କୌଣସି ନିର୍ଦ୍ଦିଷ୍ଟ ଶବ୍ଦ ଅଥବା ଭୂମିକାରେ ତାଙ୍କର ବ୍ୟକ୍ତିତ୍ବକୁ ବର୍ଣ୍ଣନା କରିବା ଅସମ୍ଭବ। ସିଏ ଥିଲେ ଦେଶର ନାମକରା ଆଇନଜୀବୀ। ଲୋକେ ତାଙ୍କୁ କହୁଥିଲେ ମଧୁ ବାରିଷ୍ଟର। କିନ୍ତୁ ତା ସହିତ ସିଏ ଥିଲେ ସଂଗ୍ରାମୀ, ସମାଜ ସଂସ୍କାରକ। ସିଏ ଥିଲେ ଶିଳ୍ପପତି। ସିଏ ଥିଲେ ଜାତୀୟତା ଆନ୍ଦୋଳନର କର୍ଣ୍ଣଧାର। ଆଉ ମା’-ମାଟି-ମାତୃଭାଷା ପାଇଁ ଜୀବନର ସବୁକିଛି ଉତ୍ସର୍ଗ କରି ଦେଇଥିବା ଜଣେ ସ୍ବାଭିମାନୀ ପୁରୁଷ। କଟକ ଥିଲା ତାଙ୍କର ଜନ୍ମଭୂମି ଆଉ କର୍ମଭୂମି। କିନ୍ତୁ ତାଙ୍କର ପରିଚୟ ଏ ରାଜ୍ୟ, ଏ ଦେଶର ସୀମା ସରହଦ ଟପି ବିଦେଶରେ ବି ପରିବ୍ୟାପ୍ତ ଥିଲା। ସିଏ ଥିଲେ ଓଡ଼ିଶା ପ୍ରଦେଶ ଗଠନର ବିନ୍ଧାଣି। ସେ ଥିଲେ ଓଡ଼ିଆ ଜାତିର ମୁରବି। ସିଏ ଥିଲେ ଓଡ଼ିଆ ଭାଷାର ସଂରକ୍ଷକ। ସିଏ ଥିଲେ ଓଡ଼ିଆ ସ୍ବାଭିମାନ ସୁରକ୍ଷାର ଜାଗ୍ରତ ପ୍ରହରୀ। ସେଇଥି ପାଇଁ ତ ଶ୍ରଦ୍ଧା ଆଉ ସମ୍ମାନରେ ଏ ଜାତି ତାଙ୍କୁ କୁହେ କୁଳବୃଦ୍ଧ। ସେଇଥି ପାଇଁ ତ ସେ ଥିଲେ ଏ ମାଟିର ଗୌରବ। ଉତ୍କଳ ଗୌରବ ମଧୁସୂଦନ ଦାସ।
ଉତ୍କଳ ଜନନୀର ଏହି ମହାନ ସନ୍ତାନଙ୍କୁ ଜୟନ୍ତୀ ଅବସରରେ କୋଟି କୋଟି ପ୍ରଣାମ।
ପ୍ରସ୍ତୁତି: ସୁଶାନ୍ତ ସ୍ବାଇଁ, ଚୌଧୁରୀ ଅଶ୍ବିନୀ ଦାସ, ଜ୍ୟୋତି ପ୍ରକାଶ ମହାପାତ୍ର, ସାରଦା ପ୍ରସନ୍ନ ପଣ୍ଡା
ଶହେ ବର୍ଷ ତଳେ ମଧୁବାବୁଙ୍କୁ ଭେଟିଥିଲେ ମହାତ୍ମା ଗାନ୍ଧୀ
ଠିକ୍ ଶହେ ବର୍ଷ ତଳେ ୧୯୨୫ ମସିହାରେ ମହାତ୍ମା ଗାନ୍ଧୀ ଓ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଭେଟ ହୋଇଥିଲା। ୧୯୨୧ ମାର୍ଚ୍ଚ ୨୩ ତାରିଖରେ ଗାନ୍ଧୀଜୀଙ୍କ ପ୍ରଥମ ଓଡ଼ିଶା(କଟକ) ଗସ୍ତ ସମୟର କଥା। ସେଦିନ କଟକରେ ପହଞ୍ଚିବା ପରେ ଗାନ୍ଧୀ ପ୍ରଥମେ ବିନୋଦ ବିହାରୀ ପୂଜାମଣ୍ଡପରେ ଆୟୋଜିତ ସଭାରେ ଉଦ୍ବୋଧନ ଦେଇ ସ୍ବାଧୀନତା ସଂଗ୍ରାମ ପାଇଁ ମହିଳାଙ୍କୁ ସୁନା, ରୁପା ଗହଣା ମାଗିଥିଲେ। ବହୁ ମହିଳା ହାତ ଓ ବେକରୁ ଗହଣା କାଢ଼ି ଦାନ ଦେଇଥିଲେ। ଏହି ମହିଳାଙ୍କ ମଧ୍ୟରେ ଥିବା ମଧୁବାବୁଙ୍କ ଝିଆରୀ ମା’ ରମାଦେବୀ ଗାନ୍ଧୀଙ୍କୁ ଖଦି ସୂତା ଉପହାର ଦେଇଥିଲେ। ସୂତା ଦେଖି ଗାନ୍ଧୀଜୀ ଆଶ୍ଚର୍ଯ୍ୟ ହେବା ସହ ତାଙ୍କ ବିଷୟରେ ଜାଣିବାକୁ ଆଗ୍ରହ ପ୍ରକାଶ କରିଥିଲେ। ଏହି ଘଟଣାରୁ ଗାନ୍ଧୀଜୀ ମଧୁବାବୁଙ୍କ ବିଷୟରେ ଶୁଣିଲେ। ମଧୁବାବୁ ପଥର ଅରଟରେ ସୂତା କାଟୁଥିବା ଜାଣିବାକୁ ପାଇଲେ। ସେ ସମୟରେ ମଧୁବାବୁ କଂଗ୍ରେସ ଛାଡ଼ିଥିଲେ ଏବଂ ଉତ୍କଳ ଟ୍ୟାନେରି ସମେତ ତାରକସି କାରଖାନାରେ ବ୍ୟସ୍ତ ରହୁଥିଲେ। ମଧୁବାବୁଙ୍କ ବାସଭବନ (ଏବେର ଶୈଳବାଳା ମହିଳା କଲେଜ)ରେ ରହୁଥିଲେ। ୧୯୨୫ ଅଗଷ୍ଟରେ ଦ୍ବିତୀୟ ଓଡ଼ିଶା ଗସ୍ତରେ ମହାତ୍ମା ଗାନ୍ଧୀ ମଧୁବାବୁଙ୍କୁ ଭେଟିବାକୁ ଆସିଥିଲେ। ଗାନ୍ଧୀଜୀଙ୍କ ସହ ବିଶିଷ୍ଟ ବ୍ୟବସାୟୀ ରଙ୍ଗଲାଲ୍ ମୋଦୀ ମଧ୍ୟ ଆସିଥିଲେ। ଗାନ୍ଧୀଜୀ, ମଧୁବାବୁଙ୍କ ବାସଭବନରେ ଅଗଷ୍ଟ ୧୮ ଓ ୧୯ତାରିଖ ଦୁଇ ଦିନ ପାଇଁ ରହିଥିଲେ। ସେତେବେଳେ ଗାନ୍ଧୀଜୀ ଅସ୍ପୃଶ୍ୟତା ନିବାରଣ ଅଭିଯାନ ଚଳାଇଥିଲେ। ଆଲୋଚନା ପ୍ରସଙ୍ଗରେ ମଧୁବାବୁ ତାଙ୍କୁ ଉତ୍କଳ ଟ୍ୟାନେରି ପରିଦର୍ଶନ ପାଇଁ ଆମନ୍ତ୍ରଣ କରିଥିଲେ। ଉତ୍କଳ ଟ୍ୟାନେରି ଜେକେବିକେ, ଓଏମ୍ପି ଅଞ୍ଚଳରେ ୩୩ ଏକର ଜମିରେ ପ୍ରତିଷ୍ଠା ହୋଇଥିଲା। ଉତ୍କଳ ଟ୍ୟାନେରି ଚମଡ଼ା କସାଠୁ ଆରମ୍ଭ କରି ଚୂଡ଼ାନ୍ତ ଚମଡା ଉତ୍ପାଦ ନିର୍ମାଣ ପର୍ଯ୍ୟନ୍ତ କାର୍ଯ୍ୟରେ ବିଭିନ୍ନ ଜାତି, ଧର୍ମ, ବର୍ଣ୍ଣର ଲୋକ କାର୍ଯ୍ୟ କରୁଥିଲେ। ଗାନ୍ଧୀଜୀ ବୁଝିଗଲେ, ଉତ୍କଳ ଟ୍ୟାନେରି କେବଳ ଲୋକଙ୍କୁ ନିଯୁକ୍ତି ଦେଇ ନଥିଲା, ଏହା ଥିଲା ଅସ୍ପୃଶ୍ୟତା ନିବାରଣର ପ୍ରୟୋଗଶାଳା। ମଧୁବାବୁଙ୍କ ବ୍ୟକ୍ତିତ୍ବ, ଦୂରଦୃଷ୍ଟି, ଦେଶପ୍ରେମ ଗାନ୍ଧୀଜୀଙ୍କୁ ପ୍ରଭାବିତ କରିଥିଲା। ସାବରମତୀ ଆଶ୍ରମରେ ଉତ୍କଳ ଟ୍ୟାନେରି ଭଳି ଏକ କାରଖାନା ପ୍ରତିଷ୍ଠା ପାଇଁ ମଧୁବାବୁଙ୍କୁ ଗାନ୍ଧୀଜୀ ପ୍ରସ୍ତାବ ଦେଇଥିଲେ। ପରବର୍ତ୍ତୀ ସମୟରେ ନାରୀ ଶିକ୍ଷା ପାଇଁ ମଧୁବାବୁଙ୍କ ବାଳିକା ହାଇସ୍କୁଲ ପ୍ରତିଷ୍ଠା, ପାଳିତ କନ୍ୟା ସୁଧାଂଶୁବାଳା ହାଜରାଙ୍କୁ ଓକିଲାତି କରିବା ସୁଯୋଗ ଦେବା ଆଦି ବିଷୟରେ ଗାନ୍ଧୀଜୀ ଜାଣିବାକୁ ପାଇଲେ। ୧୯୨୭ମସିହା ସେବାଗ୍ରାମ ଶିକ୍ଷା ସମ୍ମିଳନୀରେ ଉଦ୍ବୋଧନ ଦେଇ ଗାନ୍ଧୀଜୀ କହିଥିଲେ, ୟୁରୋପରେ ଜଣେ ଲିଓ ଟଲଷ୍ଟୟ ଅଛନ୍ତି ଓ ଆଉ ଜଣେ ଲିଓ ଟଲଷ୍ଟଏ ଓଡ଼ିଶାରେ ରହୁଛନ୍ତି। ମଧୁବାବୁଙ୍କୁ ସେ ଲିଓ ଟଲଷ୍ଟୟ ଭାବେ ସମ୍ବୋଧନ କରିଥିଲେ। ୧୯୩୪, ଫେବ୍ରୁଆରି ୨୮ରେ ମଧୁବାବୁଙ୍କ ଦେହାନ୍ତ ପରେ ସେହିବର୍ଷ ମେ’ ୨୧ତାରିଖରେ ଗାନ୍ଧୀଜୀ ସତ୍ୟଭାମାପୁର ଜନ୍ମପୀଠକୁ ଆସି ରାତ୍ରିଯାପନ କରିଥିଲେ। କିନ୍ତୁ ସେ ଘରେ ନ ଶୋଇ ଛାତ ଉପରେ ମସିଣା ପକାଇ ଶୋଇଥିଲେ। ୧୯୨୫ ମସିହାରେ ଗାନ୍ଧୀଜୀ ଓ ମଧୁବାବୁଙ୍କ ସାକ୍ଷାତକୁ ମଧୁବାବୁଙ୍କ ନାତୁଣୀ ଅନ୍ନପୂର୍ଣ୍ଣା ମହାରଣା ‘ମୋଚି ଓ ତନ୍ତିଙ୍କ ସାକ୍ଷାତ’ ଭାବେ ଉଲ୍ଲେଖ କରିଛନ୍ତି। ୧୯୫୨ ମସିହାରେ ମଧୁବାବୁଙ୍କ ସତ୍ୟଭାମାପୁରସ୍ଥିତ ପୈତୃକ ଜମି ବିକ୍ରି କଥା ଉଠିବାରୁ ମଧୁବାବୁ ଓ ଗାନ୍ଧୀଙ୍କ ସ୍ମୃତି ବହନ କରୁଥିବା ଏହି ଜମିକୁ କେନ୍ଦ୍ରୀୟ ଗାନ୍ଧୀ ସ୍ମାରକୀନିଧି ୮୨ହଜାର ଟଙ୍କା ଦେଇ କିଣିଥିଲେ। ଡକ୍ଟର ରାଜେନ୍ଦ୍ର ପ୍ରସାଦ, ପଣ୍ଡିତ ନେହରୁ, ଅବୁଲ କଲାମ ଆଜାଦ୍ ପ୍ରମୁଖ ଟ୍ରଷ୍ଟି ଭାବେ ସ୍ମୃତିରକ୍ଷା ଉଦ୍ଦେଶ୍ୟରେ ଏହି ଜମି କ୍ରୟ କରିଥିଲେ।
କଟକ ସହର ଓ ମଧୁବାବୁ
କଲିକତାରେ ଉତ୍କଳ ଗୌରବ ମଧୁସୂଦନ ଦାସ ବିଏ, ଏମଏ, ବିଏଲ୍ ପଢ଼ି ସାରିବା ପରେ ଆଲିପୁର କୋର୍ଟରେ ଓକିଲାତି ଜୀବନ ଆରମ୍ଭ କରିଥିଲେ। ମାତ୍ର ଏହି କୋର୍ଟର ଓକିଲାତି ମଧୁବାବୁଙ୍କୁ ସନ୍ତୁଷ୍ଟ କରିପାରିନଥିଲା। ଏହି କାରଣରୁ କଲିକତା ହାଇକୋର୍ଟରେ ଓକିଲାତି କରିବା ପାଇଁ ସେ ବିଶିଷ୍ଟ ଇଂରାଜୀ ବାରିଷ୍ଟର ଜେ.ଟି. ଉଡ୍ରଫଙ୍କ ସହଯୋଗୀ ଓକିଲ ଭାବେ କାର୍ଯ୍ୟ କରୁଥିଲେ। ମାତ୍ର ତାଙ୍କ ସହଧର୍ମିଣୀ ସୌଦାମିନୀଙ୍କ ବିୟୋଗ ଓ ଓଡ଼ିଶାରେ ସେହି ସମୟରେ ଘଟୁଥିବା ବିଭିନ୍ନ ସାମାଜିକ ରାଜନୈତିକ ଘଟଣାରେ ବ୍ୟଥିତ ହୋଇ ୧୮୮୧ ସେପ୍ଟେମ୍ବର ମାସରେ ମଧୁବାବୁ କଲିକତା ଛାଡ଼ି କଟକ ଫେରି ଆସିଲେ। ମଧୁବାବୁଙ୍କ କଟକ ଆଗମନ ସମ୍ବାଦଟି ଉତ୍କଳ ଦୀପିକାରେ ଏହିଭଳି ଭାବେ ପ୍ରକାଶିତ ହୋଇଥିଲା, ‘ବିଧିବଦ୍ଧ ଭାବରେ ଓକିଲାତି ପାସ୍ କରିଥିବା ଜଣେ ଓଡ଼ିଆ ଓକିଲ କଟକ ଫେରିଆସିଛନ୍ତି। ଏଠା ଅଦାଲତରେ ସେ ଓକିଲାତି କରିବେ। ସେ ହେଲେ ବାବୁ ମଧୁସୂଦନ ଦାସ, ଚୌଧୁରୀ ରଘୁନାଥ ଦାସଙ୍କ ପୁଅ।’ ସେହି ଦିନଠାରୁ କଟକ ହୋଇଗଲା ମଧୁବାବୁଙ୍କ ସାଧନାର କ୍ଷେତ୍ର। ପ୍ରଥମେ ମଧୁବାବୁ କଟକର ବିହାରୀବାଗର ଏକ ଭଡ଼ା ଘରେ ରହୁଥିଲେ। ପରେ କଟକ ଚଣ୍ଡୀ ନିକଟସ୍ଥ ମିସନରୋଡ୍ରେ ତାଙ୍କ ବାସଗୃହ ନିର୍ମିତ ହୋଇଥିଲା। ଏହି କଟକ ସହରରେ ରହି ସେ ଓଡ଼ିଆ ଜାତିର ଭାଗ୍ୟ ଭବିଷ୍ୟତର ଜାତକ ତିଆରି କରିଥିଲେ। ୧୮୮୨ ମସିହାରେ ଓଡ଼ିଶାର ସର୍ବପ୍ରଥମ ରାଜନୈତିକ ଅନୁଷ୍ଠାନ ଉତ୍କଳ ସଭା ତାଙ୍କ ନେତୃତ୍ୱରେ ଗଠନ ହୋଇଥିଲା ଲର୍ଡ ରିପନଙ୍କ ସ୍ୱାୟତ୍ତଶାସନ ନିର୍ବାଚନରେ ଭାଗ ନେବା ପାଇଁ।
ମଧୁବାବୁଙ୍କ ଉଦ୍ୟମ ଫଳରେ ୧୮୮୫ ମସିହାରେ ଲେଫ୍ଟନାଣ୍ଟ ସାର୍ ରିଭସ ଥିମ୍ପସନ କଟକ ଆସି ପୁରୀର ନାବାଳକ ରାଜା ମୁକୁନ୍ଦ ଦେବଙ୍କୁ ରାଜ ସନନ୍ଦ ପ୍ରଦାନ କରିଥିଲେ। ଏହି ଦରବାର ଦେଖିବା ପାଇଁ ବାରବାଟୀ କିଲା ପାଖରେ ପିମ୍ପୁଡ଼ି ଧାର ପରି ଲୋକ ସମାଗମ ହୋଇଥିଲା। ସବୁ ଲୋକ କହୁଥିଲେ ମଧୁବାବୁ ଓକିଲଙ୍କ ପାଇଁ ୧୦ ବର୍ଷର ପୁଅ ଜଗନ୍ନାଥ ଜେନାମଣି ରାଜା ମୁକୁନ୍ଦ ଦେବ ହୋଇପାରିଥିଲେ। ଏହି କଟକରେ ମଧୁବାବୁ ଶିଳ୍ପ ବିପ୍ଳବର ସ୍ବପ୍ନ ସାକାର ପାଇଁ ଓଡ଼ିଶା ଆର୍ଟ ୱେରସ, ଉତ୍କଳ ଟ୍ୟାନେରୀ ପ୍ରତିଷ୍ଠା କରିଥିଲେ। ୧୮୮୬ ମସିହାରେ ମଧୁବାବୁ କଟକ ଲୋକାଲ ବୋର୍ଡର ଭାଇସ ଚେୟାରମ୍ୟାନ ଭାବେ ନିର୍ବାଚିତ ହୋଇଥିଲେ। ୧୯୦୩ ମସିହାରେ କଟକର ଇଦ୍ଗା ପଡ଼ିଆରେ ମଧୁବାବୁଙ୍କ ନେତୃତ୍ୱରେ ଉତ୍କଳ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏହି କଟକ ମାଟିରେ ୧୯୩୪ ମସିହା ଫେବ୍ରୁଆରି ୪ ତାରିଖରେ ମଧୁବାବୁ ଶେଷନିଶ୍ୱାସ ତ୍ୟାଗ କରିଥିଲେ। ଗୋରା କବର ଠାରେ କବର ଖୋଳା ହେଲା। ମଧୁବାବୁଙ୍କ କଫିନକୁ ଲୋକମାନେ ବୋହି ଆଣି କବର ଭିତରେ ରଖିଲେ। ମଧୁବାବୁଙ୍କ ଝିଆରୀ ରମା ଦେବୀ ପ୍ରଥମ ମାଟିମୁଠାକ ଦେବା ପରେ ଅନ୍ୟମାନେ ମାଟି ଦେଇ କଫିନକୁ ପୋତିଥିଲେ। ଏହି କାରଣରୁ କଟକ ସହର ହୋଉଛି ମଧୁବାବୁଙ୍କର ସାଧନା ଓ ସମାଧିର ସହର। ଆଜି ମଧ୍ୟ ମଧୁ ବାବୁଙ୍କ ଜୟନ୍ତୀ ଓ ଶ୍ରାଦ୍ଧ ଦିବସରେ କଟକରେ ଖୁବ ଉତ୍ସାହ ଉଦ୍ଦୀପନା ଦେଖାଯାଏ। ଗୋରା କବର ଠାରେ ‘ସମ୍ବାଦ’ ‘ଆମ ଓଡ଼ିଶା’ ପକ୍ଷରୁ ମଧୁ ଜୟନ୍ତୀ ପାଳନ ହେବା ସେହି ପୀଠକୁ ସ୍ୱତନ୍ତ୍ର ପରିଚୟ ଦେଇଛି। ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀରେ ରାଜଘାଟରେ ଯେପରି ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଆସି ଶ୍ରଦ୍ଧା ସୁମନ ଅର୍ପଣ କରୁଛନ୍ତି ସେହି ଭଳି ମଧୁବାବୁଙ୍କ ସମାଧି ପୀଠ ଗୋରା କବରକୁ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ଆସି ଶ୍ରଦ୍ଧା ସୁମନ ଅର୍ପଣ କଲେ ଏକ ନୂତନ ପରମ୍ପରା ସୃଷ୍ଟି ହୁଅନ୍ତା।
– ଦେବସ୍ନାନ ଦାସ
ଆଡଭୋକେଟ
ଓଡ଼ିଶା ହାଇକୋର୍ଟ
ଫୋନ୍: ୯୪୩୭୩୫୨୯୭୮
ଆଇନ ପେସାର ଅଭିଭାବକତ୍ୱ ଓ ମଧୁବାବୁ
ଏକବିଂଶତମ ଶତାବ୍ଦୀରେ ଆଇନ ପେସାରେ ନିରନ୍ତର ରୂପାନ୍ତରଣ ଚାଲିଛି। ସେତିକିବେଳେ ମଧୁ ଆଦର୍ଶ, ମଧୁ ବିଚାରର ମୌଳିକତା କିନ୍ତୁ ମଳିନ ପଡ଼ିନି। ଏହି ରୂପାନ୍ତରଣ ପ୍ରକ୍ରିୟା, ମଧୁବାବୁଙ୍କ ବ୍ୟକ୍ତିତ୍ୱକୁ ଆବଦ୍ଧ କରି ରଖିପାରି ନାହିଁ। ବରଂ ମଧୁ ଆଦର୍ଶର ପ୍ରାସଙ୍ଗିକତା ଆହୁରି ସୁସ୍ପଷ୍ଟ ହୋଇଛି। ଆଜି ଆଇନ ପେସାର ଅଭିଭାବକତ୍ୱଟି ଧୀରେ ଧୀରେ ହଜିବାରେ ଲାଗିଛି। ପେସାର ସ୍ୱାଧୀନତା, ମର୍ଯ୍ୟାଦା ଓ ସ୍ୱାଭିମାନ ସମ୍ପର୍କରେ ନୂଆ ପିଡ଼ିର ଓକିଲମାନେ ଅବଗତ ନଥିବା ବେଳେ ସେମାନେ ମଧୁବାବୁଙ୍କ ଜୀବନ ଦର୍ଶନ ପଢ଼ିବାର ଆବଶ୍ୟକତା ରହିଛି। କୋର୍ଟ କଚେରିର ପରିସୀମା ବାହାରେ ନିଜର ଆଇନ ଜ୍ଞାନକୁ ସମାଜ ପାଇଁ ବ୍ୟବହାର କରିବା କ୍ଷେତ୍ରରେ ମଧୁବାବୁ ଥିଲେ ଜଣେ ବିଚକ୍ଷଣ ଓ ପ୍ରତିଭାବାନ୍ ବ୍ୟକ୍ତିତ୍ୱ। କେବେ କାହାକୁ ପ୍ରଭାବିତ କରିବା ଅଥବା କୋର୍ଟ କଚେରିରେ ବିଚାରପତି ଦେଖି ଓକିଲାତି କରିବାର ସମ୍ପୂର୍ଣ୍ଣ ବିରୋଧୀ ଥିଲେ ମଧୁବାବୁ। ତାଙ୍କ ଭାବମୂର୍ତ୍ତି ଓ ସାଧୁତା ସମ୍ପର୍କରେ କଲିକତା ହାଇକୋର୍ଟର ଜଣେ ପୂର୍ବତନ ବିଚାରପତି ଏସ୍.ସି. ମଲ୍ଲିକ ଲେଖିଛନ୍ତି ଯେ ସେ ପାଞ୍ଚ ବର୍ଷ ଧରି ମଧୁବାବୁ ରହୁଥିବା ଘର ପାଖ ସରକାରୀ ବଙ୍ଗଳାରେ ରହୁଥିଲେ। ତାଙ୍କ ପତ୍ନୀଙ୍କ ସହିତ ମଧୁବାବୁଙ୍କ ପୋଷ୍ୟ କନ୍ୟା ଶୈଳବାଳାଙ୍କ ସମ୍ପର୍କ ଘନିଷ୍ଠ ଥିଲେ ମଧ୍ୟ ମଧୁବାବୁ କୌଣସି ଗୋଟାଏ ମକଦ୍ଦମାରେ ତାଙ୍କ କୋର୍ଟରେ କେବେ ଆସି ଜବାବ ସୁଆଲ କରିନଥିଲେ।
