ଭାରତ ସ୍ବାଧୀନତା ଇତିହାସରେ ଅନେକ ବୀର ସ୍ବାଧୀନତା ସଂଗ୍ରାମରେ ସାମିଲ ହୋଇ ବଳିଦାନ ଦେଇଛନ୍ତି। ସେମାନେ ସେଦିନ ଜୀବନକୁ ବାଜି ଲଗାଇ ଗୋରା ସରକାର ଅତ୍ୟାଚାରୁ ଦେଶମାତୃକାକୁ ମୁକ୍ତ କରିବାକୁ ଅଣ୍ଟାଭିଡ଼ି ଆଗେଇ ଆସିଥିଲେ। ଖାଲି ପୁରୁଷମାନେ ନୁହନ୍ତି, ଏ ଦେଶର ଦୃଢ଼, ସାହସିନୀ ବୀର ରମଣୀମାନେ ବି ହାତରେ ଅସ୍ତ୍ର, ତରବାରୀ ଧରିବାକୁ ପଛେଇ ନଥିଲେ। ପବିତ୍ର ୭୬ତମ ସ୍ବାଧୀନତା ଦିବସ ଅବସରରେ ସେହି ବୀରାଙ୍ଗନାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଆମର ଏ ସ୍ବତନ୍ତ୍ର ଉପସ୍ଥାପନା ପ୍ରଣମ୍ୟା ପ୍ରତିମା...

Advertisment

ରାଣୀ ଲକ୍ଷ୍ମୀବାଈ
୧୮୫୭ ମସିହାରେ ଇଷ୍ଟଇଣ୍ଡିଆ କମ୍ପାନି ବିରୋଧରେ ଆରମ୍ଭ ହୋଇଥିବା ବିଦ୍ରୋହରେ ଯୋଗଦେଇ ବ୍ରିଟିସ ସେନା ବିରୋଧରେ ଲଢ଼ିଥିଲେ। ସ୍ବାମୀ ମହାରାଜା ଗଙ୍ଗାଧର ରାଓଙ୍କୁ ଯୁଦ୍ଧକ୍ଷେତ୍ରରେ ହରାଇବା ପରେ ବି ମନୋବଳ ନହରାଇ ପୁଅକୁ ପିଠିରେ ବସାଇ ସେନାର ନେତୃତ୍ବ ନେଇଥିଲେ।
କସ୍ତୁରବା ଗାନ୍ଧୀ
ମହାତ୍ମା ଗାନ୍ଧୀଙ୍କ ପତ୍ନୀ କସ୍ତୁରବା ଗାନ୍ଧୀ ଜଣେ ସାହସୀ ମହିଳା ସ୍ୱାଧୀନତା ସଂଗ୍ରାମୀ। ସେ ସତ୍ୟାଗ୍ରହ ଆନ୍ଦୋଳନ ପଛରେ ପ୍ରେରଣା ଥିଲେ। ବା’ ଭାରତୀୟମାନଙ୍କୁ ସ୍ୱାସ୍ଥ୍ୟ, ସ୍ୱଚ୍ଛତା ସହ ସାକ୍ଷରତା ଉପରେ ଗୁରୁତ୍ବ ଦେଉଥିଲେ। ସେ ପ୍ରାୟ ସମସ୍ତ ସ୍ବାଧୀନତା ଆନ୍ଦୋଳନରେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ। ବାପୁ ବା’ଙ୍କୁ ନିଜ ପ୍ରେରଣାର ଉତ୍ସ ବୋଲି କହୁଥିଲେ।
କମଳା ନେହେରୁ
