ଜାଗୁଳାଈ: ଜାଗ୍ରତଗୌରୀ

ଶ୍ରାବଣ ଶୁକ୍ଳ ପଞ୍ଚମୀ ‘ଜାଗୁଳାଈ ପଞ୍ଚମୀ’ ଭାବରେ ଓଡ଼ିଶାରେ ପରିଚିତ। ଗ୍ରାମଦେବୀ ଜାଗୁଳାଈଙ୍କ ଅନୁସାରେ ଏହି ନାମ ହୋଇଛି। ପୂର୍ବେ ଓଡ଼ିଶାର ଗ୍ରାମାଞ୍ଚଳରେ ଏହିଦିନ ମାଆ ଜାଗୁଳାଈ ଗ୍ରାମର ଦ୍ୱାରେ ଦ୍ୱାରେ ବୁଲି ଚକୁଳିପିଠା ଭୋଗ ଖାଉଥିଲେ। ଏ ସଂପର୍କରେ ଗୋଟିଏ ଶିଶୁଗୀତରେ କୁହାଯାଇଛି- ‘ଜାଗୁଳାଈ ମା’ ପାଗୁଳାଈ! ସବୁ ଦିଅଁଙ୍କର ମାଆ / ବିରି ଚକୁଳି ଖାଇବୁ ଯେବେ ମୋ ଦୁଆରକୁ ଆ।” ଏବେ ଏହା ଅନେକ ମାତ୍ରାରେ ହ୍ରାସ ପାଇଥିଲେ ମଧ୍ୟ, ଓଡ଼ିଶାର ବିଭିନ୍ନ ସ୍ଥାନରେ ଜାଗୁଳାଈଙ୍କର ପ୍ରାଚୀନ ମୂର୍ତ୍ତି ଓ ମନ୍ଦିର ରହିଛି।

‘ଜାଗ୍ରତଗୌରୀ’ର ଅପଭ୍ରଂଶ ହେଉଛି ‘ଜାଗୁଳାଈ’। ଦେବୀ ପାର୍ବତୀଙ୍କର ଅନ୍ୟନାମ ‘ଗୌରୀ’। ‘ଲଳିତା ସହସ୍ରନାମ’ରେ ଥିବା ଦଶସହସ୍ର ନାମ ମଧ୍ୟରୁ ଏହି ନାମ ଗୋଟିଏ। ଶିବ ତାଙ୍କୁ ତପସ୍ୟାରୁ ଜାଗ୍ରତ କରିଥିବାରୁ ତାଙ୍କର ନାମ ‘ଜାଗ୍ରତଗୌରୀ’ ହୋଇଛି।

ଦେବୀ ପାର୍ବତୀ କିପରି ‘କାଳୀ’ରୁ ‘ଗୌରୀ’ ହେଲେ ତାହା ଏକ ରୋଚକ ପୌରାଣିକ ଉପାଖ୍ୟାନ। କଠୋର ତପସ୍ୟା କରି ପାର୍ବତୀ ଶିବଙ୍କୁ ପତି ରୂପେ ପାଇଥିଲେ। କିନ୍ତୁ ଶିବ ତାଙ୍କୁ ସର୍ବଦା ‘କାଳୀ’ ବୋଲି ସମ୍ବୋଧନ କରୁଥିଲେ। ସେଥିରେ ଦୁଃଖୀ ହୋଇ ସେ କଠୋର ତପସ୍ୟା କରି ବ୍ରହ୍ମାଙ୍କଠାରୁ ଗୋରୀ ହେବାର ବର ପାଇଲେ। ‘କାଳୀ’ରୁ ସେ ହେଲେ ‘ଗୌରୀ’। ଏହା ସୂଚାଏ ଯେ- ଯିଏ କାଳୀ ସେ ମଧ୍ୟ ଗୌରୀ। ଶରୀରର ବର୍ଣ୍ଣ ଭିନ୍ନ ହେଲେ ମଧ୍ୟ ମୂଳତଃ ଦୁହେଁ ଏକ।

ଓଡ଼ିଶାର ମନ୍ଦିରମାନଙ୍କରେ ଦୁଇପ୍ରକାରର ଗୌରୀ ମୂର୍ତ୍ତି ଦେଖାଯାଏ। ‘ଲଜ୍ଜାଗୌରୀ’ ମୂର୍ତ୍ତିରେ ଦେବୀ ଏକ ପଦ୍ମଫୁଲରେ ମୁହଁ ଢାଙ୍କିଥାଆନ୍ତି। ଅନ୍ୟ ମୂର୍ତ୍ତି ‘ଜାଗ୍ରତ ଗୌରୀ’। ସେ ବୃଷଭାରୂଢ଼ା। ଗାଆଁ ଗାଆଁରେ ସିନ୍ଦୂର ବିଲେପିତ ପଥରକୁ ମଧ୍ୟ ଲୋକେ ‘ଜାଗୁଳାଈ’ ରୂପେ ପୂଜା କରିଥାଆନ୍ତି।

ଭାଗବତର ଦଶମ ସ୍କନ୍ଧରେ ଏହାର ସୁନ୍ଦର ସୂଚନା ଅଛି। ଶ୍ରୀକୃଷ୍ଣ ଜନ୍ମପୂର୍ବରୁ ଯୋଗମାୟାଙ୍କୁ ଯାହା କହିଥିଲେ, ତାହା ହିଁ ଏହାର ମୂଳ ଆଧାର। ସେ କହିଥିଲେ-
“ପଞ୍ଚେ ହୋଇବୁ ତୁ ଯେ ଜାତ।
ଜଗତେ ହୋଇବୁ ବିଖ୍ୟାତ।
ଲୋକେ କରିବେ ତୋତେ ପୂଜା।
ଅନେକ ଦେବେ ବଳିଭୋଜା।
ଭକତେ ହୋଇବୁ ପ୍ରସନ୍ନ।
ଅନେକ ହେବ ତୋର ନାମ।”

ତେଣୁ ଜାଗୁଳାଈ ଓ ‘ବୁଢ଼ୀ ଜାଗୁଳାଈ’ ଆଦି ନାମରେ ଏହି ଦେବୀ ଓଡ଼ିଶାର ଉପକୂଳ ଜିଲାମାନଙ୍କରେ ପୂଜିତ ହେବା ଦେଖାଯାଏ।

ଡ଼କ୍ଟର ତୁଳସୀ ଓଝା

ସମ୍ବନ୍ଧିତ ଖବର