ଓଡ଼ିଆ ଅସ୍ମିତାର ପଟ୍ଟ-ପୁରୋଧା

କୈଳାସ ଚନ୍ଦ୍ର ଦାଶ

ଊନବିଂଶ ଶତକର ଶେଷ ପର୍ଯ୍ୟାୟ ଏବଂ ବିଂଶ ଶତକର ପ୍ରଥମ ତିନି ଦଶକରେ ଓଡ଼ିଶାରେ ନବ ଜାଗରଣ ଦେଖା ଦେଇଥିଲା। ଓଡ଼ିଆମାନେ ଏହି କାଳରେ ଆପଣାର ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ପ୍ରବଳ ଉଦ୍ୟମ କରିଥିଲେ। ସେମାନଙ୍କର ଜଣେ ଅଗ୍ରଣୀ ନେତା ତଥା ଓଡ଼ିଆ ଅସ୍ମିତା ସଂରଚନାର ଅବିସ୍ମରଣୀୟ ପାତ୍ର ଥିଲେ ମଧୁସୂଦନ ଦାସ। ୧୮୮୦ ଦଶକରୁ ମୃତ୍ୟୁ ପର୍ଯ୍ୟନ୍ତ ମଧୁସୂଦନ ଆପଣାର ଜୀବନକୁ ଆଧୁନିକ ଓଡ଼ିଶା ନିର୍ମାଣରେ ବିନିଯୋଗ କରିଥିଲେ। ପ୍ରତିବେଶୀ ବଂଗ, ବିହାର, ମଧ୍ୟ ପ୍ରଦେଶ ଏବଂ ମାନ୍ଦ୍ରାଜ ପ୍ରଦେଶ ସହିତ ମିଶି ରହିଥିବା ଓଡ଼ିଆଭାଷୀ ଅଞ୍ଚଳମାନଙ୍କୁ ଏକତ୍ର କରି ଏକ ଅଭିନବ ଓଡ଼ିଶା ଗଠନ ଥିଲା ତାଙ୍କର ମୌଳିକ ଲକ୍ଷ୍ୟ। ଏଥି ସହିତ ଓଡ଼ିଆମାନଙ୍କର ସାମାଜିକ, ଆର୍ଥନୀତିକ ତଥା ସାଂସ୍କୃତିକ ଜାଗରଣ ପାଇଁ ସେ ଅବିସ୍ମରଣୀୟ ଭୂମିକା ଗ୍ରହଣ କରିଥିଲେ। ମଧୁସୂଦନଙ୍କର ଓଡ଼ିଆ ଜାଗୃତି କାର୍ଯ୍ୟକ୍ରମ ସହିତ ସଂଯୋଜିତ ହୋଇଥିଲା ଉତ୍କଳ ସଭା ଓ ଉତ୍କଳ ସମ୍ମିଳନୀ ପରି କେତେକ ବିଶିଷ୍ଟ ଓଡ଼ିଆ ଜାତୀୟବାଦୀ ଅନୁଷ୍ଠାନ। ସେ ଥିଲେ ମୁଖ୍ୟତଃ ଓଡିଆ ନବ ଜାଗୃତିର ପଟ୍ଟ-ପୁରୋଧା।