ମହାତ୍ମା ଗାନ୍ଧୀଙ୍କ ଦୃଢ଼ ଅନୁଗାମୀ ତଥା ପଣ୍ଡିତ ଜବାହରଲାଲ ନେହେରୁଙ୍କ ପତ୍ନୀ କମଳା ନେହେରୁ ୧୯୨୧ ମସିହାରେ ବିଦେଶୀ ମଦ ବିରୋଧରେ ଅସହଯୋଗ ଆନ୍ଦୋଳନ ସହିତ ଭାରତର ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେଇଥିଲେ।
ସରୋଜିନୀ ନାଇଡୁ
ସରୋଜିନୀ ନାଇଡୁ ଜଣେ କବି ଏବଂ ତାଙ୍କୁ ‘ଦି ନାଇଟିଙ୍ଗଲ୍ ଅଫ୍ ଇଣ୍ଡିଆର’ ମାନ୍ୟତା ମିଳିଥିଲା। ସେ ସ୍ବାଧୀନତା ପରବର୍ତ୍ତୀ ପ୍ରଥମ ମହିଳା ରାଜ୍ୟପାଳ ଥିଲେ। ଭାରତୀୟ ଜାତୀୟ କଂଗ୍ରେସର ସଭାନେତ୍ରୀ ମଧ୍ୟ ହୋଇଥିଲେ। ସେ ମହିଳା ସଶକ୍ତୀକରଣ ଓ ମହିଳାଙ୍କ ଅଧିକାର ପାଇଁ କାର୍ଯ୍ୟ କରିଥିଲେ। ଭାରତଛାଡ଼ ଆନ୍ଦୋଳନରେ ଭାଗ ନେଇ ଗିରଫ ହୋଇଥିଲେ। ଗାନ୍ଧିଜୀଙ୍କ ନେତୃତ୍ବରେ ସେ ସାବରମତୀ ଚୁକ୍ତି, ମଣ୍ଟେଗୁ-ଚେମ୍‌ସଫୋର୍ଡ ସଂସ୍କାର, ସତ୍ୟାଗ୍ରହ ଆନ୍ଦୋଳନ ଓ ଖିଲାଫତ୍ ଆନ୍ଦୋଳନରେ ଯୋଗ ଦେଇଥିଲେ।
ମୂଲମତି
ତ୍ୟାଗ ଓ ବଳିଦାନର ମାଆ ଭାବେ ପରିଚିତା ମହାନ ସ୍ବାଧୀନତା ସଂଗ୍ରାମୀ ରାମ ପ୍ରସାଦ ବିସମିଲ୍‌ଙ୍କ ମାଆ ମୂଲମତି ନିଜ ପୁଅକୁ ସ୍ବାଧୀନତାରେ ଝାସ ଦେବାକୁ ସଂପୂର୍ଣ୍ଣ ଭାବେ ସମର୍ଥନ କରିଥିଲେ। ବ୍ରିଟିସ ସରକାର ତାଙ୍କ ପୁଅକୁ ଫାଶୀଖୁଣ୍ଟରେ ଝୁଲାଇଲା ବେଳେ ସେ ଲୋକଙ୍କ ସହ ଆଲୋଚନା କରିଥିଲେ, ପଦଯାତ୍ରା ଆୟୋଜନ କରି ତାଙ୍କ ପୁଅକୁ ସାହସ ଦେଇଥିଲେ। ମୁକ୍ତି ସଂଗ୍ରାମରେ ସେ ଓ ତାଙ୍କ ଅନ୍ୟପୁଅମାନଙ୍କୁ ବଳିଦାନ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ।
ଅରୁଣା ଆସଫ ଅଲ୍ଲୀ
