ଦୀର୍ଘତମ ଟେଷ୍ଟ ମ୍ୟାଚ୍‌

କ୍ରିକେଟ୍‌ର ପ୍ରକୃତ ମ୍ୟାଚ୍‌ର ମର୍ଯ୍ୟାଦା ବହନ କରୁଥିବା ଟେଷ୍ଟ ମ୍ୟାଚ୍‌ଗୁଡ଼ିକ ସାଧାରଣତଃ ଅତି କମ୍‌ରେ ଛଅ ଘଣ୍ଟା ବିଶିଷ୍ଟ ପାଞ୍ଚ ଦିନିଆ ହୋଇଥାଏ। ପୂର୍ବରୁ ଦିନେ ବିଶ୍ରାମ ଦିବସକୁ ମିଶାଇ ଏହା ଛଅ ଦିନ ଅବଧିର ହେଉଥିଲା। ତେବେ କ୍ରିକେଟ୍‌ ଇତିହାସରେ ଖେଳାଯାଇଥିବା ଦୀର୍ଘତମ ଟେଷ୍ଟ ମ୍ୟାଚ୍‌ ଏବଂ ତାହାର ସମାପ୍ତିର କାରଣ ବେଶ୍‌ ରୋଚକ। ୧୯୩୯ ମସିହା ମାର୍ଚ୍ଚ ୩ରୁ ମାର୍ଚ୍ଚ ୧୪ ଯାଏ ଦକ୍ଷିଣ ଆଫ୍ରିକାର ଡର୍ବାନ୍‌ଠାରେ ଦୀର୍ଘ ୧୨ ଦିନ ଧରି ଦକ୍ଷିଣ ଆଫ୍ରିକା ଓ ଇଂଲଣ୍ଡ୍‌ ମଧ୍ୟରେ ଚାଲିଥିବା ଏହି ମ୍ୟାଚ୍‌କୁ ସମୟବିହୀନ ଟେଷ୍ଟ୍‌ କୁହାଯାଏ। ସେତେବେଳେ ମ୍ୟାଚ୍‌ର ଅବଧିକୁ ଧାର୍ଯ୍ୟ କରାନଯାଇ ମ୍ୟାଚ୍‌ର ଚୂଡ଼ାନ୍ତ ଫଳାଫଳକୁ ଅପେକ୍ଷା କରାଯାଉଥିଲା। ସୁତରାଂ ଖେଳାଳିମାନେ ଯେତେ ସମୟ ଧରି ସମ୍ଭବ, ସେତେ ଯାଏ ଖେଳୁଥିଲେ। ବାସ୍ତବରେ ମାର୍ଚ୍ଚ ୫ ଓ ୧୨ ତାରିଖ ବିଶ୍ରାମ ଦିବସ ଥିଲା ଏବଂ ୧୧ ତାରିଖର ଖେଳ ବର୍ଷା ଯୋଗୁଁ ବାତିଲ ହୋଇଥିଲା। ତେଣୁ ମୋଟ ନଅ ଦିନ ଖେଳ ହୋଇଥିଲା। ମୋଟ ୪୩ ଘଣ୍ଟା ୧୬ ମିନିଟ୍‌ର ଏହି ଖେଳରେ ଉଭୟ ପକ୍ଷରୁ ସମୁଦାୟ ୫,୪୪୭ଟି ବଲ୍‌ ପଡ଼ିଥିଲା ଓ ୧,୯୮୧ର ବିଶାଳ ସ୍କୋର ସଂଗୃହୀତ ହୋଇଥିଲା। ମାତ୍ର ମ୍ୟାଚ୍‌ର ଅବଧି ଅସୀମିତ ରହିବା ସତ୍ତ୍ବେ ଫଳାଫଳ ଚୂଡ଼ାନ୍ତ ହୋଇପାରିନଥିଲା। ଏଥିରେ ଦକ୍ଷିଣ ଆଫ୍ରିକା ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ କରି ପ୍ରଥମ ଇନିଂସରେ ୫୩୦ ରନ୍‌ କରିଥିଲା। ଜବାବରେ ଭ୍ରମଣକାରୀ ଇଂଲଣ୍ଡ୍‌ ଦଳ ୩୧୬ ରନ୍‌ରେ ସୀମିତ ରହିଥିଲା।

ସେହିପରି ଦ୍ବିତୀୟ ଇନିଂସରେ ଦକ୍ଷିଣ ଆଫ୍ରିକା ୪୮୧ ରନ୍‌ କରି ମୋଟ ୬୯୬ ରନ୍‌ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ଚତୁର୍ଥ ଇନିଂସରେ ଇଂଲ୍‌ଣ୍ଡ ଦଳ ଦୀର୍ଘ ଚାରି ଦିନ ବ୍ୟାଟିଂ କରି ମାର୍ଚ୍ଚ ୧୪ ସୁଦ୍ଧା ୫ ଵିକେଟ୍‌ ହରାଇ ୬୫୪ ରନ୍‌ କରିଥିଲା ଯାହା ଶେଷ ଇନିଂସ ପାଇଁ ସର୍ବକାଳୀନ ସର୍ବାଧିକ ରନ୍‌ ହୋଇ ରହିଛି। ଜିତିବାକୁ ଆଉ ମାତ୍ର ୪୨ ରନ୍‌ ଥିବା ବେଳେ ଇଂଲଣ୍ଡ୍‌ ଖେଳାଳି ସେ ଦିନର ଚା’ପାନ ବିରତି ପରେ ଖେଳକୁ ଡ୍ର ରଖିବାକୁ ପ୍ରସ୍ତାବ ଦେଇଥିଲେ। ଏହା ପଛର କାରଣ ହେଲା, ସେମାନେ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିବା ଲାଗି ନିର୍ଦ୍ଧାରିତ ଜାହାଜର ସମୟ ହୋଇଯାଇଥିଲା। ତେଣୁ ଜାହାଜରେ ଶୀଘ୍ର ଘରକୁ ଫେରିବା ଆଶାରେ ସେମାନେ ଏକ ବିରଳ ବିଜୟକୁ ହାତଛଡ଼ା କରିଥିଲେ। ଅବଶ୍ୟ ଆଜିକାଲି ଭଳି ଗମନାଗମନ ସୁବିଧା ଥିଲେ ମ୍ୟାଚ୍‌ର ଭିନ୍ନ କିଛି ଚୂଡ଼ାନ୍ତ ଦେଖିବାକୁ ମିଳିଥା’ନ୍ତା।

ସମ୍ବନ୍ଧିତ ଖବର