ଶ୍ରୀମନ୍ଦିର ପରିସରରେ ଗଣେଶଙ୍କର ଯେପରି ପ୍ରାଧାନ୍ୟ ଅଛି, ସରସ୍ବତୀଙ୍କର ସେପରି ପ୍ରାଧାନ୍ୟ ନାହିଁ। ତେବେ ଶ୍ରୀମନ୍ଦିର ପରିସରର ଶ୍ରୀଭୁ‌ବନେଶ୍ବରୀ ମନ୍ଦିର ସରସ୍ବତୀଙ୍କ ମନ୍ଦିର ଭାବରେ କଥିତ ହୁଏ। ଶ୍ରୀମନ୍ଦିର ରତ୍ନବେଦୀରେ ପୂଜିତା ଭୂଦେବୀ ମଧ୍ୟ ଲୋକମୁଖରେ ସରସ୍ବତୀ ଭାବରେ କଥିତା ହୋଇଥାନ୍ତି। ଶ୍ରୀଭୁବନେଶ୍ବରୀ ମନ୍ଦିର ପ୍ରକୃତରେ ପଞ୍ଚଶକ୍ତି ମନ୍ଦିର। କାରଣ, ଏହି ମନ୍ଦିରର ଗର୍ଭଗୃହରେ ମା’ ଭୁବନେଶ୍ବରୀ ବିଦ୍ୟମାନା ଥିବାବେଳେ, ବାହାର ପ୍ରକୋଷ୍ଠରେ ସରସ୍ବତୀ, ‌ଷଷ୍ଠୀ, ଗାୟତ୍ରୀ ଓ ସାବିତ୍ରୀ ବିଦ୍ୟମାନା ରହିଛନ୍ତି। ଏହି ବାହାର ପ୍ରକୋଷ୍ଠରେ ଶ୍ରୀନୃସିଂହଙ୍କର ଏକ ବିଗ୍ରହ ମଧ୍ୟ ବିରାଜିତ।
ଏକ ଉଲ୍ଲେଖଯୋଗ୍ୟ ବିଷୟ ଏହି ଯେ ଶ୍ରୀମନ୍ଦିରରେ ଶ୍ରୀପଞ୍ଚମୀ ଦିନ ତିନିରଥ ନିମନ୍ତେ ଯେଉଁ ତିନିଖଣ୍ଡ କାଠର ସଂସ୍କାର ବା ପୂଜା ହୋଇଥାଏ, ସେଥିପାଇଁ ଶ୍ରୀମନ୍ଦିର ପରିସରର ଏହି ସରସ୍ବତୀଙ୍କଠାରେ ପୂଜା କରାଯାଇ ନ ଥାଏ। ଏହି ପୂଜା କରାଯାଇଥାଏ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ପୂଜିତା ସରସ୍ବତୀଙ୍କଠାରେ।

Advertisment

ଶ୍ରୀମନ୍ଦିର କାର୍ଯ୍ୟାଳୟରେ ରହିଛି ଏକ ସ୍ବତନ୍ତ୍ର ପୂଜାଘର। ସେହି ପୂଜା ଘରେ ଅନ୍ୟାନ୍ୟ ଦେବଦେବୀଙ୍କ ପ୍ରତିମା ସହିତ ରହିଛନ୍ତି ଏକ ‘ମହାଲକ୍ଷ୍ମୀ ପଟି’ ବା ଦେବୀ ଲକ୍ଷ୍ମୀଙ୍କର ପଟ ପ୍ରତିମା। ଅନ୍ୟ ଗୋଟିଏ ପଟିରେ ଶ୍ରୀପତିତପାବନ ଓ ଦେବୀ ସରସ୍ବତୀଙ୍କ ସହିତ ଶ୍ରୀଗଣେଶ ବିଦ୍ୟମାନ ଅଛନ୍ତି। ଶ୍ରୀପଞ୍ଚମୀ ଦିନ ତିନିରଥର ତିନିଖଣ୍ଡ କାଠର ସଂସ୍କାର ଓ ପୂଜା ପାଇଁ ସେହି ପଟିଦିଅଁଙ୍କଠାରେ ପୂଜା, ଆରତି, ଭୋଗ ନୈବେଦ୍ୟ ଅର୍ପଣ ଓ ପୁଷ୍ପାଞ୍ଜଳି ପ୍ରଦାନ କରାଯିବା ପରେ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖସ୍ଥ ରଥଖଳାଠାରେ ସେହି ରଥକାଠର ସଂସ୍କାର ପୂଜା କରାଯାଇଥାଏ। ପ୍ରକୃତରେ ଏହାହିଁ ଶ୍ରୀକ୍ଷେତ୍ରରେ ରଥନିର୍ମାଣ ପ୍ରକ୍ରିୟାର ଆଦିପୂଜା ବା ଶ୍ରୀଗଣେଶ। 
-ଅସିତ ମହାନ୍ତି