ଇନ୍ଦ୍ର ଦୈତ୍ୟରାଜ ବଳିଙ୍କ ନିକଟକୁ ଗଲେ ଏବଂ ଅମୃତ ଲୋଭରେ ଦେବତା ଓ ଦୈତମାନଙ୍କ ମଧ୍ୟରେ ସନ୍ଧି କରାଇବାରେ ସକ୍ଷମ ହେଲେ। ଦେବତା ଓ ଦୈତ୍ୟମାନେ ମିଶି ମନ୍ଦରାଚଳକୁ ଉଠାଇ ସମୁଦ୍ର ତଟ ଆଡ଼କୁ ଆଣିବା ଲାଗି ପ୍ରୟାସ କରିଥିଲେ। କିନ୍ତୁ ଅସମର୍ଥ ହେଲେ। ଶେଷରେ ଦେବଗଣ ଭଗବାନ ବିଷ୍ଣୁଙ୍କୁ ସ୍ମରଣ କରିଲେ ଏବଂ ସେ ସେଠାରେ ପହଞ୍ଚିଲେ। ଭଗବାନ ବିଷ୍ଣୁ ଭାରି ମନ୍ଦରାଚଳକୁ ଉଠାଇ ଗରୁଡ଼ ଉପରେ ରଖିଲେ ଏବଂ କ୍ଷଣିକ ଭିତରେ କ୍ଷୀର ସାଗର ତଟରେ ପହଞ୍ଚାଇ ଦେଲେ। ମନ୍ଦରାଚଳର ମଥାନି ଓ ବାସୁକୀ ନାଗଙ୍କର ଦଉଡ଼ି ତିଆରି କରାଯାଇ ସମୁଦ୍ର ମନ୍ଥନ ଆରମ୍ଭ ହେଲା। ଭଗବାନ ମଧ୍ୟ ସ୍ୱୟଂ କଚ୍ଛପ ରୂପ ଧାରଣ କରି ମନ୍ଦରାଚଳକୁ ଆଧାର ପ୍ରଦାନ କରିଲେ।
ଦେବତା ଓ ଅସୁରଗଣ ସମୁଦ୍ର ମନ୍ଥନରେ ଲାଗି ପଡ଼ିଲେ। ଏଥିରୁ ସର୍ବପ୍ରଥମେ ବିଷ ପ୍ରକଟ ହେଲା, ଯାହାର ଭୟଙ୍କର ଜ୍ୱଳାରେ ସମଗ୍ର ପ୍ରାଣୀଜଗତର ପ୍ରାଣ ସଙ୍କଟରେ ପଡ଼ିଗଲା। ଲୋକ କଲ୍ୟାଣ ଲାଗି ଭଗବାନ ଶଙ୍କର ସେହି ବିଷକୁ ପାନ କରିଲେ। ତା’ପରେ ସମୁଦ୍ରରୁ ଲକ୍ଷ୍ମୀ ,କୌସ୍ତୁଭ,ପାରିଜାତ,ଉଚ୍ଚୈଃଶ୍ରବା,ସୁରା,ଧନ୍ଵନ୍ତରି,ଚନ୍ଦ୍ରମା,ପୁଷ୍ପକ,ଐରାବତ,ପାଞ୍ଚଜନ୍ୟ,ଶଙ୍ଖ,ରମ୍ଭା,କାମଧେନୁ ଓ ଅମୃତ କୁମ୍ଭ ଇତ୍ୟାଦି ବାହାରିଲା। ଅମୃତ କୁମ୍ଭ ବାହାରିବା ମାତ୍ରେ ଧନ୍ଵନ୍ତରିଙ୍କ ହାତରେ ଥିବା ଅମୃତ ପୂର୍ଣ୍ଣ କଳସକୁ ଛଡ଼ାଇ ଦୈତ୍ୟମାନେ ପଳାୟନ କରିଲେ,କାରଣ ପ୍ରତ୍ୟେକ ସେମାନେ ଅମୃତ ପାନ କରି ଅମର ହେବାକୁ ଚାହୁଁଥିଲେ।
ତା’ପରେ ସେହି କଳସ ପାଇଁ ଦୈତ୍ୟମାନଙ୍କ ମଧ୍ୟରେ ଟଣାଓଟରା ଲାଗିଗଲା ଏବଂ ଦେବତାମନେ ଏହି ଦୃଶ୍ୟକୁ ନିରାଶାର ସହିତ ଦେଖୁଥିଲେ। ଅକସ୍ମାତ୍ ସେଠାରେ ଏକ ଅଦ୍ୱିତୀୟ ସୌନ୍ଦର୍ଯ୍ୟଶୀଳନୀ ନାରୀ ପ୍ରକଟ ହେଲେ। ଅସୁରମାନେ ତାଙ୍କ ସୌନ୍ଦର୍ଯ୍ୟରେ ପ୍ରଭାବିତ ହୋଇ ତାଙ୍କୁ ଅମୃତ ବଣ୍ଟନ ପ୍ରକ୍ରିୟାରେ ମଧ୍ୟସ୍ଥତା କରିବାକୁ ଅନୁରୋଧ କରିଲେ। ପ୍ରକୃତରେ ଭଗବାନ ବିଷ୍ଣୁ ହିଁ ଦୈତ୍ୟମାନଙ୍କୁ ମୋହିତ କରିବା ଲାଗି ମୋହିନୀ ରୂପ ଧାରଣ କରିଥିଲେ। ମୋହିନୀ ରୂପଧାରୀ ଭଗବାନ ବିଷ୍ଣୁ କହିଲେ,‘‘ପ୍ରଥମେ ମତେ କଥା ଦିଅ ଯେ ମୁଁ ଯେମିତି ବାଣ୍ଟିବି ,ତା’କୁ ତୁମେମାନେ ଗ୍ରହଣ କରିବ,ମୋ’ର କୌଣସି କାମରେ ବିଘ୍ନ ଘଟାଇବ ନାହିଁ।’’ସମସ୍ତ ଦୈତ୍ୟଗଣ ମୋହିନୀ ରୂପ ଭଗବାନ ବିଷ୍ଣୁଙ୍କ କଥାରେ ରାଜି ହେଲେ।