣଦେଖା କରିବାର କାରଣ ପଚାରନ୍ତି। କୌଣସି ଉତ୍ତର ନଦେଇ ଏକ ବଡ଼ ଲଫାପା ଆଣି ରାଜୀବଙ୍କୁ ଧରାଇ ଦିଅନ୍ତି ରୋଜାଲିନ୍। ସେଇ ଲଫାପା ଭିତରେ ଥିବା କାଗଜଗୁଡ଼ିକୁ ପଢ଼ିବା ପରେ ରାଜୀବଙ୍କ ମୁହଁ ଶୁଖିଯାଏ। ତାଙ୍କୁ ଲାଗେ, ସତେ ଯେମିତି ପାଦତଳୁ ମାଟି ଖସିଗଲା। ଯାହାଙ୍କୁ ସେ ଜୀବନସାଥୀ କରି ସୁଖସଂସାର ରଚିବାର ସ୍ବପ୍ନ ଦେଖୁଛନ୍ତି; ସେ ଯେ ନିଜ ଜୀବନ ସହ ସଂଘର୍ଷ କରୁଛନ୍ତି! ଦ୍ବିତୀୟ ପର୍ଯ୍ୟାୟ ବକ୍ଷ କର୍କଟେର ଆକ୍ରାନ୍ତ ହୋଇ କେମୋଥେରାପି ନେଉଛନ୍ତି ରୋଜାଲିନ୍।
ରାଜୀବ ଏବେ ବୁଝିପାରୁଥିଲେ, କାହିଁକି ସେ ଯେବେ ବି ବିବାହ ପ୍ରସ୍ତାବ ଦେଉଥିଲେ, କୌଣସି ଉତ୍ତର ନଦେଇ ଏଡ଼େଇ ଯାଉଥିଲେ ରୋଜାଲିନ୍। କୋହ ସମ୍ଭାଳି ପାରିଲେନି ରୋଜାଲିନ୍। ବାଷ୍ପାକୁଳ କଣ୍ଠରେ କହିଲେ, ‘‘ଯାହାର ଜୀବନ ନାହିଁ, ତାହାର ଜୀବନସାଥୀ କିବା ଲୋଡ଼ା! ମୁଁ ଜାଣେ ଆପଣ ମୋତେ ବହୁତ ଭଲପାଆନ୍ତି। ମୁଁ ଏକଥା ବି ଜାଣେ ଯେ ଆପଣଙ୍କର ମୋ ପ୍ରତି ଦୁର୍ବଳତା ଅଛି। ହେଲେ ମୁଁ ଆମ ବନ୍ଧୁତ୍ବର ରାଣ ଦେଇ କହୁଛି, ଆପଣ ସବୁ ସତ ଜାଣିବା ପରେ ମୋତେ ଭୁଲି ଆଗକୁ ବଢ଼ିଯାଆନ୍ତୁ।’’ ରୋଜାଲିନ୍ଙ୍କ ମୁହଁରୁ ସବୁ ଶୁଣିବା ପରେ ରାଜୀବ ବି ଭୋ ଭୋ ହୋଇ କାନ୍ଦି ଉଠିଲେ ଓ ସିଧା ଉଠି ଚାଲି ଆସିଲେ।
ପୁଣି ରୋଜାଲିନ୍ଙ୍କ ଘରେ ପହଞ୍ଚିଲେ ରାଜୀବ। ରୋଜାଲିନ୍ ଆଶ୍ଚର୍ଯ୍ୟ। ସବୁକଥା ଜାଣିବା ପରେ ବି କାହିଁକି ଆସିଲେ ସେ! ରାଜୀବ କହିଲେ, ମୁଁ ଆପଣଙ୍କୁ ଗୋଟେ ଜିନିଷ ମାଗିବାକୁ ଆସିଛି। ମନାକରିବେନି ତ? ଏଇଟା ମୋର ଶେଷ ଅଳି ବୋଲି ଭାବିପାରନ୍ତି। ଯଦି ହଁ କହିବେ, ତେବେ ମାଗିବି, ନହେଲେ ଫେରିଯିବି। ଶେଷରେ ରୋଜାଲିନ୍ ପ୍ରତିଶ୍ରୁତି ଦେଲେ ଏବଂ କହିଲେ, ଏବେ କହନ୍ତୁ। ଅଳ୍ପ କିଛି କ୍ଷଣର ନିରବତା ପରେ ରାଜୀବ କହିଲେ, ଆପଣଙ୍କ ପରବର୍ତ୍ତୀ କେମୋଥେରାପିର ପରଦିନ ମୁଁ ଆପଣଙ୍କୁ ବିବାହ କରିବାକୁ ଚାହେଁ। ନା କରିବେନି। ଅପଲକ ନୟନରେ ରାଜୀବଙ୍କୁ ଦେଖୁଥିଲେ ରୋଜାଲିନ୍। ପାଟିରୁ ତାଙ୍କର ବାକ୍ୟ ସ୍ଫୁରୁ ନଥିଲା। ରାଜୀବ ପୁଣି କହିଲେ, ଯଦି ଆମ ବିବାହ ପରେ ଆପଣଙ୍କୁ କର୍କଟ ହୋଇଥାନ୍ତା, ମୁଁ କ’ଣ ଛାଡ଼ି ଚାଲି ଯାଇଥାଆନ୍ତି! ଏବେ କେମିତି ଛାଡ଼ିଦେଇପାରିବି?
ରାଜୀବଙ୍କ ପ୍ରଶ୍ନର ଉତ୍ତର ଖୋଜି ପାଉ ନଥିଲେ ରୋଜାଲିନ୍। ଦୁହେଁ ଏବେ ପରସ୍ପରର ହାତ ଧରି ଆଗକୁ ବଢ଼ିବାକୁ ପ୍ରସ୍ତୁତ। ଏଠି ଭଲପାଇବା ଜିତିଲା, ଜୀବନ ଜିତିଲା ଏବଂ ସେମାନଙ୍କ ଜୀବନ ଆକାଶରୁ ଅପସରି ଯାଇଥିଲା ମୃତ୍ୟୁରୂପୀ ଭୟର କଳାବାଦଲ!
ଉତ୍ସ: ସାମାଜିକ ଗଣମାଧ୍ୟମ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/11/08/dfhfshhfsfxbv-2025-11-08-01-26-04.jpg)