ପୁରୀ: ଯେତେ ଗାଁ, ସେତେ ଦେବୀ। ଯେତେ ଦେବୀ, ସେତେ କାହାଣୀ। ଦୁର୍ଗା-ମାଧବ ଉପାସନା ଏ କ୍ଷେତ୍ରର ଅନନ୍ୟତା। ଷୋଳ ଶାସନରେ ଷୋଳପୂଜାର ପରମ୍ପରା ସ୍ବତନ୍ତ୍ର। ଶ୍ରୀକ୍ଷେତ୍ରର ଅଧିଶ୍ବରୀ ମା’ ବିମଳାଙ୍କ ନୀତିକାନ୍ତି ସହ ଷୋଳଶାସନ ଦେବୀଙ୍କ ରୀତିନୀତିରେ ସାମଞ୍ଜସ୍ୟ ଦେଖିବାକୁ ମିଳେ। ଶାସନ ଗ୍ରାମରେ ଷୋଳପୂଜା ବିଧି ବିଧାନକୁ ନେଇ ସ୍ବତନ୍ତ୍ର ପ୍ରସ୍ତୁତି ‘ଷୋଳ ଶାସନରେ ଷୋଳପୂଜା’ରେ ଏଥର କାଶୀ ଜଗନ୍ନାଥପୁର ଶାସନର ମା ଦୁର୍ଗାଙ୍କ ଷୋଳପୂଜା ବିଧିକୁ ନେଇ ଉପସ୍ଥାପନା। 

Advertisment

ଶାସନ ପରିସରରେ ମା’ ଗୋପୀନାଥ ଓ ଚନ୍ଦ୍ରଶେଖରଙ୍କ ସହ ଏକାଠି ପୂଜା ପାଉଥିଲେ ହେଁ ଷୋଳ ପୂଜାରେ ମା’ ଅନ୍ୟତ୍ର ପୂଜା ହୋଇଥାଆନ୍ତି। ସଙ୍ଖୁଡ଼ି ଭୋଗରେ ଆମିଷ ହେଉଥିବାରୁ ଷୋଳପୂଜାରେ ମା’ଙ୍କୁ ମନ୍ଦିର ସଂଲଗ୍ନ ଅନ୍ୟ ଏକ ଘରେ ପୂଜା କରାଯାଇଥାଏ। ସହସ୍ର କୁମ୍ଭ ଅଭିଷେକ କରାଯାଇ ମା’ଙ୍କୁ ସୁବାସିତ ଜଳରେ ସ୍ନାନ କରାଯାଇ ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲା। ମୁଖ୍ୟପୂଜକ ଭରତ ପାଢ଼ୀଙ୍କ କହିବା ମୁତାବକ, ସକାଳେ ବାଳଧୂପରେ ଚୁଡ଼ା, ଖଇ, ଫଳମୂଳ ଭୋଗ ହୁଏ। ମଧ୍ୟାହ୍ନରେ ଦ୍ବିପ୍ରହର ଧୂପରେ ସଙ୍ଖୁଡ଼ି ଭୋଗରେ ଭାତ, ଡାଲି, ମାଛ ବେସର ସହ ଏଣ୍ଡୁରି ଭୋଗ ହୁଏ। ରାତିରେ ଅନୁଷ୍ଠିତ ସଁ ଧୂପରେ ମଧ୍ୟ ସଙ୍ଖୁଡ଼ି ଭୋଗ ହୁଏ। ବିଶେଷ ଭାବେ ବଡ଼ଧରଣର ୧୬ଟି କାକରା ଭୋଗ କରାଯାଇଥାଏ। ମଧ୍ୟାହ୍ନରେ ସଙ୍ଖୁଡ଼ି ଧୂପ ଭୋଗ ଲାଗିବା ପରେ ମା’ଙ୍କୁ ବିଡ଼ିଆ ପାନ ଦିଆଯାଇଥାଏ। ପାନରେ ଗୁଆ, ଲବଙ୍ଗ ଓ ଅଳେଇଚ ଦେଇ ସ୍ବତନ୍ତ୍ର ବିଡ଼ିଆ ପାନ ପ୍ରସ୍ତୁତ କରାଯାଇ ମା’ଙ୍କୁ ସମର୍ପଣ କରାଯାଏ। 

କାଶୀ ଜଗନ୍ନାଥପୁର ଶାସନରେ ୧୪ ଘର ତଥା ହକରା ରହିଥିବା ବେଳେ ପ୍ରତିଟି ହକରା ପରିବାର ମା’ଙ୍କୁ ଦୁଆରି ଭୋଗ ଲାଗି କରିଥାଆନ୍ତି। ବାଳଭୋଗ ମହାଜନମାନଙ୍କ ଘରୁ ଆସିଥାଏ। ମଧ୍ୟାହ୍ନ ଭୋଗରେ ହେଉଥିବା ସଙ୍ଖୁଡ଼ି ଭୋଗ, ପୂଜାରି, ମହାପାତ୍ର, ବାରିକ, କାନ୍ଧିଆ, ନଈ ପୋଖରୀ ନିଲାମ ନେଉଥିବା ବ୍ୟକ୍ତି, ଧୋବା ଓ ଭୋଇ ସେବକମାନେ ନେଇଥାଆନ୍ତି। ମହାଜନ ଭୀମସେନ ମିଶ୍ରଙ୍କ କହିବା ଅନୁଯାୟୀ, ୧୨ଶହ ଖ୍ରୀଷ୍ଟାବ୍ଦରୁ ମା’ଙ୍କ ଆବିର୍ଭାବ ହୋଇଛି। ଗ୍ରାମରେ ଥିବା ମା’ କାଳିକାଙ୍କର ଚଳନ୍ତି ପ୍ରତିମା ମା’ ଦୁର୍ଗାଙ୍କ ନିକଟକୁ ଅଣାଯାଇ ଷୋଡ଼ଶ ଉପଚାରରେ ପୂଜାର୍ଚ୍ଚନା କରାଯାଏ। ମହାଷ୍ଟମୀରେ ସନ୍ଧି ପୂଜା ସହ ପାଣିକଖାରୁ ବଳି ପଡ଼ିଥାଏ। ନିଶାର୍ଦ୍ଧରେ ଏହି ପୂଜା କରାଯାଇଥାଏ। ମହାଷ୍ଟମୀ ଦିନ ସଙ୍ଖୁଡ଼ି ଭୋଗ ଓ କାକରା ଭୋଗ କାନ୍ଧିଆ ସେବକମାନଙ୍କର ପ୍ରାପ୍ୟ ହୋଇଥାଏ। ନବମୀ ଦିନ ଶାନ୍ତି ପଣା କରାଯାଇଥାଏ। ଦଶହରା ଦିନ ଭିତର ପୂଜା ଓ ବାହାର ପୂଜା ହେବାର ବିଧି ରହିଥାଏ। ଘର ଏରୁଣ୍ଡି ବନ୍ଧ ଭିତରେ ମହାଜନମାନେ ମା’ଙ୍କୁ ପୂଜା କରିଥାନ୍ତି ଏବଂ ଘର ବାହାରେ ପୂଜକ ପୂଜା କରିଥାଆନ୍ତି। ଦଶହରା ଦିନ କେବଳ ପିଠାପଣା ଭୋଗ ହୋଇଥାଏ।