ଭୁବନେଶ୍ବର: ଏବେ ସବୁଠି ପାର୍ବଣର ମାହୋଲ । ମାଆ ମନସ୍କ ପୃଥିବୀ, ମାଆଙ୍କୁ ଆବାହନ ଓ ଆପଣାପଣରେ ବାନ୍ଧି ରଖିବାର କେଉଁ ଆତ୍ମିୟତା ଦେଖିବାକୁ ମିଳୁଛି । ଦୁର୍ଗା ମାଆ ମଣ୍ଡପରେ, ପୀଠରେ ପୂଜା ପାଉଥିବା ବେଳେ ମାଆ ଭବାନୀ, ମାଆ ଜଗଦମ୍ବେ ଆମକୁ କେଉଁ ବାର୍ତ୍ତା ଦିଅନ୍ତି… କେଉଁ ପ୍ରେରଣା ଏବଂ ସେ କାହାର ପ୍ରତୀକ ବୋଲି ସୂଚନା ଦିଅନ୍ତି… ଦେବୀ ଦୁର୍ଗା ବି ଜଣେ ନାରୀ- ତେଣୁ ଜଗତଜନନୀ , ମହିଷାମର୍ଦ୍ଦିନୀ ମାଆ ଦୁର୍ଗା ନାରୀଙ୍କ ସମ୍ମାନ, ସୁରକ୍ଷା ଓ ନାରୀଙ୍କ ପ୍ରତିନିଧିତ୍ବର ପ୍ରତୀକ ସାଜି ଧରାବତରଣ କରନ୍ତି ଆଉ ଦିଅନ୍ତି ଅନେକ ବାର୍ତ୍ତା ।
ସମାଜ ସଂସ୍କାରକ ତଥା ଆଧ୍ୟାତ୍ମିକ ପ୍ରବଚକ ସ୍ବାମୀ ସୁଧାନନ୍ଦ ସରସ୍ବତୀ କନକ ନ୍ୟୁଜର ଶାରଦୀୟ ସାକ୍ଷାତକାର ଅବସରରେ ନିଜର ମତ ମନ୍ତବ୍ୟ ଦେଇ ମାଆ ଦୁର୍ଗା ଏବଂ ନାରୀଙ୍କ ମଧ୍ଯରେ ଥିବା ସାମଞ୍ଜସ୍ୟ କଥା ବଖାଣିଛନ୍ତି । ସ୍ବାମୀ ଜୀଙ୍କ କହିବା କଥା- ଭାରତୀୟ ସଂସ୍କୃତିରେ ମାତୃପୂଜନର ପରମ୍ପରା ବୈଦିକ ଯୁଗରୁ ରହିଆସିଛି । ଆମ ସଂସ୍କୃତିରେ ମାଆଙ୍କୁ ଅଧିକ ପ୍ରାଧାନ୍ୟ ଦେଇ ଆସିଛି । ପୁରୁଷଙ୍କୁ ପୂଜା କଲେ ଘରେ ଦେବତା ରୁହନ୍ତି ବୋଲି କୌଣସି ଶାସ୍ତ୍ରରେ କୁହାଯାଇନି କିନ୍ତୁ ନାରୀଙ୍କୁ ଯେଉଁଠି ପୂଜା କରାଯାଏ, ସମ୍ମାନ କରାଯାଏ ସେଠି ଦେବତା ବାସ କରନ୍ତି । ତେଣୁ ଶକ୍ତିର ଅଧିଷ୍ଠାତ୍ରୀ ଦେବୀ ଭାବେ ଏ ଦୁନିଆ ମାଆ ଦୁର୍ଗାଙ୍କୁ ପୂଜା କରେ । ଯେଉଁ ପୂଜା ବାର୍ତ୍ତା ଦିଏ କି- ନାରୀମାନେ ଅବଳା ନୁହଁନ୍ତି, ନାରୀମାନେ ଦୁର୍ବଳା ନୁହଁନ୍ତି, ନାରୀମାନେ ଅସହାୟ ନୁହଁନ୍ତି କି ନାରୀମାନେ ବୁଦ୍ଧିହୀନା ବି ନୁହଁନ୍ତି ।
ଅସତ୍ୟ ଉପରେ ସତ୍ୟର ବିଜୟ, ଅଧର୍ମ ଉପରେ ଧର୍ମର ବିଜୟ ଏବଂ ଔଦ୍ଧତ୍ୟ ଉପରେ ସମର୍ପଣର ବିଜୟ ହିଁ ଦୁର୍ଗାପୂଜା ଶିଖାଏ । ସମଗ୍ର ଦେବତାମାନେ ଯାହା କରିପାରିଲେନି ତାହା ଏକା ଦେବୀ ଦୁର୍ଗା କରିଦେଖାଇଲେ ଏବଂ ମହିକୁ ମହିଷାସୁର କବଳରୁ ମୁକ୍ତ କଲେ । ଅର୍ଥାତ ମହିଳାମାନେ ସର୍ବଶକ୍ତିମାନ, ସବୁ ଶକ୍ତିର କେନ୍ଦ୍ର ବୋଲି ଦୁର୍ଗା ପୂଜା ଆମକୁ ମନେପକାଇଦିଏ ।
ଅତୀତରେ ଆମେ ଦେଖିଛେ ମହିଷାସୁର ଭୁଲ କାମ କଲା ବୋଲି ତାର ନିପାତ ହେଲା, ଜଣେ ଦ୍ରୌପଦୀଙ୍କ ଅପମାନ ପାଇଁ ପୂରା କୌରବ କୂଳ ନାଶ ହେଲା, ସୀତାଙ୍କ ଅପମାନ ପାଇଁ ରାବଣର ବଂଶ ବିନାଶ ହେଲା । ତେଣୁ ଯୁଗେଯୁଗେ ନାରୀଙ୍କ ଉପରେ ଯିଏ କୁଦୃଷ୍ଟି ପକାଇଛି ତାର ବିନାଶ ହୋଇଛି ହେଲେ ବିଡମ୍ବନା ଆଜିର ସମାଜରେ ଯେଉଁମାନେ ଦୁର୍ଗାପୂଜା କରୁଛନ୍ତି ସେମାନଙ୍କ ମଧ୍ଯରେ ବି ଦାନବୀୟ ଓ ଦୈବୀ ଗୁଣଧାରୀ ରହିଛନ୍ତି ।
ବିନା ମହିଳାରେ ସଂସାରରେ ଆମେ ବଞ୍ଚିପାରିବା ନାହିଁ । ଆମକୁ ସ୍ନେହ ପାଇଁ ଭଉଣୀଟେ ଦରକାର। ସଂସାରକୁ ଆସିବାକୁ ମାଆଟେ ଦରକାର । ତେଣୁ ନିଜ ଭିତରର ଆସୁରିକ ପ୍ରବୃତ୍ତିକୁ ବିନାଶ କରି ମାତୃ ସମାଜ ପ୍ରତି ସମ୍ମାନର ଭାବନା, ଶ୍ରଦ୍ଧାର ଭାବନା ଏବଂ ପୂଜାର ଭାବନା ରହୁ ବୋଲି ସ୍ବାମୀଜୀ କହିଛନ୍ତି ।