ଇଣ୍ଡୋନେସିଆର ବାଲିସ୍ଥିତ ନ୍ୟାଙ୍ଗ୍ନ୍ୟାଙ୍ଗ୍ ଉପକୂଳରେ ଶୋଭା ପାଉଥିବା ଏକ ଅଭିନବ ବାସଗୃହ ଏବେ ଚର୍ଚ୍ଚାର ବିଷୟ ହୋଇଛି। ଏକ ବୋଇଂ ୭୩୭ ବିମାନର ରୂପାନ୍ତରଣରେ ‘ପ୍ରାଇଭେଟ୍ ଜେଟ୍ ଭିଲ୍ଲା’ ନାମକ ଏହି ବିଳାସମୟ ବାସଭବନଟି ନିର୍ମାଣ କରାଯାଇଛି। ବିମାନଟିର ସମଗ୍ର କ୍ୟାବିନ୍ ଇଲାକାକୁ ନୂତନ ରୂପ ଦେଇ ସେଥିରେ ଯାବତୀୟ ବିଳାସ ସାମଗ୍ରୀ ସମ୍ବଳିତ ଏକାଧିକ ଶୀତତାପ ନିୟନ୍ତ୍ରିତ ଶୟନକକ୍ଷ ସମେତ ଏକ ଅତ୍ୟାଧୁନିକ ଶରୀର ମର୍ଦ୍ଦନ କେନ୍ଦ୍ର(ଜାକୁଜି) ଗଢ଼ାଯାଇଛି। ଜିଓମେଟ୍ରିଅମ୍ ଷ୍ଟୁଡିଓ ଦ୍ବାରା ରୂପରେଖ ପ୍ରସ୍ତୁତ ହୋଇଥିବା ଏହି ଜେଟ୍-ଭିଲ୍ଲାଟି ସମୁଦ୍ର ପତ୍ତନରୁ ୪୯୨ ଫୁଟ୍ ଉଚ୍ଚରେ ଏକ ତୀଖ କଡ଼ରେ ଝୁଲି ରହିଲା ପରି ଦେଖାଯାଉଛି। ଉକ୍ତ ବିମାନଟି ପୂର୍ବରୁ ଇଣ୍ଡୋନେସିଆରେ ଯାତ୍ରୀସେବା ଯୋଗାଇ ସେବାରହିତ ହେବା ପରେ ତାହାକୁ ଏପରି ନୂତନ ଉପାୟରେ ବ୍ୟବହାର କରାଯାଇଛି। ବିମାନର ଭିତର ବର୍ତ୍ତୁଳ ପାର୍ଶ୍ବକୁ ଖାପ ଖାଇଲା ଭଳି ନୂତନ ଶୈଳୀର ଆସବାବପତ୍ର ସବୁ ଖଞ୍ଜାଯାଇଛି। ଏଥି ସହିତ ଏହାର ପୃଷ୍ଠଭାଗରେ ଗୋଲାକାର ଶୌଚାଳୟ, ଭୋଜନ କକ୍ଷ ଓ ଅନ୍ୟାନ୍ୟ ଚଳଣି ସ୍ଥାନ ରହିଛି। ବିମାନର ମୂଳ ଦରଜା ଓ ଝରକା ବାଟେ ଭିତରକୁ ପ୍ରବେଶ କରୁଥିବା ପ୍ରାକୃତିକ ଆଲୋକର ସର୍ବାଧିକ ଉପସ୍ଥିତି ପାଇଁ ଏକାଧିକ ଆଇନା ଖଞ୍ଜାଯାଇଛି।
୨୦୨୦ ମସିହାରେ ପରିକଳ୍ପିତ ଏହି ଜେଟ୍-ଭିଲ୍ଲାର ନିର୍ମାଣ ୨୦୨୩ ଶେଷ ଭାଗ ଆଡ଼କୁ ସଂପୂର୍ଣ୍ଣ ହୋଇଥିଲା। ଛୁଟି କଟାଇବା ପାଇଁ ଉଦ୍ଦିଷ୍ଟ ଏହି ଅଭିନବ ଅତିଥିଭବନର ରାତ୍ରି ପିଛା ଦର ଚାହିଦା ଉପରେ ନିର୍ଭର କରି ୨,୦୦୦ ଡଲାର୍ରୁ ୫,୦୦୦ ଡଲାର୍ ରହିଛି। ଅତିଥିମାନେ ସେଠାରେ ସଡ଼କପଥରେ ବା ହେଲିକପ୍ଟର୍ ଯୋଗେ ପହଞ୍ଚିବା ପରେ ଉକ୍ତ ଅତିଥିଶାଳା ଭିତରକୁ ଏକ ଭାସମାନ ପାହାଚଶ୍ରେଣୀ ଦ୍ବାରା ପ୍ରବେଶ କରିପାରିବାର ବ୍ୟବସ୍ଥା ହୋଇଛି। ବିମାନର ଡେଣା ଦୁଇଟି ବାଲ୍କୋନି ପରି କାମ ଦେଉଛି ଯେଉଁଠାରୁ ଅତିଥିମାନେ ବାହାରର ପ୍ରାକୃତିକ ଶୋଭା ଉପଭୋଗ କରିପାରିବେ।