ବର୍ଷ ଥିଲା ୧୯୨୧। ଯାଜପୁର ଜିଲ୍ଲା ବିଂଝାରପୁରରେ ଘଟିଥିଲା ଭୟଙ୍କର ବନ୍ୟା। ରିପୋର୍ଟରେ ବନ୍ୟାଜନିତ କ୍ଷୟକ୍ଷତି କମ୍‌ ଦର୍ଶାଇବା ପାଇଁ ଦାୟିତ୍ବରେ ଥିବା ଯୁବ ମାଜିଷ୍ଟ୍ରେଟ୍‌ ଗୋପବନ୍ଧୁ ଚୌଧୁରୀଙ୍କୁ ଉପରିସ୍ଥ ଅଧିକାରୀ ନିର୍ଦ୍ଦେଶ ଦେଲେ। ସେ କିନ୍ତୁ ଏଥିରେ ରାଜି ହେଲେନି, ବରଂ ବିବେକର ଆହ୍ବାନରେ ଚାକିରି ଛାଡ଼ିଦେଲେ। ତାଙ୍କର ଏଭଳି ଦୁଃସାହସିକ ନିଷ୍ପତ୍ତିକୁ ସମସ୍ତେ ବିରୋଧ କଲେ, କେବଳ ଜଣଙ୍କୁ ଛାଡ଼ି। ସେ ହେଲେ, ତାଙ୍କ ସହଧର୍ମିଣୀ ତଥା ଓଡ଼ିଶାର ମା’ ଭାବେ ପରିଚିତ ମା’ ରମାଦେବୀ। ପରବର୍ତ୍ତୀ ସମୟରେ ଏହି ଦମ୍ପତି ଓଡ଼ିଶାର ରାଜନୈତିକ ଏବଂ ସାମାଜିକ ଆନ୍ଦୋଳନର ଅଗ୍ରଦୂତ ହୋଇଥିଲେ।

Advertisment

୧୮୯୯ ମସିହା ଡିସେମ୍ବର ୩ ତାରିଖରେ ସତ୍ୟଭାମାପୁର ଗାଁର ଗୋପାଳବଲ୍ଲଭ ଦାସ ଏବଂ ବସନ୍ତ କୁମାରୀ ଦେବୀଙ୍କ କୋଳ ମଣ୍ଡନ କରିଥିଲେ ରମାଦେବୀ। ବଡ଼ ବାପା ଥିଲେ ଉତ୍କଳ ଗୌରବ ମଧୁସୂଦନ ଦାସ। ମାତ୍ର ୧୫ବର୍ଷରେ ଗୋକୁଳାନନ୍ଦ ଚୌଧୁରୀଙ୍କ ପୁଅ ଗୋପବନ୍ଧୁ ଚୌଧୁରୀଙ୍କୁ ବିବାହ କରିଥିଲେ। ସୁଗୃହିଣୀ ଭଳି ପରିବାରର ସମସ୍ତ ଦାୟିତ୍ବ ପାଳନ କରୁଥିଲେ। ୧୯୨୧ ମସିହାରେ ସ୍ବାମୀ ଗୋପବନ୍ଧୁ ଚୌଧୁରୀ କଂଗ୍ରେସରେ ଯୋଗଦାନ ପରେ ସେମାନଙ୍କ ଜୀବନର ଗତିପଥ ବଦଳି ଯାଇଥିଲା। ୧୯୨୧ ମସିହା ମାର୍ଚ୍ଚ ୨୪ତାରିଖରେ କାଠଯୋଡ଼ି ନଦୀପଠାରେ ଅନୁଷ୍ଠିତ ଗାନ୍ଧୀଜୀଙ୍କ ଓଜସ୍ବିନୀ ଭାଷଣ ତାଙ୍କୁ ସତ୍ୟାଗ୍ରହୀ କରିଥିଲା। ଅଳଙ୍କାର ଏବଂ ମୂଲ୍ୟବାନ ପାଟବସ୍ତ୍ର ସ୍ବାଧୀନତା ସଂଗ୍ରାମ ପାଇଁ ଦାନ କରିଦେଇଥିଲେ। ୧୯୩୦ ମସିହା ଇଞ୍ଚୁଡ଼ି ଲବଣ ସତ୍ୟାଗ୍ରହରେ ଭାଗ ନେଇ ଦୁଇଟି ପର୍ଯ୍ୟାୟରେ ଜେଲ ଯାଇଥିଲେ।