୧୮୭୦ ଦଶକରେ ମଧୁସୂଦନ କଲିକତାରେ ଓଡ଼ିଆ କୁଲିମାନଙ୍କର ସମସ୍ୟା ସହିତ ସଂଯୋଜିତ ହୋଇଥିଲେ। ଜାତୀୟ ଗୌରବର ଅଭିବୃଦ୍ଧି ନିମିତ୍ତ କଲିକତା ବିଶ୍ବବିଦ୍ୟାଳୟର ଛାତ୍ର ରୂପେ ମଧୁସୂଦନ ଯାହା କରିଥିଲେ, ତହିଁରେ ତାଙ୍କ ଭବିଷ୍ୟତ ଜୀବନର ସୌରଭ ଓ ମାଧୁରୀ ଆଶାନୁରୂପ ଭାବରେ ଫୁଟିଉଠିଥିଲା। ଯେଉଁ ଓଡ଼ିଆ ଛାତ୍ରମାନେ ବିଶ୍ୱବିଦ୍ୟାଳୟର ଉଚ୍ଚ ଶ୍ରେଣୀମାନଙ୍କରେ ଅଧ୍ୟୟନ କରୁଥିଲେ, ସେମାନେ ସୁଦ୍ଧା ପରୀକ୍ଷାରେ ପ୍ରଶ୍ନାବଳୀର ଉତ୍ତର ଓଡ଼ିଆରେ ଲେଖିବାର ଅଧିକାରରୁ ବଂଚିତ ହୋଇ ରହିଥିଲେ। ଛାତ୍ର ମଧୁସୂଦନ ପ୍ରଥମେ ଏହି ଭାଷା ଓ ଲିପି ଦିଗରୁ ଓଡ଼ିଆର ଜାତୀୟତା ରକ୍ଷା କରିବା ପାଇଁ ଅଣ୍ଟାଭିଡ଼ି ବାହାରିଲେ। ତାଙ୍କର ନିର୍ଭୀକ ଉଦ୍ୟମ ଓ ଅଦମ୍ୟ ଚେଷ୍ଟା ଶେଷରେ ତାଙ୍କୁ ଜୟଯୁକ୍ତ କଲା ଏବଂ ପରୀକ୍ଷାରେ ଓଡ଼ିଆ ଲିପିରେ ଉତ୍ତର ଲେଖିବାର ଅଧିକାର ସେ ପାଇଲେ। ଖ୍ରୀଷ୍ଟଧର୍ମୀ ହୋଇ ମଧ୍ୟ ଓଡ଼ିଶାରେ ପୁରୀ ଜଗନ୍ନାଥ ମନ୍ଦିର ମାମଲାର ସମାଧାନ ପାଇଁ ତାଙ୍କର ଉଦ୍ୟମ ସଦା ବନ୍ଦନୀୟ। ପରବର୍ତ୍ତୀ ପର୍ଯ୍ୟାୟରେ ୧୮୮୨ ଠାରୁ ୧୮୯୦ ଦଶକରେ ସେ ଓଡ଼ିଆ ଜାତୀୟବାଦୀ ଅନୁଷ୍ଠାନ ଉତ୍କଳସଭା ମାଧ୍ୟମରେ ପ୍ରଥମେ ଓଡ଼ିଆ ସମସ୍ୟାର ସମାଧାନ ପାଇଁ ଉଦ୍ୟମ କରିଥିଲେ। ଉତ୍କଳ ସଭାର ସଦସ୍ୟ ତଥା ସଭାପତି ହିସାବରେ ମଧୁସୂଦନ ସମସ୍ତ ଓଡ଼ିଆ ଭାଷୀ ଅଞ୍ଚଳମାନଙ୍କୁ ବଙ୍ଗ ଅଧୀନରେ ରଖିବାକୁ ଉଦ୍ୟମ କରଥିଲେ। ସମ୍ବଲପୁରରେ ଓଡ଼ିଆ ଭାଷାର ସୁରକ୍ଷା ପାଇଁ ପ୍ରାଥମିକ ପର୍ଯ୍ୟାୟରେ ଯେଉଁ ଆନ୍ଦୋଳନ ମୁଣ୍ଡ ଟେକି ଉଠିଥିଲା, ସେଥିରେ ମଧୁସୂଦନଙ୍କର ଭୂମିକା ଅବିସ୍ମରଣୀୟ। ଉତ୍କଳ ସଭା ଏକ ସୀମିତ ଅନୁଷ୍ଠାନ ଥିବାରୁ ମଧୁସୂଦନ ଓଡ଼ିଆ ଭାଷାଭାଷୀ ଅଞ୍ଚଳମାନଙ୍କର ମିଶ୍ରଣ ପାଇଁ ଏକ ପ୍ରଶସ୍ତତର କର୍ମଭୂମି ଖୋଜି ୧୯୦୩ରେ ଉତ୍କଳ ସମ୍ମିଳନୀ ମାଧ୍ୟମରେ କାର୍ଯ୍ୟକ୍ରମ ସଂପ୍ରସାରିତ କଲେ। ଉତ୍କଳ ସମ୍ମିଳନୀ ମାଧ୍ୟମରେ ମଧୁସୂଦନ ପ୍ରଥମେ ଓଡ଼ିଆ ଜାତିର ଜୀବନରେ ଜାତୀୟ ଜାଗରଣର ଶୁଭ ସ୍ପନ୍ଦନ ଖେଳାଇ ଦେଇଥିଲେ। ଉତ୍କଳ ସମ୍ମିଳନୀ ଗଠନ କରି ଏବଂ ନିଜ ହାତରୁ ଅଜସ୍ର ଅର୍ଥ ବ୍ୟୟ କରି ସେ ରାଜା, ପ୍ରଜା, ଧନୀ, ନିର୍ଧନ-ଓଡ଼ିଆ ମାତ୍ରେ ସମସ୍ତଙ୍କ ଭିତରେ ଓଡିଆ ଅସ୍ମିତାର ନବଚେତନା ଅଣାଇଥିଲେ। ଉତ୍କଳ ସମ୍ମିଳନୀର ନବମ ଅଧିବେଶନ (୧୯୧୩ ଡିସେମ୍ବର)ରେ ସଭାପତି ହିସାବରେ ତାଙ୍କର ଅଭିଭାଷଣ ଓଡିଆ ଜାଗୃତିର ଏକ ପ୍ରଶସ୍ତ କ୍ଷେତ୍ର ତିଆରି କରିଥିଲା। ସେଥିରେ ସେ ଜାତୀୟ ଜୀବନର ସ୍ୱରୂପ ଆକଳନ କରିଥିଲେ। ନାନା ମତ ଓ ମନ୍ତବ୍ୟ ମାଧ୍ୟମରେ ଉତ୍କଳ ସମ୍ମିଳନୀ ସଭାପତି ଅଭିଭାଷଣ ତଥା ନାନା ନିର୍ଦ୍ଧାରଣମାନଙ୍କ ମାଧ୍ୟମରେ ସେ ଓଡିଆ ଅସ୍ମିତାର ସଂରଚନା କରିଥିଲେ। ୧୯୦୭ ଡିସେମ୍ବର ମାସର ‘ବନ୍ଦେ ମାତରମ୍‌’ ସାପ୍ତାହିକ ପତ୍ରିକାରେ ବିପ୍ଳବୀ ଅରବିନ୍ଦ ମଧୁସୂଦନଙ୍କ ନେତୃତ୍ୱରେ ଓଡ଼ିଆମାନେ କିପରି ସ୍ୱତନ୍ତ୍ର ଜାତୀୟ ଚେତନା ଲାଭ କରିଥିଲେ ତାହାର ସୂଚନା ଦେଇ ଲେଖିଥିଲେ- ଓଡ଼ିଆମାନଙ୍କର ନବ ସଂଗଠିତ ଜାତୀୟତାବାଦ ମଧୁସୂଦନଙ୍କ ପରି ସୁଦକ୍ଷ ଏବଂ ଉଚ୍ଚମନା ବ୍ୟକ୍ତିଙ୍କର ନିରବଚ୍ଛିନ୍ନ ଉଦ୍ୟମର ଫଳ। ଉତ୍କଳ ସମ୍ମିଳନୀର ମୁଖପତ୍ର ‘ଦି ଓଡ଼ିଆ’ ସଂପାଦନା କରି ମଧୁବାବୁ ଓଡ଼ିଆ ଅସ୍ମିତାର ସଂରଚନା ଓ ପରିପ୍ରସାର କରିଥିଲେ।

