ମଦ ଓ ବିଜୁବାବୁଙ୍କ ମାଡ଼ ତତ୍ତ୍ବ : ମଦୁଆ ସ୍ବାମୀମାନଙ୍କୁ ଛାଞ୍ଚୁଣିରେ ବାଡ଼େଇବାକୁ ପରାମର୍ଶ ଦେଇଥିଲେ

ଭୁବନେଶ୍ବର : ମଦ ଗରିବର ସଂସାର ଉଜାଡ଼ୁଛି। ନିରୀହ ଆଦିବାସୀଟିର ପରିବାରକୁ ଛାରଖାର କରୁଛି। ଅକାଳରେ ତାର ଜୀବନ ଚାଲିଯାଉଛି। ଆଉ ତାର ପିଲାମାନେ ବାପ ଛେଉଣ୍ଡ ହେଉଛନ୍ତି। ଏକଥା ବହୁ ପୂର୍ବରୁ ବୁଝିପାରିଥିଲେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ। ୧୯୯୦ରୁ ୧୯୯୫ ତାଙ୍କ ମୁଖ୍ୟମନ୍ତ୍ରୀତ୍ବ ସମୟରେ ୨୦ଟି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ଥିବା ଆଉଟ୍‌ ଷ୍ଟିଲ୍‌ ମଦ ଉତ୍ପାଦନ ଓ ବିକ୍ରି (ମହୁଲ ଫୁଲରୁ ତିଆରି) ଲାଇସେନ୍‌ସ୍‌ ଦେବା ବନ୍ଦ କରିଦେଇଥିଲେ। ବିଜୁ ବାବୁ ଜାଣିଥିଲେ ମଦ ପିଇବା ଆଦିବାସୀମାନଙ୍କ ସଂସ୍କୃତିରେ ରହିଛି। ମହୁଲ ଫୁଲରୁ ତିଆରି ମଦ ଓ ସଲପ ରସ ପିଇବା ସେମାନଙ୍କ ପରମ୍ପରାର ଅଂଶବିଶେଷ। କିନ୍ତୁ ବାହାର ରାଜ୍ୟର ମଦ ବେପାରୀ ଯେ, ନିରୀହ ଆଦିବାସୀଙ୍କୁ ନିଶା ଅଭ୍ୟସ୍ତ କରାଇ ସେମାନଙ୍କ ସମସ୍ତ ରୋଜଗାର ହଡ଼ପ କରି ନେଉଛନ୍ତି। ସେଥିପାଇଁ ୯୦ ଦଶକରେ ମେଳି କରି ମଦ ଭାଟି ଭାଙ୍ଗିବାକୁ ବିଜୁ ବାବୁ ଆଦିବାସୀ ମହିଳାମାନଙ୍କୁ ଆହ୍ବାନ ଦେବା ସହ ମଦୁଆ ସ୍ବାମୀମାନଙ୍କୁ ଛାଞ୍ଚୁଣିରେ ବାଡ଼େଇବାକୁ ପରାମର୍ଶ ଦେଇଥିଲେ।