ଭାରତର ଶିକ୍ଷାବିତ୍ ଭାବେ ଅରୁଣାଙ୍କୁ ଗଣାଯାଏ। ସେ ଗୋୱାଲିଆ ଟ୍ୟାଙ୍କ ମଇଦାନରେ ଭାରତୀୟ ଜାତୀୟ ପତାକା ଉଡ଼ାଇ ଭାରତଛାଡ଼ ଆନ୍ଦୋଳନରେ ଯୋଗ ଦେଇଥିଲେ। ଏହାସହ ସେ ଲବଣ ସତ୍ୟାଗ୍ରହରେ ମଧ୍ୟ ସକ୍ରିୟ ଅଂଶଗ୍ରହଣ କରିଥିଲେ। ଜାତୀୟ କଂଗ୍ରେସର ମାସିକ ପତ୍ରିକା ‘ଇନ୍-କିଲାବ’ ସମ୍ପାଦନା ଭାର ଅରୁଣାଙ୍କ ଉପରେ ନ୍ୟସ୍ତ ଥିଲା।
ଆନି ବେସାନ୍ତ
ଜଣେ ବ୍ରିଟିସ ସମାଜବାଦୀ ଭାବରେ ଆନି ବେସାନ୍ତ ଅଲ ଇଣ୍ଡିଆ ହୋମ୍ ରୁଲ ଲିଗ୍ ଆରମ୍ଭ କରି ଭାରତୀୟ ସ୍ୱାଧୀନତା ଅଭିଯାନରେ ସାମିଲ ହୋଇଥିଲେ। ସେ ବାଲ ଗଙ୍ଗାଧର ତିଲକଙ୍କ ସହ ମିଶି ଭାରତ ସ୍ବାଧୀନତା ପାଇଁ ଜୋରଦାର ସଂଗ୍ରାମ କରିଥିଲେ ଏବଂ କଂଗ୍ରେସର ସଭାପତି ହେବାରେ ସେ ପ୍ରଥମ ମହିଳା ହୋଇଥିଲେ। ସେ ଭାରତୀୟ ଜାତୀୟ କଂଗ୍ରେସର ମିଶ୍ରଣ କରାଇଥିଲେ। ଆନି ମହିଳାଙ୍କ ସମାନତା ଅଧିକାର ପାଇଁ କାର୍ଯ୍ୟ କରିଥିଲେ। ବ୍ରିଟିସ ହୋଇ ମଧ୍ୟ ସେ ଭାରତର ସ୍ବୟଂଶାସନ ପାଇଁ ପ୍ରଚାର କରିଥିଲେ।
ସାବିତ୍ରୀବାଇ ଫୁଲେ
ଭାରତରେ ନାରୀବାଦୀ ଆନ୍ଦୋଳନର ଅଗ୍ରଦୂତ ଭାବରେ ବିବେଚିତ ସାବିତ୍ରୀବାଇ ଫୁଲେ ଭାରତର ପ୍ରଥମ ବାଳିକା ବିଦ୍ୟାଳୟରେ ପ୍ରଥମ ମହିଳା ଶିକ୍ଷୟିତ୍ରୀ ଥିଲେ। ସାବିତ୍ରୀବାଇଙ୍କ ମହତ୍ବପୂର୍ଣ୍ଣ ଅବଦାନ ତାଙ୍କୁ ଭାରତୀୟ ଇତିହାସରେ ପ୍ରଥମ ୧୦ ଜଣ ମହିଳା ସ୍ୱାଧୀନତା ସଂଗ୍ରାମୀ ତାଲିକାରେ ଅନ୍ତର୍ଭୁକ୍ତ କରିଥିଲା। ବ୍ରିଟିସ ଶାସନ ସମୟରେ ସମାଜର ପାରମ୍ପରିକ ଆଦର୍ଶ ବିରୋଧରେ ଲଢ଼ି ସେ ମହିଳାଶିକ୍ଷା ଉପରେ ପ୍ରଥମ ପଦକ୍ଷେପ ନେଇଥିଲେ।
ଅନ୍ନପୂର୍ଣ୍ଣା ମହାରଣା
ଓଡ଼ିଶାର ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ଅନ୍ନପୂର୍ଣ୍ଣା ଦେବୀ ଚୁନି ଅପା ନାମରେ ପରିଚିତା। ଗୋପବନ୍ଧୁ ଚୌଧୁରୀ ଓ ରମା ଦେବୀଙ୍କ କନ୍ୟା ଥିଲେ ଚୁନି ଅପା। ପିଲାଟି ବେଳୁ ଗାନ୍ଧିଜୀ ଓ ବାପାମାଆଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ମାତ୍ର ୧୪ ବର୍ଷ ବୟସରେ ସେ ସ୍ବାଧୀନତା ସଂଗ୍ରାମରେ ଯୋଗ ଦେଇଥିଲେ। ୧୯୩୪ରେ ‘ହରିଜନ ପଦଯାତ୍ରା’ରେ ସାମିଲ ହୋଇଥିଲେ। ଭାରତଛାଡ଼ ଆନ୍ଦୋଳନ ସମୟରେ ସେ ଗୋରା ସରକାର ଦ୍ବାରା ଗିରଫ ହୋଇ ଜେଲ୍ ମଧ୍ୟ ଯାଇଥିଲେ। ୧୯୨୩ରେ ବାଲେଶ୍ବରର ଇଞ୍ଚୁଡ଼ିଠାରେ ଲବଣ ସତ୍ୟାଗ୍ରହରେ ଯୋଗଦେଇଥିଲେ। ସେ ଆଦିବାସୀ ପିଲାଙ୍କ ପାଇଁ ରାୟଗଡ଼ା ଜିଲ୍ଲାରେ ଏକ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ।
ପାର୍ବତୀ ଗିରି
‘ପଶ୍ଚିମ ଓଡ଼ିଶାର ମଦର ଟେରେସା’ ଭାବେ ପରିଚିତା ପାର୍ବତୀ ଗିରି। ବିଂଶ ଶତାବ୍ଦୀ ପ୍ରାରମ୍ଭରେ ବ୍ରିଟିସ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ବନ୍ଦୀ କରାଯାଇଥିଲା। ଦେଶ ସ୍ୱାଧୀନ ପରେ ସେ ପଶ୍ଚିମ ଓଡ଼ିଶାର ଲୋକଙ୍କ ପାଇଁ କାମ ଜାରି ରଖିଥିଲେ। ପାଇକମାଳ ଗ୍ରାମରେ ଏକ ଅନାଥାଶ୍ରମ ପ୍ରତିଷ୍ଠା କରିଥିଲେ। ୧୯୫୪ରେ ରମାଦେବୀଙ୍କ ଆଶ୍ରମରେ ଯୋଗ ଦେବାପରେ ଅବଶିଷ୍ଟ ଜୀବନ ଗରିବ ଓ ଅନାଥ ପିଲାଙ୍କ ସେବାରେ ନିୟୋଜିତ କରିଥିଲେ।
ସରଳା ଦେବୀ
ଜଣେ ଖ୍ୟାତନାମା ଲେଖିକା ତଥା କବି ହେବା ବ୍ୟତୀତ ସରଳା ଦେବୀ ଜଣେ ସମାଜସେବୀ ତଥା ନାରୀନେତ୍ରୀ। ୧୯୨୧ ମସିହାରେ ଅସହଯୋଗ ଆନ୍ଦୋଳନରେ ସାମିଲ ହେବାସହ ପ୍ରତିନିଧି ଭାବେ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗ ଦେଇଥିଲେ। ସେ ମହିଳାଙ୍କ ଅଧିକାର ତଥା ସାମାଜିକ ନ୍ୟାୟ ପାଇଁ ଲଢ଼ିଥିଲେ। ୧୯୩୬ ମସିହାରେ ଓଡ଼ିଶା