ଜାତୀୟ ଜାଗରଣ ତଥା ଓଡ଼ିଆଭାଷୀ ଅଞ୍ଚଳମାନଙ୍କର ସମ୍ମିଶ୍ରଣ ପାଇଁ ଦାବି ସହିତ ଓଡ଼ିଶାର ଆର୍ଥିକ ବିକାଶ ପାଇଁ ତାଙ୍କର ଅନ୍ତର ଆଲୋଡ଼ିତ ହୋଇଥିଲା। ସେଥିପାଇଁ ଉତ୍କଳ ଟ୍ୟାନେରି (ଚମଡା କାରଖାନା) ଏବଂ ଓଡ଼ିଶା ଆର୍ଟ ‌େୱୟାସ୍‍ (ତାରକସି ଶିଳ୍ପାଗାର) ନାମରେ ଦୁଇଟି ଅନୁଷ୍ଠାନ ନିଜ ହାତରୁ ପଇସା ଖର୍ଚ୍ଚ କରି ସେ କଟକରେ ସ୍ଥାପନ କରିଥିଲେ। ୧୮୯୮ ମସିହାରୁ ଓଡ଼ିଶା ଆର୍ଟ ୱେୟାର୍ସ କାର୍ଯ୍ୟ କରିବା ଆରମ୍ଭ କରିଥିଲା। ୧୯୦୦ ଖ୍ରୀଷ୍ଟାବ୍ଦରେ ଏହାର ଅଗ୍ରଗତି ଘଟିଥିଲା। ସେହିପରି ଉତ୍କଳ ଟ୍ୟାନେରି ୧୯୧୩ ଠାରୁ ୧୯୨୩ରେ ବେଶ୍‍ ଖ୍ୟାତି ଲାଭ କରିଥିଲା। ଏହିସବୁ ଅନୁଷ୍ଠାନମାନଙ୍କରେ ଉତ୍କଳୀୟ ଶିଳ୍ପକଳାର ପ୍ରସାର ଓ ପ୍ରଶସ୍ତି ବର୍ଦ୍ଧିତ ହେବା ସଂଗେ ସଂଗେ ବହୁ ନିର୍ଧନ ପରିବାର ମଧ୍ୟ ଜୀବିକା ଅର୍ଜନରେ ସମର୍ଥ ହୋଇଥିଲେ। ଦେଶ ଓ ଜାତିର ଜୀବନରେ ଏ ଦୁଇଟି ଅନୁଷ୍ଠାନର ପ୍ରଭାବ ପ୍ରକୃତରେ ଅପରିମେୟ। ଏହାଛଡ଼ା ଉତ୍କଳୀୟ ବସ୍ତ୍ରଶିଳ୍ପର ଉନ୍ନତି ଏବଂ ସ୍ୱଦେଶୀ ପ୍ରଚାର ଦିଗରେ ତାଙ୍କର ଯେଉଁ କାର୍ଯ୍ୟ ତାହା ଭାବିଲେ ବିସ୍ମିତ ହେବାକୁ ପଡ଼େ। ଖଦଡ଼ ପ୍ରଚାର କଳ୍ପନା ଯେତେବେଳେ ମହାତ୍ମା ଗାନ୍ଧୀଙ୍କର ମସ୍ତିଷ୍କରେ ସୁଦ୍ଧା ସ୍ଥାନ ପାଇ ନଥିଲା, ସେତେବେଳେ ସେ ଦେଶୀ ତନ୍ତରେ ଦେଶୀ ତନ୍ତୀମାନଙ୍କ ଦ୍ୱାରା ସୁନ୍ଦର ଲୁଗା ବୁଣାଇ ଦେଶ ସାରା ତାର ପ୍ରଚାର ଓ ବ୍ୟବହାର ପାଇଁ ତୁମୂଳ ଆନ୍ଦୋଳନର