ଶ୍ରୀକ୍ଷେତ୍ର ପୁରୀର ପାରମ୍ପରିକ ଚନ୍ଦନଯାତ୍ରା ଶ୍ରୀଜଗନ୍ନାଥଙ୍କ ଦ୍ବାଦଶଯାତ୍ରା ମଧ୍ୟରୁ ଅନ୍ୟତମ। ଏହି ଯାତ୍ରାରେ, ଶ୍ରୀମନ୍ଦିରରୁ ମଣିବିମାନରେ ଶ୍ରୀମଦନମୋହନ, ଶ୍ରୀଦେବୀ ଓ ଭୂଦେବୀ ଚନ୍ଦନ ପୁଷ୍କରିଣୀ (ନରେନ୍ଦ୍ର ପୁଷ୍କରିଣୀ)କୁ ଚାପ ଖେଳିବା ନିମନ୍ତେ ଯାତ୍ରା କରିଥାନ୍ତି। ସାଙ୍ଗରେ ପାଲିଙ୍କିରେ ବିଜେ କରି ଯାଆନ୍ତି ରାମ ଓ କୃଷ୍ଣ। ନିଜ ନିଜର ବିମାନରେ ମଧ୍ୟ ପଟୁଆରରେ ବିଜେ କରିଥାଆନ୍ତି ଶ୍ରୀଯମେଶ୍ବର, ଶ୍ରୀଲୋକନାଥ, ଶ୍ରୀମାର୍କଣ୍ଡେଶ୍ବର, ଶ୍ରୀକପାଳମୋଚନ ଓ ଶ୍ରୀନୀଳକଣ୍ଠ। ଏମାନେ ଯଥାକ୍ରମେ ଯୁଧିଷ୍ଠିର, ଭୀମ, ଅର୍ଜୁନ, ନକୁଳ ଓ ସହଦେବ, ଅର୍ଥାତ୍ ପଞ୍ଚପାଣ୍ଡବ ଭାବରେ କଥିତ ହୁଅନ୍ତି।
ଏହି ଚନ୍ଦନଯାତ୍ରାର ବିଶେଷତ୍ବ ହେଉଛି- ଏଥିରେ ଚାପରେ ବିଜେ କରୁଥିବା ଶ୍ରୀଜଗନ୍ନାଥଙ୍କ ବିଜେ ପ୍ରତିମା ଶ୍ରୀମଦନମୋହନ ମଧୁସୂଦନ ରୂପେ କଥିତ ହୁଅନ୍ତି। କାରଣ, ଏହି ଯାତ୍ରା ବୈଶାଖ ଶୁକ୍ଳ ତୃତୀୟା ବା ଅକ୍ଷୟ ତୃତୀୟାରୁ ଆରମ୍ଭ ହୋଇଥାଏ, ଏବଂ ଭଗବାନ ବିଷ୍ଣୁ ବା ଶ୍ରୀଜଗନ୍ନାଥଙ୍କର ଏହି ମାସର ନାମ ମଧୁସୂଦନ। ପ୍ରାଚୀନ ଓଡ଼ିଆ ପଦ୍ୟସାହିତ୍ୟରେ ଚନ୍ଦନଯାତ୍ରାର ଶ୍ରୀମଦନମୋହନଙ୍କୁ ‘ଗୋପୀଚନ୍ଦନ’ ବା ଶ୍ରୀକୃଷ୍ଣ ଭାବରେ ମଧ୍ୟ ବର୍ଣ୍ଣନା କରାଯାଇଛି। ଗଜପତି ବୀରକିଶୋର ଦେବଙ୍କର ଗୋଟିଏ ରଚନାରେ କୁହାଯାଇଛି, ‘‘ଚାପେ ଦେଖ ଗୋ ମଧୁସୂଦନଙ୍କୁ, ଗୋପୀଚନ୍ଦନଙ୍କୁ।’’ ‘ଚୈତନ୍ୟ ଭାଗବତ’ରେ ତାହାଙ୍କୁ କୁହାଯାଇଛି ‘ଗୋବିନ୍ଦ’। ବର୍ଣ୍ଣନା ଅଛି, ‘‘ହେନକାଳେ ରାମ କୃଷ୍ଣ ଶ୍ରୀଯାତ୍ରା ଗୋବିନ୍ଦ / ଜଳକେଳି କରିବାରେ ଅଇଲା ନରେନ୍ଦ୍ର।’’
‘ସୂତ ସଂହିତା’ ଅନ୍ତର୍ଗତ ‘ନୀଳାଦ୍ରି ମହୋଦୟ’ ଶ୍ରୀଜଗନ୍ନାଥଙ୍କ ସେବା, ପୂଜା, ଯାତ୍ରା, ଉତ୍ସବ ଆଦି ବିଷୟକ ଏକ ମହତ୍ତ୍ବପୂର୍ଣ୍ଣ ଗ୍ରନ୍ଥ। ଏହାର ୩୬ତମ ଅଧ୍ୟାୟରେ ଚନ୍ଦନଯାତ୍ରାର ବର୍ଣ୍ଣନା ଅଛି। ଏହା ଅନୁସାରେ, ଚନ୍ଦନ ଯାତ୍ରାପାଇଁ ଆଜ୍ଞାମାଳ ପ୍ରଦାନ ନିମନ୍ତେ ଶ୍ରୀଜଗନ୍ନାଥଙ୍କୁ ପ୍ରାର୍ଥନା କରି କୁହାଯାଏ- ‘‘ହେ ପ୍ରଭୁ! ତୁମ୍ଭେ କ୍ରୀଡ଼ାରୁ ଜାତ ହେଉଥିବା ଆନନ୍ଦରସର ସାଗର। ହେ ଜଗତ୍ପତି, ଜଗତ୍ ଆହ୍ଲାଦକାରକ। ଏହି ଯାତ୍ରା ନିମନ୍ତେ କୃଷ୍ଣ, ମଦନଗୋପାଳ (ମଦନମୋହନ) ଶ୍ରୀଦେବୀ ଓ ଭୂଦେବୀଙ୍କୁ ଆଜ୍ଞା ଦିଅନ୍ତୁ।’’ ଏଣୁ ଚାପରେ ଚନ୍ଦନଯାତ୍ରାର ଏହି ଜଳକ୍ରୀଡ଼ା ଅତ୍ୟନ୍ତ ଆନନ୍ଦଦାୟକ। ଏହି ଯାତ୍ରାରେ ଶ୍ରୀମଧୁସୂଦନଙ୍କୁ ଦର୍ଶନ କଲେ ଆଉ ପୁନର୍ଜନ୍ମ ହୁଏ ନାହିଁ ବୋଲି ମଧ୍ୟ ଶାସ୍ତ୍ରୋକ୍ତି ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/05/16/JqrKihy5drhOnNzkbvmL.jpg)