ଲକ୍‌ଡାଉନ୍‌ ଯୋଗୁ ‘ବ୍ୟବସାୟ ପାଇଁ ବହୁ କଷ୍ଟ ସହିବାକୁ ପଡ଼ୁଛି’ : ମଧୁସ୍ମିତା ଘଡ଼ାଇ-ପାତ୍ର

କେମିତି ଅଛନ୍ତି ପ୍ରବାସୀ ଓଡ଼ିଆ

‘ଟରୋଣ୍ଟୋ ସହରରେ ଆମର ଥିବା ପେଟ୍ରୋଲ୍‌ ପମ୍ପ ଓ ରେଷ୍ଟୁରାଣ୍ଟ ବିଜିନେସ୍‌କୁ ମୁଁ ପରିଚାଳନା କରୁଛି। ଏଠାରେ ପେଟ୍ରୋଲ ପମ୍ପ ଓ ରେଷ୍ଟୁରାଣ୍ଟ ଟେକ୍‌ଆଉଟ୍‌ (ସେଠି ବସି ଖାଇହେବ ନାହିଁ ମାତ୍ର ପାର୍ସଲ ନେଇ ହେବ)କୁ କାନାଡ଼ା ସରକାର ଅତ୍ୟାବଶ୍ୟକୀୟ ସାମଗ୍ରୀ ଭାବେ ଘୋଷଣା କରିଥିବାରୁ, ଲୋକମାନଙ୍କୁ ସୁବିଧା ଯୋଗାଇବା ପାଇଁ ମୋତେ ବହୁ କଷ୍ଟ କରିବାକୁ ପଡ଼ୁଛି,’ ବୋଲି କହିଛନ୍ତି ମଧୁସ୍ମିତା ଘଡ଼ାଇ-ପାତ୍ର।

ମଧୁସ୍ମିତା ସ୍ବାମୀ ଡ. ଜୟଦୀପ ପାତ୍ର ଓ ୮ ବର୍ଷର ପୁଅ ଅନ୍ବେଷ ସହିତ କାନାଡ଼ାର ଓଣ୍ଟାରିଓ ରାଜ୍ୟର ଟରୋଣ୍ଟୋ ସହରରେ ୧୧ ବର୍ଷ ଧରି ରହି ଆସୁଛନ୍ତି। ମୟୂରଭଞ୍ଜର ବାରିପଦା ହେଉଛି ତ‌ାଙ୍କ ଘର। ସ୍ବାମୀ ଡ. ଜୟଦୀପ ସେଣ୍ଟର୍‌ ଫର୍‌ ଅଡିକ୍ସନ ଆଣ୍ଡ୍‌ ମେଣ୍ଟାଲ ହେଲ୍‌ଥ (ସିଏଏମ୍‌ଏଚ)ରେ ରିସର୍ଚ୍ଚ ସାଇଣ୍ଟିଷ୍ଟ ଭାବେ କାର୍ଯ୍ୟ କରୁଛନ୍ତି। ପୁଅ ଗ୍ରେଡ୍‌-୨ରେ ପଢ଼ୁଛି। ମଧୁସ୍ମିତା ବର୍ତ୍ତମାନ କାନାଡ଼ାର କରୋନାଜନିତ ପରିସ୍ଥିତି ସମ୍ପର୍କରେ ‘ସମ୍ବାଦ’କୁ କହିଛନ୍ତି, ‘ ମାର୍ଚ୍ଚ ୧୭ ତାରିଖଠାରୁ କାନାଡ଼ାରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରାଯାଇଛି। ଲୋକମାନେ ଅତ୍ୟନ୍ତ ସଚେତନ ହୋଇଥିବାରୁ ଏହାକୁ କଡ଼ାକଡ଼ି ପାଳନ କରୁଛନ୍ତି। ସ୍ବାମୀ ଜୟଦୀପଙ୍କର ଘରୁ କାମ କରିବାର ସୁବିଧା ଅଛି। ମାତ୍ର, କାମ ପାଇଁ ମୋତେ ସପ୍ତାହକରେ ଦୁଇତିନି ଥର ବାହାରକୁ ଯିବାକୁ ପଡ଼ୁଛି। ମାତ୍ର, କୋଭିଡ-୧୯ ପାଇଁ ଅନେକ କର୍ମଚାରୀ କାମ ପାଇଁ ରାଜି ହେଉନାହାନ୍ତି। ସେଥିପାଇଁ କଷ୍ଟ ସହିବାକୁ ପଡ଼ୁଛି। ଯେଉଁମାନେ ଆସୁଛନ୍ତି, ସେମାନଙ୍କୁ ସାହାଯ୍ୟ କରୁଛୁ’।

‘ଲକ୍‌ଡାଉନ୍‌ ଯୋଗୁ ବହୁ ଲୋକଙ୍କୁ ବ୍ୟବସାୟରେ କ୍ଷତି ସହିବାକୁ ପଡ଼ୁଛି। ମାତ୍ର, କାନାଡ଼ା ସରକାର ଆର୍ଥିକ ସବ୍‌ସିଡି ଦେଇ ସେମାନଙ୍କୁ ସାହାଯ୍ୟ କରୁଛନ୍ତି। ବହୁଜଣ ଚାକିରି ବି ହରାଉଛନ୍ତି। ସେମାନଙ୍କୁ ମଧ୍ୟ ୪ ମାସ ପର୍ଯ୍ୟନ୍ତ ଆର୍ଥିକ ସହାୟତା କରୁଛନ୍ତି,’ ବୋଲି କହିଛନ୍ତି ମଧୁସ୍ମିତା।

ଏଥିସହିତ, କାନାଡ଼ା ଓ ଆମେରିକା ଭଳି ବିକାଶଶୀଳ ରାଷ୍ଟ୍ର ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ କରିନଥିଲାବେଳେ ଭାରତ ଓ ଓଡ଼ିଶା‌ ସରକାର ‌ନେଇଥିବା ଆଗୁଆ ପଦକ୍ଷେପକୁ ପ୍ରଶଂସା କରିଛନ୍ତି ମଧୁସ୍ମିତା।

(ଇ-ମେଲ୍‌ ଯୋଗେ ‘ସମ୍ବାଦ’କୁ ନିଜର ଅନୁଭୂତି ସମ୍ପର୍କରେ ବଖାଣିଛନ୍ତି ଟରୋଣ୍ଟୋରେ ରହୁଥିବା ମଧୁସ୍ମିତା ଘଡ଼ାଇ-ପାତ୍ର)

ସମ୍ବନ୍ଧିତ ଖବର