୧୦ -୧୫ କେଜି ଓଜନ କମିଲେ ଡାଇବେଟିସ୍‌ ଭଲ ହୋଇ ପାରିବ: ବ୍ରିଟିସ୍‌ ବୈଜ୍ଞାନିକ

ନୂଆଦିଲ୍ଲୀ: ଶରୀରର ଓଜନ କମାଇ ପାରିଲେ ଟାଇପ୍‌-ଟୁ ଡାଇବେଟିସ୍‌ ମଧ୍ୟ ଉପଶମ ହୋଇ ପାରିବ। ବ୍ରିଟେନ୍‌ର ବୈଜ୍ଞାନିକମାନେ କରିଥିବା ଏକ ଅଧ୍ୟୟନରୁ ଏ କଥା ଜଣା ପଡ଼ିଛି। ଗବେଷକମାନଙ୍କର ଓଜନ ପରିଚାଳନା କାର୍ଯ୍ୟକ୍ରମ ଅନୁସରଣ କରିଥିବା ପ୍ରାୟ ଅର୍ଦ୍ଧେକ ଅଂଶଗ୍ରହଣକାରୀଙ୍କର ପୁରୁଣା ଡାଇବେଟିସ୍‌ ଉପଶମ ହୋଇପାରିଥିଲା।

‘ଦି ଲାନ୍‌ସେଟ୍‌’ ନାମକ ଏକ ଆନ୍ତର୍ଜାତିକ ଜର୍ଣ୍ଣାଲ୍‌ରେ ଏହି ଫଳାଫଳ ପ୍ରକାଶିତ ହୋଇଛି। ଓଜନ ହ୍ରାସର ମାତ୍ରା ସହ ଡାଇବେଟିସ୍‌ ହ୍ରାସର ମାତ୍ରାର ସମ୍ପର୍କ ନିବିଡ଼ ବୋଲି ‘ଦି ଲାନ୍‌ସେଟ୍‌’ ଦର୍ଶାଇଛି।୧୫ କିଲୋ ଓଜନ କମାଇ ପାରିଥିବା ଶତକଡ଼ା ୮୬ ଭାଗ ଅଂଶ ଗ୍ରହଣକାରୀ ସେମାନଙ୍କ ରୋଗ ଭଲ କରି ଦେଇଥିବାବେଳେ ୧୦ କିଲୋରୁ କିଂବା ତା’ଠାରୁ ଅଧିକ ଓଜନ କମାଇ ପାରିଥିବା ବାକି ୩୭% ଅଂଶଗ୍ରହଣକାରୀ ମଧ୍ୟ ସମାନ ସୁଫଳ ପାଇଛନ୍ତି।

Image Courtesy Daily Mail

୯୦-୯୫% ଲୋକେ ଟାଇପ୍‌-ଟୁ ଡାଇବେଟିସ୍‌ରେ ଆକ୍ରାନ୍ତ ହୋଇ ଥାଆନ୍ତି।

ଡାଇବେଟିସ୍‌ ହ୍ରାସ କରିବା ପାଇଁ ଯେଉଁମାନେ ଓଜନ ହ୍ରାସ କରାଇବକୁ ଇଚ୍ଛା କରିଥିଲେ ଡାକ୍ତରମାନେ ସେମାନଙ୍କୁ ଆଣ୍ଟି-ଡାଇବେଟିକ୍‌ ଏବଂ ଆଣ୍ଟିହାଇପର୍‌ଟେନ୍‌ସିଭ୍‌ ଔଷଧ ଦେବା ବନ୍ଦ କରିଥିଲେ। ତିନି ମାସ ପାଇଁ ସେମାନଙ୍କୁ ସମ୍ପୂର୍ଣ୍ଣ ଡାଏଟ୍‌ ରିପ୍ଲେସ୍‌ମେଣ୍ଟ୍‌ ପର୍ଯ୍ୟାୟରେ ରଖା ଯାଇଥିଲା। ଯେଉଁ ଅଂଶଗ୍ରହଣକାରୀ ଇଚ୍ଛା କରିଥିଲେ ସେମାନଙ୍କୁ ଆଉ ପାଞ୍ଚ ମାସ ଯାଏ ଡାଏଟିଙ୍ଗ୍‌ ରିପ୍ଲେସ୍‌ମେଣ୍ଟ୍‌ ପର୍ଯ୍ୟାୟରେ ରଖା ଯାଇଥିଲା। ଏହି ସମୟ ମଧ୍ୟରେ ଅଂଶଗ୍ରହଣକାରୀମାନଙ୍କୁ ଲୋ ଏନର୍ଜି ଫର୍ମୁଲା ଡାଏଟ୍‌ (ଦୈନିକ ୮୨୫-୮୫୩ କ୍ୟାଲୋରି) ଦିଆଯାଇଥିଲା।
ଏହା ପରେ ସେମାନଙ୍କୁ ଦୁଇରୁ ଆଠ ସପ୍ତାହ ନିମନ୍ତେ ଦିଆ ଯାଇଥିଲା ଷ୍ଟ୍ରକ୍‌ଚର୍‌ଡ୍‌ ଫୁଡ୍‌। ଏ ବ୍ୟବସ୍ଥା ଦୀର୍ଘକାଳୀନ ଓଜନ ହ୍ରାସ ପରିଚାଳନା କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ। ଏଥିପାଇଁ ଅଂଶ ଗ୍ରହଣକାରୀମାନେ ପ୍ରତି ମାସରେ ଅଧ୍ୟୟନକାରୀଙ୍କ ନିକଟକୁ ଯାଉଥିଲେ।

