ଭଗବାନ ଶ୍ରୀକୃଷ୍ଣ ନିଜେ ସନ୍ଥ ନରସି ମେହେତାଙ୍କ ଘରେ ଘିଅ ଦେଇ ଯାଇଥିଲେ!

ନରସି ମେହେତା ଜଣେ ମହାନ୍‌ ସନ୍ଥ। ତାଙ୍କର ଜନ୍ମ ଗୁଜୁରାଟର ଜୁନାଗଡ ସହରରେ ଏକ କୁଳୀନ ବ୍ରାହ୍ମଣ ପରିବାରରେ ହୋଇଥିଲା। ବାଲ୍ୟକାଳରେ ହିଁ ତାଙ୍କୁ ସାଧୁସଙ୍ଗତି ଲାଭ ହୋଇଥିଲା। ଏହାର ପ୍ରଭାବ ରେ ତାଙ୍କ ହୃଦୟରେ ଭଗବାନ ଶ୍ରୀକୃଷ୍ଣଙ୍କ ପ୍ରତି ଭକ୍ତିଭାବ ଜାଗ୍ରତ ହୋଇଥିଲା। ଧୀରେ ଧୀରେ ଭଗବାନ ଶ୍ରୀକୃଷ୍ଣଙ୍କ ଭକ୍ତି ଓ ଭଜନ କୀର୍ତ୍ତନରେ ତାଙ୍କର ଅଧିକାଂଶ ସମୟ ବିତିଲା। ପ୍ରତିଦିନ ସାଧୁସଙ୍ଗତି ଓ ଭଗବତ୍‌ ଚର୍ଚ୍ଚାକୁ କିନ୍ତୁ ପରିବାର ଲୋକେ ପସନ୍ଦ କରୁ ନଥିଲେ।ତେବେ ନରସି ଏହାକୁ ଗୁରୁତ୍ୱ ଦେଇ ନଥିଲେ। ନରସି ଆଦୌ ଘରକଥା କରୁନଥିଲେ।ଦିନେ ଏଥିନେଇ ତାଙ୍କର ଭାଉଜ ଖୁବ୍‌ ବିରକ୍ତ ହୋଇ ଗାଳିଗୁଲଜ କରିଲେ। ଏଥିରେ କ୍ଷୁବ୍ଧ ହୋଇ ନରସି ତତ୍‌କ୍ଷଣାତ୍‌ ଘରଛାଡି ଜୁନାଗଡ଼ ଠାରୁ ଦୂରରେ ଥିବାଏକ ପ୍ରାଚୀନ ଶିବ ମନ୍ଦିରକୁ ଚାଲିଗଲେ।ସେଠାରେ ସେ ଭଗବାନ ଶଙ୍କରଙ୍କର ଆରାଧନା କରିବାରେ ଲାଗିଲେ। ତାଙ୍କର ଉପାସନାରେ ଭଗବାନ ଶିବ ପ୍ରସନ୍ନ ହୋଇ ନରସିଙ୍କ ସମ୍ମୁଖରେ ପ୍ରକଟ ହୋଇ ଭଗବାନ ଶ୍ରୀକୃଷ୍ଣ ରାସଲୀଳାର ଦର୍ଶନ କରାଇଥିଲେ।
ଦିନରାତି ଭଜନ କୀର୍ତ୍ତନ କରିବା ଯୋଗୁଁ ନରସିଙ୍କ ପରିବାରରେ ଉପବାସ ଭଳି ସ୍ଥିତି ଉପୁଜିଲା। ନରସିଙ୍କ ପତ୍ନୀ ତାଙ୍କୁ କିଛି କାର୍ଯ୍ୟ କରିବା ଲାଗି ପ୍ରବର୍ତ୍ତାଇଲେ,ମାତ୍ର ସେ କେବଳ ଗୋଟିଏ କଥା କହିଲେ ଯେ, ସ୍ୱୟଂ ଭଗବାନ ସମସ୍ତଙ୍କର ଭରଣପୋଷଣ କରିବେ। କୁହାଯାଏ ଯେ,ନରସିଙ୍କ ବାହାଘର ବ୍ୟବସ୍ଥା ମଧ୍ୟ ସ୍ୱୟଂ ଭଗବାନ ଶ୍ରୀକୃଷ୍ଣଙ୍କ ହିଁ କରିଥିଲେ।
ଥରେ ନରସି ମେହେତାଙ୍କ ଜାତିଭାଇ ପିତାଙ୍କ ଶ୍ରାଦ୍ଧ ସମୟରେ ସମସ୍ତଙ୍କୁ ଭୋଜନ କରାଇବା ଲାଗି କହିଲେ। ସେ ଭଗବାନ ଶ୍ରୀ କୃଷ୍ଣଙ୍କୁ ସ୍ମରଣ କରିଲେ ଓ ଭଗବାନ୍‌ ସମସ୍ତଙ୍କ ମନୋବାଂଛିତ ଭୋଜନର ବ୍ୟବସ୍ଥା କରିଦେଇଥିଲେ। ଆଉ ଏକ ଘଟଣା ମଧ୍ୟ ବେଶ୍‌ କୌତୁହଳ ପ୍ରଦ। ଥରେ ନରସିଙ୍କୁ ତାଙ୍କ ପତ୍ନୀ ଘିଅ ଆଣିବା ପାଇଁ ଦୋକାନକୁ ପଠାଇଥିଲେ,ମାତ୍ର ରାସ୍ତାରେ ସେ ଶ୍ରୀକୃଷ୍ଣ ସଂକୀର୍ତ୍ତନ ମଣ୍ଡଳୀଙ୍କ ମେଳରେ ଭଜନ କୀର୍ତ୍ତନରେ ଏଭଳି ତଲ୍ଲୀନ ହୋଇଗଲେ ଯେ, ଘରକଥା ଭୁଲିଗଲେ। ଭଗବାନ ଶ୍ରୀକୃଷ୍ଣ ସ୍ୱୟଂ ନରସିଙ୍କ ବେଶ ଧାରଣ କରି ଘରେ ଯାଇ ଘିଅ ଦେଇ ଆସିଲେ।


ବିଳମ୍ବିତ ରାତ୍ରିରେ ଘରେ ନରସି ପତ୍ନୀଙ୍କୁ କ୍ଷମା ମାଗି କହିଲେ,‘ପ୍ରିୟେ ମୁଁ ଘିଅ ଆଣିବାକୁ ଏକଦମ୍‌ ଭୁଲିଯାଇଛି।’’ପତ୍ନୀ କହିଲେ‘‘ଆପଣ ତ ନିଜେ ଘିଅ ଆଣି ଦେଇଗଲେ,ପୁଣି ଏକଥା କାହିଁକି କହୁଛନ୍ତି?ନରସି ବୁଝିପାରିଲେ ଯେ,ଏହା ସବୁ ସେହି ଶ୍ରୀକୃଷ୍ଣଙ୍କର ଲୀଳା।

ସମ୍ବନ୍ଧିତ ଖବର