 ମଧୁମେହ ପୀଡ଼ିତଙ୍କୁ ଚର୍ମ ରୋଗର ଭୟ ଅଧିକ କି?
ହଁ ମଧୁମେହ ପୀଡ଼ିତଙ୍କୁ ଚର୍ମ ରୋଗ ହେବାର ଭୟ ଅଧିକ। କାରଣ ରକ୍ତରେ ଶର୍କରା ସ୍ତର ବୃଦ୍ଧି ହେତୁ ଜୀବାଣୁ ଦ୍ରୁତ ଗତିରେ ବ୍ୟାପିଥାଆନ୍ତି, ଯାହାଫଳରେ ସଂକ୍ରମଣ ବଢ଼ିଥାଏ। ଏହି ରୋଗୀଙ୍କ ଚର୍ମ ଅଧିକାଂଶ ସମୟ ଶୁଖିଲା ହୋଇଯାଏ ଏବଂ ଶୁଖିଲା ଚର୍ମ କୁଣ୍ଡେଇ ହୁଏ। ଏହା ଶରୀରରେ ଜୀବାଣୁ ପ୍ରବେଶ ପାଇଁ ସୁଯୋଗ ସୃଷ୍ଟି କରେ। ଏହି କାରଣରୁ ମଧୁମେହ ରୋଗୀଙ୍କଠାରେ କ୍ୟାଣ୍ଡିଡା ଫଙ୍ଗସ୍‌ ସଂକ୍ରମଣ ଶୀଘ୍ର ବୃଦ୍ଧି ପାଏ। ଏଥିରେ କୁଣ୍ଡେଇ ହେବା, ନାଲି ‌େଫାଟକା ହେବା ଓ ଜଳପୋଡ଼ା ଭଳି ସମସ୍ୟା ଦେଖାଯାଏ। ଏହା ଯୋଗୁଁ ଫୋଲିକୁଲାଇଟିସ୍ ଏବଂ ସେଲୁଲିଟିସ୍ ଭଳି ସମସ୍ୟା ଦେଖାଦେଇପାରେ। ଅଧିକ ସମୟ ପର୍ଯ୍ୟନ୍ତ ଯଦି ମଧୁମେହ ରହୁଛି ତେବେ ଚର୍ମ ବଧିରା ହେବାର ଆଶଙ୍କା ରହିଛି। 
 ଡାଇବେଟିସ୍ ଡର୍ମୋପାଥି ଓ ନେକ୍ରୋବିଓସିସ୍ ଲିପୋଏଡିକା କ’ଣ?
ଡାଇବେଟିସ୍‌ ଡର୍ମୋପାଥିରେ ଚର୍ମରେ ବାଦାମୀ-ଲାଲ ଦାଗ ଦେଖାଯାଏ, ଯାହା ଧୀରେ ଧୀରେ କଳା ହୋଇଯାଏ। ଏଥିରେ ଚର୍ମ ଅଧିକ ଶୁଖିଲା ହୋଇଯାଏ ଓ ଅଧିକ କୁଣ୍ଡାଇ ହୁଏ। ନେକ୍ରୋବିଓସିସ୍‌ ଲିପୋଏଡିକା ସାଧାରଣତଃ ଗୋଡ଼ରେ ହୋଇଥାଏ- ଚର୍ମରେ ଯେଉଁ କଲୋଜେନ୍‌ ଥାଏ ତାହା ଭାଙ୍ଗିଯାଇ ଯନ୍ତ୍ରଣା ହୁଏ।
 ଏହାର ନିବାରଣ କିପରି କରାଯାଇ ପାରିବ?
ନିଜ ରକ୍ତ ଶର୍କରାକୁ ନିୟନ୍ତ୍ରଣରେ ରଖନ୍ତୁ। ସୁସ୍ଥ ଖାଦ୍ୟ ସେବନ କରନ୍ତୁ ଏବଂ ପ୍ରତ୍ୟେକ ଦିନ ବ୍ୟାୟାମ କରନ୍ତୁ। ଚର୍ମକୁ ସଫା ଓ ଶୁଷ୍କ ରଖିବା ସହିତ ପ୍ରତିଦିନ ସ୍ନାନ କରନ୍ତୁ। ଆଣ୍ଟିସେପ୍ଟିକ୍ ସାବୁନ୍ ବ୍ୟବହାର କରନ୍ତୁ ଏବଂ ଚର୍ମରେ ଆର୍ଦ୍ରତା ବଜାୟ ରଖନ୍ତୁ। ଛୋଟ କ୍ଷତକୁ ଅଣଦେଖା କରନ୍ତୁ ନାହିଁ। ଯଦି ଚର୍ମର କୌଣସି ସ୍ଥାନରେ କ୍ଷତ ସୃଷ୍ଟି ହୋଇଥାଏ ତେବେ ସଙ୍ଗେ ସଙ୍ଗେ ଆଣ୍ଟିସେପ୍ଟିକ୍ କ୍ରିମ୍ ଲଗାନ୍ତୁ ଏବଂ ଆବଶ୍ୟକ ହେଲେ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ। ଯଦି ଆପଣ ତ୍ୱଚାରେ କୌଣସି ଅସାଧାରଣ ପରିବର୍ତ୍ତନ ଲକ୍ଷ୍ୟ କରନ୍ତି, ତେବେ ତୁରନ୍ତ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ।
 କେଉଁ କେଉଁ ଦିଗ ପ୍ରତି ସଚେତନ ରହିବା ଆବଶ୍ୟକ?
 ଥରେ ଚର୍ମରୋଗ ଆରମ୍ଭ ହୋଇଗଲେ ତାହା ଜୀବନବ୍ୟାପୀ ରହିଯାଏ। ତେଣୁ ଖାଦ୍ୟପେୟ ନେଇ ସଚେତନ ରହିବା ଜରୁରି। ଖାଦ୍ୟର ଚୟନ ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ। ମାତ୍ରାଧିକ ମିଠା ଖାଦ୍ୟରୁ ଦୂରେଇ ରହିବା ଆବଶ୍ୟକ। ଔଷଧ ସେବନ ଓ ପରିବର୍ତ୍ତନ ପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ। 
 ଏହାର ଘରୋଇ ଉପଚାର କ’ଣ ରହିଛି? 
ଆମ ହାତପାହାନ୍ତାରେ ଉପଚାର ରହିଛି। ଯେପରିକି ଖୁବ୍‌ ସହଜରେ ମିଳୁଥିବା ନଡ଼ିଆ ତେଲ। ଏହାକୁ ଦିନକୁ ୩ରୁ ୪ ଥର ଶରୀରରେ ମାଲିସ୍‌ କରିବା ଆବଶ୍ୟକ। ଗାଧୋଇ ସାରିଲା ପରେ ମଏଶ୍ଚରାଇଜର ଓ ଲୋସନ୍‌ ଲଗାଇବା ଦ୍ବାରା ଶୁଷ୍କତା ଦୂର ହୋଇଥାଏ। ଅଧିକ ପାଣି ପିଇବା ସହିତ ଅଧିକ ଚର୍ମ ଘୋଡ଼ାଇ ରଖୁଥିବା ପୋଷାକ ପରିଧାନ କରିବା ଉଚିତ।

Advertisment