ପାଟ୍ନା: ବିହାରର ସାରଣ ଜିଲ୍ଲାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଯେଉଁଠାରେ ଜଣେ ପ୍ରେମୀ ତାଙ୍କ ପ୍ରେମିକାଙ୍କୁ ଭେଟିବା ପାଇଁ ରାତି ପ୍ରାୟ ୨ଟା ବେଳେ ଯାଇ ପ୍ରେମିକାଙ୍କ ଘରେ ପହଞ୍ଚୁଛନ୍ତି। ସେଠାରେ ପ୍ରେମୀ ଜଣକ ଧରାପଡ଼ିବା ପରେ ଗାଁ ଲୋକ ପ୍ରେମିକ ଓ ପ୍ରେମିକାଙ୍କ ବିବାହ କରାଇ ଦେଉଛନ୍ତି।
ସୂଚନାରୁ ଜାଣିବାକୁ ମିଳିଛି ଯେ ପ୍ରେମୀ ଜଣକ ଯେତେବେଳେ ପ୍ରେମିକାଙ୍କୁ ଭେଟିବାକୁ ତାଙ୍କ ଘରେ ପହଞ୍ଚିଥିଲେ ତ ପ୍ରେମିକାଙ୍କ ଘର ଲୋକ ନିଦରୁ ଉଠି ପଡ଼ିଥିଲେ। ଭୟରେ ଅନ୍ୟ କିଛି ଉପାୟ ନପାଇ ପ୍ରେମିକ ଜଣକ ସେଠାରେ ଥିବା ଏକ କୂଅ ଭିତରକୁ ଡେଇଁ ପଡ଼ିଥିଲେ।
କୂଅ ଭିତରେ କିଛି ପଡ଼ିବା ଶବ୍ଦ ଶୁଣି ଗାଁଲୋକେ ବି ଧାଇଁ ଆସିଥିଲେ। ସମସ୍ତେ ଆସି ସେଠାରେ ପହଞ୍ଚିବା ପରେ ପ୍ରେମିକଙ୍କୁ କୂଅ ଭିତରୁ ଉଦ୍ଧାର କରିଥିଲେ। ତାଙ୍କୁ ଉଦ୍ଧାର କରି ପଚରାଉଚରା କରିବାରୁ ସେ ତାଙ୍କ ପ୍ରେମିକାଙ୍କୁ ଭେଟିବାକୁ ଆସିଥିଲେ ବୋଲି କହିଥିଲେ।
ତା’ପରେ ଗାଁ ଲୋକମାନେ ମିଶି ଏକ ବୈଠକ ଡାକିଥିଲେ। ଗାଁ ଲୋକମାନେ ପଞ୍ଚାୟତ ଡକାଇ ପ୍ରେମୀଯୁଗଳଙ୍କୁ ସେମାନଙ୍କ ଇଚ୍ଛା କ’ଣ ବୋଲି ପଚାରିଥିଲେ। ଏହାର ଉତ୍ତରରେ ପ୍ରେମୀ ଯୁଗଳ ପରସ୍ପରଙ୍କ ସହ ଜୀବନ ସାରା ରହିବାକୁ ଚାହାନ୍ତି ବୋଲି କହିଥିଲେ।
ଶେଷରେ ୨ ପକ୍ଷର ପରିବାରଙ୍କ ସହମତିରେ ସ୍ଥାନୀୟ ଏକ ମନ୍ଦିରରେ ସେ ଦୁହିଁଙ୍କ ବିବାହ କରାଯାଇଥିଲା। ଏହି ବିବାହ ପୂରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ପ୍ରେମିକଙ୍କୁ କୂଅରୁ ବାହାର କରାଯାଉଥିବା ବେଳର ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।