ନୂଆଦିଲ୍ଲୀ: ଆଜି ସାରା ଦେଶରେ ଧନତେରସ ପର୍ବ ପାଳନ କରାଯାଉଛି। ଏହି ଦିନ ଧନର ଦେବୀ ମା’ ଲକ୍ଷ୍ମୀ ଏବଂ ଧନର ଦେବତା କୁବେରଙ୍କୁ ପୂଜା କରାଯାଏ। ଆୟୁର୍ବେଦର ପିତା ଭଗବାନ ଧନ୍ୱନ୍ତରୀଙ୍କୁ ମଧ୍ୟ ଏହି ଦିନରେ ପୂଜା କରାଯାଏ। ପ୍ରତିବର୍ଷ କାର୍ତ୍ତିକ ମାସର କୃଷ୍ଣ ପକ୍ଷର ତ୍ରୟୋଦଶ ତିଥିରେ ଧନତେରସ ପାଳନ କରାଯାଏ। କୁହାଯାଏ ଯେ, ଏହି ଦିନ ଭଗବାନ କୁବେରଙ୍କୁ ପୂଜା କରିବା ଦ୍ୱାରା ସୁଖ, ସମୃଦ୍ଧି ଏବଂ ଧନ ମିଳିଥାଏ। କିନ୍ତୁ ଆପଣ କ'ଣ ଜାଣନ୍ତି କି, ଭଗବାନ ଗଣେଶ ଏବଂ ମହାଦେବ ଏକାଠି ଭଗବାନ କୁବେରଙ୍କ ଗର୍ବକୁ ଭାଙ୍ଗିଥିଲେ? ତେବେ, ଆସନ୍ତୁ ଜାଣିବା ଭଗବାନ ଗଣେଶ କାହିଁକି ଭଗବାନ କୁବେରଙ୍କ ଗର୍ବକୁ ଭାଙ୍ଗିଥିଲେ।

Advertisment

କିଭଳି ଧନର ଦେବତା କୁବେରଙ୍କ ଗର୍ବ ଭାଙ୍ଗିଥିଲେ ପ୍ରଭୁ ଶ୍ରୀଗଣେଶ?

ସ୍କନ୍ଦ ଏବଂ ପଦ୍ମ ପୁରାଣର କାହାଣୀ ଅନୁସାରେ, ଧନର ଦେବତା କୁବେରଙ୍କ ପାଖରେ ଅପାର ଧନ ଏବଂ ସୁନା ଥିଲା। ତାଙ୍କର ସମୃଦ୍ଧି ବିଷୟରେ ଚାରିଆଡେ ଚର୍ଚ୍ଚା କରୁଥିଲେ ଲୋକେ। ଧନସମ୍ପତ୍ତି ବଢ଼ିବା ସହ ତାଙ୍କର ଅହଂକାର ମଧ୍ୟ ବଢ଼ିବାରେ ଲାଗିଥିଲା। ଦିନେ ସେ ଭଗବାନ ଶିବଙ୍କୁ ତାଙ୍କ ପ୍ରାସାଦକୁ ନିମନ୍ତ୍ରଣ କରି ନିଜର ମହିମା ଏବଂ ଐଶ୍ୱର୍ଯ୍ୟ ପ୍ରଦର୍ଶନ କରିବେ ବୋଲି ଭାବିଲେ।

ଏଥିପାଇଁ ସେ କୈଳାସ ପର୍ବତରେ ପହଞ୍ଚି ଭଗବାନ ଶିବଙ୍କୁ ତାଙ୍କ ଘରକୁ ରାତ୍ରୀଭୋଜନ ପାଇଁ ନିମନ୍ତ୍ରଣ କଲେ। ପ୍ରଭୁ ଶିବ ହସି ହସି କହିଲେ ଯେ, "ମୁଁ ଆସିପାରିବି ନାହିଁ, କିନ୍ତୁ ମୋ ପୁଅ ଗଣେଶ ତୁମର ନିମନ୍ତ୍ରଣ ଗ୍ରହଣ କର ତୁମ ଘରକୁ ଯିବେ।" ଏହା ଶୁଣି କୁବେର ଖୁସି ହେଲେ ଏବଂ ଭାବିଲେ ଯେ, ପିତା ନହେଲେ ନାହିଁ, ପୁତ୍ରଙ୍କ ଆଗରେ ଧନ ପ୍ରଦର୍ଶନ କରିବି। ନିମନ୍ତ୍ରଣ ରକ୍ଷା କରି ପରଦିନ, ପ୍ରଭୁ ଶ୍ରୀଗଣେଶ ତାଙ୍କର ବାହନ ମୂଷା ଉପରେ ବସି କୁବେରଙ୍କ ପ୍ରାସାଦରେ ପହଞ୍ଚିଲେ। କୁବେର ନିଜର ଐଶ୍ୱର୍ଯ୍ୟ ଦେଖାଇବା ଖୁସିରେ ତାଙ୍କୁ ସ୍ୱାଗତ କଲେ ଏବଂ ତାଙ୍କୁ ତାଙ୍କର ସ୍ବର୍ଣ୍ଣ ପ୍ରାସାଦ ବୁଲି ଦେଖିବାକୁ ନିମନ୍ତ୍ରଣ କଲେ। ଶ୍ରୀଗଣେଶ ହସି ହସି କହିଲେ ଯେ, "ମୁଁ ଖାଇବାକୁ ଆସିଛି, ଲଙ୍କା ଦେଖିବାକୁ ନୁହେଁ। ଶୀଘ୍ର ଖାଦ୍ୟ ପରିବେଷଣ କରନ୍ତୁ। ମୁଁ ବହୁତ ଭୋକିଲା ଅଛି।"

ଏହା ଶୁଣି ଭଗବାନ କୁବେର ତୁରନ୍ତ ଖାଦ୍ୟ ପରିବେଷଣ କଲେ। ପରିବେଶଣ କରାଯାଇଥିବା ଖାଦ୍ୟ ସରିଯିବା ପରେ ମଧ୍ୟ ଭୋକ ପ୍ରଭୁ ଶ୍ରୀଗଣେଶଙ୍କ ଭୋକ ବଢ଼ିବାରେ ଲାଗିଲା। କିଛି ସମୟ ମଧ୍ୟରେ ପ୍ରାସାଦର ସମ୍ପୂର୍ଣ୍ଣ ଭଣ୍ଡାର ଖାଲି ହୋଇଗଲା, ତଥାପି ଶ୍ରୀଗଣେଶଙ୍କ ଭୋକ ଶେଷ ହେଲା ନାହିଁ। ଶେଷରେ, କ୍ଳାନ୍ତ ହୋଇ ଭଗବାନ କୁବେର ହାତ ଯୋଡି କହିଲେ, "ପ୍ରଭୁ, ମୋ ଭଣ୍ଡାରରେ ଆଉ ଖାଦ୍ୟ ନାହିଁ।"

ଏହା ଶୁଣି ପ୍ରଭୁ ଶ୍ରୀଗଣେଶ କହିଲେ, "ଯେଉଁ ବ୍ୟକ୍ତି ଜଣେ ଅତିଥିକୁ ସନ୍ତୁଷ୍ଟ କରିପାରୁ ନାହିଁ, ସେ ନିଜ ଧନକୁ ନେଇ ଗର୍ବ କରିବା ଉଚିତ୍ ନୁହେଁ।" ଏହା ଶୁଣି ଭଗବାନ କୁବେର ତାଙ୍କର ଭୁଲ ବୁଝିପାରିଲେ ଏବଂ ସେ ପ୍ରଭୁ ଗଣେଶଙ୍କ ପାଦ ତଳେ ପଡ଼ି କ୍ଷମା ମାଗିଲେ। ପ୍ରଭୁ ଗଣେଶ ତାଙ୍କୁ ଆଶୀର୍ବାଦ ଦେଇ କହିଲେ, "ଧନକୁ ନେଇ କେବେ ଗର୍ବ କରିବ ନାହିଁ, କାରଣ ଏହି ଗର୍ବ ବିନାଶ ଆଡ଼କୁ ନେଇଯାଏ।"

ganesh | dhanteras