ଶୁଭଙ୍କର କଳା ବିରାଡ଼ି!

ଘରୁ ବାହାରକୁ ଗୋଡ଼ କାଢ଼ିଲା ବେଳେ କଳା ବିରାଡ଼ି ସହ ଭେଟ ହେଲେ ଦିନଟି ଭଣ୍ଡୁର ହୋଇଯାଏ ବୋଲି କିଛି ଲୋକଙ୍କର ଏକ ଅନ୍ଧବିଶ୍ବାସ ରହିଛି। ତେବେ ଗ୍ରେଟ୍‌ ବ୍ରିଟେନ୍‌ ଓ ଜାପାନ ପରି ଦେଶରେ କଳା ବିରାଡ଼ିକୁ ଏକ ଶୁଭଦାୟକ ଗୃହପାଳିତ ପଶୁର ମାନ୍ୟତା ମିଳିଛି। ବିଶେଷ କରି ଗ୍ରେଟ୍‌ ବ୍ରିଟେନ୍‌ରେ ବିବାହ ବେଳେ ନବଦମ୍ପତିଙ୍କୁ ଆଶୀର୍ବାଦ କରିବା ପାଇଁ କଳା ବିରାଡ଼ିର ଉପସ୍ଥିତି ଏକ ମହାର୍ଘ ଘଟଣା ପାଲଟିଥାଏ ବୋଲି ଦେଶବାସୀଙ୍କର ଏକ ଅନ୍ଧବିଶ୍ବାସ ରହି ଆସିଛି। ଏପରିକି ନବ ବିବାହିତମାନେ ପାଖରେ କଳା ବିରାଡ଼ି ରଖିଲେ ସେମାନଙ୍କ ଦାମ୍ପତ୍ୟ ଜୀବନ ଦୀର୍ଘସ୍ଥାୟୀ ଓ ସୁଖକର ହେବ ବୋଲି ବିଶ୍ବାସ ରହିଛି। ଏଥି ସହିତ ବିରାଡ଼ିର ସେହି କଳା ରଙ୍ଗ କୁଆଡ଼େ ବ୍ରିଟେନ୍‌ବାସୀଙ୍କ ପାଇଁ ଶୁଭ ରଙ୍ଗ ବୋଲି ବିଚାର କରାଯାଏ। ସେହିପରି ଜାପାନରେ ଏକାକୀ ଜୀବନ ବିତାଉଥିବା ମହିଳାମାନଙ୍କ ପାଇଁ କଳା ବିରାଡ଼ି ଅତ୍ୟନ୍ତ ମଙ୍ଗଳକାରୀ ବୋଲି ପ୍ରବାଦ ରହି ଆସିଛି। ଏଥି ସହିତ ଜାପାନୀ ପରମ୍ପରାରେ ବିରାଡ଼ିର ପଞ୍ଝା ଉଚ୍ଚାଳିଆ ହୋଇଥିଲେ, ଗୃହମାଲିକଙ୍କ ପାଇଁ ତାହା ସୁଖ ସମୃଦ୍ଧି ଆଣିବା ସହ ଦୁଷ୍ଟ ଆତ୍ମା ଓ ରାକ୍ଷସମାନଙ୍କୁ ଘଉଡ଼ାଇ ଦେଇଥାଏ। ଫେଙ୍ଗ-ସୁଇ ସମର୍ଥକମାନଙ୍କର ଧାରଣା, ବିରାଡ଼ିକୁ ଯେତେ ଖୁସି ଓ ନିରାପଦରେ ରଖାଯାଇପାରିବ, ନିଜେ ସେତେ ସୁଖ ଓ ନିରାପତ୍ତା ପାଇପାରିବ। ସେହିପରି ଫରାସୀ କୃଷକଙ୍କର ଏକ ଧାରଣା, ଏକ ପଞ୍ଚମୁଖୀ ଛକରେ ବିରାଡ଼ିକୁ ଛାଡ଼ିଦେଲେ, ସିଏ ଯେଉଁ ଆଡ଼କୁ ଗତି କରିବ ତାହା ଧନ ସମ୍ପଦର ଗନ୍ତାଘରକୁ ବାଟ କଢ଼ାଇନେବ। ବଡ଼ ଅଜବ ଓ ବିଚିତ୍ର ଲୋକଙ୍କର ଏପରି ଅନ୍ଧବିଶ୍ବାସ!

ସମ୍ବନ୍ଧିତ ଖବର