ଜାଣନ୍ତୁ ଆମେ କାହିଁକି ଅଗ୍ନିଙ୍କୁ ଗୁରୁତ୍ୱ ଦେଇଥାଉ?

ହିନ୍ଦୁମାନଙ୍କର ଅନେକ ଦେବତା ଅଛନ୍ତି। ସେମାନଙ୍କୁ ବିଭିନ୍ନ ଅବସରରେ ପୂଜା କରାଯାଇଥାଏ। ଆଉ କେତେକଙ୍କୁ ଲୋକେ ପ୍ରତ୍ୟହ ପୂଜା କରିଥାନ୍ତି। ଏମାନଙ୍କ ଭତରୁ ଜଣେ ହେଲେ ଅଗ୍ନି । ଘରେ ଆମେ ପୂଜା କରିଲେ ବା ମନ୍ଦିରରେ ପୂଜାର୍ଚ୍ଚନା କରିଲେ ଆମେ ଦୀପଟିଏ ଜଳାଇଥାଉ। ଏହା ହେଉଛି ଅଗ୍ନିଙ୍କ ପ୍ରତୀକ। ଅଗ୍ନି ଦେବତା ହେଉଛନ୍ତି ଯଜ୍ଞର ପ୍ରଧାନ ଅଙ୍ଗ । ଯଜ୍ଞରେ ଅଗ୍ନି ନ ଜଳିଲେ ତାହା ସମ୍ଭବ ନୁହେଁ । ଭାରତୀୟ ସଂସ୍କୃତିରେ ‘ ଯଜ୍ଞ’ ର ମହାନ୍‌ ଆବଶ୍ୟକତା ଉଲ୍ଲେଖ ରହିଛି । ବିବାହ, ଗୃହପ୍ରତିଷ୍ଠା, ଭୂମି ପୂଜନ, ଅନ୍ତ୍ୟେଷ୍ଟି ଇତ୍ୟାଦି ଅଧିକାଂଶ କାର୍ଯ୍ୟରେ ‘ ଯଜ୍ଞ’ ଆୟୋଜିତ ହୋଇଥାଏ । ଏଥିପାଇଁ ଅଗ୍ନି ସଂଯୋଗର ଆବଶ୍ୟକତା ପଡେ । ଏଇଥିରୁ ସହଜରେ ଅନୁମେୟ ଯେ ଆମର ଆଧ୍ୟାତ୍ମିକ ଜୀବନରେ ଅଗ୍ନିଦେବ କିପରି ଭାବେ ଜଡ଼ିତ ।

ଅଗ୍ନିଦେବ ସର୍ବତ୍ର ବିଦ୍ୟମାନ । ସେ ସର୍ବତ୍ର ଅଗ୍ନିରୁ ହିଁ ଉତ୍ପନ୍ନ ଏବଂ ସମସ୍ତ ଗ୍ରହକୁ ମଧ୍ୟ ସେ ହିଁ ଧାରଣ କରିଛନ୍ତି । ବେଦମାନଙ୍କ ମଧ୍ୟରେ ସର୍ବ ପ୍ରଥମ ନାମ ହେଉଛି ଋଗ୍‌ ବେଦ ଏବଂ ସେଥିରେ ପ୍ରଥମ ଶଦ୍ଦ ‘ ଅଗ୍ନି’ ରୁ ହିଁ ପ୍ରାପ୍ତ ହୋଇଥାଏ । ଏଣୁ କୁହାଯାଏ ଯେ ବିଶ୍ୱ ସାହିତ୍ୟର ପ୍ରଥମ ଶବ୍ଦ ମଧ୍ୟ ‘ ଅଗ୍ନି’ । ଗ୍ରନ୍ଥମାନଙ୍କରେ ମଧ୍ୟ ଏକାଧିକବାର କୁହାଯାଇଛି ଯେ ଦେବତାମାନଙ୍କ ମଧ୍ୟରେ ପ୍ରଥମ ସ୍ଥାନ ହେଉଛି ‘ ଅଗ୍ନି’ ଙ୍କର । ଋଗ୍‌ ବେଦର ପ୍ରାରମ୍ଭରେ ଅଗ୍ନିଙ୍କର ସ୍ତୁତି କରାଯାଇଛିି । ଏହାର କାରଣ ହେଲା ଯେ ଅଗ୍ନି ହିଁ ଦେବତାମାନଙ୍କ ମଧ୍ୟରେ ଅଗ୍ରଣୀ ଏବଂ ସବୁଠୁଁ ଆଗରେ ଚାଲି ଥାଆନ୍ତି । ଯୁଦ୍ଧରେ ଅଗ୍ନି ଦେବ ହିଁ ସେନାପତିର କାର୍ଯ୍ୟ କରି ଥାଆନ୍ତି । ତାଙ୍କୁ ହିଁ ଆଗରେ ରଖି ଦେବଗଣ ଯୁଦ୍ଧ କରି ରାକ୍ଷସମାନଙ୍କୁୂ ପରାଜିତ କରିଥିଲେ ।

photo-youtube

ପୁରାଣରେ ଥିବା ବର୍ଣ୍ଣନା ଅନୁଯାୟୀ ଅଗ୍ନିଙ୍କ ପତ୍ନୀ ହେଉଛନ୍ତି ‘ ସ୍ୱାହା’ । ସେ ଦେବଗଣଙ୍କ ମୁଖ ଓ ସେଥିରେ ଯେଉଁ ଆହୁତି ଦିଆଯାଇଥାଏ , ତାହା ସ୍ୱାହାଙ୍କ ଜରିଆରେ ଦେବଗଣଙ୍କ ନିକଟରେ ପହଞ୍ଚିଥାଏ । କେବଳ ଋଗ୍‌ ବେଦରେ ଅଗ୍ନି ଙ୍କର ଦୁଇ ଶହ ସୂକ୍ତ ପ୍ରାପ୍ତ ହୋଇଥାଏ । ସେହିପରି ଯଜୁ ର୍ବେଦ, ସାମ ବେଦ ଓ ଅଥର୍ବ ବେଦରେ ମଧ୍ୟ ତାଙ୍କର ସ୍ତୁତି ରହିଛି । ଋଗ୍‌ ବେଦର ପ୍ରଥମ ସୂକ୍ତିରେ ଅଗ୍ନି ଦେବଙ୍କୁ ପ୍ରାର୍ଥନା କରିବାର ବିଶ୍ୱାମିତ୍ର କହନ୍ତି, ‘‘ ମୁଁ ସର୍ବ ପ୍ରଥମେ ଅଗ୍ନି ଦେବଙ୍କ ସ୍ତୁତି କରୁଛି, ଯିଏ କି ସମସ୍ତ ଯଜ୍ଞ ର ପୁରୋହିତ ଅଟନ୍ତି । ’ ପୁରୋହିତ ରାଜାର ସର୍ବ ପ୍ରଥମେ ଆଚାର୍ଯ୍ୟ ଏବଂ ସେ ତାଙ୍କର ସମସ୍ତ କାମନା ପୂର୍ଣ୍ଣ କରିଥାଆନ୍ତି । ଅଗ୍ନି ଦେବଙ୍କର ସାତ ଜ୍ୱିହା ଅଛି । ଏଗୁଡିକର ନାମ ହେଲା କାଳୀ, ମନୋଜବା, ସୁଲୋହିତା, ଧୂମ୍ରବର୍ଣ୍ଣୀ, ସ୍ଫୁଲିଙ୍ଗୀ ତଥା ବିଶ୍ୱରୁଚି ।

ସମ୍ବନ୍ଧିତ ଖବର