ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲାରେ ପ୍ରତିବର୍ଷ ଶିଳ୍ପାୟନ ନାଁରେ ହଜାର ହଜାର ଗଛ ବଳି ପଡ଼ୁଥିବା ବେଳେ ପ୍ରାକୃତିକ ଜଙ୍ଗଲକୁ ଜଗି ରହିଛନ୍ତି ଠାକୁରାଣୀ। ଏଭଳି ଏକ ସ୍ଥାନ ହେଉଛି ଲଇକେରା ବ୍ଲକ୍ ପାକେଲପଡ଼ା ପଞ୍ଚାୟତ କୁଅଁରମାଲରେ ଥିବା ମା’ ଅନ୍ଧାରୀ ବନଦୁର୍ଗାଙ୍କ ପୀଠ। କେଉଁ କାଳରୁ ଅନ୍ଧାରୀ ପାହାଡ଼ ଉପରେ ମା’ଙ୍କର ଆସ୍ଥାନ ରହିଥିବା ନେଇ ଲୋକଙ୍କର ବିଶ୍ବାସ ରହିଥିବା ବେଳେ ୯୦ ଦଶକରୁ ଏଠାରେ ମା’ ଅନ୍ଧାରୀ ବନଦୁର୍ଗାଙ୍କ ମୃଣ୍ମୟୀ ପ୍ରତିମା ପୂଜା ପାଇ ଆସୁଛନ୍ତି। ପ୍ରତିବର୍ଷ ଅଁଳାନବମୀ ତିଥିରେ ଏଠାରେ ୨ ଦିନ ଧରି ଯାତ୍ରା ହୋଇଥାଏ। ହଜାର ହଜାର ଶ୍ରଦ୍ଧାଳୁ ସମୁଦ୍ର ପତ୍ତନରୁ ୧୪୦୦ ଫୁଟ୍ ଉଚ୍ଚରେ ଥିବା ଅନ୍ଧାରୀ ପାହାଡ଼ର ଶୀର୍ଷକୁ ଚଢ଼ି ମା’ଙ୍କର ପୂଜାର୍ଚ୍ଚନା କରିଥାନ୍ତି। ସେବେଠାରୁ ଅନ୍ଧାରୀ ଜଙ୍ଗଲକୁ କୌଣସି ମାଫିଆ ହାତ ମାରିପାରିନଥିବା ବେଳେ ଏହା ପଛରେ ମା’ ଅନ୍ଧାରୀ ବନଦୁର୍ଗାଙ୍କର ଅଲୌକିକ ଶକ୍ତି ରହିଥିବା ବିଶ୍ବାସ କରାଯାଏ।
ଇତିହାସ ପୃଷ୍ଠାକୁ ଓଲଟାଇ ଦେଖିଲେ, ପୂର୍ବତନ କୋଲାବିରା ଜମିଦାରୀ ଅଧୀନରେ ଥିଲା ଅନ୍ଧାରୀ ସଂରକ୍ଷିତ ଜଙ୍ଗଲ। ବର୍ତ୍ତମାନ ଏହା ଝାରସୁଗୁଡ଼ା ଜିଲ୍ଲା ଲଇକେରା ବ୍ଲକ୍ର ବାବୁଚିପିଡ଼ିହି ପଞ୍ଚାୟତରୁ କିର୍ମିରା ବ୍ଲକ୍ର ଝାରମୁଣ୍ଡା ପଞ୍ଚାୟତ ଯାଏ ପରିବ୍ୟାପ୍ତ। ଅନ୍ଧାରୀ ସଂରକ୍ଷିତ ଜଙ୍ଗଲ ଓ ଏହାକୁ ଲାଗି ରହିଥିବା ୧୫ଟି ଛୋଟ ବଡ଼ ଗାଁର ଗ୍ରାମ୍ୟ ଜଙ୍ଗଲ ମିଶି ମୋଟ ଜଙ୍ଗଲର ଆୟତନ ପ୍ରାୟ ୫ ହଜାର ଏକର ହେବ। ଭୌଗୋଳିକ ଦୃଷ୍ଟିରୁ ଅନ୍ଧାରୀ ଜଙ୍ଗଲର ପରିଧି ପ୍ରାୟ ୧୮ କିମି ଓ କ୍ଷେତ୍ରଫଳ ପ୍ରାୟ ୨୬ ବର୍ଗ କିମି। ଅନ୍ଧାରୀ ଜଙ୍ଗଲର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମା’ ଅନ୍ଧାରୀ। ପର୍ବତ ଶିଖରରେ ତାଙ୍କ ପୀଠ। ଜନ ମାନସରେ ମା’ ଅନ୍ଧାରୀଙ୍କ ପ୍ରତି ରହିଛି ପ୍ରଗାଢ଼ ଆସ୍ଥା। ଅନ୍ଧାରୀ ପର୍ବତର ଆଖପାଖ ଅଞ୍ଚଳରେ ଭୂତାତ୍ତ୍ବିକ ସର୍ବେକ୍ଷଣ କରିବା ପାଇଁ ୧୯୩୭ରେ ଅନ୍ଧାରୀ ପୀଠରେ ଏକ ବେଦି ନିର୍ମିତ ହୋଇଥିଲା। ତେବେ ଝାରସୁଗୁଡ଼ାରେ ଦ୍ରୁତ ଶିଳ୍ପାୟନ ପାଇଁ ଗୋଟିଏ ପରେ ଗୋଟିଏ ଜଙ୍ଗଲ ପଦା ହୋଇଚାଲିଥିଲା। ଏହି କ୍ରମରେ ୮୦ ଦଶକ ବେଳକୁ ଏହି ଅନ୍ଧାରୀ ଜଙ୍ଗଲ ବି ଏକ ଉଜୁଡ଼ା ଜଙ୍ଗଲ ପାଲଟି ଯାଇଥିଲା। ୯୦ଦଶକର ପ୍ରାରମ୍ଭରେ ସରକାରଙ୍କ ପ୍ରୋତ୍ସାହନରେ ବନ ସୁରକ୍ଷା ସମିତି (ଭିଏସ୍ଏସ୍) ଗଠନ କରାଯାଇଥିଲା। କିନ୍ତୁ ସରକାରଙ୍କ ଯୋଜନା ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ସମନ୍ବୟର ଅଭାବ ଯୋଗୁଁ ଏହି ଉଦ୍ୟମ ଫଳପ୍ରଦ ହୋଇ ପାରିନଥିଲା।
ଅନ୍ଧାରୀ ଅଞ୍ଚଳର ସମସ୍ତ ବନ ସୁରକ୍ଷା ସମିତିକୁ ଗୋଟିଏ ସୂତ୍ରରେ ବାନ୍ଧି ସାମଗ୍ରିକ ଭାବେ ଏହାର ସଂରକ୍ଷଣର ଆବଶ୍ୟକତା ଥିଲା। ଆଉ ଏହି ଉଦ୍ୟମ ପାଇଁ ଅଣ୍ଟା ଭିଡ଼ିଥିଲେ ସମ୍ବଲପୁର ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ଡ.ଧ୍ରୁବରାଜ ନାଏକ ଓ ପୁଅ ଇଂ.ସୁବ୍ରତ ନାଏକ। ଅନ୍ଧାରୀ ଜଙ୍ଗଲକୁ ଘେରି ରହିଥିବା ୧୫ଟି ଗାଁର ବନ ସୁରକ୍ଷା ସମିତିଗୁଡିକୁ ଏକତ୍ରିତ କରି ମା’ ଅନ୍ଧାରୀ ବନ ସୁରକ୍ଷା ସମିତି ମହାସଂଘ ଗଠନ କରାଯାଇଥିଲା। ୨୦୦୯ରେ ପୁଅ ଇଂ. ସୁବ୍ରତ ନାଏକଙ୍କ ମୃତ୍ୟୁ ପରେ ଏହି ବନ ସୁରକ୍ଷାର ମଙ୍ଗ ଧରିଥିଲେ ପୂର୍ବତନ କୁଳପତି ଡ. ନାଏକ। ପୂର୍ବତନ କୁଳପତି ଡ. ନାଏକଙ୍କର ଅକାଳ ବିୟୋଗ ପରେ ଏହି ଅଭିଯାନର ନେତୃତ୍ବ ନେଇଛନ୍ତି ସାନପୁଅ ଡ.ସୁଜିତ ନାଏକ। ଏହି ଉଦ୍ୟମର ଅଂଶବିଶେଷ ଭାବେ ୧୯୯୪ ମସିହାଠାରୁ ନିରବଚ୍ଛିନ୍ନ ଭାବେ ଅଁଳାଷ୍ଟମୀ ଦିନ ପର୍ବତ ଶିଖରରେ ଓ ଅଁଳା ନବମୀ ଦିନ ପର୍ବତ ପାଦଦେଶରେ ଯାତ୍ରା ମହୋତ୍ସବ ହୋଇଆସୁଛି।