ଇଣ୍ଟର୍ନେଟ୍ ଯୁଗରେ ବି ଡାକ ତା’ର ଗୁରତ୍ବ ବଜାୟ ରଖିଛି। ଆଉ ଦୁଆର ମୁହଁରେ ଚିଠିପତ୍ର, ପାର୍ସଲ୍ ଓ ମନିଅର୍ଡର୍ ପହଞ୍ଚାଇ ଦେଉଥିବା ଡାକ କର୍ମଚାରୀଙ୍କ କଥା ପଡ଼ିଲେ ମନକୁ ସ୍ବତଃ ଚାଲିଆସେ ଖାକି ପୋଷାକ ପରିହିତ ଜଣେ ପୁରୁଷ ଡାକବାଲାର ଛବି। କିନ୍ତୁ, ଦେଶରେ ଏମିତି କେତେକ ଅଞ୍ଚଳ ରହିଛି ଯେଉଁଠି ନାରୀମାନେ ଉପରୋକ୍ତ କର୍ତ୍ତବ୍ୟ ସମ୍ପାଦନ କରୁଛନ୍ତି। ପାହାଡ଼ୀ ରାଜ୍ୟ ହିମାଚଳ ପ୍ରଦେଶରେ କେତେକ ନିଭୃତ ତଥା ଦୁର୍ଗମ ଇଲାକା ରହିଛି, ଯେଉଁଠି ମହିଳାମାନେ ଗ୍ରାମୀଣ ଡାକ ସେବକ କାର୍ଯ୍ୟକରି ଜନସାଧାରଣଙ୍କ ମନ ଜିଣିଛନ୍ତି। ସେମିତି ଜଣେ ଗ୍ରାମୀଣ ଡାକ ସେବିକା ହେଉଛନ୍ତି ୨୬ ବର୍ଷୀୟା ଛେରିଙ୍ଗ୍ ଅଙ୍କିତ୍। ବର୍ଷରେ ପ୍ରାୟ ୬ ମାସ ତୁଷାର ଆବୃତ ରହୁଥିବା ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ଲାହୌଲ୍ ସ୍ପିତିରେ ସେ କାମ କରୁଛନ୍ତି। ଗତ ୫ ବର୍ଷ ହେବ ଡାକ ସେବିକା କାର୍ଯ୍ୟ ସମ୍ପାଦନ କରି ସେ ପ୍ରମାଣ କରିଦେଇଛନ୍ତି ଯେ ନାରୀମାନେ ବି ଏଭଳି କଷ୍ଟକର କାର୍ଯ୍ୟ କରିପାରନ୍ତି। ପ୍ରବଳ ତୁଷାରପାତ ହେଉ ଅଥବା ତୁଷାର ଝଡ଼, କେହି ଛେରିଙ୍ଗ୍ଙ୍କୁ ବାଧା ଦେଇପାରନ୍ତି ନାହିଁ।
ପ୍ରତିଦିନ ସକାଳ ସାଢ଼େ ୯ଟାରେ ସେ ଘରୁ ବାହାରନ୍ତି। ଅଫିସ୍ ପୂର୍ବାହ୍ନ ୧୧ଟାରେ ଆରମ୍ଭ ହେଉଥିଲେ ବି ସେ ସହଳ ପହଞ୍ଚନ୍ତି। ୧୨ କିଲୋମିଟର୍ ଦୂର କାଜାରେ ଥିବା ଜିଲ୍ଲା ମୁଖ୍ୟାଳୟରୁ ତାଙ୍କର ଜଣେ ସହକର୍ମୀ ଡାକ ଆଣି ଛେରିଙ୍ଗ୍ଙ୍କୁ ଦିଅନ୍ତି। ସମୁଦ୍ର ପତ୍ତନଠାରୁ ୧୦/୧୨ ହଜାର ଫୁଟ୍ ଉଚ୍ଚରେ ଅବସ୍ଥିତ ଅଞ୍ଚଳରେ ବହୁ କିଲୋମିଟର୍ ବୁଲି ବୁଲି ନିତିଦିନ ଛେରିଙ୍ଗ୍ ଆସିଥିବା ଚିଠିପତ୍ର ଉପଯୁକ୍ତ ଠିକଣାରେ ପହଞ୍ଚାଇ ଦିଅନ୍ତି। ସେ କହନ୍ତି, ‘‘କେବେ କେମିତି ବିଳମ୍ବ ହେଲେ ଅଥବା ହେମାଳ ପବନ ବହୁଥିଲେ ବି ମତେ କର୍ତ୍ତବ୍ୟ କରିବାକୁ ପଡ଼ିଥାଏ। ଶୀତଦିନେ ରାସ୍ତା ସବୁ ଅବରୋଧ ହୋଇଥାଏ। ମଧ୍ୟେ ମଧ୍ୟେ ତୁଷାରସ୍ଖଳନ ବି ହୁଏ। ତଥାପି ମତେ ୧୨ଖଣ୍ଡ ଗ୍ରାମ ବୁଲିବାକୁ ପଡ଼େ। ଦୈନିକ ୬ରୁ ୮ କିଲୋମିଟର୍ ବାଟ ଚାଲିବା ମୋ ପାଇଁ ସାଧାରଣ କଥା ଆଉ ମୁଁ ସେଥିରେ ଅଭ୍ୟସ୍ତ ହୋଇଗଲିଣି।’’
