ନାଗାର୍ଜୁନ ରୂପରେ ଶ୍ରୀକୃଷ୍ଣ : ସଖା ଶ୍ରୀକୃଷ୍ଣଙ୍କଠାରେ ନିଜ ପୁତ୍ର ନାଗାର୍ଜୁନଙ୍କୁ ଦେଖି ବିସ୍ମିତ ହେଲେ ଅର୍ଜୁନ
ବେଶର ନାମ ନାଗାର୍ଜୁନ- ୬/ ଅସିତ ମହାନ୍ତି
Sambad is now on WhatsApp
Join and get latest news updates delivered to you via WhatsApp
କୃଷ୍ଣ ଓ ବଳରାମ ଆସି ପହଞ୍ଚିବା ବେଳକୁ ଶିବ ବି ସେଠାରେ ପହଞ୍ଚି ସାରିଥିଲେ । ଦୁହିଁଙ୍କ ମଧ୍ୟରେ ପ୍ରଥମେ ବାକ୍ଯୁଦ୍ଧ ଏବଂ ପରେ ଦ୍ୱନ୍ଦ୍ୱ ଯୁଦ୍ଧ ହେଲା । ନାଗାର୍ଜୁନ ମଧ୍ୟ ଶିବଙ୍କ ପକ୍ଷରେ ରହି ଯୁଦ୍ଧ କରୁଥିଲେ ।
ଶିବ ଓ କୃଷ୍ଣ-ବଳରାମଙ୍କ ମଧ୍ୟରେ ସେହି ଯୁଦ୍ଧ ସଂସାରର ଘୋର ଅନିଷ୍ଟ କରିବ ଜାଣି ବ୍ରହ୍ମା ଆସି ସେଠାରେ ପହଞ୍ଚିଲେ । ସେ ଶିବ ଓ ବଳରାମଙ୍କୁ ସ୍ତୁତିକରି ଉଭୟଙ୍କୁ ଶାନ୍ତ କଲେ । ଶ୍ରୀକୃଷ୍ଣ ବ୍ରହ୍ମାଙ୍କୁ କହିଲେ- ଅର୍ଜୁନଙ୍କ ଜୀବନ ହିଁ ତାଙ୍କର ଏକମାତ୍ର କାମ୍ୟ । ତାହା ଜାଣି ବ୍ରହ୍ମା ଯମଙ୍କୁ ସ୍ମରଣ କଲେ ଏବଂ ଯମ ଆସି ପହଞ୍ଚିବାରୁ ତାଙ୍କୁ କହିଲେ-
“ବେଗେ ତାର ଜୀବଗୋଟି ଛାଡ଼ିଦିଅ ଯମ
ସଂସାରର ହିତ ହେଉ ରକ୍ଷାକର ଧର୍ମ ।”
ସେତେବେଳକୁ ଯମ ମାତା ଛାୟାଙ୍କ ଅଭିଶାପରୁ କୁଷ୍ଠ ରୋଗାକ୍ରାନ୍ତ ଥିଲେ । ତେଣୁ ତାଙ୍କୁ ପ୍ରଥମେ ରୋଗମୁକ୍ତ କରିବାକୁ ସେ ବ୍ରହ୍ମାଙ୍କୁ ଅନୁରୋଧ କଲେ । ବ୍ରହ୍ମା ତାଙ୍କୁ ରୋଗମୁକ୍ତ କରିବା ପରେ, ବ୍ରହ୍ମାଙ୍କର ଜଡ଼ି ମହୌଷଧି ଦ୍ୱାରା ଅର୍ଜୁନଙ୍କର କଟା ଶରୀର ଯୋଡ଼ା ହେଲା । ଯମ ତାଙ୍କୁ ପ୍ରାଣ ଦେଲେ ଏବଂ ବ୍ରହ୍ମା ନିଜ କମଣ୍ଡଳୁର ଜଳ ଛିଞ୍ଚି ଦେବାରୁ ସେ ଉଠି ବସିଲେ । ତା’ପରେ ଅର୍ଜୁନଙ୍କ ଅନୁରୋଧରେ ପଣ୍ଡୁ ବ୍ରହ୍ମହତ୍ୟା ପାପରୁ ମୁକ୍ତ ହୋଇ ସ୍ୱର୍ଗପ୍ରାପ୍ତ ହେଲେ ।
ଏହା ପରର ଘଟଣା ହେଉଛି, ପିତା-ପୁତ୍ରଙ୍କର ମିଳନ । ଶିବ ନାଗାର୍ଜୁନଙ୍କୁ ନିଜ କୋଳକୁ ନେଇ ଅର୍ଜୁନଙ୍କୁ କହିଲେ- ଏବେ ନିଜ ପୁତ୍ରକୁ କୋଳ କର । ଅର୍ଜୁନ ନାଗାର୍ଜୁନଙ୍କୁ କୋଳାଗ୍ରତ କରି ତାଙ୍କର ମୁଖ ଚୁମ୍ବନ କଲେ ଏବଂ କହିଲେ, ମୋ ପାଖରେ ରହିଲେ ଯୁଦ୍ଧରେ ତୁମର ପ୍ରାଣହାନିର ଆଶଙ୍କା ରହିବ । ଏଣୁ ତୁମେ ପୂର୍ବପରି ଯାଇ ଶିବଙ୍କ ଉଦ୍ୟାନ ବନର ଦ୍ୱାରପାଳ ଭାବରେ ଆନନ୍ଦରେ ରୁହ ।
“ଅର୍ଜୁନ ବୋଇଲେ ମୋର ଅଟେ ସେ ଆତ୍ମଜ
ମୋ ପୁତ୍ର ମୋତେ ଜିଣିଲା, ଏଥିରେ କି ଲାଜ!”
ଏହାପରେ ସମସ୍ତେ ନିଜ ନିଜ ସ୍ଥାନକୁ ବାହୁଡ଼ିଗଲେ । ମୃତ ଗଣ୍ଡାଟିକୁ ମଧ୍ୟ ପୁନର୍ଜୀବନ ଦାନ କରାଯାଇଥିଲା ।
ତେଣୁ, ତାହାରି ସ୍ମାରକୀ ସ୍ୱରୂପ, ଯେଉଁ ବର୍ଷ କାର୍ତ୍ତିକ ମାସ ଶୁକ୍ଳପକ୍ଷ ଏକାଦଶୀଠାରୁ ପୂର୍ଣ୍ଣମୀ ମଧ୍ୟରେ ମଳ ତିଥି ଭୋଗ ହୁଏ, ସେହିବର୍ଷ ଶ୍ରୀକୃଷ୍ଣ-ସ୍ୱରୂପ ଶ୍ରୀଜଗନ୍ନାଥ ନାଗାର୍ଜୁନ ବେଶ ହୋଇଥାଆନ୍ତି ।