ବିଧାନସଭାର ପ୍ରଥମ ମହିଳା ସଦସ୍ୟ ଭାବରେ ନିର୍ବାଚିତ ହୋଇଥିଲେ। ଏହାସହ ସେ ଓଡ଼ିଶା ବିଧାନସଭାର ପ୍ରଥମ ମହିଳା ବାଚସ୍ପତି ମଧ୍ୟ ଥିଲେ। ୧୯୪୩ ରୁ ୧୯୪୬ ପର୍ଯ୍ୟନ୍ତ ସେ କଟକଠାରେ ଉତ୍କଳ ସାହିତ୍ୟ ସମାଜର ସଚିବ ଭାବରେ କାର୍ଯ୍ୟ କରିଥିଲେ।
କୁନ୍ତଳା କୁମାରୀ ସାବତ
କୁନ୍ତଳା କୁମାରୀ ସାବତ ଜଣେ ଡାକ୍ତର ଓ ସାମାଜିକ କର୍ମୀ ଥିଲେ। ନିଜ କବିତା ଦ୍ବାରା ଦେଶପ୍ରେମକୁ ପ୍ରଜ୍ୱଳିତ କରିଥିଲେ। ବର୍ମାରେ ଜନ୍ମ, କଟକ ରେଭେନ୍ସା ବାଳିକା ବିଦ୍ୟାଳୟରେ ଅଧ୍ୟୟନ ପରେ ମେଡିକାଲ୍ ଡିଗ୍ରି ହାସଲ କରି ନିଜ ସହରର ପ୍ରଥମ ମହିଳା ଡାକ୍ତର ହୋଇଥିଲେ। ସେ ସ୍ୱରାଜ ପାଣ୍ଠି ପାଇଁ ସ୍ବେଚ୍ଛାସେବୀ ଭାବରେ କାର୍ଯ୍ୟ କରିଥିଲେ ଏବଂ ସର୍ବଭାରତୀୟ ମହିଳା ସମ୍ମିଳନୀର ଜଣେ ସକ୍ରିୟ ସଦସ୍ୟ ଥିଲେ। ସେ ନିଜ ଲେଖାରେ ପରଦା ପ୍ରଥା, ଜାତିପ୍ରଥା ବିଲୋପ, ବାଲ୍ୟ ବିବାହ, ଲିଙ୍ଗଗତ ଅସମାନତା, ମହିଳାଙ୍କ ମୁକ୍ତି ତଥା ବିଧବା ବିବାହ ପାଇଁ ସ୍ବର ଉଠାଇଥିଲେ।
ମାଳତୀ ଚୌଧୁରୀ
ମାଳତୀ ଚୌଧୁରୀ ଭାରତୀୟ ନାଗରିକ ଅଧିକାର ଆଇନର ଜଣେ ଓକିଲ ଥିଲେ। ୧୯୩୪ରେ ସେ ମହାତ୍ମା ଗାନ୍ଧୀଙ୍କ ପଦଯାତ୍ରାରେ ଯୋଗ ଦେବାସହ ଲବଣ ସତ୍ୟାଗ୍ରହରେ ସକ୍ରିୟ ଭାବେ ଜଡ଼ିତ ଥିଲେ। ଜମିଦାର ଏବଂ ଅର୍ଥଦାତାଙ୍କ ବିରୋଧରେ ଲଢ଼ିବା ପାଇଁ ସେ ‘କୃଷକ ଆନ୍ଦୋଳନ’ ପ୍ରତିଷ୍ଠା କରିଥିଲେ। ଉତ୍କଳ ନବଜୀବନ ମଣ୍ଡଳ ପ୍ରତିଷ୍ଠାରେ ମଧ୍ୟ ମାଳତୀ ଦେବୀଙ୍କ ପ୍ରମୁଖ ଭୂମିକା ଥିଲା। ଏହା ଗରିବ କୃଷକ ଓ ଆଦିବାସୀମାନଙ୍କୁ ଜମି ମାଲିକ ଓ କରଦାତାଙ୍କଠାରୁ ରକ୍ଷା କରିବା ପାଇଁ କାର୍ଯ୍ୟ କରିଥିଲା। ସେ ଓଡ଼ିଶା ସିଭିଲ୍ ଲିବର୍ଟିସ୍ କମିଟିର ସଭାପତି ଭାବରେ କାର୍ଯ୍ୟ କରିଥିଲେ ଏବଂ ନକ୍ସଲମାନଙ୍କ ହତ୍ୟାକୁ ନିନ୍ଦା କରିଥିଲେ। ଏହାସହ ବାଜିରାଉତ ଛାତ୍ରାବାସର ମଧ୍ୟ ସେ ପ୍ରାଣପ୍ରତିଷ୍ଠାତା ଥିଲେ।
