ଅକ୍ଷୟ ମହାନ୍ତିଙ୍କର ଏଇ ଗୀତ ଅଛି- ପ୍ରେମ କାହିଁକି ହୁଏ, କା ସାଥେ ହୁଏ, କେବେ ବା ହୁଏ ତା’ର ଫର୍ମୁଲା କେହି ଜାଣେନା। ଠିକ୍ ସେମିତି ଘଟିଛି କବିତା, ବନିତା ଆଉ ଲତାଙ୍କ ଜୀବନରେ। ତିନି ଜଣଙ୍କ ବୃତ୍ତି ଅଲଗା, ରୁଚି ଅଲଗା। ଜଣେ ସାହିତ୍ୟ ଦିଦି, ଜଣେ ବଡ଼ କମ୍ପାନିର ଚାକିରିଆ ଓ ଆଉ ଜଣେ ସିରିଏଲ ହିରୋଇନ୍। ଘର ଭଡ଼ା ଖୋଜୁ ଖୋଜୁ ସେମାନେ ପହଞ୍ଚିଛନ୍ତି ଗୋଟାଏ ଘରେ। ଯୋଉ ଘରମାଲିକଙ୍କ ଡାକ୍ତର ପୁଅ ସଞ୍ଜୟ ପାଇଁ ଚାଲିଛି ଝିଅ ଖୋଜା। କବିତା, ବନିତା ଓ ଲତାଙ୍କ ଭିତରୁ କିଏ ହବ ଭଡ଼ାଟିଆରୁ ମାଲିକାଣୀ ସେ ନେଇ ଚାଲେ ପ୍ରତିଯୋଗିତା। ତେବେ କାହାର ହେବ ସଞ୍ଜୟ? ଏହାର ଉତ୍ତର ମିଳିବ ରବିବାର ସନ୍ଧ୍ୟାରେ ତରଙ୍ଗରେ ପ୍ରସାରିତ ହେବାକୁ ଥିବା ଟେଲିସିନେମା ‘କବିତା ବନିତା ଲତା-୨’ରେ।
ମୃତ୍ୟୁଞ୍ଜୟ ସାହୁଙ୍କ ନିର୍ଦ୍ଦେଶିତ ଏହି ଛବିରେ ମୁଖ୍ୟ ଭୂମିକାରେ ଅଛନ୍ତି ସିମ୍ରନ୍, ହିତେଶା, ସୁଲଗ୍ନା, ତୁଷାର, ପ୍ରଦ୍ୟୁମ୍ନ ଲେଙ୍କା, ଦେବୁ ବ୍ରହ୍ମା ଓ ପ୍ରତିଭା ପଣ୍ଡା। କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ଲେଖିଛନ୍ତି ପ୍ରିୟବ୍ରତ ପଣ୍ଡା ଏବଂ ମାନସ ମଲ୍ଲିକ। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଦୀପକ କୁମାର। ଦେବୀଦତ୍ତ ମହାନ୍ତି ଓ ବିଭୂତି ସ୍ୱାଇଁଙ୍କ ରଚିତ ଗୀତଗୁଡ଼ିକୁ ଗାଇଛନ୍ତି ଅନ୍ତରା ଚକ୍ରବର୍ତ୍ତୀ, ଏସ୍ ଜିତୁ, ଦୀପ୍ତିରେଖା ଓ ତାରିକ୍ ଅଜିଜ୍।