ଏଣେ ସ୍ବାଧୀନତା ଆନ୍ଦୋଳନର ମୁଖ୍ୟ କେନ୍ଦ୍ର ଅଳକାଶ୍ରମରେ ରହି ଗାଁ-ଗାଁ ବୁଲି ଗାନ୍ଧୀବାଦର ପ୍ରଚାର କରିବା ସହିତ ସଫେଇ, କୁ-ସଂସ୍କାର ସମେତ ବିଭିନ୍ନ ପ୍ରକାର କାର୍ଯ୍ୟ କରୁଥିଲେ। ଅସ୍ପୃଶ୍ୟତା ନିବାରଣ, ନିଶା ନିବାରଣ କାର୍ଯ୍ୟରେ ଯୋଡ଼ି ହୋଇଥିଲେ। ୧୯୩୪ ମସିହା ଅଗଷ୍ଟ ୧୩ ତାରିଖ ବନ୍ୟା ପ୍ରଭାବିତ ବରି ଅଞ୍ଚଳରେ ଚୌଧୁରୀ ଦମ୍ପତି ଆଶ୍ରମ ପ୍ରତିଷ୍ଠା କରି ସେଠାରେ ରହିଯାଇଥିଲେ। ୧୯୪୨ରେ ଭାରତଛାଡ଼ ଆନ୍ଦୋଳନରେ ସେ ଦୁଇ ବର୍ଷ ଜେଲ୍‌ ଯାଇଥିଲେ। ୧୯୪୫ ମସିହାରେ ଦେଶର ଅନ୍ୟ ସ୍ଥାନ ଭଳି ଓଡ଼ିଶାରେ ଦଙ୍ଗା ନହେବା ପାଇଁ ରମାଦେବୀ ଯାତ୍ରା କରି ସାମ୍ପ୍ରଦାୟିକ ସଦ୍‌ଭାବନାର ବାର୍ତ୍ତା ଦେଇଥିଲେ। ସ୍ବାଧୀନତା ପରେ କ୍ଷମତା ରାଜନୀତିରେ ନ ରହି ଦ୍ବିତୀୟ ପର୍ଯ୍ୟାୟ ସଂଗ୍ରାମରେ ଲାଗି ପଡ଼ିଲେ।

ଭୂମିହୀନଙ୍କୁ ଜମିଦାନ ଉଦ୍ଦେଶ୍ୟରେ ବିନୋବା ଭାବେଙ୍କ ନେତୃତ୍ବରେ ଆୟୋଜିତ ଭୂଦାନ ଆନ୍ଦୋଳନରେ ଚୌଧୁରୀ ପରିବାର ସାମିଲ ହୋଇଥିଲା। ପ୍ରତ୍ୟେକ ବର୍ଗର ମଣିଷଙ୍କୁ ସେ ଏତେ ସ୍ନେହ ଦେଇ ଭଲ ପାଇଥିଲେ ଯେ ରାଉରକେଲା ସାମ୍ପ୍ରଦାୟିକ ଗଣ୍ଡଗୋଳ ଏବଂ ୧୯୬୪ ମସିହାର କଟକ ଛାତ୍ର ଆନ୍ଦୋଳନ ଗଣ୍ଡଗୋଳକୁ ରମାଦେବୀ ସମାଧାନ କରିଥିଲେ। ୧୯୭୫ ମସିହା ଜାରି ଜରୁରୀକାଳୀନ ସ୍ଥିତିକୁ ବିରୋଧ କରି ଶୋଭାଯାତ୍ରାର କରିଥିଲେ। ୧୯୮୫ ମସିହା ଜୁଲାଇ ୨୨ ତାରିଖରେ ମୃତ୍ୟୁ ପର୍ଯ୍ୟନ୍ତ ଓଡ଼ିଶା ଏବଂ ଜନତା ସେବାରୁ ନିବୃତ୍ତ କରିପାରିନଥିଲା। ବିଶିଷ୍ଟ ସାହିତ୍ୟିକ ଗୋପିନାଥ ମହାନ୍ତି ଭାଷାରେ ରମାଦେବୀ ଆଉ କେହି ନୁହନ୍ତି, ଧୂଳିମାଟିର ସନ୍ଥ।