ତହସିଲ୍ ଅଫିସ୍ରେ କିରାଣି ଚାକିରି କରୁଥିବା ସ୍ବାମୀ ଛେରିଙ୍ଗ୍ଙ୍କ ପାଇଁ ଗୌରାବାନ୍ବିତ ମନେକରନ୍ତି। ସ୍ନାତକ ପଢ଼ିଥିବା ଛେରିଙ୍ଗ୍ ଦକ୍ଷତାର ସହ ଚାକିରି ଓ ଗୃହକର୍ମ ସମ୍ପାଦନ କରୁଛନ୍ତି। ଜନସାଧାରଣଙ୍କୁ ଆନନ୍ଦପ୍ରଦାନ କରୁଥିବା ଭଳି ଚାକିରି ଖଣ୍ଡେ ପାଇଥିବାରୁ ସେ ନିଜକୁ ଭାଗ୍ୟବତୀ ମନେକରନ୍ତି। ତାଙ୍କ ପରି ଲାହୌଲ୍ସ୍ପିତିରେ ବର୍ଷେ ହେବ ଡାକସେବିକା ଚାକିରି କରୁଛନ୍ତି ୨୯ ବର୍ଷୀୟା ଶଗୁନ୍ ନେଗୀ। ଠାଏ ଠାଏ ତାପମାତ୍ରା ଶୂନ୍ୟ ଡିଗ୍ରି ତଳକୁ ଖସି ଆସୁଥିବା ପ୍ରତିକୂଳ ପାଗରେ ତାଙ୍କୁ ଚିଠିପତ୍ର ବାଣ୍ଟିବାକୁ ପଡ଼େ। ଯୁକ୍ତଦୁଇ ଉତ୍ତୀର୍ଣ୍ଣ ହୋଇ ସମ୍ପ୍ରତି ଚାକିରି କରିବା ସହିତ ଦୂର ଶିକ୍ଷା ମାଧ୍ୟମରେ ସ୍ନାତକ ପଢୁଥିବା ଶଗୁନ୍ଙ୍କ ଘରେ ତାଙ୍କର ପିତାମାତା ଓ ଜଣେ ବଡ଼ଭଉଣୀ ଓ ଜଣେ ସାନଭାଇ ଅଛନ୍ତି। ବାପା ତାଙ୍କର ବସ୍ କଣ୍ଡକ୍ଟର୍।
ଶଗୁନ୍ କହନ୍ତି, ‘‘ମାସ ମାସ ଧରି ଏ ଅଞ୍ଚଳ ତୁଷାର ଆବୃତ ହୋଇ ରହେ। ପୁଣି ଝିପିଝିପି ମେଘ ଯୋଗୁଁ ବାଟଘାଟ ଖସରା ହୋଇଯାଇଥାଏ। ଯିବିନାହିଁ ବୋଲି ଭାବେ କିନ୍ତୁ, କାହାକୁ ଔଷଧ, କାହାକୁ ଟଙ୍କା ତ କାହାକୁ ଚିଠି ଦେବାର ଅଛି ବୋଲି ମନେପଡ଼ିଗଲେ ପୁଣି ଯିବାକୁ ଇଚ୍ଛାହୁଏ। ସତରେ କେତେ ଆଶା ନେଇ ସେମାନେ ମୋ ବାଟ ଚାହିଁ ବସିଥିବେ! ମୋ ଚାକିରି ଖାଲି ଚିଠି ବାଣ୍ଟିବା ନୁହେଁ; ଲୋକଙ୍କୁ ବିଶ୍ବାସ ଦେବା। ସେଥିପାଇଁ ଦୈନିକ ବହୁ ବାଟ ଏକାକିନୀ ଚାଲିବାକୁ ପଡ଼େ। ମତେ ଡରମାଡ଼େ ନାହିଁ ବରଂ ଦାୟିତ୍ବସମ୍ପନ୍ନ ହେବା ଭଳି ଲାଗେ। ବୟସ୍କ ଗ୍ରାମବାସୀ ମତେ ‘ଝିଅ’ ବୋଲି ଡାକି ଦେଲେ ମୋର ସବୁ କ୍ଳାନ୍ତି ଦୂରହୋଇଯାଏ। ଏ ଚାକିରି ଖାଲି ମତେ ବେତନ ନୁହେଁ, ଆତ୍ମସମ୍ମାନ, ଶ୍ରଦ୍ଧା ଓ ଆଶୀର୍ବାଦ ଦେଉଛି।’’ ଲାହୌଲ୍ ଜିଲ୍ଲାକୁ ଲାଗିଥିବା କିନ୍ନୌର୍ ବି ସେଭଳି ଗୋଟାଏ ଦୁର୍ଗମ ଅଞ୍ଚଳ ପରିପୂର୍ଣ୍ଣ ଜିଲ୍ଲା। ସେଠାରେ ୯ ମାସ ହେବ କାର୍ଯ୍ୟ କରୁଛନ୍ତି ୨୫ ବର୍ଷୀୟା ଶୃତି ନେଗୀ। ସେ କହନ୍ତି, ‘‘ପେନ୍ସନ୍ ପାଇଲି ବୋଲି ବୟସ୍କମାନେ ଆନନ୍ଦରେ ଆଖି ଛଳଛଳ କରି କହିଲେ ମୋର ମନେହୁଏ ମୁଁ ସମାଜ ପାଇଁ କିଛି କରିପାରିଲି। ସବୁଦିନ ମୁଁ ଚାଲି ଚାଲି ଯାଏ। ନିକାଞ୍ଚନ ରାସ୍ତାରେ ତୁଷାରପାତ ଆଉ ବର୍ଷା ଭଳି ପ୍ରତିକୂଳ ପରସ୍ଥିତି ଭିତରେ ଦୈନିକ ୭/୮ କିଲୋମିଟର୍ ବାଟ ଚାଲି ଗାଁଗଣ୍ଡାରେ ଚିଠିପତ୍ର, ଟଙ୍କା ଇତ୍ୟାଦି ବାଣ୍ଟିବା ପିଲାଖେଳ ନୁହେଁ। ’’