ଏହି ତଥ୍ୟକୁ ଅଭିନବ ଏବଂ ଏହାର ପରିଣାମ ସୁଦୂରପ୍ରସାରୀ ବୋଲି ଦିଲ୍ଲୀର ଏଣ୍ଡୋକ୍ରାଇନୋଲଜିଷ୍ଟ୍‍ମାନେ କହୁଛନ୍ତି। ସେମାନେ କହନ୍ତି ଏହା ଅନେକ ରୋଗୀଙ୍କୁ ସାରଜୀବନ ଡାଇବେଟିସ୍‌ ଲେବଲ୍‌ରୁ ମୁକ୍ତ କରିବ।

ଦୁଇ ପ୍ରକାର ପ୍ରମୁଖ ଡାଇବେଟିସ୍‌ ଦେଖା ଯାଇଥାଏ। ଟାଇପ୍‌-ଓ୍ଵାନ୍‌ରେ ଅଗ୍ନାଶୟରେ ଇନ୍‌ସୁଲିନ୍‌ ତିଆରି କରୁଥିବା କୋଷଗୁଡ଼ିକୁ ରୋଗ ପ୍ରତିରୋଧକ ପ୍ରଣାଳୀ ନଷ୍ଟ କରି ଦିଏ।

ଟାଇପ୍‌-ଟୁ ଡାଇବେଟିସ୍‌ରେ ଶରୀରର କୋଷଗୁଡ଼ିକ ଯଥେଷ୍ଟ ଇନ୍‌ସୁଲିନ୍‌ ଗ୍ରହଣ କରି ପାରନ୍ତି ନାହିଁ। କେତେକ କ୍ଷେତ୍ରରେ ଅଗ୍ନାଶୟ ଅତି କମ୍‌ ଇନ୍‌ସୁଲିନ୍‌ ତିଆରି କରେ। ଡାକ୍ତରମାନେ କହନ୍ତି, ପାରମ୍ପରିକ ଚିକିତ୍ସାରେ ରକ୍ତ ଶର୍କରା ନିୟନ୍ତ୍ରଣ କରିବାକୁ କିଂବା ଇନ୍‌ସୁଲିନ୍‌ ସପ୍ଲିମେଣ୍ଟ୍‌ ପାଇଁ ଆଜୀବନ ଔଷଧ ଉପରେ ନିର୍ଭର କରିବାକୁ ପଡ଼େ।

Image Courtesy of Apple Mark

ଡାଇବେଟିସ୍‌ ପ୍ରଶମନ ପାଇଁ ଓଜନ ହ୍ରାସକାରୀ ଅସ୍ତ୍ରୋପଚାର ମଧ୍ୟ ସାଧାରଣ ହେବାକୁ ଯାଉଛି, କିନ୍ତି ସମସ୍ତେ ଏଥିପାଇଁ ଅର୍ଥ ଯୋଗାଡ଼ କରିପାରୁ ନାହାନ୍ତି। ତା’ଛଡ଼ା ଏଥିରେ କିଛି ଅସୁବିଧା ମଧ୍ୟ ରହୁଛି।

ଓଜନ ହ୍ରାସ କରାଇବା ଦ୍ୱାରା ଅଗ୍ନାଶୟରୁ ମାତ୍ରାଧିକ ଚର୍ବି କ୍ଷୟ ହୋଇ ଯାଏ। ଫଳତଃ, ଇନ୍‌ସୁଲିନ୍‌ ତିଆରି ଓ କ୍ଷରଣ ହୋଇଥାଏ। ସାଧାରଣ ଖାଦ୍ୟରେ ୧୬୦୦ରୁ ୧୮୦୦ କ୍ୟାଲୋରି ଥିବାବେଳେ ଲୋ କ୍ୟାଲୋରି ଡାଏଟ୍‌ରେ ୬୦୦ ରୁ ୮୦୦ କ୍ୟାଲୋରି ଥାଏ।

ଅଧ୍ୟୟନର ସହ ନେତୃତ୍ୱ ନେଇଥିବା ଇଂଲଣ୍ଡସ୍ଥିତ ନିଉକ୍ୟାସେଲ୍‌ ୟୁନିଭର୍ସିଟିର ପ୍ରଫେସର ରୟ ଟେଲର୍‌ କହନ୍ତି ଟାଇପ୍‌-ଟୁ ଡାଇବେଟିସ୍‌ ଆରୋଗ୍ୟ କରିବା ନିମନ୍ତେ ବହୁ ପରିମାଣର ଓଜନ ହ୍ରାସ କରାଇବାକୁ ବେରିଆଟ୍ରିକ୍‌ ସର୍ଜରି ଅନାବଶ୍ୟକ।

ସମ୍ବନ୍ଧିତ ଖବର