ପର୍ଯ୍ୟଟକମାନେ ସାଧାରଣତଃ ନିଜର ଭ୍ରମଣ ବୃତ୍ତାନ୍ତ ବଖାଣିବା ପାଇଁ ବିଭିନ୍ନ ସ୍ଥାନର ଉଲ୍ଲେଖ ପାଇଁ ସେଗୁଡ଼ିକର ନାମକୁ ମନେ ରଖିବା ନିହାତି ଜରୁରୀ। ନିଜ ଦେଶ ଭିତରର କଥା ଭିନ୍ନ, ତେବେ କୌଣସି ବିଦେଶୀ ମାଟିରେ ସ୍ଥାନର ନାମ ମନେ ରଖିବା କାଠିକର ପାଠ। ରୋଚକ କଥା ହେଉଛି, ପୃଥିବୀରେ ଏମିତି ସ୍ଥାନ ରହିଛି, ଯାହାକୁ ବିଦେଶୀ ତ ବିଦେଶୀ, ସ୍ଥାନୀୟ ଲୋକେ ମଧ୍ୟ ଠିକ୍ରେ ଉଚ୍ଚାରଣ କରିପାରନ୍ତି ନାହିଁ। ଏଥିରୁ ତାହାକୁ ମନେ ରଖିବା କେତେ କଷ୍ଟକର, ତାହା ସହଜରେ ଅନୁମେୟ।
ନ୍ୟୁଜିଲାଣ୍ଡର ନର୍ଥ ଆଇଲାଣ୍ଡରେ ଏଭଳି ଏକ ସ୍ଥାନ ରହିଛି ଯାହାକୁ ମନେ ରଖିବା ଦୂର କଥା, ତାହାର ଉଚ୍ଚାରଣ ମଧ୍ୟ ଠିକ୍ରେ କରିବା ଦୁରୁହ ବ୍ୟାପାର। ପୋରାଙ୍ଗାହାଉ ସହର ସନ୍ନିକଟ ହଜାରେ ଫୁଟ ଉଚ୍ଚର ଏହି ପାହାଡ଼ର ନାମ ବିଶ୍ବର ଦୀର୍ଘତମ ନାମଧାରୀ ସ୍ଥାନର ମାନ୍ୟତା ରଖିଛି। ଗିନିସ ଵାର୍ଲଡ୍ ରେକର୍ଡରେ ସ୍ଥାନ ପାଇଥିବା ଏହି ପାହାଡ଼ଟିର ନାମ ହେଉଛି ୮୫ଟି ଇଂରାଜୀ ଅକ୍ଷର ସମ୍ବଳିତ। ଏହାର ଇଂରେଜୀ ବନାନ ନିମ୍ନ ପ୍ରକାରର: Taumatawhakatangihangakoauauotamateaturipukakapikimaungahoronukupokaiwhenuakitanatahu। ସ୍ଥାନୀୟ ଲୋକେ ଏହାକୁ ସଂକ୍ଷେପରେ ଟୌମାଟା ପାହାଡ଼ ବୋଲି କହିଥା’ନ୍ତି।
କିଂବଦନ୍ତି ଅନୁଯାୟୀ, ଟାମାଟି ନାମକ ଜଣେ ସ୍ଥାନୀୟ ଯୋଦ୍ଧାଙ୍କ ନାମାନୁସାରେ ଏହାର ନାମକରଣ କରାଯାଇଛି। ଏକ ଯୁଦ୍ଧରେ ନିହତ ତାଙ୍କ ଭାଇଙ୍କ ସ୍ମୃତିରେ ସେ କୁଆଡ଼େ ଏହି ପାହାଡ଼ ଶୀର୍ଷରେ ବୁଲି ବଂଶୀ ବଜାଉଥିଲେ। ଆଞ୍ଚଳିକ ଭାଷାରେ ଏହି ପାହାଡ଼ ନାମର ଅର୍ଥ ହେଉଛି, ‘ଏହି ଶୃଙ୍ଗରେ ଟୌମାଟା ରହୁଥିଲେ, ଯିଏ ବିଶାଳ ଆଣ୍ଠୁ ଦ୍ବାରା ପାହାଡ଼ ଚଢ଼ି ପାରୁଥିଲେ ଏବଂ ବିଭିନ୍ନ ସ୍ଥାନ ବୁଲି ନିଜ ପ୍ରିୟଜନଙ୍କ ପାଇଁ ବଂଶୀ ବାଦନ କରୁଥିଲେ।’