ରମାଦେବୀ
ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଝିଆରୀ ତଥା ଗୋପାଳ ବଲ୍ଲଭ ଦାସ ଓ ବସନ୍ତ କୁମାରୀ ଦେବୀଙ୍କ କନ୍ୟା ହେଉଛନ୍ତି ରମାଦେବୀ। ଯାହାଙ୍କୁ ସାରା ଓଡ଼ିଶା ‘ମାଆ’ ଭାବେ ଜାଣେ। ୧୯୨୧ ମସିହାରେ ସେ କଟକସ୍ଥିତ ବିନୋଦ ବିହାରୀ ମନ୍ଦିରରେ ୪୦ଜଣ ମହିଳାଙ୍କ ସହ ଏକ ବୈଠକ ଡାକି ଗାନ୍ଧିଜୀଙ୍କୁ ଏକ ହାତବୁଣା ସୂତାବଣ୍ଡଲ ଦେଇଥିଲେ। ସତ୍ୟାଗ୍ରହ ଆନ୍ଦୋଳନ, ବାଲେଶ୍ବର ଇଞ୍ଚୁଡ଼ିଠାରେ ଲବଣ ସତ୍ୟାଗ୍ରହ, ଆଚାର୍ଯ୍ୟ ବିନୋବା ଭାବେଙ୍କ ଭୂଦାନ ଓ ଗ୍ରାମଦାନ ଆନ୍ଦୋଳନରେ ଯୋଗ ଦେଇଥିଲେ। ୧୯୭୫ ମସିହାରେ ଇନ୍ଦିରା ଗାନ୍ଧୀଙ୍କ ସମୟରେ ଲାଗୁ ହୋଇଥିବା ଜରୁରିକାଳୀନ ପରିସ୍ଥିତି ବିରୋଧରେ ସ୍ଲୋଗାନ ଦେଇଥିଲେ। ତାଙ୍କ ଦସ୍ତଖତ ସହିତ ଏକ ଖବରକାଗଜ ଉନ୍ମୋଚନ କରିଥିଲେ ଯାହା ପ୍ରେସ୍ ସ୍ୱାଧୀନତା ବିଷୟରେ ପ୍ରଚାର କରିଥିଲା। ଏହାକୁ ସରକାର ନିଷେଧ କରିଥିଲେ ଏବଂ ରମାଦେବୀଙ୍କ ସହ ଅନ୍ୟ ସ୍ୱାଧୀନତା ସଂଗ୍ରାମୀଙ୍କୁ ଗିରଫ କରାଯାଇଥିଲା। କିନ୍ତୁ ସେମାନେ ଆତ୍ମସମର୍ପଣ ନକରି ଅନ୍ୟାୟ ବିରୋଧରେ ସଂଗ୍ରାମ ଜାରି ରଖିଥିଲେ। ସେ ଉତ୍କଳ ରିଲିଫ କମିଟି ଗଠନ କରି ଓଡ଼ିଶାର ଲୋକଙ୍କୁ ସାହାଯ୍ୟ କରିଥିଲେ ଏବଂ ହିନ୍ଦୁ-ମୁସଲମାନ ଏକତା ଆନ୍ଦୋଳନର ଏକ ପ୍ରମୁଖ ଶକ୍ତି ଥିଲେ। ଭାରତରେ ହୋଇଥିବା ସର୍ବୋଦୟ ଆନ୍ଦୋଳନର ଆଦର୍ଶ ମଧ୍ୟ ତାଙ୍କ ପ୍ରଚେଷ୍ଟା ଥିଲା।