ଫିଲ୍ମ ଦୁନିଆର ବ୍ୟକ୍ତିମାନଙ୍କ ମଧ୍ୟରୁ କିଛି ବ୍ୟକ୍ତି ତାଙ୍କୁ କହୁଥିଲେ ଟିଙ୍ଗା, ବଦ୍ରାଗୀ। ମାତ୍ର ସେଇ ଅନୁଶାସନରେ ସେ ହର ପଟ୍ଟନାୟକ, ସିଦ୍ଧାନ୍ତ ମହାପାତ୍ର, ରଚନା ବାନାର୍ଜୀ, ଅଶ୍ରୁମୋଚନ ମହାନ୍ତି, ରାଇମୋହନ ପରିଡ଼ାଙ୍କ ଭଳି କଳାକାରଙ୍କୁ ବ୍ରେକ୍ ଦେଇ ତାଙ୍କୁ ଗଢ଼ିଥିଲେ। ବିଶିଷ୍ଟ କଥାକାର ମନୋଜ ଦାସଙ୍କ ‘ଲକ୍ଷ୍ମୀର ଅଭିସାର’ରେ ସମୟ ଓ ଘରକୁ ନାୟକ ନାୟିକା ସଜେଇ ସେ ଚମତ୍କୃତ କରିଥିଲେ। ମନୋଜ ଦାସ ଏହି କୃତିତ୍ବ ପାଇଁ ତାଙ୍କୁ ଦିନେ ଇଡ୍କଲ୍ ପ୍ରେକ୍ଷାଳୟରେ କୁଣ୍ଢାଇ ପକାଇ ସାବାସୀ ଦେଇଥିଲେ। ଫକୀର ମୋହନ ସେନାପତିଙ୍କ ‘ଛ’ ମାଣ ଆଠ ଗୁଣ୍ଠ’କୁ ନେଇ ମଧ୍ୟ ସେ ଫିଲ୍ମ କରିଥିଲେ।
ସଂଗୀତ ପାଇଁ ପ୍ରାପ୍ୟ ନେଇନଥିଲେ
‘ଉଲ୍କା’ ସମେତ ଆଉ ୬ଟି ଫିଲ୍ମ ପରେ ସେ ସଂଗୀତ ନିର୍ଦେଶନା ଭାର ସମ୍ଭାଳି ବହୁ କାଳଜୟୀ ଗୀତ ଭେଟି ଦେଇଥିଲେ। ‘ଉଲ୍କା’ରେ ତାଙ୍କ ନିର୍ଦେଶିତ ‘ଅଭିମାନିନୀ ଅମାନିଆ ଢେଉ…ଆଜି ବି କାଳଜୟୀ ହୋଇ ରହିଛି। ଅକ୍ଷୟ ମହାନ୍ତି, ରାଧାକୃଷ୍ଣ ଭଞ୍ଜ, ଶାନ୍ତନୁ ମହାପାତ୍ରଙ୍କ ସହ କାମ କରିଥିବା ବେଳେ ବିଶିଷ୍ଟ ବଂଶୀ ବାଦକ ହରିପ୍ରସାଦ ଚୌରାସିଆଙ୍କୁ ବଂଶୀ ବାଦନ କରାଇଥିଲେ। ତେବେ ସଂଗୀତ ନିର୍ଦେଶନା ଦେଉଥିଲେ ହେଁ ସେ ବାବଦକୁ ସେ କେବେ ଟଙ୍କାଟିଏ ନିଅନ୍ତି ନାହିଁ ବୋଲି ସ୍ବୀକାର କରିଥିଲେ।