ବିଜୁବାବୁଙ୍କ ଏହି ମାଡ଼ ଅନୁଭୁତି ବୟାନ କରି ପୂର୍ବତନ ଅବକାରୀ ମନ୍ତ୍ରୀ ତଥା ବିଜୁ ବାବୁଙ୍କ ସମୟରେ ପଞ୍ଚାୟତିରାଜ ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିବା ଦାମୋଦର ରାଉତ ରୋଚକ ତଥ୍ୟ କହିଛନ୍ତି। ଡାକ୍ତର ରାଉତ କହିଥିଲେ, ୧୯୯୪ ମସିହାରେ ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ବ୍ଲକର ଏକ ସ୍ଥାନରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଏକ ସଭା ଆୟୋଜନ କରାଯାଇଥିଲା। ସେ ସଭାକୁ ବିଜୁ ବାବୁଙ୍କ ସହ ସେ ନିଜେ ମଧ୍ୟ ଯାଇଥିଲେ। ସଭାସ୍ଥଳରେ ପ୍ରାୟ ୫ ହଜାର ମହିଳା ଓ ପୁରୁଷଙ୍କ ସମାଗମ ହୋଇଥିଲା। ସେମାନଙ୍କ ଭିତରୁ ପ୍ରାୟ ୭୦୦ ଆଦିବାସୀ ମହିଳା ଏକାଠି ମେଳି କରି ବସିଥିଲେ। ସଭାକାର୍ଯ୍ୟ ସାଙ୍ଗ ହେବା ପରେ ବିଜୁ ବାବୁ ମଞ୍ଚ ତଳକୁ ଓହ୍ଲାଇ ଆସି ସିଧାସଳଖ ଚାଲିଚାଲି ମହିଳାମାନେ ବସିଥିବା ସ୍ଥାନକୁ ଯାଇଥିଲେ। ବିଜୁ ବାବୁଙ୍କୁ ଅତି ନିକଟରେ ପାଇଥିବା ଦେଖି ସବୁ ଆଦିବାସୀ ମହିଳା ଠିଆ ହୋଇପଡ଼ିଲେ। ଜଣେ ୫୦ରୁ ୫୫ ବର୍ଷ ବୟସ୍କ ମହିଳାଙ୍କ କାନ୍ଧରେ ବିଜୁ ବାବୁ ହାତ ପକାଇ କହିଲେ ” ଆରେ ମା ତୁ ମୋତେ ଚିହ୍ନିଚୁ?” ମହିଳା ଜଣକ କହିଲେ, ” ହଁ ତୁ ପରା ଆମ ବିଜୁ ବାବୁ। ତତେ କଣ ଆମେ ଜାଣିପାରିବୁନି କି?” ପୁଣି ବିଜୁ ବାବୁ ପଚାରିଥିଲେ, “କଣ ତୁମମାନଙ୍କର ସୁବିଧା ଅସୁବିଧା କୁହ”। ତତ୍‌କ୍ଷଣାତ୍‌ ଆଉ ଜଣେ କମ୍‌ ବୟସର ମହିଳା କହିଥିଲେ ” ବାବୁ ଆମେ କାମକୁ ଯାଉଛୁ, ମାଇପି ଲୋକ ଯାହା ରୋଜଗାର କରୁଛୁ ଘର ଚଳୁଛି। ଆମ ମରଦ ବି କାମକୁ ଯାଉଛି, ହେଲେ ଯାହା ରୋଜଗାର କରୁଛି, ସେସବୁ ଟଙ୍କା ମଦ ଭାଟି ବାଲାକୁ ଦେଇ ମଦ ପିଇ ଦେଉଛି। ରାତିରେ ଘରକୁ ଆସି ଆମକୁ ବାଡ଼ଉଛି। କଣ କରିବୁ ବାବୁ ପିଲାଛୁଆ ଭଲ କରି ଗଣ୍ଡେ ଖାଇବାକୁ ପାଉନାହନ୍ତି।” ଏକଥା ଶୁଣି ବିଜୁ ବାବୁ ଟିକିଏ ଗମ୍ଭୀର ହୋଇ ରହିଗଲେ । କହିଲେ, “ହଉ ତମେମାନେ ଗୋଟିଏ କାମ କର। ମେଳି କରି ସମସ୍ତେ ଯେତେ ମଦ ଭାଟି ଅଛି ସବୁ ଭାଙ୍ଗ। ଆଉ ତମମାନଙ୍କ ମରଦ ମଦ ପିଇ ଘରକୁ ଆସିଲେ ସେମାନଙ୍କୁ ଛାଞ୍ଚୁଣିରେ ବାଡ଼ାଅ। ଯାହା ହବ ମୁଁ ବୁଝିବି।” ବିଜୁ ବାବୁଙ୍କ ମୁହଁରୁ ପେଟେଣ୍ଟ ମେଡିସିନ୍‌ କଥା ଶୁଣି ସେଠାରେ ଥିବା ଅନ୍ୟମନ୍ତ୍ରୀ ଓ ରାଜନେତାମାନେ ମୁହଁରେ ରୁମାଲ ଲଗାଇ ହସିଉଠିଲେ।

ପରେ ବିଜୁ ବାବୁଙ୍କ କଥା ଅନୁସାରେ ମହିଳାମାନେ ମଦ ଭାଟି ଭାଙ୍ଗିଲେ। ମୁଖ୍ୟମନ୍ତ୍ରୀଙ୍କ କଥା ଅନୁସାରେ ମହିଳାମାନେ ସିନା ମଦ ଭାଙ୍ଗିଦେଲେ। ହେଲେ ଆଇନ ଆଗରେ ସମସ୍ତେ ସମାନ। ଲାଇସେନ୍‌ସ୍‌ ପାଇଥିବା ମଦ ଭାଟି ମାଲିକମାନେ ସେମାନଙ୍କ ନାଁରେ ଥାନାରେ ଏତଲା ଦେଲେ। ଫଳରେ ଆନ୍ଦୋଳନକାରୀ ମହିଳା ଆଦିବାସୀଙ୍କ ନାଁରେ ପୁଲିସ ମାମଲା ଦରଜ କଲା। କେତେଜଣଙ୍କୁ ମଧ୍ୟ ଥାନାରେ ଅଟକ ରଖାଗଲା। ଏହାକୁ ନେଇ ପ୍ରାୟ ୧୫ ଜଣ ଆଦିବାସୀ ମହିଳା ଓ ଜଣେ ପୁରୁଷ ଭୁବନେଶ୍ବର ଆସି ନବୀନ ନିବାସରେ ବିଜୁ ବାବୁଙ୍କୁ ଗୁହାରୀ କଲେ। ସବୁ ଶୁଣିବା ପରେ ବିଜୁ ବାବୁ ତତ୍କାଳୀନ ପୁଲିସ ଡିଜି ପ୍ରଫୁଲ୍ଲ ରଥଙ୍କୁ ଫୋନ୍‌ କରି ସବୁ ଆନ୍ଦୋଳନକାରୀ ମହିଳାଙ୍କୁ ଛାଡ଼ିଦେବା ପାଇଁ ନିର୍ଦ୍ଦେଶ ଦେଲେ। କହିଥିଲେ, ମଦଭାଟି ଭାଙ୍ଗିବା ପାଇଁ ମହିଳାମାନଙ୍କୁ ସେ ନିଜେ କହିଥିଲେ। ଏଥିରେ ପୁଲିସ ହସ୍ତକ୍ଷେପ କରିବା ଦରକାର ନାହିଁ। ବିଜୁ ବାବୁଙ୍କଠୁ ଅଭୟ ପାଇ ଆଦିବାସୀ ମହିଳା ଫେରିଗଲେ। ପରେ ସଚିବାଳୟ ଆସି ବିଜୁ ବାବୁ ଏକ ଉଚ୍ଚସ୍ତରୀୟ ବୈଠକ କରି ସବୁ ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ଥିବା ମଦ ଦୋକାନ ଓ ମଦ ଉତ୍ପାଦନ ପାଇଁ ପ୍ରଦାନ କରାଯାଇଥିବା ଲାଇସେନ୍‌ସ୍‌ ରଦ୍ଦ କରିବା ସହ ଆଉ ଆଉଟ୍‌ ଷ୍ଟିଲ୍‌ ଲାଇସେନ୍‌ସ୍‌ ପ୍ରଦାନ ବ୍ୟବସ୍ଥା ରହିବନି ବୋଲି ଘୋଷଣା କରିଥିଲେ। ଲାଇସେନ୍‌ସ୍‌ ଦିଆନଗଲେ ଅବକାରୀ ରାଜସ୍ବ କମିବ ବୋଲି ତତ୍କାଳୀନ ମୁଖ୍ୟ ଶାସନ ସଚିବ ରବି ନାରାୟଣ ଦାସ କହିବାରୁ ବିଜୁ ବାବୁ ଭୀଷଣ ବିରକ୍ତ ହୋଇଥିଲେ। କହିଥିଲେ, “ଗରିବ ଆଦିବାସୀଙ୍କ ରୋଜଗାର ଯିଏ ଛଡ଼େଇ ନଉଛି, ସେଭଳି ରାଜସ୍ବ ମୋର ଦରକାର ନାହିଁ।”

ଅବକାରୀ ବିଭାଗର ତଥ୍ୟ ଅନୁଯାୟୀ, ଏବେ ସମ୍ବଲପୁର, ବରଗଡ଼, ଝାରସୁଗୁଡ଼ା, ଦେବଗଡ଼, କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗୀର, ସୋନପୁର, ବୌଦ୍ଧ, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, ମାଲକାନଗିରି, ସୁନ୍ଦରଗଡ଼, ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ, ଗଞ୍ଜାମ, ଗଜପତି ଓ ଢେଙ୍କାନାଳ ଜିଲ୍ଲାରେ ୫୫୧ଟି ଆଉଟ୍‌ ଷ୍ଟିଲ୍‌ ମଦ ଉତ୍ପାଦନ ଓ ବିକ୍ରି କେନ୍ଦ୍ର ଖୋଲିଛି। ଏହାସହିତ ୧୪୫୮ଟି ଶାଖା ଦୋକାନ ମଧ୍ୟ ଏସବୁ ଜିଲ୍ଲାରେ ରହିଛି।

ସମ୍ବନ୍ଧିତ ଖବର