ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ଖେରସ ଅଞ୍ଚଳର ସଫଳ ମହିଳା ଉଦ୍ୟୋଗୀ ହେଉଛନ୍ତି ଲୋପାମୁଦ୍ରା ଶତପଥୀ। ନିଜେ ଆରମ୍ଭ କରିଥିବା ପୋଷାକ ତିଆରି ଉଦ୍ୟୋଗରୁ ଏବେ ବାର୍ଷିକ ୧ କୋଟି ଟଙ୍କା ଆୟ ହେଉଛି। କେବଳ ନିଜେ ଆୟ କରୁ ନାହାନ୍ତି ୩୫ ଜଣ ମହିଳାଙ୍କୁ ଆତ୍ମନିର୍ଭରଶୀଳ କରି ପାରିଛନ୍ତି। ସ୍ବାମୀ ଆଶୁତୋଷ ରଥ ଯେତେବେଳେ ଟାଟା ଗ୍ରୁପରେ ଚାକିରି କରୁଥିଲେ ସେତେବେଳେ ଲୋପାମୁଦ୍ରାଙ୍କର କୌଣସି ଉଦ୍ୟୋଗ ଆରମ୍ଭ କରିବାକୁ ଆଗ୍ରହ ହୋଇଥିଲା। ସେ ପୂର୍ବରୁ ଓଡ଼ିଶା ସରକାରଙ୍କ ସମ୍ବଲପୁରୀ ବସ୍ତ୍ରାଳୟ ଡିଜାଇନ୍ କରୁଥିଲେ।  ଓଡ଼ିଆ ଲୋକ ବାହାରକୁ କାମ କରିବା ପାଇଁ ଯାଇ କେମିତି ହଇରାଣ ହରକତ ହୁଅନ୍ତି ସେ କଥା ଅନୁଭବ କରି ସେ ୨୦୧୮ରୁ ପୋଷାକ ତିଆରି ଉଦ୍ୟୋଗ ଆରମ୍ଭ କରିଥିଲେ। ଜଗତସିଂହପୁର ଅଞ୍ଚଳର ମହିଳାମାନେ କେମିତି ଆତ୍ମନିର୍ଭରଶୀଳ ହୋଇପାରିବେ ତାକୁ ନଜରରେ ରଖି ଆରମ୍ଭ କରିଥିଲେ ଉଦ୍ୟୋଗ।

Advertisment

ଏବେ ୩୫ ଜଣ ସଦସ୍ୟଙ୍କୁ ନେଇ ତାଙ୍କର ବ୍ୟବସାୟ ଚାଲିଛି। ଉଭୟ ମହିଳା ଓ ପୁରୁଷଙ୍କ ପୋଷାକ ତିଆରି କରୁଛନ୍ତି। ଓଡ଼ିଶାରେ ପ୍ରଥମ ଥର ପାଇଁ ବ୍ରାଣ୍ଡେଡ୍‌ ପୋଷାକ ତିଆରି କରୁଥିବା କହିଛନ୍ତି। ଓଡ଼ିଶା ଓ ରାଜ୍ୟ ବାହାରେ ପୋଷାକ ବିକ୍ରି ହେଉଛି। ସିଧାସଳଖ ରିଟେଲ୍‌ସ ଷ୍ଟୋର୍‌କୁ ତାଙ୍କର ପୋଷାକ ଯାଉଛି। ଏଥିପାଇଁ ମାର୍କେଟିଂ ଲୋକ ମଧ୍ୟ ଅଛନ୍ତି। ସେହିପରି ଆମାଜନ୍, ଫ୍ଲିଫ୍‌କାର୍ଟ ଭଳି ଅନ୍‌ଲାଇନ୍ ସପିଂ ସାଇଟ୍‌ରେ ତାଙ୍କର ପୋଷାକ ବିକ୍ରି ହେଉଛି। ବିଭିନ୍ନ ଜାଗାରେ ଡିଷ୍ଟ୍ରିବ୍ୟୁଟର୍‌ ମଧ୍ୟ ଅଛନ୍ତି। ଏବେ ବାର୍ଷିକ ୧ କୋଟି ଆୟ ହେଉଥିବା ବେଳେ ଆଗକୁ ବ୍ୟବସାୟ ବଢ଼ାଇବାକୁ ଲକ୍ଷ୍ୟ ରଖିଛନ୍ତି ଲୋପାମୁଦ୍ରା।