ନୂଆଦିଲ୍ଲୀ: ମଣିଷ ଶରୀରରେ କେଶ ରହିବା ଏକ ସାଧାରଣ କଥା। ମଧ୍ୟପ୍ରଦେଶର ରତଲାମ ଜିଲ୍ଲାର ଏକ ଗାଁରେ ରହୁଥିବା ୧୮ ବର୍ଷୀୟ ବାଳକଙ୍କ ଶରୀରରେ ଥିବା କେଶ ସମସ୍ତଙ୍କୁ ଚକିତ କରିଛି। ଏହି ବାଳକଙ୍କ ନାମ ଲଳିତ ପାଟିଦାର। ଲଳିତଙ୍କ ମୁଖମଣ୍ଡଳରେ ଏତେ ମାତ୍ରାରେ କେଶ ରହିଛି କି ଯାହ ଗିନିଜ୍ ୱାର୍ଲ୍ଡ ରେକର୍ଡ ସୃଷ୍ଟି କରିଛି।
ଲଳିତ ଦୀର୍ଘ ଦିନ ଧରି ହାଇପରଟ୍ରିକୋସିସ୍ ନାମକ ଏକ ବିରଳ ରୋଗରେ ପୀଡିତ ଅଛନ୍ତି। ଯାହାକୁ ୱେରୱଲ୍ଫ ସିଣ୍ଡ୍ରୋମ ମଧ୍ୟ କୁହାଯାଏ।
ଦେଶ ଏବଂ ବିଶ୍ୱରେ ଏହି ବିରଳ ରୋଗର ମାମଲା ମାତ୍ର ୫୦ଟି ପଞ୍ଜିକୃତ ହୋଇଛି। ଯାହା ଯୋଗୁଁ ସାଧାରଣ ଲୋକଙ୍କ ତୁଳନାରେ ମୁହଁରେ ଅସ୍ୱାଭାବିକ ଭାବରେ ଅଧିକ କେଶ ବୃଦ୍ଧି ପାଇଥାଏ।
ଗିନିଜ୍ ୱାର୍ଲ୍ଡ ରେକର୍ଡ ଅନୁଯାୟୀ, ପାଟିଦାରଙ୍କ ମୁଖମଣ୍ଡଳରେ ପ୍ରତି ବର୍ଗ ସେଣ୍ଟିମିଟରରେ ୨୦୧.୭୧ କେଶ ଅଛି। ଯାହା ମୁହଁର ୯୫ ପ୍ରତିଶତକୁ ସମ୍ପୂର୍ଣ୍ଣ ଭାବେ ଘୋଡ଼ାଇ ଦେଉଛି।
ଲଳିତଙ୍କ ଉଚ୍ଚତା ଏବଂ ଗଠନ ଜଣେ ସାଧାରଣ ଯୁବକଙ୍କ ପରି, କିନ୍ତୁ ତାଙ୍କ ମୁଖମଣ୍ଡଳରେ ଅତ୍ୟଧିକ କେଶ ଥିବା ହେତୁ ସେ ଅନ୍ୟମାନଙ୍କଠାରୁ ଭିନ୍ନ ଦେଖାଯାଇଥାଆନ୍ତି। କେବଳ ଆଖି ଦୁଇଟିକୁ ଛାଡ଼ି ଚାରିଆଡେ ଲୋମମୟ।
ଲଳିତ ଗିନିଜ୍ ୱାର୍ଲ୍ଡ ରେକର୍ଡସକୁ ନେଇ କହିଛନ୍ତି, "ଯେଉଁମାନେ ମୋତେ ପ୍ରଥମ ଥର ପାଇଁ ଭେଟନ୍ତି ସେମାନେ ମୋର ମୁହଁରେ ଥିବା କେଶ ଦେଖି ଭୟଭୀତ ହୋଇଯାଆନ୍ତି, କିନ୍ତୁ ଯେତେବେଳେ ଲୋକମାନେ ମୋତେ ଜାଣିଲେ ଏବଂ ମୋ ସହିତ କଥାବାର୍ତ୍ତା ଆରମ୍ଭ କଲେ, ସେମାନେ ଅନୁଭବ କଲେ ଯେ ମୁଁ ଜଣେ ସାଧାରଣ ବ୍ୟକ୍ତି ଏବଂ ସେମାନଙ୍କଠାରୁ ଆଦୌ ଭିନ୍ନ ନୁହେଁ। ମୁଁ କେବଳ ମୁଖମଣ୍ଡଳରେ ବାହାରିଥିବା ଅତ୍ୟଧିକ କେଶ ଯୋଗୁଁ ଭିନ୍ନ ଦେଖାଯାଏ, ମୋର ସ୍ୱଭାବ ସାଧାରଣ ଲୋକଙ୍କ ପରି।"