ମଧୁବାବୁ କାହିଁକି ତାଙ୍କ କୋର୍ଟକୁ ମକଦ୍ଦମା ପରିଚାଳନା ପାଇଁ ଆସୁନାହାନ୍ତି ଏହି ପ୍ରଶ୍ନଟି ପଚାରିବା ପାଇଁ ସେହି ବିଚାରପତି ତାଙ୍କ କାର୍ଯ୍ୟକାଳ ସମୟରେ ଅନେକ ସମୟରେ ମଧୁବାବୁଙ୍କୁ ଭେଟିଥିଲେ ମଧ୍ୟ ପ୍ରଶ୍ନ ପଚାରିବାକୁ ସାହସ ଜୁଟାଇ ପାରୁନଥିଲେ। ପରବର୍ତ୍ତୀ ସମୟରେ ଓଡ଼ିଶା ଛାଡ଼ିବା ପରେ ସେହି ବିଚାରପତି ଜାଣି ପାରିଥିଲେ ଯେ ଯଦିଓ ସେ ସମୟରେ ଅନେକ ମକଦ୍ଦମା ମଧୁବାବୁଙ୍କ ପାଖକୁ ଆସୁଥିଲା ଓ ମହକିଲମାନେ ଅଧିକ ଅର୍ଥ ଦେବାକୁ ପ୍ରସ୍ତୁତ ଥିଲେ, କିନ୍ତୁ ନ୍ୟାୟପାଳିକାର ଭାବମୂର୍ତ୍ତି ରକ୍ଷା ପାଇଁ ଓ ପେସାଗତ ସାଧୁତା ଦୃଷ୍ଟିରୁ ମଧୁବାବୁ ସେହି ମକଦ୍ଦମା ଗୁଡ଼ିକୁ ଗ୍ରହଣ କରିନଥିଲେ। ମଧୁବାବୁ କହୁଥିଲେ, ମୁଁ ବିଶ୍ୱାସ କରେ ନାହିଁ ଯେ ସମସ୍ତେ ମୋ ସପକ୍ଷରେ କହିବେ। ଯୀଶୁଙ୍କୁ କ୍ରୂଶବିଦ୍ଧ କରାଯାଇ ଥିବାବେଳେ ମଧୁବାବୁ ଯେ ଏଥିରୁ କିଭଳି ବାଦ୍ ପଡ଼ିବେ ବୋଲି ସେ ପ୍ରଶ୍ନ କରୁଥିଲେ। ୧୯୨୫ ମସିହାରେ ନିଜ ଘର ଓ ସମ୍ପତ୍ତି କୋର୍ଟ ମାଧ୍ୟମରେ ବିକ୍ରି ପାଇଁ ସମସ୍ତ ପ୍ରସ୍ତୁତି ସରିଥିଲେ ମଧ୍ୟ ମଧୁବାବୁ ନିଜେ ବିଚଳିତ ନହୋଇ ସେ ଭଗବାନଙ୍କ ନିକଟରେ ନିଜକୁ ସମର୍ପିତ କରିଥିଲେ। ଆଇନ ପେସାର ନେତୃତ୍ୱରେ ଏବେ ସଙ୍କଟ ଦେଖା ଦେଇଛି। ବରିଷ୍ଠ ଆଇନଜୀବୀମାନେ ନିଜ ପେସାଗତ ଜୀବନ ବ୍ୟତିରେକ ବାର୍ ଆସୋସିଏସନ୍ କିମ୍ବା ବାର୍ କାଉନସିଲର ନେତୃତ୍ୱ ନେବାକୁ ଉତ୍ସାହ ପ୍ରକାଶ କରୁନାହାନ୍ତି।
ମଧୁବାବୁଙ୍କ ସମ୍ପର୍କରେ ତାଙ୍କ ନିକଟରେ ୧୦ ବର୍ଷ ଧରି ଜୁନିୟର ଓକିଲ ଭାବେ କାମ କରିଥିବା ଗୋପାଳ ଚନ୍ଦ୍ର ପ୍ରହରାଜ ଲେଖିଛନ୍ତି, ଯେତେବେଳେ ସେ ସରକାରୀ ଓକିଲ ଭାବେ କାର୍ଯ୍ୟରେ ଯୋଗ ଦେଲେ ସେ ମଧୁବାବୁଙ୍କୁ ଏ କଥାଟି ଜଣାଇ ନଥିଲେ। ମଧୁବାବୁ, ଏକଥା ଜାଣିବା ପରେ କହିଲେ ‘ଗୋପାଳ, ତୁମେ ଏବେ ଓଡ଼ିଶା ପାଇଁ ମୃତ। ହୁଏତ ତୁମେ ଏବେ ଖୁବ୍ ପ୍ରଭାବଶାଳୀ ଓ ଧନୀ ହୋଇପାର କିନ୍ତୁ ଏ ଜାତି ପାଇଁ ଏବଂ ଓଡ଼ିଶା ମାଟି ପାଇଁ ତୁମର ଆଉ କୌଣସି ଆବଶ୍ୟକତା ରହିବ ନାହିଁ।’ କୌଣସି ଆଇନଗତ ବିଷୟବସ୍ତୁ ସମ୍ପର୍କରେ କୋର୍ଟର ରାୟ କିମ୍ବା ଆଇନଗତ ପୁସ୍ତିକାକୁ ସେ ନିଜେ ତନ୍ନ ତନ୍ନ କରି ଅର୍ଦ୍ଧରାତ୍ରି ପର୍ଯ୍ୟନ୍ତ ଅଧ୍ୟୟନ କରୁଥିଲେ। ଅନେକ ସମୟରେ ବହି ପଢୁପଢୁ ଟେବୁଲ ଉପରେ ଶୋଇ ପଢୁଥିଲେ।