ସୂତ୍ରପାତ କରିଥିଲେ। ବିଦେଶୀ ବସ୍ତ୍ରର ପ୍ରତିଯୋଗିତାରେ ଏ ଦେଶର ତନ୍ତୀମାନେ ଏକ ପ୍ରକାର ହାତ ବାନ୍ଧି ବସିଥିଲେ କହିଲେ ଚଳେ, କିନ୍ତୁ ମଧୁବାବୁଙ୍କ ପ୍ରଗାଢ଼ ଯତ୍ନରେ ସେମାନଙ୍କ ହାତ ପୁଣି କାର୍ଯ୍ୟ ପାଇଥିଲା ଏବଂ ନଷ୍ଟପ୍ରାୟ ବସ୍ତ୍ରଶିଳ୍ପର ପୁନରୁଦ୍ଧାର ହୋଇଥିଲା। ୧୯୦୪ ମସିହାର ପ୍ରଥମ ସମବାୟ ଆଇନ ପ୍ରଣୟନର ଛଅ ବର୍ଷ ପୂର୍ବେ ୧୮୯୮ ମସିହାରେ ସମବାୟର ଜଣେ ଆଦ୍ୟ ପ୍ରବର୍ତ୍ତକ ମଧୁସୂଦନ ଦାସଙ୍କ ଦ୍ୱାରା ଭାରତର ଅନ୍ୟତମ ପ୍ରଥମ ସମବାୟ ସମିତି କଟକ କୋପରେଟିଭ୍‍ ଷ୍ଟୋର୍‍ ସ୍ଥାପନା ହୋଇଥିଲା। ଏହି ରୂପେ ସକଳ ଦିଗରୁ ସେ ଓଡ଼ିଶା ଓ ଓଡ଼ିଆର ଜାତୀୟ ଜୀବନ ଗଠନ କରିବାରେ ମନଃପ୍ରାଣ ବିନିଯୋଗ କରିଥିଲେ। ଯାଜପୁରର ବନ୍ୟା ଅଞ୍ଚଳ ଏବଂ ପରେ ଅନାବୃଷ୍ଟି ହେତୁ ଅନାହାରକ୍ଳିଷ୍ଟ ଜନସାଧାରଣଙ୍କର ଅବସ୍ଥାରେ ସେ ଏକାନ୍ତ ବ୍ୟଥିତ ହୋଇ ପ୍ରାଣରେ ସମବେଦନା ଅନୁଭବ କରିଥିଲେ। ବନ୍ୟା-ପ୍ରପୀଡ଼ିତ ଅଞ୍ଚଳର ଦୁର୍ଦଶା ଓ ଲୋକସାଧାରଣଙ୍କ ଦୁରବସ୍ଥା ଦେଖାଇବା ନିମନ୍ତେ ସେ ନେଭିନ୍‍ସନ୍‍ ସାହେବଙ୍କୁ ମଫସଲକୁ ଡାକି ଆଣିଥିଲେ ଏବଂ ତାଙ୍କ ସହିତ ବିଭିନ୍ନ ସ୍ଥାନରେ ବୁଲି ସକଳ ଦୁଃଖ ଦୁର୍ଦଶା ତାଙ୍କ ନିକଟରେ ବର୍ଣ୍ଣନା କରିଥିଲେ। ଜନ ସାଧାରଣଙ୍କର ମଙ୍ଗଳ ନିମିତ୍ତ ସବୁବେଳେ ସତେ ଯେପରି ତାଙ୍କର ହୃଦୟ କାନ୍ଦୁଥିଲା। ସେମାନଙ୍କର ଉନ୍ନତି ସାଧନ ନିମିତ୍ତ ତାଙ୍କରି ଉଦ୍ୟମ ଓ ଅର୍ଥ ବ୍ୟୟରେ ପ୍ରଜା ପ୍ରତିନିଧି ସଭା ନାମରେ ଗୋଟିଏ ଅନୁଷ୍ଠାନ ମଧ୍ୟ ସ୍ଥାପିତ ହୋଇଥିଲା।

