ବିଶ୍ୱବ୍ୟାପୀ ସବୁଠାରୁ ଅଧିକ ବ୍ୟବହୃତ ପ୍ରସାଧନ ସାମଗ୍ରୀ ମଧ୍ୟରୁ ଲିପ୍‌ଷ୍ଟିକ୍ ହେଉଛି ଅନ୍ୟତମ। ଏହା ମୁଖମଣ୍ଡଳକୁ ଆକର୍ଷଣୀୟ କରିବା ସହ ବ୍ୟକ୍ତିତ୍ବକୁ ପରିମାର୍ଜିତ କରିଥାଏ। ତେବେ ଏହାର ଆକର୍ଷଣ ତଳେ ଲୁଚି ରହିଥିବା ବିପଦ କଥା ହୁଏତ ଅନେକେ ଜାଣିନାହାନ୍ତି। ମହିଳାଙ୍କ ପାଇଁ ଅପରିହାର୍ଯ୍ୟ ପାଲଟିଥିବା ଏହି ସାମଗ୍ରୀରେ ରହିଛି ସୀସା ଓ କ୍ୟାଡ୍‌ମିୟମ୍‌ ଭଳି ବିଷାକ୍ତ ପଦାର୍ଥ। ଏଗୁଡ଼ିକ ଗମ୍ଭୀର ସ୍ୱାସ୍ଥ୍ୟସଂକଟ ସୃଷ୍ଟିକରେ ବୋଲି ବିଶେଷଜ୍ଞମାନେ ସତର୍କ କରାଇ ଦେଇଛନ୍ତି। ଏହି ଲୋଭନୀୟ ସାମଗ୍ରୀର ଦୀର୍ଘକାଳୀନ ବ୍ୟବହାର ଫୁସ୍‌ଫୁସ୍‌କୁ ପ୍ରଭାବିତ କରି କର୍କଟ ଭଳି ବିପଦର ଆଶଙ୍କା ସୃଷ୍ଟି କରେ ବୋଲି ଜଣାପଡ଼ିଛି। 

Advertisment

ଏ ସଂପର୍କିତ ଅଧ୍ୟୟନ ଅନୁଯାୟୀ, ବଜାରରେ ଉପଲବ୍‌ଧ ଅନେକ ଜଣାଶୁଣା କମ୍ପାନିର ଲିପ୍‌ଷ୍ଟିକ୍‌ରେ ସୀସା, କ୍ୟାଡ୍‌ମିୟମ୍, କ୍ରୋମିୟମ୍, ବେରିଲିୟମ୍ ଓ ଥାଲିୟମ୍ ଭଳି କର୍କଟ ସୃଷ୍ଟିକାରୀ ଧାତୁ ଥାଏ। ଏପରିକି ପରୀକ୍ଷିତ ୯୬% ଲିପ୍‌ଷ୍ଟିକ୍‌ରେ ସୀସା, ୫୧%ରେ କ୍ୟାଡ୍‌ମିୟମ୍, ୯୦%ରେ ବେରିଲିୟମ୍ ଓ ୬୧%ରେ ଥାଲିୟମ୍ ରହିଛି। ଏହି ଧାତୁଗୁଡ଼ିକ ଚର୍ମ, ଖାଦ୍ୟଗ୍ରହଣ ବା ଶ୍ୱାସକ୍ରିୟା ମାଧ୍ୟମରେ ଶରୀରକୁ ଯାଇଥାଏ। ସୀସା ଏକ କର୍କଟ ସୃଷ୍ଟିକାରୀ ଧାତୁ ଓ ନ୍ୟୁରୋଟକ୍ସିନ୍‌ ହୋଇଥିବା ବେଳେ କ୍ୟାଡ୍‌ମିୟମ୍ ଏକ ଗ୍ରୁପ୍‌ ୧ ମାନବ କର୍କଟ ରୋଗ ସୃଷ୍ଟିକାରୀ ଧାତୁ। ଦୀର୍ଘସମୟ  ବ୍ୟବହାର କଲେ ଫୁସ୍‌ଫୁସ୍‌, ସ୍ତନ ଓ ଏଣ୍ଡୋମେଟ୍ରିଆଲ୍‌ କର୍କଟ ଆଶଙ୍କା‌ ସୃଷ୍ଟି ହୋଇଥାଏ। ଏହି କ୍ରମରେ କ୍ୟାଡ୍‌ମିୟମ୍‌ ଅତ୍ୟନ୍ତ କ୍ଷତିକାରକ ବୋଲି ବିଶେଷଜ୍ଞ ଡାକ୍ତର ଚେତାବନୀ ଦେଇଛନ୍ତି।

ଏହା ଫୁସ୍‌ଫୁସ୍‌ କର୍କଟ, ବୃକ୍‌କ କ୍ଷତି ଓ ଶ୍ୱାସକ୍ରିୟା ସମସ୍ୟା ସୃଷ୍ଟି କରେ। ଭାରତୀୟ ଔଷଧ ଓ ପ୍ରସାଧନ ସାମଗ୍ରୀ ଆଇନ ଏଗୁଡ଼ିକର ବ୍ୟବହାର ସୀମା ଧାର୍ଯ୍ୟ କରିଛି। ସେଥି ମଧ୍ୟରେ ୨୦ ପିପିଏମ୍‌ ପର୍ଯ୍ୟନ୍ତ ସୀସା ଏବଂ ୧୦୦ ପିପିଏମ୍‌ ପର୍ଯ୍ୟନ୍ତ ମୋଟ୍‌ ଭାରୀ ଧାତୁ(ସୀସା ବ୍ୟତୀତ) ବ୍ୟବହାର ହୋଇପାରିବ। ତଥାପି ଲିପ୍‌ଷ୍ଟିକ୍ ଉତ୍ପାଦନରେ କ୍ୟାଡ୍‌ମିୟମ୍ ଭଳି କିଛି ଧାତୁ ପାଇଁ ସ୍ପଷ୍ଟ ଭାବେ ନିର୍ଦ୍ଦିଷ୍ଟ ସୀମା ଧାର୍ଯ୍ୟ କରାଯାଇନାହିଁ। ତେବେ ଏ ବାବଦରେ ତନଖି ବ୍ୟବସ୍ଥା ଅତି ଦୁର୍ବଳ ଏବଂ ନିର୍ମାତାମାନେ ପ୍ରକୃତସ୍ତର ପ୍ରକାଶ କରିବାକୁ ବାଧ୍ୟ ନୁହନ୍ତି। ତେଣୁ ବିଷାକ୍ତ ରାସାୟନିକ ଲିପ୍‌ଷ୍ଟିକ୍‌ ବଦଳରେ ପ୍ରାକୃତିକ  ଉପାଦାନରେ ତିଆରି ଲିପ୍‌ଷ୍ଟିକ୍‌ ଶ୍ରେୟସ୍କର ବୋଲି ଡାକ୍ତରମାନେ କହିଛନ୍ତି।