ମଧୁବାବୁ ଅନେକ ସମୟରେ ଗୋପାଳ ପ୍ରହରାଜଙ୍କ ମୁହଁକୁ ଚାହିଁ କହୁଥିଲେ, ‘ମୁଁ ତୁମ ମୁହଁକୁ ଦେଖି ଆବଶ୍ୟକତାକୁ ଉପଲବ୍ଧି କରି ପାରୁଛି।’ ନିଜ ଜୁନିୟର ମାନଙ୍କୁ କଟକ ବାହାରର କୋର୍ଟକୁ ନେଇ ଗଲାବେଳେ ମଧୁବାବୁ ସେମାନଙ୍କ ସହିତ ରହିବା ଓ ଜୁନିୟରମାନେ ନ ଖାଇବା ପର୍ଯ୍ୟନ୍ତ ନିଜେ ଖାଉ ନଥିଲେ। ଗୋପାଳ ଚନ୍ଦ୍ର ପ୍ରହରାଜଙ୍କ ବାପା ତାଙ୍କ ପୁଅ ଆଇନଜୀବୀ ପେସାରେ ଯୋଗ ଦେବା ପୂର୍ବରୁ ମଧୁବାବୁଙ୍କ ଠାରୁ କିଛି ଅର୍ଥ ଋଣ ଆକାରରେ ନେଇଥିଲେ। ପରବର୍ତ୍ତୀ ଅବସ୍ଥାରେ ତାଙ୍କ ବାପା ସେହି ଅର୍ଥ ଫେରସ୍ତ ପାଇଁ ଯାଇଥିବା ବେଳେ ସେ ଅର୍ଥ ଆଇନଜୀବୀ ପେସାର ପ୍ରଥମ ଅବସ୍ଥାରେ ଆବଶ୍ୟକତା ହେଉଥିବା ଖର୍ଚ୍ଚ ବୋଲି କହି ତାଙ୍କୁ ଫେରାଇ ଦେଇଥିଲେ। ଆଇନ କ୍ଷେତ୍ରରେ ପେସାଗତ ନୈତିକତା ଜଣେ ଆଇନଜୀବୀ ଅନୌପଚାରିକ ଭାବେ ନିଜ ବନ୍ଧୁ ଓ ବରିଷ୍ଠ ଆଇନଜୀବୀ ଗୁରୁଙ୍କ ଠାରୁ ଶିଖିଥାଏ। କିନ୍ତୁ ସେଭଳି ଆଇନଜୀବୀଙ୍କ ସଂଖ୍ୟା ହ୍ରାସ ପାଉଛି। ବର୍ତ୍ତମାନ ସମୟରେ ମଧୁବାବୁଙ୍କ ଭଳି ଆଇନଜୀବୀଙ୍କ ଜୀବନଧାରଣର ମାନ ଓ ଆଦର୍ଶର ଅଧ୍ୟୟନ କରିବାର ଆବଶ୍ୟକତା ଅଛି। ମହକିଲଙ୍କ ପାଇଁ ମଧୁବାବୁଙ୍କ ଅବଦାନ ତାଙ୍କୁ ମାନବିକତାର ଉଦାତ୍ତ ବ୍ୟକ୍ତିତ୍ୱ ଭାବେ ପରିଗଣିତ କରିଛି।
– ବିଭୁପ୍ରସାଦ ତ୍ରିପାଠୀ
ବରିଷ୍ଠ ଆଇନଜୀବୀ
ସଭାପତି, ନିଖିଳ ଓଡ଼ିଶା ଆଇନଜୀବୀ ସଂଘ
ଫୋନ୍: ୯୪୩୭୦୧୨୪୬୦
ସ୍ଥିତି ଖୋଜୁଛି ମଧୁ ସଂଗ୍ରହାଳୟ
ଶୈଳବାଳା ସ୍ବ˚ୟଶାସିତ ମହିଳା କଲେଜ ପରିସରକୁ ଲାଗି ରହିଛି ମଧୁସୂଦନ ସ˚ଗ୍ରହାଳୟ। ମଧୁସୂଦନଙ୍କ ଘରର ଏକ ପାର୍ଶ୍ବକୁ ସ˚ଗ୍ରହାଳୟରେ ପରିଣତ କରାଯାଇଛି। ଏହାକୁ ୨୦୦୭ ମସିହାରେ ସର୍ବସାଧାରଣଙ୍କ ନିମନ୍ତେ ଉତ୍ସର୍ଗ କରାଯାଇଥିଲା। ମାତ୍ର ଏହା ମଧୢରେ ୧୮ବର୍ଷ ବିତି ଯାଇଥିଲେ ବି ଏହାର ପ୍ରଚାରପ୍ରସାର ପାଇଁ ସେଭଳି ଆଖିଦୃଶିଆ ପଦକ୍ଷେପ ନିଆଯାଇନାହିଁ। ସ˚ଗ୍ରହାଳୟରେ ମଧୁ ବାବୁ ବ୍ୟବହାର କରୁଥିବା, ଲୁଗା, ଚମଡ଼ା ଜୋତା ଓ ବ୍ୟାଗ, ଟୋପି, ପିତ୍ତଳ ଓ ମାର୍ବଲର ବାସନକୁସନ, କପ୍, ପ୍ଲେଟ୍, ଖଟ, ଟେବୁଲ, ଚୌକି, କଲମ ଓ ଦୁଆତ, ପୁରୁଣା ଗ୍ରନ୍ଥ ଓ ପୁସ୍ତକ, ହୋମିଓପାଥି ଔଷଧ ସରଞ୍ଜାମ ଆଦି ରହିଛି। ଏଥିସହ ତାଙ୍କ ଜୀବନଯାତ୍ରାର ଫଟୋଚିତ୍ର ଓ ପରିବାର ସଦସ୍ୟଙ୍କ ଫଟୋ ମଧୢ ଏଠାରେ ପ୍ରଦର୍ଶିତ କରାଯାଇଛି। ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ସଂଗ୍ରହାଳୟ ସମ୍ମୁଖ ପାଚେରିରେ ମଧୁବାବୁଙ୍କ ଚିତ୍ର ଅଙ୍କନ କରାଯାଇଛି। ଗତ ୧୮ବର୍ଷ ମଧୢରେ ୧୩ ହଜାର ୭ଶହରୁ ଅଧିକ ପର୍ଯ୍ୟଟକ ଏଠାକୁ ଆସିଥିବା ରେକର୍ଡ କହୁଛି। ପ୍ରତିଦିନ ୧୫ରୁ ୨୫ ଜଣ ପର୍ଯ୍ୟଟକ ସଂଗ୍ରହାଳୟକୁ ଆସୁଛନ୍ତି।
ଜନ୍ମଭୂମି ସଂଗ୍ରହାଳୟରେ ତାଲା
ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାର ସମୟରେ ମଧୁ ବାବୁଙ୍କ ପୀଠରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ୧ କୋଟି ୬୨ ଲକ୍ଷ ଟଙ୍କା ବ୍ୟୟରେ ମଧୁସୂଦନ ସଂଗ୍ରହାଳୟ ନିର୍ମାଣ ସହ ରସକୁଣ୍ଡର ପୁନରୁଦ୍ଧାର କରାଯାଇଥିଲା। କିନ୍ତୁ ଏଯାଏଁ ସଂଗ୍ରହାଳୟଟି ତାଲା ପଡ଼ି ରହିଥିବା ଦେଖିବାକୁ ମିଳିଛି।
ଜନ୍ମପୀଠରେ ପ୍ରଥମ ଥର ପାଳନ ହେଲା ରାଜ୍ୟସ୍ତରୀୟ ଓଡ଼ିଶା ଦିବସ
ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ମୁଖ୍ୟ ପୁରୋଧା ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମପୀଠ କଟକ ଜିଲ୍ଲା ସାଲେପୁର ବ୍ଲକ୍ ଅନ୍ତର୍ଗତ ସତ୍ୟଭାମାପୁର ଠାରେ ଚଳିତ ବର୍ଷ ଏପ୍ରିଲ ୧ ତାରିଖରେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଥମଥର ରାଜ୍ୟସ୍ତରୀୟ ଓଡ଼ିଶା ଦିବସ ପାଳନ କରାଯାଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମଧୁବାବୁଙ୍କ ଜନ୍ମମାଟି ସତ୍ୟଭାମାପୁରକୁ ଓଡ଼ିଆ ଜାତୀୟତାଭାବର କେନ୍ଦ୍ରସ୍ଥଳ ଭାବେ ବିକଶିତ କରାଯିବ ବୋଲି ଘୋଷଣା କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ୨୧କୋଟି ଟଙ୍କା ବ୍ୟୟରେ ହେବାକୁ ଥିବା ମଧୁସୂଦନ ଦାସଙ୍କ ଜନ୍ମସ୍ଥାନର ସମନ୍ୱିତ ବିକାଶ କାର୍ଯ୍ୟକ୍ରମର ଭିତ୍ତିପ୍ରସ୍ତର ରଖିଥିଲେ। ମଧୁବାବୁଙ୍କ ପୀଠର ହେବାକୁ ଥିବା ବିକାଶ କାର୍ଯ୍ୟକୁ ୪ଟି ପ୍ରକଳ୍ପରେ ବିଭକ୍ତ କରି ଯୋଜନା ପ୍ରସ୍ତୁତ ହୋଇଛି।