ଛୋଟଲାଟ ସଭାଠାରୁ ଆରମ୍ଭ କରି ବଡ଼ଲାଟ ସଭାଯାଏ ସରକାରୀ ମହଲରେ ସକଳ କ୍ଷେତ୍ରରେ ସେ ସଭ୍ୟ ରୂପେ ଯେଉଁ ବିଚକ୍ଷଣତା ଦେଖାଇଥିଲେ, ତା ଦ୍ୱାରା ତାଙ୍କର ସମ୍ମାନ ଓ ମର୍ଯ୍ୟାଦା ବର୍ଦ୍ଧିତ ହେବା ସଂଗେ ସଂଗେ ଓଡ଼ିଆ ଜାତିର ଗୌରବ ମଧ୍ୟ ବୃଦ୍ଧିଲାଭ କରିଥିଲା। ମଣ୍ଟେଗୁ-ଚେମସ୍‍ଫୋର୍ଡ ପ୍ରବର୍ତ୍ତିତ ନୂତନ ଶାସନ ସଂସ୍କାର ଆଇନ ଭାରତରେ ପ୍ରଚଳିତ ହେଲା ପରେ ସେ ବିହାର-ଓଡ଼ିଶା ବ୍ୟବସ୍ଥାପକ ସଭାର ସଭ୍ୟ ରୂପେ ନିର୍ବାଚିତ ହୋଇଥିଲେ ଏବଂ ସରକାର ତାଙ୍କର ପ୍ରତିଭାରେ ଚମତ୍କୃତ ହୋଇ ତାଙ୍କୁ ମନ୍ତ୍ରୀ ପଦରେ ନିଯୁକ୍ତ କରିଥିଲେ। ସେ କେତେକ ବର୍ଷ ଏହି ପଦରେ ଥିଲେ, ସେହି କେତେକ ବର୍ଷ ଯେପରି ଦକ୍ଷତା ଓ ବିଚକ୍ଷଣତାର ସହିତ ଦେଶ ଓ ଜାତିର ମଙ୍ଗଳ ଉପରେ ଆଖି ରଖି ସେ କାର୍ଯ୍ୟ ପରିଚାଳନା କରିଥିଲେ, ତାହା ପ୍ରକୃତରେ କେବଳ ତାଙ୍କରି ଭଳି ଲୋକ ପକ୍ଷରେ ସମ୍ଭବପର। ତାଙ୍କ ଉଦ୍ୟମରେ ଯେତେ ଦେଶ ହିତକର ଅନୁଷ୍ଠାନ ଓଡ଼ିଶାରେ ଆତ୍ମ ପ୍ରକାଶ କରିଥିଲା, ସେ ସବୁର ସୃଷ୍ଟି ଓ ସ୍ଥିତି ପାଇଁ କେବେହେଲେ ପରର ଦ୍ୱାରସ୍ଥ ହୋଇନଥିଲେ, ନିଜ ହାତରୁ, ନିଜ ଅଣ୍ଟାରୁ ସହସ୍ର ସହସ୍ର ମୁଦ୍ରା ବ୍ୟୟ କରି ସେ ଦେଶର ସର୍ବାଙ୍ଗୀନ ଉନ୍ନତି ପାଇଁ ପଥ ଉନ୍ମୁକ୍ତ କରିଥିଲେ ଏବଂ ଭବିଷ୍ୟତ ବଂଶଧରମାନଙ୍କ ଆଖି ଆଗରେ ଉଚ୍ଚ ଆଦର୍ଶ ଉପସ୍ଥାପିତ କରିଥିଲେ।

