ଆମମାନଙ୍କର ଧାରଣା ରହି ଆସିଛି କି, ଯୁବାବସ୍ଥାରେ ଅକ୍ଳାନ୍ତ ପରିଶ୍ରମ କରିବା ଶ୍ରେୟସ୍କର। ଏହା ଶରୀରକୁ ସୁହାଇବା ସହ ପରବର୍ତ୍ତୀ ସମୟ ପାଇଁ ସୁଖ ଗଚ୍ଛିତ କରି ରଖିପାରିବ। ମାତ୍ର ନ୍ୟୁୟର୍କ ବିଶ୍ବବିଦ୍ୟାଳୟ ଅଧୀନ ସିଲଭର ସ୍କୁଲ ଅଫ୍ ସୋସିଆଲ୍‌ ଵର୍କ ଦ୍ବାରା କରାଯାଇଥିବା ଏକ ଗବେଷଣା ଅନୁଯାୟୀ, ଯୁବାକାଳରେ ଦୀର୍ଘ ସମୟ ଧରି ଅନିର୍ଦ୍ଦିଷ୍ଟ ବା ଅନିୟମିତ ଶ୍ରମ କରିବା ଦ୍ବାରା ପରବର୍ତ୍ତୀ ଦଶନ୍ଧି ଦଶନ୍ଧି ପାଇଁ ସ୍ବାସ୍ଥ୍ୟ ଉପରେ କୁପ୍ରଭାବ ପଡ଼ିଥାଏ। ଗବେଷକମାନେ ୧୪ରୁ ୨୨ ବର୍ଷ ବୟସ୍କ ୭,୩୦୦ ଜଣ ଯୁବକଯୁବତୀଙ୍କ ଶ୍ରମସୂଚୀକୁ ଅନୁଧ୍ୟାନ କରି ଏପରି ନିର୍ଯାସ ପାଇପାରିଛନ୍ତି। ସେମାନେ ଯୁବକଯୁବତୀମାନଙ୍କ ଶ୍ରମ ଅବଧି (ସକାଳ ଛଅଟାରୁ ଆରମ୍ଭ କରି ବିଳମ୍ବିତ ରାତି ଯାଏ)କୁ ବିଭିନ୍ନ ପର୍ଯ୍ୟାୟରେ ଭାଗ କରି ସେଗୁଡ଼ିକର ପରିଣତି ଲକ୍ଷ୍ୟ କରିଥିଲେ। ବର୍ଷ ବର୍ଷ ଧରି କାମ କରୁଥିବା ଏହି ଯୁବକଯୁବତୀମାନଙ୍କ ମଧ୍ୟରୁ ପ୍ରାୟ ତିନି-ଚତୁର୍ଥାଂଶଙ୍କର ନିୟମିତ ଶ୍ରମଶୈଳୀରେ ଦିନବେଳା ନିର୍ଦ୍ଦିଷ୍ଟ ସ୍ଥାୟୀ ସମୟ ନଥିବା ଜଣାପଡ଼ିଥିଲା। ଏହାଦ୍ବାରା ସେମାନଙ୍କ ନିଦ୍ରାଶୈଳୀରେ ଭୀଷଣ ବ୍ୟତିକ୍ରମ ଦେଖାଦେଇଥିଲା। ଯଦିଓ ଶାରୀରିକ ସ୍ଥିତି ଓ ମନୋବଳ ଯୋଗୁଁ ଅଧିକାଂଶ ମାତ୍ରାଧିକ ଅନିୟମିତ ଅକ୍ଳାନ୍ତ ପରିଶ୍ରମ କରିବାକୁ ସକ୍ଷମ ଥିଲେ, କିନ୍ତୁ ଦୈନିକ ନିର୍ଦ୍ଦିଷ୍ଟ ପରିମାଣର ସ୍ବାସ୍ଥ୍ୟାନୁକୂଳ ସୁଖନିଦ୍ରାରୁ ସେମାନେ ବଞ୍ଚିତ ଥିଲେ। ଏଥି ସହିତ ସେମାନଙ୍କର ମାନସିକ ତଥା ଶାରୀରିକ କ୍ରିୟାଶୀଳତା ମଧ୍ୟ ଦୁର୍ବଳ ରହିଥିଲା।

Advertisment

ଗୁରୁତ୍ବପୂର୍ଣ୍ଣ କଥା ହେଲା, ସକାଳ ଛଅରୁ ସନ୍ଧ୍ୟା ଛଅ ଭିତରେ ନିର୍ଦ୍ଦିଷ୍ଟ ଅବଧିର ସ୍ବାଭାବିକ ସ୍ଥାୟୀ ଶ୍ରମଶୈଳୀ ଆପଣେଇଥିବା ଯୁବକଯୁବତୀମାନଙ୍କ ଅପେକ୍ଷା ୨୨ରୁ ୪୯ ବର୍ଷ ବୟସ ଭିତରେ ଅନିୟମିତ ଶ୍ରମ କରିଥିବା ଯୁବକଯୁବତୀଙ୍କ ବୟସ ୫୦ ବର୍ଷ ହେଲା ପରେ ଦୁର୍ବଳ ସ୍ବାସ୍ଥ୍ୟ ସହ ମାନସିକ ଅବସାଦ ଲାଗି ରହିଥିଲା। ଏପରିକି ବେକାର ରହିଥିବା ଯୁବକଯୁବତୀଙ୍କ ତୁଳନାରେ ଏପରି ଅନିୟମିତ ଶ୍ରମ କରିଥିବା ଯୁବାଙ୍କର ସ୍ବାସ୍ଥ୍ୟାବସ୍ଥା ନିକୃଷ୍ଟ ବୋଲି ଜଣାପଡ଼ିଛି। ତେଣୁ ଏପରି ଅନିୟମିତ ତଥା ଅନିର୍ଦ୍ଦିଷ୍ଟ ଶ୍ରମର କୁପ୍ରଭାବରୁ ନିବୃତ୍ତ ରହିବା ପାଇଁ ସ୍ବାସ୍ଥ୍ୟପ୍ରଦ ଖାଦ୍ୟ, ନିୟମିତ ବ୍ୟାୟାମ ସହ ଆପଣାର ଲୋକଙ୍କ ସହ ଗୁଣାତ୍ମକ ସମୟ ବିତାଇବା ଠିକ୍‌ ହେବ ବୋଲି ଗବେଷକମାନେ ପରାମର୍ଶ କରିଛନ୍ତି।