ମଧୁସୂଦନ ଓଡ଼ିଶାର ସାଂସ୍କୃତିକ କାର୍ଯ୍ୟକ୍ରମକୁ ବ୍ୟବହାର କରି ଓଡ଼ିଆ ଅସ୍ମିତା ସଂରଚନା କରିଥିଲେ। ୧୯୧୭ ନଭେମ୍ବର ୧୦ରେ ଦଶହରା ଭସାଣି ଅବସରରେ ସେ କଟକର ଛାତ୍ରମାନଙ୍କୁ ଏକ ପଟଚିତ୍ର ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ପଟଚିତ୍ରରେ ବିଖଣ୍ଡିତ ଓଡ଼ିଶା ଅଙ୍କିତ ହୋଇଥିଲା। ଏଥିରେ ଏକ ଦିଗରେ ଉତ୍କଳ ମାତା ଏବଂ ଅନ୍ୟ ଦିଗରେ ତାହାଙ୍କର ନିର୍ବାସିତା କନ୍ୟା ମଧ୍ୟ ଅଙ୍କିତ ହୋଇଥିଲା। ଉଭୟ ପରସ୍ପରକୁ ଅନାଇ ରହିଥିଲେ। କିନ୍ତୁ କନ୍ୟାଟି ଅସହାୟା ରୂପେ ଅଙ୍କିତ ହୋଇଥିଲା। ଦୁର୍ଗା ମାତାଙ୍କ ଆଗରେ ଯୁବଦଳ ଏହି ପଟଚିତ୍ର ଦେଖାଇ ଜୟ ଉତ୍କଳ ଜୟ ବୋଲି ସ୍ଳୋଗାନ ଦେଇଥିଲେ। ସେହିପରି ୧୯୧୭ ଜୁଲାଇ ମାସ ପାର୍ଶ୍ବ ପରିବର୍ତ୍ତନ ଏକାଦଶୀ ଦିନ ମଧୁବାବୁଙ୍କ ନେତୃତ୍ୱରେ ଏକତ୍ର ଜନତା ଓଡ଼ିଆ ଜାତିର ପାର୍ଶ୍ବ ପରିବର୍ତ୍ତନ (ଏକତ୍ରୀକରଣ) ନ ହେବା ପର୍ଯ୍ୟନ୍ତ ପ୍ରତ୍ୟେକ ବର୍ଷ ସମବେତ ଉପବାସ ରଖିବାକୁ ଶପଥ ନେଇଥିଲେ। ଏଥିରୁ ମଧୁସୂଦନଙ୍କର ଓଡ଼ିଆ ଅସ୍ମିତା ସଂରଚନାର ନବ ଉଦ୍ୟମର ସୂଚନା ମିଳିଥାଏ।

ଜଗନ୍ନାଥଙ୍କୁ କେନ୍ଦ୍ର କରି ମଧୁସୂଦନ ମଧ୍ୟ ଓଡ଼ିଆ ନବଜାଗୃତିର ପ୍ରସାର କରାଇଥିଲେ। ୧୯୦୦ ମସିହା ଡିସେମ୍ବର ମାସରେ ମଧୁବାବୁ ଲର୍ଡ କର୍ଜନ୍‌ଙ୍କୁ ଉତ୍କଳ ଆର୍ଟ ୱେୟାର୍ସ ପ୍ରସ୍ତୁତ ରୌପ୍ୟାଧାରରେ ଅଭିନନ୍ଦନ ପତ୍ର ଦେଇଥିଲେ। ଏହାର ମଧ୍ୟ ଭାଗରେ ଜଗନ୍ନାଥ ମନ୍ଦିର ସୁବର୍ଣ୍ଣ ରଂଗରେ ଅଙ୍କିତ ହୋଇଥିଲା। ୧୯୨୮ ମସିହା ନଭେମ୍ବର ମାସ ୧୦ ତାରିଖରେ କଟକ ଟାଉନ୍‌ ହଲ୍‌ରେ ଦୁଇ ହଜାର ଜନସମାବେଶକୁ ଏକ ଅଭିନବ ଜାଗରଣର ବାର୍ତ୍ତା ଦେଇ ମଧୁବାବୁ କହିଥିଲେ- ସରକାରଙ୍କ ପାଖରେ ବହୁ ଦିନ ହେଲା ଦେଶ ମିଶ୍ରଣ ପନ୍ଥା ବିଷୟରେ ଆବେଦନ ନିବେଦନ ହେଲାଣି। ଏଣିକି ଆମ୍ଭମାନଙ୍କର ଶ୍ରେଷ୍ଠ ପନ୍ଥା ପରମେଶ୍ୱରଙ୍କର ପ୍ରାର୍ଥନା। ଆମ୍ଭମାନଙ୍କର ପାପ ଦୂର ନ ହେଲେ ଜାତିର ଉନ୍ନତି ହେବନାହିଁ। ସମସ୍ତେ ତ୍ରାହି ଜଗନ୍ନାଥ ବୋଲି ଡାକନ୍ତୁ। ସେ ମଧ୍ୟ ଗାଇଥିଲେ- ‘କୋଟିଏ ଓଡ଼ିଆ ଗୋଟିଏ ସ୍ୱରରେ ଡାକ ତ୍ରାହି ଜଗନ୍ନାଥ/ଅନ୍ଧାର ଘୁଞ୍ଚିବ ନିଶ୍ଚୟ ଦେଖିବ ଜାତିର ଉନ୍ନତି ପଥ/ସୁଦର୍ଶନ ଚକ୍ର ଗରଜି ଉଠିବ ବଳିୟାର ବାହୁ କରେ/ ମାତାଙ୍କ ଶ୍ରୀଅଙ୍ଗ ପୂର୍ବବତ ହେବ ଶତ୍ରୁ ପଳାଇବେ ଡରେ।’ ଏଥିରେ ମଧୁସୂଦନ ଜଗନ୍ନାଥ କୈନ୍ଦ୍ରିକ ଓଡ଼ିଆ ଅସ୍ମିତାର ଅବିସ୍ମରଣୀୟ ସଂକେତ ରୂପେ ଆବିର୍ଭୂତ।

ଓଡ଼ିଆ ଅସ୍ମିତାର ଅବିସ୍ମରଣୀୟ ପୁରୋଧା ରୂପେ ମଧୁସୂଦନ ୧୯୩୭ ମସିହାରୁ ପ୍ରକାଶିତ ନବ କିଶୋର ଦାସଙ୍କ ‘ଆମ ମଧୁବାବୁ’ ପୁସ୍ତକଠାରୁ ଆରମ୍ଭ କରି ସୁରେନ୍ଦ୍ର ମହାନ୍ତି, ସୂର୍ଯ୍ୟନାରାୟଣ ଦାସ, ଗଗନେନ୍ଦ୍ର ନାଥ ଦାଶ, ସୁରସିଂହ ପଟ୍ଟନାୟକ, ଦେବେନ୍ଦ୍ର କୁମାର ଦାଶ ଓ ଦାଶ ବେନହୁରଙ୍କର ପର୍ଯ୍ୟନ୍ତରେ ସମସ୍ତଙ୍କ ପୁସ୍ତକ, ପ୍ରବନ୍ଧ ଓ ଆଲୋଚନା ମାଳାରେ ଚିତ୍ରିତ।

ଆଜି ବି ଏ କ୍ଷଣରେ ମହାଯାତ୍ରୀ ମଧୁସୂଦନଙ୍କ ନିଜ ଭାଷା ‘ମୁଁ ତ ଯାଉଛି, ଏତିକି ମନେ ରଖିଥିବ ଜଣେ ଓଡ଼ିଆ ଥିଲା’ ଗୁଂଜରିତ ହୁଏ।

ମୋ:୯୪୩୭୬୨୧୫୧୬

ସମ୍ବନ୍ଧିତ ଖବର